)
ଭୁବନେଶ୍ୱର: ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶରେ ପଶିଛି କୋରୋନାର ଓମିକ୍ରନ ଭ୍ୟରିଆଣ୍ଟ। ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ରାଜ୍ୟର ସୀମାକୁ ଆସିବା ପରେ ଚିନ୍ତା ବଢିବାରେ ଲାଗିଛି। ହେଲେ ଓମିକ୍ରନକୁ ନେଇ ଚିନ୍ତା କରିବା କୌଣସି ଆବଶ୍ୟକତା ନାହିଁ ବୋଲି ସ୍ବାସ୍ଥ୍ୟ ବିଭାଗ ସଚେତନ କରାଇଛି।
କୋରୋନା ଭାଇରସ୍ର ନୂଆ ଭ୍ୟାରିଆଣ୍ଟ୍ ଓମିକ୍ରନ୍ ସମ୍ପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନୂଆ ତଥ୍ୟ ବିଶ୍ବ ପାଇଁ ଚିନ୍ତାର କାରଣ ପାଲଟିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଗତ ରବିବାର ଦେଇଥିବା ସୂଚନା ଅନୁସାରେ, ଓମିକ୍ରନ୍ ସଂକ୍ରମଣ ଯୋଗୁ ଶରୀରେ ଟିକାର ପ୍ରଭାବ ନଷ୍ଟ ହେଉଛି। ଏହାସହ ସଂକ୍ରମଣ ଖୁବ୍ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଡେଲ୍ଟା ଭ୍ୟାରିଆଣ୍ଟ ଅପେକ୍ଷା ଓମିକ୍ରନ୍ ଅଧିକ ବ୍ୟାପୁଥିବା ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ କହିଛି। ହେଲେ ଆଶ୍ବସ୍ତର କଥା ଡେଲ୍ଟା ଭ୍ୟାରିଆଣ୍ଟ ଭଳି ଓମିକ୍ରନରେ ମାରାତ୍ମକ ଲକ୍ଷଣ ଦେଖାଯାଉ ନାହିଁ। ଏହା ସତ୍ବେ ଭୟ ଲାଗି ରହିଛି।
ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶ (Andhra Pradesh) ରେ ଓମିକ୍ରନ (omicron) ସଂକ୍ରମିତ ଚିହ୍ନଟ ହେବା ପରେ ଓଡ଼ିଶା ସଜାଗ ହୋଇଛି। ରାଜ୍ୟର ସମସ୍ତ ସୀମାନ୍ତ ଜିଲ୍ଲା ଗୁଡିକୁ ସରକାର ସଜାଗ କରାଇଛନ୍ତି। ରାଜ୍ୟ ସରକାରଙ୍କ ପାଖରେ ଏନେଇ ସୂଚନା ରହିଛି ଏଥିପାଇଁ ଭୟ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି। ଯେଉଁମାନେ ବିଦେଶରୁ ଓଡିଶା (Odisha) ଆସୁଛନ୍ତି ସେମାନଙ୍କର ବିମାନ ବନ୍ଦରରେ ଟେଷ୍ଟିଂ କରାଯାଉଛି। ଏ ପର୍ଯ୍ୟନ୍ତ ଓଡିଶାରେ ଜଣେ ବି ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି। କ୍ଲଷ୍ଟରରୁ ପିଜିଟିଭ (Coronavirus) ହେଉଥିବା କିମ୍ବା ବିଦେଶ ଫେରନ୍ତାଙ୍କ ଜିନମ ସିକ୍ୟୁସେସିଂ କରାଯାଉଛି ବୋଲି ଡିଏମଇଟି, ରମାରମଣ ମହାନ୍ତି କହିଛନ୍ତି।
ବର୍ଷ ଆରମ୍ଭରେ ଭାରତରେ ପ୍ରଥମେ ଚିହ୍ନଟ ହୋଇଥିବା ଡେଲ୍ଟା ଭାରିଏଣ୍ଟର ପ୍ରଭାବ ଅଧିକ ଥିଲା। ଅଧିକ ସଂଖ୍ୟାକ ଲୋକେ ଏଥିରେ ସଂକ୍ରମିତ ହୋଇଥିଲେ। କିଛି ସପ୍ତାହ ପୂର୍ବରୁ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ଓମିକ୍ରନ୍ ଡିସେମ୍ବର ୯ ସୁଦ୍ଧା ୬୩ଟି ଦେଶକୁ ବ୍ୟାପି ସାରିଛି। ଟିକାର ପ୍ରଭାବ ହ୍ରାସ କରୁଥିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହୁଥିବାବେଳେ ଫାଇଜର ଓ BioNTech କହିଛନ୍ତି ଯେ, ତାଙ୍କ ଟିକା ଓମିକ୍ରନର ମୁକାବିଲା କରିପାରୁଛି। ଏଥିପାଇଁ ଟିକା କରଣକୁ ଗୁରୁତ୍ବ ଦିଆଯାଉଛି। ରାଜ୍ୟର ୮୭ ପ୍ରତିଶତ ଲୋକ ପ୍ରଥମ ଡୋଜ ଟିକା ନେଇ ସାରିଛନ୍ତି। ୧୩ ପ୍ରତିଶତ ଲୋକ ଅର୍ଥାତ ୪୧ ଲକ୍ଷ ଲୋକ ଏବେ ବି ଟିକା ନେଇ ନ ଥିବା ଚିନ୍ତା ବଢାଇଛି।
ରାଜ୍ୟର ୫୪ ପ୍ରତିଶତ ଲୋକ ସେକେଣ୍ଡ ଡୋଜ ନେଇଛନ୍ତି ଯାହା ଆଶ୍ବସ୍ତ କରିଛି। ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟରେ ପ୍ରଥମ ଡୋଜ ଶେଷ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ଲକ୍ଷ୍ୟ ରଖିଛି। ମୟୂରଭଞ୍ଜ, କନ୍ଧମାଳ ଓ କଟକ ଭଳି ଜିଲ୍ଲାରେ ପ୍ରଥମ ଡୋଜ ଟିକାକରଣ ହାର ବହୁତ କମ ରହିଥିବା ଚିନ୍ତା ବଢାଇବାରେ ଲାଗିଛି। ଓମିକ୍ରନ ଭୂତାଣୁର ଭୟାବହତା ବଢୁଥିବାରୁ ଏଥିପାଇଁ ଆମକୁ ସଜାଗ ରହିବାକୁ ହେବ। ଦେଶରେ ବର୍ତ୍ତମାନ ଯେଭଳି ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି ଆଗକୁ ପରିସ୍ଥିତି ଆହୁରି ଅଣାୟତ ହେବା ଆଶଙ୍କା ରହିଛି।