ଜେଲରେ କେମିତି ରହୁଥିଲା ହାଇଦର? ପୂର୍ବ କଏଦୀ ଖୋଲିଲେ ଗୁମର
Advertisement

ଜେଲରେ କେମିତି ରହୁଥିଲା ହାଇଦର? ପୂର୍ବ କଏଦୀ ଖୋଲିଲେ ଗୁମର

ବିଳାସବ୍ୟସନ ସହ ଜୀବନ ଅତିବାହିତ କରୁଥିବା ଗ୍ୟାଙ୍ଗଷ୍ଟାର ପୂର୍ବରୁ ବହୁବାର କଟକ ଚିକିତ୍ସା ପାଇଁ ଯାଇ ବିଶ୍ୱାସ ଜିତିଥିଲା ଜେଲ କର୍ମଚାରୀ, ଡାକ୍ତର ଓ ପୋଲିସ ବିଭାଗର। ତା'ପରେ କ୍ଷେତ୍ର ପ୍ରସ୍ତୁତ କରିଥିଲା ଫେରାର ପାଇଁ।

ଡିଜାଇନ ଫଟୋ

ସମ୍ବଲପୁର: ମଣ୍ଡଳ କାରାଗାରର ନଅ ନମ୍ବର ସେଲରେ ରାଜକୀୟ ସୁଖରେ ବସବାସ କରୁଥିଲା ଆଜୀବନ ସଜା କାଟୁଥିବା ଗ୍ୟାଙ୍ଗଷ୍ଟାର ହାଇଦର। ବିଳାସବ୍ୟସନ ସହ ଜୀବନ ଅତିବାହିତ କରୁଥିବା ଗ୍ୟାଙ୍ଗଷ୍ଟାର ପୂର୍ବରୁ ବହୁବାର କଟକ ଚିକିତ୍ସା ପାଇଁ ଯାଇ ବିଶ୍ୱାସ ଜିତିଥିଲା ଜେଲ କର୍ମଚାରୀ, ଡାକ୍ତର ଓ ପୋଲିସ ବିଭାଗର। ତା'ପରେ କ୍ଷେତ୍ର ପ୍ରସ୍ତୁତ କରିଥିଲା ଫେରାର ପାଇଁ। ବର୍ତ୍ତମାନ ସ୍ଥିତିରେ ଗ୍ୟାଙ୍ଗଷ୍ଟାର ହାଇଦରକୁ ତେଲେଙ୍ଗାନାରୁ ଗିରଫ କରାଯାଇଛି। ଏହି ଘଟଣା ପରେ ହାଇଦରକୁ ନେଇ ଏବେ ବି ଗୋଟିଏ ପରେ ଗୋଟିଏ ଗୁମର ଫିଟୁଛି । 

ସମ୍ବଲପୁର ସର୍କଲ ଜେଲରେ ରହୁଥିବା ସମୟରେ ହାଇଦରର ଜୀବନ ଶୈଳୀ (Life style) କିପରି ଥିଲା ସେନେଇ ଜେଲରୁ ବାହାରି ଥିବା ଜଣେ ଅନ୍ତେବାସୀ ବଖାଣିଛନ୍ତି। ତାଙ୍କର କହିବା ଅନୁସାରେ, ଜେଲରେ ଅତି ଆରାମରେ ରହୁଥିଲା ହାଇଦର। ସର୍କଲ ଜେଲରେ ରହୁଥିବା ସମୟରେ ଅତି ରାଜକୀୟ ଓ ନବାଵ ଭାବେ ସେ ରହୁଥିଲା। ତାର ଇଛା ମୁତାବକ ଜେଲ ବାହାରୁ ଆସୁଥିଲା ମଟନ ଓ ଚିକେନର ବିଭିନ୍ନ ଆଇଟମ ସହ ବିରିୟାନୀ। ସମସ୍ତଙ୍କୁ ଜେଲ ରନ୍ଧା ଖାଦ୍ୟ ମିଳୁଥିବା ବେଳେ ତା ପାଇଁ ବାହାରୁ ଖାଦ୍ୟ ଆସୁଥିଲା।

Also Read: ହାଇଦର ଫେରାର ଘଟଣାରେ ମୁହଁ ଖୋଲିଲେ ସମ୍ବଲପୁର SP

ଅନ୍ତେବାସୀ କହିଛନ୍ତି ଯେ, ଜଣେ ସାଧାରଣ କଏଦୀକୁ ମୁଲାକାତ ସମୟ ନିର୍ଦ୍ଧାରିତ ରହିଥିବା ବେଳେ ହାଇଦର କ୍ଷେତ୍ରରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳୁଥିଲା। ସେ ମନ ଇଛା କଥାବାର୍ତ୍ତା ସହ ସାକ୍ଷାତ ମଧ୍ୟ ସ୍ୱତନ୍ତ୍ର ଭାବରେ କରୁଥିଲା। ହାଇଦର ସମ୍ବଲପୁର ଜେଲର ଏକ ସେଲରେ ରହୁଥିଲା ସତ ମାତ୍ର ତାପାଖରେ ଟିଭି, କୁଲର, ପଙ୍ଖା ଆଦି ସବୁ ପ୍ରକାର ସାମଗ୍ରୀ ଉପଲବ୍ଧ ଥିଲା। ସାଧାରଣ କଏଦୀ ଜେଲରଙ୍କ କ୍ୟାବିନରେ ପ୍ରବେଶ କରିପାରୁ ନଥିବା ବେଳେ ହାଇଦର ମନ ଇଚ୍ଛା ଜେଲରଙ୍କ କ୍ୟାବିନକୁ ଯାଇ ଆରାମରେ କଥାବାର୍ତ୍ତା ହେଉଥିଲା। ଏପରିକି ଜେଲରେ ତା ପାଇଁ ମୋବାଇଲ ମଧ୍ୟ ଉପଲବ୍ଧ ହେଉଥିଲା। 

ତେବେ ଏଭଳି ସ୍ଥିତିରେ ଜେଲରୁ ସେ ନିଜର ଅପରାଧିକ ସମ୍ରାଜ୍ୟ (Crime World) କୁ ନିୟନ୍ତ୍ରଣ କରୁନଥିବ ବୋଲି କହିହେବନାହିଁ। ସମ୍ବଲପୁର ଜେଲରୁ ସଜା କାଟି ବାହାରକୁ ଆସିଥିବା ଜଣେ କଏଦୀ (Prison) ଏହିଭଳି ଅନେକ କଥା କହିଛନ୍ତି। ତେବେ ତାଙ୍କର କଥାରେ କେତେ ସତ୍ୟତା ରହିଛି ତାହା ତଦନ୍ତ ସାପେକ୍ଷ। ସେ ବାରମ୍ବାର ମିଡିଆ ସମ୍ମୁଖରେ ମୁହଁ ଖୋଲୁଥିବାରୁ ତାଙ୍କ ଜୀବନ ପ୍ରତି ବିପଦ ରହିଥିବା ପୂର୍ବରୁ ଜେଲରେ ରହିଥିବା ଅନ୍ତେବାସୀ କହିଛନ୍ତି ।

Also Read: ଗ୍ୟାଙ୍ଗଷ୍ଟର ହାଇଦରକୁ ଫେରାର କରାଯାଇଛି!

ନିଆଁ ନଥିଲେ କେବେ ଧୂଆଁ ବହାରିନଥାଏ। ଅନ୍ୟପଟେ ୨୦୧୮ରୁ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ସମ୍ବଲପୁର ଜେଲ (Sambalpur Jail) ରୁ ହାଇଦର (Gangster Haider) ମୋଟ ୨୪ ଥର ବାହାରକୁ ଯାଇଛି। ଆଉ ପ୍ରତ୍ୟେକ ଥର ସେ ନିଜର ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁ ମେଡ଼ିକାଲ କାମରେ ଯାଉଥିଲା ବୋଲି ରେକର୍ଡ଼ ରହିଛି। ମାନବାଧିକାର କମିଶନଙ୍କ ଗାଇଡ଼ଲାଇନ ହିସାବରେ ଡାକ୍ତରଙ୍କ ପରାମର୍ଶ ନେଇ ସମ୍ପୂର୍ଣ୍ଣ ଜେଲ ପ୍ରଶାସନର ବିଧି ବ୍ୟବସ୍ଥା ଅନୁସାରେ ହାଇଦର ବାହାରକୁ ଯାଇଛି ବୋଲି ସମ୍ବଲପୁର ସର୍କଲ ଜେଲର ଜେଲର ଆଲୋକ ପ୍ରିୟଦର୍ଶୀ କର କହିଛନ୍ତି।

ସେପଟେ ଜେଲ ବାହାରୁ ହାଇଦର ପାଇଁ ଖାଦ୍ୟ ଆସୁଥିବା ଅଭିଯୋଗକୁ ଜେଲର ଖଣ୍ଡନ କରିଛନ୍ତି। ଏହା ସହ ଜେଲରେ ହାଇଦରର ମୋବାଇଲ ବ୍ୟବହାର ପ୍ରସଙ୍ଗ ନେଇ ତଥା ବିଳାସବ୍ୟସନ ଘଟଣାରେ ପୋଲିସ ତଦନ୍ତ କରୁଥିବାର  ସେ କହିଛନ୍ତି। ଜେଲରେ CCTV ଲାଗିଛି ତଦନ୍ତ କମିଟି ଯାହା ଚାହିଁବ ତାଙ୍କୁ ସହଯୋଗ କରାଯିବ ଏବଂ ସବୁ କିଛି କ୍ଲିନ ଥିବା କୁହାଯାଇଛି। ତେବେ କୋରୋନା ମୁକ୍ତ ହେଲେ ପୋଲିସ ରିମାଣ୍ଡରେ ଆସିବ ଗେଙ୍ଗଷ୍ଟାର ହାଇଦର। ତା'ପରେ ସ୍ପେଶିଆଲ ସ୍କ୍ୱୁର୍ଡ ଓ କମିଶନରେଟ ପୋଲିସର ତଦନ୍ତ ଏବଂ ଗେଙ୍ଗଷ୍ଟାର ହାଇଦରର ବୟାନରୁ ପ୍ରକୃତ ସତ୍ୟାସତ୍ୟ ଜଣାପଡିବ।