କୋରୋନା କଟକଣା ଭିତ୍ତିରେ ଖୋଲିବ ଧର୍ମାନୁଷ୍ଠାନ; ପାର୍ବଣ ସମୟରେ ଦର୍ଶନ ସୁବିଧା ଦେବା ଲାଗି ଦାବି
Advertisement

କୋରୋନା କଟକଣା ଭିତ୍ତିରେ ଖୋଲିବ ଧର୍ମାନୁଷ୍ଠାନ; ପାର୍ବଣ ସମୟରେ ଦର୍ଶନ ସୁବିଧା ଦେବା ଲାଗି ଦାବି

ଆଗକୁ ପାର୍ବଣ ରହିଥିବାରୁ ଭକ୍ତଙ୍କ ଦର୍ଶନ ସୁବିଧା ଦେବା ଲାଗି ଦାବି ହୋଇଛି।

କୋରୋନା କଟକଣା ଭିତ୍ତିରେ ଖୋଲିବ ଧର୍ମାନୁଷ୍ଠାନ; ପାର୍ବଣ ସମୟରେ ଦର୍ଶନ ସୁବିଧା ଦେବା ଲାଗି ଦାବି

ଭୁବନେଶ୍ୱର: ଆସନ୍ତା ମାସ ପହିଲାରୁ ହେବ ବାବା ଲିଙ୍ଗରାଜଙ୍କ ଦର୍ଶନ। ବିଏମସି କୋଭିଡ ନିର୍ଦ୍ଦେଶାବଳୀ ଅନୁଯାୟୀ ଲିଙ୍ଗରାଜ ମନ୍ଦିର ସେପ୍ଟେମ୍ବର ପହିଲାରୁ ଖୋଲିବାକୁ ନିଷ୍ପତ୍ତି ହୋଇଛି। ରାଜଧାନୀରେ ଚଳିତ ମାସ ୨୩ ତାରିଖରୁ ଯଦିଓ ଅନ୍ୟାନ୍ୟ ମନ୍ଦିର ଖୋଲିବାକୁ ପୂର୍ବରୁ ନିଷ୍ପତ୍ତି ହୋଇସାରିଛି। ଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ଟ୍ରଷ୍ଟ ବୋର୍ଡ ଉପରେ ଦାୟିତ୍ବ ନ୍ୟସ୍ତ ଆଧାରରେ ଆସନ୍ତା ପହିଲାରୁ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। 

କେବଳ ଆଡକାଡ ପର୍ଯ୍ୟନ୍ତ ଦର୍ଶନ ଅନୁମତି ରହିଥିବା ବେଳେ ସେବାପୂଜା ଦାୟିତ୍ବରେ ଥିବା ପୂଜକଙ୍କୁ ୨ ଡୋଜ୍ କୋଭିଡ୍ ଦୁଇଟି ଟିକା ନେବାକୁ ଜଣାଇ ଦିଆଯାଇଛି। ସେହିପରି ଏକକାଳୀନ ୧୦୦ ଲୋକଙ୍କୁ ମନ୍ଦିର ଭିତରେ ପ୍ରବେଶ ଅନୁମତି ରହିଛି। ଏହା ସହ ମହାପ୍ରଭୁଙ୍କ ରୂପାର ପ୍ରଭା, ନୂଆ ବିମାନ, ନୂଆ ପାଲିଙ୍କି ତିଆରି କରିବାକୁ ନିଷ୍ପତ୍ତି ନିଆଯାଇଛି। ଲିଙ୍ଗରାଜ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀ ଚନ୍ଦ୍ରଶେଖର, ମା ଭୁବନେଶ୍ବରୀ, ମା ପାର୍ବତୀଙ୍କ ପାଇଁ ୩ ଗୋଟି ରୂପାର ପ୍ରଭା ତିଆରି କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସେହିପରି ମହାପ୍ରଭୁଙ୍କର ଶତାଧିକ ବର୍ଷର ପୁରୁଣା ବିମାନ, ପାଲିଙ୍କି ନୂଆ ତିଆରି କରିବା ପାଇଁ ଟ୍ରଷ୍ଟ ବୋର୍ଡ ନିଷ୍ପତ୍ତି ଗ୍ରହଣ କରିଛନ୍ତି।  

