ପିପିଲି ଉପନିର୍ବାଚନ: 'ମୁଁ' ଭାଙ୍ଗୁଛି ବିଜେପି ସଂଗଠନ !
Advertisement
Article Detail0/zeeodisha/odisha793004

ପିପିଲି ଉପନିର୍ବାଚନ: 'ମୁଁ' ଭାଙ୍ଗୁଛି ବିଜେପି ସଂଗଠନ !

ବିଜେପି (BJP) ଓଡ଼ିଶା ପ୍ରଭାରୀଙ୍କୁ ପରିବର୍ତ୍ତନ କରିଛନ୍ତି । ଅରୁଣ ସିଂହଙ୍କ (Arun Singh) ପରିବର୍ତେ ଡି. ପୁରନ୍ଦେଶ୍ୱରୀଙ୍କୁ (D. Purandeswari) ନିଯୁକ୍ତି ଦେଇଛନ୍ତି । ଆଗାମୀ କିଛି ଦିନ ମଧ୍ୟରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା (JP Nadda) ମଧ୍ୟ ଓଡ଼ିଶା ଗସ୍ତ ଆସିବାର କାର୍ଯ୍ୟକ୍ରମ ରହିଛି ।

ପିପିଲି ଉପନିର୍ବାଚନ:  'ମୁଁ' ଭାଙ୍ଗୁଛି ବିଜେପି ସଂଗଠନ !

ନୂଆଦିଲ୍ଲୀ: ରାଜ୍ୟରେ ଆଗକୁ ରହିଛି ଦୁଇ ଦୁଇଟି ନିର୍ବାଚନ (Election)। ସାଧାରଣ ନିର୍ବାଚନକୁ (General Election) ପାଖାପାଖି ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ରହିଛି । ତଥାପି ଏବେଠାରୁ ରାଜ୍ୟରେ ବିଜେପି (BJP) ତାର ସଂଗଠନ ମଜବୁତ କରିବା କାର୍ଯ୍ୟ ଆରମ୍ଭ କରିଦେଲାଣି । ସେପଟେ କିନ୍ତୁ ବିଜେପି (BJP) ନିଜ ଘର କନ୍ଦଳ ବର୍ତ୍ତମାନ ପଦାରେ ପଡ଼ିଛି । ସ୍ପଷ୍ଟ ବାରି ହୋଇ ପଡ଼ୁଛି ରାଜ୍ୟ ବିଜେପି ମଧ୍ୟରେ ଅନ୍ତକନ୍ଦଳ । ଗୋଟିଏ କି ଦୁଇଟି ନୁହେଁ, ଏହାର ଏକାଧିକ ଉଦାହରଣ ମଧ୍ୟ ଦାଣ୍ଡରେ ପଡ଼ିଛି। ଫଳରେ ମଜବୁତ ହେବା ପରିବର୍ତ୍ତେ ସଂଗଠନରେ ଫାଟ ଧୀରେଧୀରେ ବୃଦ୍ଧି ପାଇବାରେ ଲାଗିଛି । 

ନିକଟରେ ବିଜେପି (BJP) ଓଡ଼ିଶା ପ୍ରଭାରୀଙ୍କୁ ପରିବର୍ତ୍ତନ କରିଛନ୍ତି । ଅରୁଣ ସିଂହଙ୍କ (Arun Singh) ପରିବର୍ତେ ଡି. ପୁରନ୍ଦେଶ୍ୱରୀଙ୍କୁ (D. Purandeswari) ନିଯୁକ୍ତି ଦେଇଛନ୍ତି । ଆଗାମୀ କିଛି ଦିନ ମଧ୍ୟରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା (JP Nadda) ମଧ୍ୟ ଓଡ଼ିଶା ଗସ୍ତ ଆସିବାର କାର୍ଯ୍ୟକ୍ରମ ରହିଛି । ତେବେ ରାଜ୍ୟରେ ହେବାକୁ ଥିବା ନିର୍ବାଚନ ଗୁଡ଼ିକରେ ରାଜ୍ୟ ବିଜେପିକୁ (BJP) ଟାସ୍କ ଦେଇଛନ୍ତି ନଡ୍ଡା (JP Nadda) । ୨୦୨୪ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ (General Election) ସରକାର ଗଢିବା ପାଇଁ ମଧ୍ୟ ଟାସ୍କ ଦେଇଛନ୍ତି ରାଜ୍ୟ ବିଜେପିକୁ । କିନ୍ତୁ ଯୁଦ୍ଧ କ୍ଷେତ୍ରକୁ ଓହ୍ଲାଇବା ପୂର୍ବରୁ ନିଜ ଘର କନ୍ଦଳକୁ ସଜାଡ଼ି ପାରୁନାହିଁ ରାଜ୍ୟ ବିଜେପି । ଜିଲ୍ଲା ଠାରୁ ଆରମ୍ଭ କରି ରାଜ୍ୟ ସଂଗଠନ ମଧ୍ୟରେ ଏକାଧିକ କନ୍ଦଳ ରହିଛି । ବିଶେଷ କରି ଏହି କନ୍ଦଳ ପାଇଁ ଆତ୍ମଗର୍ବ ଦାୟୀ ବୋଲି ରାଜନୈତିକ ବିଶ୍ଲେଷକମାନେ ସୂଚନା ଦେଇଛନ୍ତି । 

