ISI Intelligence Mission: ବିପଦରେ ସମ୍ବେଦନଶୀଳ ସ୍ଥାନର ସୁରକ୍ଷା
Advertisement
Article Detail0/zeeodisha/odisha1001679

ISI Intelligence Mission: ବିପଦରେ ସମ୍ବେଦନଶୀଳ ସ୍ଥାନର ସୁରକ୍ଷା

ଏଭଳି ଗୁଇନ୍ଦାଗିରି ଦେଶରେ ଏହା ପ୍ରଥମ ନୁହଁ। ପୂର୍ବରୁ ଅନେକ ଥର ଅନେକ ସମ୍ବେଦନଶୀଳ ସ୍ଥାନରେ ଗୁଇନ୍ଦାଗିରି କରି ତଥ୍ୟ ହାସଲ କରିବାକୁ ଯୋଜନା କରିଛି ISI।

 ISI Intelligence Mission: ବିପଦରେ ସମ୍ବେଦନଶୀଳ ସ୍ଥାନର ସୁରକ୍ଷା

ଭୁବନେଶ୍ୱର: ଚାନ୍ଦିପୁର କ୍ଷେପଣାସ୍ତ୍ର ପ୍ରତିଷ୍ଠାନରୁ ତଥ୍ୟ ଚୋରି ମାମଲାରେ କ୍ରାଇମବ୍ରାଞ୍ଚକୁ ମିଳିଛି ପାକିସ୍ତାନ ଲିଙ୍କ। ପାକିସ୍ତାନର ରାୱଲପିଣ୍ଡି ଓ ଇସଲାମାବାଦରୁ ରହସ୍ୟମୟୀ ଯୁବତୀ ଅପରେଟ କରୁଥିଲେ ସୋସିଆଲ ମିଡିଆ। ଆଉ ଜାଲରେ ଫସାଉଥିଲେ ଓଡିଶାର ଯୁବକଙ୍କୁ। ଟାର୍ଗେଟରେ ଥିଲା DRDO ଭଳି ସମ୍ବେଦନଶୀଳ ସଂସ୍ଥାରୁ ତଥ୍ୟ ବାହାର କରିବା। ହେଲେ ଅଧାବାଟରୁ କ୍ରାଇମବ୍ରାଞ୍ଚ ଗିରଫ କରିନେଲା ୫ ଅଭିଯୁକ୍ତଙ୍କୁ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଏବେ ମଧ୍ୟ ବାଲେଶ୍ବରର କିଛି ଲୋକଙ୍କ ଯୋଗାଯୋଗରେ ରହିଛନ୍ତି ରହସ୍ୟମୟୀ ଯୁବତୀ। ସେମାନଙ୍କୁ ମଧ୍ୟ ହନିଟ୍ରାପର ଶିକାର କରାଇ ସେମାନଙ୍କ ଠାରୁ ପ୍ରତିରକ୍ଷା ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିବା ପାଇଁ ଯୋଜନା କରୁଛନ୍ତି ରହସ୍ୟମୟୀ ଯୁବତୀ।

ରହସ୍ୟମୟୀ ଯୁବତୀଙ୍କ ଟାର୍ଗେଟରେ ଓଡିଶାର ଯୁବକ। ଫେସବୁକ, ହ୍ବାଟସଆପ ଯୋଗେ ପାକିସ୍ତାନରୁ ଅପରେଟ ହେଉଛି ସୋସିଆଲ ମିଡିଆ। ଆଉ ତଥ୍ୟ ହାସଲ କରିବା ପାଇଁ ଯୁବକଙ୍କୁ ପ୍ରେମ ଜାଲରେ ଫସାଯାଉଛି। ବାଲେଶ୍ବରସ୍ଥିତ DRDO ସଂସ୍ଥାରୁ ଗିରଫ ୫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ଜେରା ବେଳେ ମିଳିଛି ଏଭଳି କିଛି ଗୁପ୍ତ ତଥ୍ୟ। ଯୁବତୀଙ୍କ ୪ଟି ଫେସବୁକ୍ ଆକାଉଣ୍ଟ ମଧ୍ୟରୁ ୩ଟି ଇସଲାମାବାଦରୁ ଅପରେଟ୍ ହେଉଥିବା ବେଳେ ଗୋଟିଏ ରାୱଲପିଣ୍ଡିରୁ ଅପରେଟ୍ ହେଉଥିବା କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ପ୍ରମାଣ।