ଏହା ସହିତ ଆଗକୁ ପାର୍ବଣ ରହିଥିବାରୁ ଭକ୍ତଙ୍କ ଦର୍ଶନ ସୁବିଧା ଦେବା ଲାଗି ଦାବି ହୋଇଛି। କରୋନା କଟକଣା ଭିତରେ ଭୁବନେଶ୍ବରରେ କିଭଳି ପାଳିତ ହେବ ଗଣେଶ ପୂଜା ସେ ନେଇ ରାଜଧାନୀ ଶାନ୍ତି କମିଟି ପକ୍ଷରୁ ଗୁରୁବାର ଏକ ଟିମ ପୋଲିସ କମିଶନରଙ୍କୁ ଭେଟି ଆଲୋଚନା କରିଛି। କୋଭିଡ ନିୟମ ପାଳନ କରିବା ସହ କିଭଳି ପୂଜାର ଆୟୋଜନ କରାଯିବ ସେ ନେଇ କମିଶନରଙ୍କ ଦୃଷ୍ଟି ଆକର୍ଷଣ କରିଛି କମିଟି। ସେହିଭଳି ସର୍ବ ସାଧାରଣ ଦର୍ଶନ, ଭଷାଣୀକୁ ଅନୁମତି ଦେବାକୁ ଦାବି ରଖିଛି ରାଜଧାନୀ ଶାନ୍ତି କମିଟି। ଏହାସହ ବସ୍ତିରେ ବଢୁଥିବା ଅପରାଧ କିଭଳି କମିବ, ନିଶା କାରବାରରେ ରୋକ ଲାଗିବ ସେନେଇ ମଧ୍ୟ ପୋଲିସ କମିଶନରଙ୍କ ଦୃଷ୍ଟି ଆକର୍ଷଣ କରିଛି ଶାନ୍ତି କମିଟି।  

Also Read: ରାଜଧାନୀରେ ଧର୍ମାନୁଷ୍ଠାନ ଖୋଲିବା ପ୍ରସଙ୍ଗ; ନିଷ୍ପତ୍ତି ନେବ BMC

ରାଜଧାନୀରେ ଆସନ୍ତା ୨୩ ତାରିଖରୁ ଖୋଲିବ ଧର୍ମାନୁଷ୍ଠାନ। ଗତ ୭ ତାରିଖରେ  ଭୁବନେଶ୍ୱର ମହାନଗର ନିଗମ (Bhubaneswar Municipal Corporation) ବିଏମସି କମିଶନର (BMC Commissioner) ଙ୍କ ଅଧ୍ୟକ୍ଷତାରେ ସହରର ସମସ୍ତ ଧାର୍ମିକ ଗୋଷ୍ଠୀର କର୍ତ୍ତୃପକ୍ଷଙ୍କ ସହ ଏକ ପରାମର୍ଶ ବୈଠକ ପରେ ବିସ୍ତୃତ ବିଚାରବିମର୍ଶ କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ ଆଧାରରେ ଚଳିତ ମାସ ୨୩ ତାରିଖରୁ ଧାର୍ମିକ ଅନୁଷ୍ଠାନ ଖୋଲିବା ନେଇ ବିଏମସି ଗତ ୮ ତାରିଖରେ ଜାରି ହୋଇଥିଲା ମାର୍ଗଦର୍ଶିକା।