ଅଧିକ ପଢନ୍ତୁ: କିଏ ଜିତିବେ ପଶ୍ଚିମବଙ୍ଗ, ମମତା ନା ବିଜେପି?

ରାଜ୍ୟରେ ଅପ୍ରତିଦ୍ୱନ୍ଦ୍ୱୀ ଦଳ ଭାବେ ଉଭା ହୋଇଛି ବିଜେଡ଼ି (BJD)। ୨୧ ବର୍ଷ ଧରି ଶାସନ ଗାଦିରେ ଧାକ ଜମାଇ ବସି ରହିଛି । ଅପ୍ରତିଦ୍ୱନ୍ଦ୍ୱି ଦଳ ଭାବେ ଲଗାତାର ୨୧ ବର୍ଷ ଧରି ରାଜ୍ୟରେ ଶାସନ କରି ଆସୁଛି । ତେବେ ରାଜନୈତିକ ବିଶ୍ଲେଷକଙ୍କ ମତରେ ଯେପର୍ଯ୍ୟନ୍ତ ଦଳରେ ଆତ୍ମଗର୍ବ ଥମିନାହିଁ ସେପର୍ଯ୍ୟନ୍ତ ଦଳ ରାଜ୍ୟରେ ଶାସକ ବିଜେଡ଼ି ବିରୋଧରେ ଏକ ମଜବୁତ ବିରୋଧୀ ଭାବେ ଉଭା ହୋଇପାରିବନାହିଁ । ରାଜ୍ୟରେ ବିଜେପି ନେତାଙ୍କ ମଧ୍ୟରେ ସମନ୍ୱୟ ନାହିଁ । ଆତ୍ମ ଗର୍ବ ତଥା 'ମୁଁ ବଡ଼' ନୀତିରେ ଦଳୀୟ ନେତାମାନେ କାର୍ଯ୍ୟ କରୁଛନ୍ତି । ଯେଉଁଥି ପାଇଁ ରାଜ୍ୟରେ ସଂଗଠନ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ବାଲେଶ୍ୱର ଓ ତିର୍ତ୍ତୋଲ ଉପ ନିର୍ବାଚନ ପରଠାରୁ ଏହି କନ୍ଦଳ ମାତ୍ରାଧିକ ଭାବେ ପଦାରେ ପଡ଼ୁଥିବା ଦେଖିବାକୁ ମିଳିଛି । ରାଜନୈତିକ ବିଶ୍ଳେଷକମାନଙ୍କ ମତରେ ରାଜ୍ୟରେ ସାମୂହିକ କାର୍ଯ୍ୟଧାରା ବଦଳରେ ବ୍ୟକ୍ତିକୈନ୍ଦ୍ରିକ ନୀତି ମାଧ୍ୟମରେ ଦଳ କାର୍ଯ୍ୟ କରୁଛି । 

ସେପଟେ ରାଜ୍ୟ ବିଜେପି ମଧ୍ୟରେ ହଜାରେ ଫାଙ୍କ ପଦାରେ ପଡ଼ିଲାଣି । ଫଳରେ ଲୋକମାନଙ୍କ ନିକଟରେ ନିଜକୁ ଆସ୍ଥାଭାଜନ କରିବାରେ ବିଫଳ ହେଉଛନ୍ତି । ରାଜ୍ୟର କିଛି ବଡ଼ ବଡ଼ ରାଜନେତା କେନ୍ଦ୍ରୀୟ ରାଜନୀତିରେ ନିଜକୁ ସ୍ଥାପିତ କରିଛନ୍ତି । କିନ୍ତୁ ସେମାନଙ୍କ ମଧ୍ୟରେ ମଧ୍ୟ ଫାଟ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ବିଜେଡ଼ିର ଗରିବ ମାରଣ ନୀତି, ଦୁର୍ନୀତି, ପ୍ରିୟାପ୍ରିତି ତୋଷଣ ନୀତି ବିରୋଧରେ ମଧ୍ୟ ସ୍ୱର ମଜବୁତ କରିପାରୁନାହିଁ ବିଜେପି ।  ଫଳରେ ବିଜେଡ଼ିର ବିକଳ୍ପ ପାଉନାହାନ୍ତି ରାଜ୍ୟବାସୀ । ଫଳରେ ବାରମ୍ବାର ଶାସନଗାଦି ବିନା ପ୍ରତିଦ୍ୱନ୍ଦ୍ୱିତାରେ ବିଜେଡ଼ି ବିଜୟ ହାସଲ କରୁଛି । 

ଅଧିକ ପଢନ୍ତୁ: ବିପଦରେ ବୈଜୟନ୍ତ ପଣ୍ଡା

ତେବେ ନିକଟରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଘଟଣାକୁ ଉଦାହରଣ ସ୍ୱରୂପ ନିଆଯାଇପାରେ । ନିଜର ଲୋକପ୍ରିୟତା, ଦକ୍ଷତା ଓ ପାରଦର୍ଶିତା କାରଣରୁ ଭୁବନେଶ୍ୱରବାସୀଙ୍କ ଆସ୍ଥାଭାଜନ ହୋଇ ପାରିଥିଲେ । ବିଜୟ ଲାଭ ମଧ୍ୟ କରିପାରିଥିଲେ । ମାତ୍ର ଅପରାଜିତାଙ୍କ ସହିତ ରାଜ୍ୟ ବିଜେପିର ଅନ୍ୟ ତୁଙ୍ଗନେତାଙ୍କ ମଧ୍ୟରେ ମତଭେଦ ରହିଥିବା ଚର୍ଚ୍ଚା ଜୋର ଧରିଛି । କୋଭିଡ଼ ଗାଇଡ଼ଲାଇନ ଭାଙ୍ଗିବା ଅଭିଯୋଗରେ ବିଏମସି ଅପରାଜିତାଙ୍କ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ ମଧ୍ୟ କୌଣସି ରାଜ୍ୟ ବିଜେପି ନେତା ମୁଁହ ଖୋଲିନଥିଲେ । ସେହିପରି ହାଜତ ମୃତ୍ୟୁ ଘଟଣାରେ ସମ୍ବିତ ପାତ୍ର ପୁରୀ ବନ୍ଦ ଡାକରା ଦେଇଥିଲେ ମଧ୍ୟ ସଂଗଠନ ତାଙ୍କୁ ସମର୍ଥନ ଜଣାଇନଥିଲେ । ଫଳରେ ରାଜ୍ୟ ବିଜେପିର ନିରବତା କାରଣରୁ ପଛକୁ ଫେରି ଅପଦସ୍ତ ହୋଇଥିଲେ ସମ୍ବିତ । 

ବୈଜୟନ୍ତ ପଣ୍ଡାଙ୍କ ସ୍ଥିତି ମଧ୍ୟ ସମାନ । ବୈଜୟନ୍ତ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ହୋଇଥିଲେ ମଧ୍ୟ ରାଜ୍ୟ ସଂଗଠନ ତାଙ୍କୁ ସମର୍ଥନ କରୁନଥିବା ସମ୍ପ୍ରତି ପରିସ୍ଥିତିରେ ବାରି ହୋଇପଡ଼େ । ସମୀର ମହାନ୍ତିଙ୍କୁ ରାଜ୍ୟ ବିଜେପି ସଭାପତି କରାଯାଇଥିଲେ ମଧ୍ୟ କୌଣସି କାଟତି ତାଙ୍କର ନାହିଁ । ଏଭଳି ଅନେକ ସମସ୍ୟା ବର୍ତ୍ତମାନ ରାଜ୍ୟ ସଂଗଠନରେ ନିରବତା ମଧ୍ୟରେ କୋଳାହଳ କରୁଛି । ତେବେ ରାଜ୍ୟରେ ଦୀର୍ଘ ୨୧ ବର୍ଷ ଧରି ଶାସନଗାଦୀରେ ବସିଥିବା ବିଜେଡ଼ିକୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ହେଲେ ପ୍ରଥମରେ ବିଜେପିକୁ ନିଜ ଘର ସଜାଡ଼ିବାକୁ ହେବ । ଜେପି ନଡ୍ଡା ହୁଅନ୍ତୁ ଅବା ଡି ପୁରନ୍ଦେଶ୍ୱରୀ କିମ୍ବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହାଙ୍କ ଗସ୍ତ କେବଳ ନାଁକୁ ମାତ୍ର। ପ୍ରଥମେ ଜାତୀୟ ସ୍ତରର ନେତୃବୃନ୍ଦଙ୍କୁ ରାଜ୍ୟ ବିଜେପିକୁ ସଜାଡ଼ିବାକୁ ହେବ । ଆତ୍ମସ୍ୱାର୍ଥ ଓ ଆତ୍ମବଡିମାକୁ ବାଦ ଦେଇ ଦଳୀୟ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିବାକୁ ହେବ ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ଦେଇଛନ୍ତି ।