Alsso Read: ITRରୁ DRDO ତଥ୍ୟ ଲିକ୍ ଘଟଣା: ପାକିସ୍ତାନୀ ସୁନ୍ଦରୀଙ୍କ ଜାଲରେ ଫସିଥିଲେ ୪ ଠିକା କର୍ମଚାରୀ

 

ପ୍ରାୟ ଦେଢ ବର୍ଷ ଧରି ଚାନ୍ଦିପୁର DRDO କର୍ମଚାରୀଙ୍କୁ ଏପରି ଭାବେ ନିଜ ପ୍ରେମ ଜାଲରେ ଫସାଇ ବିବାହ ଅଫର ଦେଇଥିଲା ଯୁବତୀ। ହେଲେ କେହି ଯେପରି ଏହାର ଟେର ନ ପାଇବେ ସେଥିନିମନ୍ତେ ପ୍ରକ୍ସି ଆଇପି (Proxy IP) ଜରିଆରେ ଜାଲ ବିଛାଇ ଫସାଇ ଯାଇଥିଲା ମାୟାବିନୀ। ପ୍ରକ୍ସି ଆଇପି ଆଡ୍ରେସ ଜରିଆରେ ରହସ୍ୟମୟୀ ଯୁବତୀ ନିଜ ଲୋକେସନ ଲୁଚାଇ ଆସୁଥିଲେ। ପାକିସ୍ତାନରୁ ନିଜ ଫେସବୁକ୍ ଆକାଉଣ୍ଟ ଅପରେଟ୍ କଲେ ମଧ୍ୟ ତାହା ବ୍ରିଟେନର ବୋଲି ଦର୍ଶାଉଥିଲା। ହନିଟ୍ରାପ୍‌ରେ ଫସାଇ ଦେଶର ସୁରକ୍ଷା ସମ୍ପର୍କୀତ ଗୋପନୀୟ ତଥ୍ୟ ଆଦାୟ କରୁଥିବା ରହସ୍ୟମୟୀ ସମସ୍ତଙ୍କୁ ଦେଉଥିଲେ ଭିନ୍ନ ଭିନ୍ନ ଠିକଣା। ଯୁବତୀ ଜଣକ ପାକିସ୍ତାନରେ ରହି ସେଠାରୁ ଚାଟ କରୁଥିବା ନେଇ ପ୍ରମାଣ ହାତେଇଛି କ୍ରାଇମବ୍ରାଞ୍ଚ। କିଛି ଚାଟକୁ ଅଭିଯୁକ୍ତ ଡିଲିଟି କରିଦେଇଥିବାରୁ  Indian Computer Emergency Response Team ସହ ଯୋଗାଯୋଗ କରି ଅଧିକ ତଥ୍ୟ ମାଗି ହିଷ୍ଟ୍ରି ରିକଭରି କରିବାକୁ ଚେଷ୍ଟା କରୁଛି କ୍ରାଇମବ୍ରାଞ୍ଚ।  

ଗିରଫ ୫ ଅଭିଯୁକ୍ତଙ୍କ ସହ ଭିନ୍ନ ଭିନ୍ନ ପରିଚୟ ଦେଇ ୨୦୨୦ ଫେବୃଆରୀରୁ କଥା ହେଉଥିଲେ ରହସ୍ୟମୟୀ ଯୁବତୀ। ଏବେ ଆହୁରି ତଥ୍ୟ ବାହାର କରିବାକୁ ଇଣ୍ଟରପୋଲ ସହ ଯୋଗାଯୋଗରେ ରହିଛି କ୍ରାଇମବ୍ରାଞ୍ଚ। ହେଲେ ଏଭଳି ଗୁଇନ୍ଦାଗିରି ଦେଶରେ ଏହା ପ୍ରଥମ ନୁହଁ। ଏହା ପୂର୍ବରୁ ମଧ୍ୟ ଅନେକ ଥର ଅନେକ ସମ୍ବେଦନଶୀଳ ସ୍ଥାନରେ ଗୁଇନ୍ଦାଗିରି କରି ତଥ୍ୟ ହାସଲ କରିବାକୁ ଯୋଜନା କରିଛି ପାକିସ୍ଥାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ। ଏହି ଘଟଣାରେ ମଧ୍ୟ ରହସ୍ୟମୟୀ ଯୁବତୀଙ୍କ ସହ ଆଇଏସଆଇ ଲିଙ୍କ ଥିବା ସନ୍ଦେହ କରାଯାଉଛି। ଏଭଳି ଘଟଣା ପରେ ରାଜ୍ୟରେ ଚାନ୍ଦିପୁର ସମେତ ଅନ୍ୟାନ୍ୟ ସମ୍ବେଦନଶୀଳ ସ୍ଥାନର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେଥିପାଇଁ ଏସବୁ ସ୍ଥାନରେ ସୋସିଆଲ ମିଡିଆ ବ୍ୟବହାର କରିବା ନେଇ ସ୍ବତନ୍ତ୍ର SOP ଜାରି କରାଯିବା କଥା ବୋଲି ବିଶେଷଜ୍ଞ ମତ ଦେଇଛନ୍ତି। ଯଦିଓ ଦେଶ ବାହାରକୁ ଯାଇ ତଦନ୍ତ କରିବା ଭଳି କ୍ଷମତା କ୍ରାଇମବ୍ରାଞ୍ଚ ନିକଟରେ ନାହିଁ ଏଥିପାଇଁ NIA ଭଳି କେନ୍ଦ୍ରୀୟ ସଂସ୍ଥାର ସହାୟତା ନେଲେ ଅଧିକ ସୁରାକ ମିଳିପାରିବ ବୋଲି କହିଛନ୍ତି ପୂର୍ବତନ ପୋଲିସ ଡିଜି ସଞ୍ଜୀବ ମାରିକ। 

Also Read: DRDO କର୍ମଚାରୀଙ୍କୁ ହନିଟ୍ରାପ୍‌ରେ ଫସାଇଥିବା ମହିଳାଙ୍କୁ ନେଇ ଆସିଲା ଏହି ଚାଞ୍ଚଲ୍ୟକର ତଥ୍ୟ

 

ରାଜ୍ୟରେ ଏହା ପ୍ରଥମ ଘଟଣା ନୁହଁ ଯେଉଁଠି ପାକିସ୍ତାନର ନଜର ଓଡିଶା ଉପରେ ପଡିଛି। ଯଦିଓ କ୍ରାଇମବ୍ରାଞ୍ଚ ହାତରେ କିଛି ସୁରାକ ଲାଗିଛି। ହେଲେ ଏହି ସୁରାକ ପଡୋଶୀ ପାକିସ୍ତାନରୁ ଅଭିଯୁକ୍ତଙ୍କୁ ଗିରଫ କରି ଆଣିବାରେ କ୍ରାଇମବ୍ରାଞ୍ଚ ସଫଳ ହୋଇନପାରେ। ଏଥିପାଇଁ NIA ଭଳି କେନ୍ଦ୍ରୀୟ ସଂସ୍ଥାର ସହଯୋଗ ନେବା ଯଥେଷ୍ଟ ଆବଶ୍ୟକ ହୋଇପଡିଛି। ରିମାଣ୍ଡ ଆଣି ଜେରା ପରେ ମିଳିଥିବା ତଥ୍ୟ ପରେ ଏଠାରେ ଉଠୁଛି ଅନେକ ପ୍ରଶ୍ନ। ମହିଳା ଜଣକ କିଏ, ପରିଚୟ ମିଳିବା ପରେ ଭାରତୀୟ ଅଧିକାରୀ ଅଭିଯୁକ୍ତଙ୍କୁ ଗିରଫ କରିପାରିବେ ନା ନାହିଁ ପାକିସ୍ତାନ ସହ ଭାରତର ସେଭଳି କୌଣସି ଚୁକ୍ତି ସ୍ୱାକ୍ଷରିତ ହୋଇନଥିବାରୁ କିଭଳି ଅଭିଯୁକ୍ତଙ୍କୁ ଧରାଯିବ ଏବଂ କିଭଳି ଲୋକେ ସଚେତନ ହେବେ ତାହା ଉପରେ ରହିଛି ନଜର।