ବିଏମସି ଅଧିନରେ ଥିବା ଭୁବନେଶ୍ୱର ସହରର ସମସ୍ତ ମନ୍ଦିର କୋଭିଡ ସୁରକ୍ଷା ପ୍ରୋଟୋକଲ କଡା଼କଡି଼ ପାଳନ କରିବେ। ମନ୍ଦିର ଭିତରେ ତଥା ଗର୍ଭ ଗୃହ ଦର୍ଶନକୁ ବାରଣ କରାଯାଇଛି। ମନ୍ଦିରରେ "ଭୋଗ" ଇତ୍ୟାଦି ଲାଗି କରାଯିବ ନାହିଁ। ପ୍ରଭୁ ଲିଙ୍ଗରାଜ ମନ୍ଦିରରେ ଏକ ସମୟରେ ସର୍ବାଧିକ ୧୦୦ ଜଣ ଭକ୍ତଙ୍କୁ ଦର୍ଶନ ଅନୁମତି ଦିଆଯାଇଛି। ଜନସାଧାରଣଙ୍କ ଗତିବିଧି ଉପରେ ନିୟନ୍ତ୍ରଣ ଏବଂ ପ୍ରତିବନ୍ଧକ ପାଇଁ ପୋଲିସ ମୁତୟନ ରହିବେ। ସେହିଭଳି ମସଜିଦ,ଚର୍ଚ୍ଚ, ଗୁରୁଦ୍ୱାର ଭଳି ଅନ୍ୟ ଧର୍ମାନୁଷ୍ଠାନ ମଧ୍ୟ ୨୩ ତାରିଖରୁ ଖୋଲିବ। 

ଏହି ଅନୁଷ୍ଠାନ କର୍ତ୍ତୃପକ୍ଷ ଶ୍ରଦ୍ଧାଳୁ ତଥା ଭକ୍ତ କିଭଳି କୋଭିଡ କଟକଣା ପାଳନ କରିବେ ତାହା ଉପରେ ଧ୍ୟାନ ଦେବେ। କୌଣସି ଏପରି ସ୍ଥାନରେ ୨୫ ଜଣରୁ ଅଧିକ ଲୋକଙ୍କୁ ଏକାଠି ହେବାକୁ ଅନୁମତି ଦିଆଯିବ ନାହିଁ। ସମସ୍ତ ଧର୍ମାନୁଷ୍ଠାନ କର୍ତ୍ତୃପକ୍ଷ ସେମାନଙ୍କ ପୁରୋହିତ ତଥା ସେବାୟତଙ୍କ RT-PCR Test ନିଶ୍ଚିତ କରିବେ। କେବଳ ନେଗେଟିଭ୍ ଏବଂ ଅନ୍ତିମ କୋଭିଡ ଟୀକାକରଣ ପ୍ରମାଣପତ୍ରଧାରୀଙ୍କୁ ରୀତିନୀତି କରିବାକୁ ଅନୁମତି ଦିଆଯିବ। ସେମାନଙ୍କୁ ସଦାସର୍ବଦା ମାସ୍କ ପିନ୍ଧିବାକୁ ହେବ। 

Also Read: ହଲ୍-ମଲ୍ ଖୋଲିବାକୁ ମିଳିଲା ଅନୁମତି; ଧର୍ମାନୁଷ୍ଠାନ ପାଇଁ ଅପେକ୍ଷା

ସମସ୍ତ ଭକ୍ତଙ୍କୁ ମଧ୍ୟ ମାସ୍କ ପିନ୍ଧିବାକୁ ପଡିବ ଏବଂ ପରସ୍ପର ଠାରୁ ୬ ଫୁଟ ସାମାଜିକ ଦୂରତା ବଜାୟ ରଖିବାକୁ ହେବ। ଧର୍ମାନୁଷ୍ଠାନ କର୍ତ୍ତୃପକ୍ଷ ପ୍ରବେଶ ଏବଂ ପ୍ରସ୍ଥାନ ସ୍ଥାନରେ ଲୋକଙ୍କ ପାଇଁ ହାତ ଧୋଇବା କିମ୍ବା ସାନିଟାଇଜର ବ୍ୟବସ୍ଥା କରିବେ। ଥଣ୍ଡା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଭିତରକୁ ଅନୁମତି ଦିଆଯିବ ନାହିଁ। ଅନ୍ୟାନ୍ୟ ସମ୍ବେଦନଶୀଳ ତଥା ରୋଗାଗ୍ରସ୍ତ, ବୃଦ୍ଧ, ଗର୍ଭବତୀ ମହିଳା କିମ୍ବା ୧୮ ବର୍ଷରୁ କମ୍ ପିଲାଙ୍କ ଧର୍ମିାନୁଷ୍ଠାନ ପରିଦର୍ଶନ ଉପରେ କଟକଣା ଜାରିହୋଇଛି। ଏଠାରେ ଏହି ନିର୍ଦ୍ଦେଶାବଳୀ ପାଳନ ନହେଲେ ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି।