ଏ ରଙ୍ଗ ରହିଲେ ହେଲା...
Advertisement
Article Detail0/zeeodisha/odisha617037

ଏ ରଙ୍ଗ ରହିଲେ ହେଲା...

ହେମନ୍ତ ସରକାର ଅଢ଼େଇ ଦିନିଆ ନୁହେଁ ତ ? 

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଆଜିଠୁ ଝାଡ଼ଖଣ୍ଡରେ ଆରମ୍ଭ ହୋଇଛି ହେମନ୍ତ ସରକାର । ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ଜେଏମଏମ ନେତା ହେମନ୍ତ ସୋରେନ । ଝାଡ଼ଖଣ୍ଡରେ ସରକାର ଗଢିଛି ଜେଏମଏମ ନେତୃତ୍ୱାଧିନ ମେଣ୍ଟ । ଆଉ ହେମନ୍ତଙ୍କ ଶପଥ ଗ୍ରହଣ ଉତ୍ସବରେ ମହାମେଳି କରିଥିଲେ ବିରୋଧୀ । କଂଗ୍ରେସ, ଟିଏମସି, ଡିଏମକେ, ଆପ୍, ଆରଜେଡି ପ୍ରମୁଖ ଦଳର ନେତା ଏହି ସମାରୋହରେ ସାମିଲ ହୋଇଥିଲେ । ବିରୋଧୀଙ୍କ ଏକତାର ମଞ୍ଚ ପାଲଟିଥିଲା ହେମନ୍ତ ସୋରେନଙ୍କ ଶପଥ ଗ୍ରହଣ ସମାରୋହ । 

ଜେଏମଏମ-କଂଗ୍ରେସ ଓ ଆରଜେଡି ମେଣ୍ଟକୁ ପୂର୍ଣ୍ଣ ବହୁମତ ମିଳିଛି ସତ, ତଥାପି ବି ଛାତି ଧଡ ଧଡ କରୁଛି । କାହିଁକିନା ଝାଡ଼ଖଣ୍ଡରେ ସରକାର ଚଳାଇବା ବେଶ କାଠିକାର ପାଠ । ଅବଶ୍ୟ ହେମନ୍ତ ସୋରେନଙ୍କ ଅପେକ୍ଷା ତାଙ୍କ ବାପା ଶିବୁ ସୋରେନ ଏକଥା ଭଲ ଭାବରେ ବୁଝିଥିବେ । ଝାଡ଼ଖଣ୍ଡର ବୟସ ସିନା କୋଡିଏ , ହେଲେ ଏଠି ରାଜନୀତି ଗୁଡାଏ । ଏଥରକୁ ଧରି ଝାଡ଼ଖଣ୍ଡରେ ସମୁଦାୟ ୧୧ଥର ସରକାର ଗଢାହୋଇଛି । ୬ ଜଣ ମୁଖ୍ୟମନ୍ତ୍ରୀ ହେଲେଣି । ରଘୁବର ସରକାରଙ୍କୁ ବାଦ୍ ଦେଲେ ଆଉ କେହି ମଧ୍ୟ ପୁରା ୫ ବର୍ଷ ସରକାର ଚଳାଇ ପାରିନାହାଁନ୍ତି । 

ଆଦିବାସୀ ବହୁଳ ଏହି ରାଜ୍ୟରେ ଭେଟେରାନ ନେତା ଶିବୁ ସୋରେନ ମଧ୍ୟ ପୁରା ଟର୍ମ ସରକାର ଚଳାଇବାରେ ଫେଲ । ତିନି ତିନି ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ସତ, ହେଲେ ସବୁଥର ଅଢ଼େଇ ଦିନିଆ । ଝାଡ଼ଖଣ୍ଡର ସବୁଠି ବୟସ୍କ ମୁଖ୍ୟମନ୍ତ୍ରୀ ଥିଲେ ଶିବୁ ସୋରେନ । ହେଲେ ପ୍ରଥମ ଥର ୧୦ ଦିନ, ଦ୍ୱିତୀୟ ଥର ୪ ମାସ ୨୩ ଦିନ ଏବଂ ତୃତୀୟ ଥର ୫ ମାସ ଦୁଇ ଦିନରେ ଭାଙ୍ଗିଥିଲା ଶିବୁ ସୋରେନ ସରକାର । ଗୁରୁତ୍ୱପୂର୍ଣ୍ଣ କଥା ଥିଲା ଥରେ ବିଧାୟକ ହୋଇ ନ ପାରିବାରୁ ଶିବୁଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଥିଲା । ଆଉ ହେମନ୍ତ ମଧ୍ୟ ଏହା ପୂର୍ବରୁ ବର୍ଷେ ୫ ମାସ ୧୫ ଦିନ ମୁଖ୍ୟମନ୍ତ୍ରୀ ହୋଇଥିଲେ । ପରେ ୨୦୧୪ ବିଧାନସଭା ନିର୍ବାଚନରେ ବିଜେପି ବାଜି ମାରି ନେଇଥିଲା । 

ଏକ ଘଡିସନ୍ଧି ମୁହୂର୍ତ୍ତରେ ଯନ୍ତ୍ରୀରୁ ରାଜନୀତିକୁ ଆସିଥିଲେ ହେମନ୍ତ । ୨୦୦୫ ମସିହାରେ ପ୍ରଥମ ଥର ପାଇଁ ବିଧାୟକ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ । ପରେ ୨୦୦୯ ମସିହାରେ ହେମନ୍ତଙ୍କ ଉପରେ ଜେଏମଏମ ଦାୟିତ୍ୱ ବଢିଥିଲା । ଗୋଟିଏ ପଟେ ବଡ ଭାଇ ଦୁର୍ଗା ସୋରେନଙ୍କ ମୃତ୍ୟୁ ଏବଂ ଅନ୍ୟପଟେ ଚିରୁଡିହି ହତ୍ୟାକାଣ୍ଡରେ ପିତା ଶିବୁ ସୋରେନ ଦୋଷୀ ସାବ୍ୟସ୍ତ ଘଟଣା ହେମନ୍ତଙ୍କୁ ରାଜନୀତିରେ ଆହୁରି ସକ୍ରିୟ ହେବାକୁ ବାଧ୍ୟ କରିଥିଲା । ନିଜର ଉତ୍ତରାଧିକାରୀ ଭାବେ ଶିବୁ ସୋରେନ ମଧ୍ୟ ହେମନ୍ତଙ୍କ ନାଁ ଘୋଷଣା କରିଥିଲେ । 

fallback

୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ଏବେ ଜେଏମଏମ ନେତୃତ୍ୱାଧିନ ମେଣ୍ଟ ପାଖରେ ପୂର୍ଣ୍ଣ ବହୁମତ ଅଛି । ଜେଏମଏମକୁ ୩୦, କଂଗ୍ରେସକୁ ୧୬ ଏବଂ ଆରଜେଡିକୁ ଗୋଟିଏ ଆସନ ମିଳିଛି । ଅର୍ଥାତ ମ୍ୟାଜିକ ନମ୍ବର ୪୧ ଥିବା ବେଳେ ମେଣ୍ଟ ପାଖରେ ୪୭ ଆସନ ରହିଛି । ସେହିପରି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପାଖରେ ରାଜନୈତିକ ଅଭିଜ୍ଞତା ମଧ୍ୟ ଅଛି । ପୂର୍ବରୁ ଥରୁଟିଏ ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇ ସାରିଛନ୍ତି । ତଥାପି ମଧ୍ୟ ଝାଡ଼ଖଣ୍ଡ ରାଜନୀତିରେ ୫ ବର୍ଷ ସରକାର ଗଢିବା ତାଙ୍କ ପାଇଁ ଏତେ ସହଜ ହେବ ନାହିଁ । 

କର୍ଣ୍ଣାଟକରେ ତତକାଳୀନ କୁମାରସ୍ୱାମୀ ସରକାର ହେଉ, କିମ୍ବା ମହାରାଷ୍ଟ୍ରରେ ଉଦ୍ଧବ ସରକାର, କେଉଁଠି ବି ମୁଖ୍ୟମନ୍ତ୍ରୀ ପଦ ଦାବି କରିନି କଂଗ୍ରେସ । ଆଉ ଏବେ ଝାଡ଼ଖଣ୍ଡରେ ବି । ସବୁଠି ଆଞ୍ଚଳିକ ଦଳକୁ ମୁଖ୍ୟମନ୍ତ୍ରୀ ଆସନ ଟେକି ଦେଇ ଆସିଛି କଂଗ୍ରେସ । ବର୍ତ୍ତମାନ ଦେଶରେ ଦଳର ସ୍ଥିତି ହିଁ କଂଗ୍ରେସକୁ ଏପରି କରିବା ପାଇଁ ବାଧ୍ୟ କରିଛି । ମାତ୍ର ସବୁବେଳେ ଯେ ଏ ସ୍ଥିତି ରହିବ, ତାହା କହିହେବ ନାହିଁ । କେତେବେଳେ ଯେ ମୌକା ଦେଖି ଛକ୍କା ମାରିବା ନୀତି କଂଗ୍ରେସ ଆପଣାଇପାରେ । ଆଉ ଏପରି ହେଲେ ହେମନ୍ତ ପୁରା ଟର୍ମ ଶାସନ କରିବା କାଠିକର ପାଠ ହୋଇପଡିବ । 

fallback

ଅନ୍ୟପଟେ କର୍ଣ୍ଣାଟକରେ ଯାହା ହେଲା, ଝାଡ଼ଖଣ୍ଡରେ ଯେ ତାହା ନହେବ କିଏ ଜାଣିଛି । ମନ୍ତ୍ରୀ ପଦକୁ ନେଇ ଉଭୟ ଜେଏମଏମ ଏବଂ କଂଗ୍ରେସର କିଛି ବିଧାୟକ ଅସନ୍ତୁଷ୍ଟ ହୋଇପାରନ୍ତି । ଆଉ ଅସନ୍ତୁଷ୍ଟିଆଙ୍କୁ ନେଇ ରାଜନୀତି ମଇଦାନରେ ଗୋଟି ଚଳାଇପାରେ ଗେରୁଆ ଦଳ । ପୂର୍ବରୁ କର୍ଣ୍ଣାଟକରେ ଆମେ ଏହା ଦେଖିସାରିଛୁ । ସେମିତିରେ ବି କେନ୍ଦ୍ରରେ ବିଜେପି ସରକାର । ଝାଡ଼ଖଣ୍ଡରେ ଏବେ ବିଜେପି ସ୍ୱାଧୀନ ବିଧାୟକଙ୍କୁ ନଜରରେ ରଖିଛି । କାହିଁକିନା ଦରକାର ସମୟରେ ଏମାନେ କାମରେ ଆସିବେ । ଆଉ ଏସବୁ ଭିତରେ ହେମନ୍ତକୁ ସରକାର ଚଳାଇବାକୁ ହେବ । ସାମନାରେ ଶହେ ଚ୍ୟାଲେଞ୍ଚକୁ ସାମ୍ନା କରିବେ ସୋରେନ ସରକାର ।  

ଆହୁରି ପଢନ୍ତୁ; ଦିନକ ପୂର୍ବରୁ ହେମନ୍ତଙ୍କୁ ଆଶୀର୍ବଦ କରିଥିଲେ 'ଦିଦି'