୨୦୧୯ର ଦୁଇ ଚର୍ଚ୍ଚିତ ପୁତୁରା, ସସପେନ୍ସ କାହାଣୀ
Advertisement

୨୦୧୯ର ଦୁଇ ଚର୍ଚ୍ଚିତ ପୁତୁରା, ସସପେନ୍ସ କାହାଣୀ

ବର୍ଷ ସରିଲା, ଚର୍ଚ୍ଚା ଚର୍ଚ୍ଚାରେ ହିଁ ରହିଲା... 

ଚର୍ଚ୍ଚିତ ପୁତୁରା, ସସପେନ୍ସ କାହାଣୀ

ଶେଷଦେବ ମହାପାତ୍ର, ନୂଆଦିଲ୍ଲୀ: ଊଣେଇଶୀର ଦୁଇ ଚର୍ଚ୍ଚିତ ପୁତୁରା। ଜଣେ ଏନସିପି ମୁଖ୍ୟ ଶରଦ ପାୱାରଙ୍କ, ଅନ୍ୟଜଣେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ। ଜଣଙ୍କ ନାଁ ଅଜିତ ପାୱାର, ଅନ୍ୟ ଜଣେ ହେଲେ ଅରୁଣ ପଟ୍ଟନାୟକ । ଜଣେ ବର୍ଷ ଶେଷ ବେଳକୁ ଗଣମାଧ୍ୟମ ପରଦାରେ ଲିଡ୍ ରୋଲ ନିଭାଉଛନ୍ତି । ମିଡିଆ ଆଗରେ ସୁପରହିଟ୍ ରହିଆସିଛି ତାଙ୍କ ରୋଲ । ୩୮ ଦିନ ମଧ୍ୟରେ ଆଜି ଦ୍ୱିତୀୟ ଥର ପାଇଁ ଉପମୁଖ୍ୟମନ୍ତ୍ରୀ ବି ହେଲେ । ଅନ୍ୟଜଣେ ଏଠାରେ ନାହାନ୍ତି ସତ, ହେଲେ ବର୍ଷ ତମାମ ତାଙ୍କ ନାଁକୁ ଭିଡ଼ାଭିଡ଼ି କରି ଚର୍ଚ୍ଚିତ କରି ଦିଆଯାଇଛି । ଦୀର୍ଘ ବର୍ଷ ହେଲା ସେ ଓଡ଼ିଶା ଆସିନାହାନ୍ତି ସତ, କିନ୍ତୁ ଊଣେଇଶୀ ପରଦାରେ ତାଙ୍କ ନାଁ ଶହେଥର ଗଣମାଧ୍ୟମରେ ଉଠିଛି । 

fallback

୧୯ର ଏହି ଦୁଇ ପୁତୁରାଙ୍କୁ ନେଇ ଚର୍ଚ୍ଚା ସରଗରମ । 'ପାୱାର' ପୁତୁରା 'ମହା' ନାଟକରେ ଯେଉଁ ଭୂମିକା ନିଭାଉଛନ୍ତି, ତାହା ଚର୍ଚ୍ଚା ହେବା ସ୍ୱାଭାବିକ । ପୋଖଦ୍ ରାଜନେତାଙ୍କୁ ମଧ୍ୟ ଏବର୍ଷ ପାଣି ପିଆଇ ଦେଇଛନ୍ତି ଅଜିତ ପାୱାର । ମହାରାଷ୍ଟ୍ରରେ ସରକାର ଗଠନ ବେଳେ ରାତି ଅଧିଆ ବିଜେପି ଶିବିରକୁ ଚମ୍ପଟ୍ ମାରିବା, ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା, ଘଟଣା କ୍ରମରେ ଇସ୍ତଫା ଦେଇ ବସାକୁ ଫେରିବା, ଦୁର୍ନୀତି ମାମଲାରେ କ୍ଲିନଚିଟ୍ ମିଳିବା ଇତ୍ୟାଦି ଘଟଣାକୁ ବଡ଼ ବଡ଼ ରାଜନୈତିକ ବିଶେଷଜ୍ଞ ମଧ୍ୟ ଠିକ୍ ଭାବେ ବିଶ୍ଳେଷଣ କରିପାରୁନାହାନ୍ତି । ପ୍ରକୃତରେ ଏ ତମାମ ଘଟଣା ପଛରେ ମାଷ୍ଟର ମାଇଣ୍ଡ କିଏ, ତାହା ବର୍ଷ ସରିଗଲା, ହେଲେ ପଦାକୁ ଆସିପାରିଲା ନାହିଁ । ଅନୁମାନ ଏବଂ ଅଭିଯୋଗ କରିବା କେବଳ ଥୟ ହେଲା  । ଏପଟେ ମହା ବିକାଶ ଅଘାଡି ସରକାରରେ ବି ଉପମୁଖ୍ୟମନ୍ତ୍ରୀ ହେଲେ ଅଜିତ । 

fallback

ଅନ୍ୟ ଜଣେ ଅରୁଣ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭାଇ ପ୍ରେମ୍ ପଟ୍ଟନାୟକଙ୍କ ପୁଅ ଅରୁଣ । ଜନ୍ମରୁ ସେ ପରିବାର ସହ ବିଦେଶରେ ରହୁଛନ୍ତି । ବହୁ ବର୍ଷ ପୂର୍ବରୁ ଥରେ ଓଡ଼ିଶା ଆସିଥିଲେ ।  ହେଲେ ତାଙ୍କୁ ନେଇ ୧୯ରେ ଓଡ଼ିଶା ରାଜନୀତି ସରଗରମ ହୋଇଛି । ସେ କାଳେ ବିଜେଡି ସୁପ୍ରିମୋଙ୍କ ଉତ୍ତରାଧିକାରୀ ହେବେ । ଗତ ସାଧାରଣ ନିର୍ବାଚନ ବେଳେ ନବୀନ ଯେତେବେଳେ ଦୁଇଟି ବିଧାନସଭା ଆସନରୁ ପ୍ରାର୍ଥୀ ହେଲେ, ଏ ଚର୍ଚ୍ଚା ସରଗରମ ହୋଇଥିଲା । ପୁତୁରାଙ୍କ ପାଇଁ ଯେ ନବୀନ ପଶ୍ଚିମ ଓଡ଼ିଶାରୁ ମଧ୍ୟ ପ୍ରାର୍ଥୀ ହେଉଛନ୍ତି, ଏଭଳି କିଛି ଚର୍ଚ୍ଚା ହୋଇଥିଲା । ବର୍ଷ ଶେଷ ବେଳକୁ ବିଜେଡି ପ୍ରତିଷ୍ଠା ଦିବସ ବେଳେ ମଧ୍ୟ ଏହି ଚର୍ଚ୍ଚା ଜାରି ରହିଥିଲା ।

fallback

ଅରୁଣ ଓ ଅଜିତ ଚର୍ଚ୍ଚା ଏତେ ଯେ, ବାରମ୍ବାର ସ୍ପଷ୍ଟୋକ୍ତି କରୁଥିଲେ ନବୀନ ଓ ଶରଦ

ଅରୁଣ ପଟ୍ଟନାୟକ ଖୁବଶୀଘ୍ର ରାଜନୀତିକୁ ଆସୁଥିବା ନେଇ ଏତେ ଚର୍ଚ୍ଚା ହେଲା ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସ୍ପଷ୍ଟୋକ୍ତି ରଖିବାକୁ ବାଧ୍ୟ ହୋଇଥିଲେ । ମୋ ପରିବାରରୁ କେହି ରାଜନୀତିକୁ ଆସିବେ ନାହିଁ ବୋଲି ପ୍ରଥମ ଥର ପାଇଁ କହିଥିଲେ ନବୀନ । ମାତ୍ର ଏତିକିରେ ଚର୍ଚ୍ଚା ଥମି ନଥିଲା । ବରଂ ବର୍ଷ ସରିଗଲା, କିନ୍ତୁ ବିରୋଧୀଙ୍କୁ ଏକଥା ହଜମ ନୋହିଲା।।।ବିଜେଡି ପ୍ରତିଷ୍ଠା ଦିବସ ଦିନ ନବୀନଙ୍କ ଭାଷଣକୁ ନେଇ ବିରୋଧୀଙ୍କ ପ୍ରତିକ୍ରିୟା ହିଁ ଏଭଳି କିଛି କହୁଥିଲା । ବିଜେଡି ଏବେ ଏକ ଜନ ଆନ୍ଦୋଳନରେ ପରିଣତ ହୋଇସାରିଛି । ମୋ ବିନା ବି ଦଳ ଚାଲିପାରିବ ବୋଲି କହିଥିଲେ ନବୀନ ।

ଅନ୍ୟପଟେ ମହାରାଷ୍ଟ୍ରରେ ମଧ୍ୟ ଶରଦଙ୍କୁ ଅକଲରେ ପକାଇ ଦେଇଥିଲେ ଅଜିତ ପାୱାର । ରାତି ଅଧିଆ ଅଜିତ ବିଜେପି ଶିବିରକୁ ଡେଉଁବା, ଉପମୁଖ୍ୟମନ୍ତ୍ରୀ ହେବା, ନିଜ ନାଁର ସବୁ ମାମଲା ରଫାଦଫା କରି ଫେରି ଆସିବା ଇତ୍ୟାଦିରେ ଶରଦଙ୍କ ହିଁ ହାତ ଥିବା ବୋଲି ଚର୍ଚ୍ଚା ହେଉଥିଲା। ଆଉ ଏହି ଚର୍ଚ୍ଚାରେ କୌଣସି ସତ୍ୟତା ନଥିବା ନେଇ ଶରଦ ମଧ୍ୟ ବାରମ୍ୱାର ସ୍ପଷ୍ଟୋକ୍ତି ଦେବାକୁ ବାଧ୍ୟ ହୋଇଥିଲେ ।

ରାଜନୀତିରେ ପୁତୁରାଙ୍କୁ ନେଇ ଚର୍ଚ୍ଚା କିଛି ନୂଆ ନୁହେଁ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ଏବଂ ବିଏସପି ସୁପ୍ରିମୋ ମାୟବତୀଙ୍କ ପୁତୁରା ଆକାଶ ଆନନ୍ଦକୁ ନେଇ ମଧ୍ୟ ବିଭିନ୍ନ ସମୟରେ ଚର୍ଚ୍ଚା ରହିଆସିଛି । ହେଲେ ୧୯ ବର୍ଷରେ ମହାରାଷ୍ଟ୍ର ରାଜନୀତିରେ ଅଜିତ ପାୱାର ଏବଂ ଓଡ଼ିଶା ରାଜନୀତିରେ ଅରୁଣ ପଟ୍ଟନାୟକଙ୍କୁ ନେଇ ଚର୍ଚ୍ଚା ସରଗରମ ହୋଇଥିଲା । ଏହି ତମାମ ଚର୍ଚ୍ଚା ଭିତରେ ବର୍ଷ ସରିଗଲା, ହେଲେ ସସପେନ୍ସରେ ରହିଗଲା ଉଭୟଙ୍କ କାହାଣୀ ।

ଆହୁରି ପଢ଼ନ୍ତୁ; ହେମନ୍ତ ସରକାର ଅଢ଼େଇ ଦିନିଆ ନୁହେଁ ତ ?