ମୁଖ୍ୟମନ୍ତ୍ରୀଙ୍କ ଜିରୋ ଟଲରାନ୍ସ:୫ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର
Advertisement
Article Detail0/zeeodisha/odisha1091818

ମୁଖ୍ୟମନ୍ତ୍ରୀଙ୍କ ଜିରୋ ଟଲରାନ୍ସ:୫ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ରାଜ୍ୟ ସରକାରଙ୍କ ଏହି ଆଭିମୁଖ୍ୟ ଅନୁଯାୟୀ ଏବେ ଆଉ ୫ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ଏବଂ ଏଥିରେ ବିଭିନ୍ନ କ୍ଷେତ୍ରରେ ଅଧିକାରୀ, ଯଥା - ଇଞ୍ଜିନିୟର, ସିଡିପିଓ, ଅଙ୍ଗନବାଡି ସୁପରଭାଇଜର, ପୋଲିସ ଇନ୍ସପେକ୍ଟର, ରେଭେନ୍ୟୁ ସୁପରଭାଇଜର ପ୍ରମୁଖ ଅନ୍ତର୍ଭୁକ୍ତ ଅଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଜିରୋ ଟଲରାନ୍ସ:୫ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚନୈତିକ ମୂଲ୍ୟବୋଧ ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି। ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ମଧ୍ୟ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର ଦେଇଆସିଛନ୍ତି । ଜନସାଧାରଣଙ୍କୁ ସ୍ବଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ଉତ୍ତମ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି।

ରାଜ୍ୟ ସରକାର (Odisha Government) ଙ୍କ ଏହି ଆଭିମୁଖ୍ୟ ଅନୁଯାୟୀ ଏବେ ଆଉ ୫ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ଏବଂ ଏଥିରେ ବିଭିନ୍ନ କ୍ଷେତ୍ରରେ ଅଧିକାରୀ, ଯଥା - ଇଞ୍ଜିନିୟର, ସିଡିପିଓ, ଅଙ୍ଗନବାଡି ସୁପରଭାଇଜର, ପୋଲିସ ଇନ୍ସପେକ୍ଟର, ରେଭେନ୍ୟୁ ସୁପରଭାଇଜର ପ୍ରମୁଖ ଅନ୍ତର୍ଭୁକ୍ତ ଅଛନ୍ତି ।  ଏହି  ୫ ଜଣଙ୍କ ମଧ୍ୟରୁ ମୟୂରଭଂଜ ଜିଲ୍ଲା ବାରିପଦା ଆଇ.ଟି.ଡି.ଏ ର ଆସିଷ୍ଟାଣ୍ଟ ଇଂଜିନିୟର ସନ୍ତୋଷ କୁମାର ଦାସଙ୍କ ନାମରେ ଗୋଟିଏ ଦୁର୍ନୀତି ଅଭିଯୋଗ ରହିଛି। ତାଙ୍କ ବିରୋଧରେ ୨.୮୦ କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ରହିଛି । ସେଥିପାଇଁ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ଏହି ଆୟ ବହିର୍ଭୁତ ସମ୍ପତ୍ତି ମଧ୍ୟରେ ୪୧.୭୭ ଲକ୍ଷ ଟଙ୍କା ତାଙ୍କ ଘରୁ ନଗଦ ଜବତ କରାଯାଇଥିଲା । 

Also Read: ମଦ-ମାଂସ ନୁହେଁ ଜୀଅନ୍ତା ମାଛ ଧରି ବୁଲୁଛନ୍ତି ସରପଞ୍ଚ ପ୍ରାର୍ଥୀ

ତାଙ୍କର ଭୁବନେଶ୍ବର (Bhubaneswar) ବରଗଡରେ ଏକ ଦୁଇତାଲା ବିଶିଷ୍ଟ ଘର, ଶୈଳଶ୍ରୀ ବିହାରରେ ଏକ ଫ୍ଲାଟ୍, କଳିଙ୍ଗ ବିହାରରେ ଏକ ଅର୍ଦ୍ଧନିର୍ମିତ ବିଲ୍ଡିଂ ରହିଛି । ଏହା ସହିତ ବାଲେଶ୍ବରରେ ୩ଟି ପ୍ଲଟ୍ ମଧ୍ୟ ଅଛି । ଅପାରଗତା, ଅସାଧୁତା ଓ ଆର୍ଥିକ ଅନିୟମିତତା ଯୋଗୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ସେହିପରି ଜଗତସିଂହପୁର ଜିଲ୍ଲା ବାଲିକୁଦାର ଗୋଷ୍ଠୀ ଉନ୍ନୟନ ପ୍ରକଳ୍ପ ଅଧିକାରୀ (ସିଡିପିଓ) ସରଳା ଦେଇଙ୍କ ନାମରେ ଏକ ଦୁର୍ନୀତି ଅଭିଯୋଗ ରହିଛି । ୨୦ ହଜାର ଟଙ୍କା ଲାଞ୍ଚ ଦାବି କରି ଗ୍ରହଣ କରୁଥିବା ବେଳେ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ଧରା ପଡିଥିଲେ।  

Also Read: PF ଆକାଉଣ୍ଟଧାରୀଙ୍କୁ ଲାଗିବ ବଡ଼ ଝଟକା! ନୂଆ ନିୟମ ଆଣୁଛନ୍ତି ମୋଦି ସରକାର

ଦୁର୍ନୀତି ନିବାରଣ ବିଭାଗର ଅନୁସଂଧାନରୁ ଜଣାଯାଇଛି ଯେ ତାଙ୍କର ଭୁବନେଶ୍ବରରେ ୫ଟି ପ୍ଲଟ, ପିପିଲିରେ ଗୋଟିଏ ପ୍ଲଟ ଓ ଜଗତସିଂହପୁରରେ ଦୁଇଟି ପ୍ଲଟ ରହିଛି । ତା ସହିତ ଜଗତସିଂପୁରରେ (Jagatsinghpur) ଗୋଟିଏ ଦୁଇତାଲା ବିଲ୍ଡିଂ ଅଛି । ଏହାସହିତ ଟଙ୍କା ଓ ସୁନାଗହଣା ଜବତ କରାଯାଇଛି । ଅପାରଗତା ଓ ଅସାଧୁତା ଯୋଗୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଅନ୍ୟପଟେ ଜଗତସିଂହପୁର ବାଲିକୁଦାର ଅଙ୍ଗନବାଡି ସୁପରଭାଇଜର ପ୍ରତିମା ସାହୁଙ୍କ ନାମରେ ଏକ ଦୁର୍ନୀତି ଅଭିଯୋଗ ଅଛି। ଲାଞ୍ଚ ଦାବି କରି ଗ୍ରହଣ କରୁଥିବା ବେଳେ ସେ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ଧରା ପଡି଼ଥିଲେ । ତାଙ୍କୁ ଗିରଫ କରାଯାଇ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା । ଅପାରଗତା ଓ ଅସାଧୁତା ଯୋଗୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

Also Read: Jio ଆଣୁଛି ଶସ୍ତା ଲାପଟପ୍, ଜାଣନ୍ତୁ 'JioBook'ର ଫିଚର୍ ଓ ଦାମ୍

ଅନୁଗୋଳ ପୋଲିସ (Anugul Police) ଟ୍ରେନିଂ କଲେଜର ପୋଲିସ ଇନ୍‌ସପେକ୍ଟର ରାମଚନ୍ଦ୍ର ବେହେରାଙ୍କ ନାମରେ ଅନେକ ଅଭିଯୋଗ ରହିଥିଲା । ଅପାରଗତା ଓ ବିଶୃଙ୍ଖଳ ଆଚରଣ ଯୋଗୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ସେହିପରି କେନ୍ଦୁଝର ଜିଲ୍ଲା ସଦର ତହସିଲଦାରଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ରେଭିନ୍ୟୁ ସୁପରଭାଇଜର (Revenue Supervisor) ହୃଦାନନ୍ଦ ସାହୁଙ୍କ ନାମରେ ଏକ ଦୁର୍ନୀତି ଅଭିଯୋଗ ରହିଛି । ଜମିଜମା ମାପଚୁପ ସମୟରେ ଜଣେ ବ୍ୟକ୍ତିଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ଦାବି କରି ଗ୍ରହଣ କରୁଥିବା ବେଳେ, ସେ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ଧରା ପଡି଼ଥିଲେ । ଅସାଧୁ କାର୍ଯ୍ୟକଳାପ ଯୋଗୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

Also Read: ବନ୍ଦ ହୋଇଯିବ ଫେସବୁକ୍ ଓ ଇନଷ୍ଟାଗ୍ରାମ, ଜାଣନ୍ତୁ ଏହାର କାରଣ

ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ନିକଟରେ ଜଣେ ବରିଷ୍ଠ ଭାରତୀୟ ବନସେବା ଅଧିକାରୀ ଓ ଜଣେ ବରିଷ୍ଠ ଭାରତୀୟ ପ୍ରଶାସନିକ ଅଧିକାରୀ (IAS) ଙ୍କୁ ଚାକିରୀରୁ ବହିଷ୍କାର କରିଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୪୬ ଜଣ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାର ବା ବାଧ୍ୟତାମୂଳକ ଅବସର ଦିଆଯାଇଛି।