ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ; ବଢିବ ବର୍ଷାର ପରିମାଣ
Advertisement

ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ; ବଢିବ ବର୍ଷାର ପରିମାଣ

ଆସନ୍ତାକାଲି ପ୍ରବଳ ବର୍ଷା ନେଇ ପଶ୍ଚିମ ଓଡିଶାର ୬ ଜିଲ୍ଲା ଉଦ୍ଦେଶ୍ୟରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ଫଟୋ ସୌଜନ୍ୟ: ଟ୍ୱିଟର@mcbbsr

ଭୁବନେଶ୍ୱର: ଲଘୁଚାପ ଘନୀଭୂତ। ଆସନ୍ତା ୪୮ ଘଣ୍ଟାରେ ବର୍ଷିବ। ବଙ୍ଗୋପ ସାଗର ଠାରେ ସୃଷ୍ଟ ଘୂର୍ଣ୍ଣୀବଳୟ ପ୍ରଭାବରେ ଉତ୍ତର-ପୂର୍ବ ଏବଂ ଏହାର ଆଖପାଖ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗର ଅଞ୍ଚଳରେ ସୋମବାର ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ଏହା ସହ ଏକ ଟ୍ରଫ୍ ଲାଇନ ସହ ଶିୟର ଜୋନ୍ ସକ୍ରିୟ ରହିଛି। 

ଏହି ପାଣିପାଗ ନିୟାମକ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ଏବଂ ଅତି ପ୍ରବଳ ବର୍ଷା ନେଇ କିଛି ଜିଲ୍ଲା ଉଦ୍ଦେଶ୍ୟରେ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ଆସନ୍ତାକାଲି ସକାଳ ୮ଟା ୩୦ ସୁଦ୍ଧା ରାଜ୍ୟର ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, କଳାହାଣ୍ଡି ପ୍ରଭୃତି ୫ ଜିଲ୍ଲାରେ ଅତି ପ୍ରବଳ ବର୍ଷା ଏବଂ ନବରଙ୍ଗପୁର, କନ୍ଧମାଳ, ବଲାଙ୍ଗୀର, ନୂଆପଡା, ପୁରୀ, ଗଞ୍ଜାମ, ଖୋର୍ଦ୍ଧା, ମୟୁରଭଞ୍ଜ, କେନ୍ଦୁଝର ଆଦି ୯ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର।

Also Read: ଘୂର୍ଣ୍ଣୀବଳୟ ଘନୀଭୂତ; ନିଅଣ୍ଟିଆ ବର୍ଷା ଭରଣା କରିବ କି ଲଘୁଚାପ?

ସେହିଭଳି ଆସନ୍ତାକାଲି ପ୍ରବଳ ବର୍ଷା ନେଇ ପଶ୍ଚିମ ଓଡିଶାର ୬ ଜିଲ୍ଲା ଉଦ୍ଦେଶ୍ୟରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆସନ୍ତା  ୮ ତାରିଖରୁ ବର୍ଷାର ପରିମାଣ କମିବା ପରେ ୧୦ ତାରିଖରୁ ପୁଣି ବଢିବାର ସମ୍ଭାବନା ରହିଛି। ସେପଟେ ସମୁଦ୍ର ଅଶାନ୍ତ ହେତୁ ଆସନ୍ତା ୪୮ଘଣ୍ଟା ପର୍ଯ୍ୟନ୍ତ ସମୁଦ୍ର ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି।