ପାରଳାଖେମୁଣ୍ଡି ACFO ମୃତ୍ୟୁ ମାମଲା; DGP, PCCFଙ୍କୁ ଭେଟିଲେ ସୌମ୍ୟଙ୍କ ବାପା, ସନ୍ଦେହ ଘେରରେ IIC ମମତା ପଣ୍ଡା
Advertisement

ପାରଳାଖେମୁଣ୍ଡି ACFO ମୃତ୍ୟୁ ମାମଲା; DGP, PCCFଙ୍କୁ ଭେଟିଲେ ସୌମ୍ୟଙ୍କ ବାପା, ସନ୍ଦେହ ଘେରରେ IIC ମମତା ପଣ୍ଡା

ପାରଳାଖେମୁଣ୍ଡି IIC ବିବେକାନନ୍ଦ ସ୍ବାଇଁଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍ ସୌମ୍ୟଙ୍କ ବାଲେଶ୍ୱର ଜିଲ୍ଲା ଖଇରା ଘରେ ପହଞ୍ଚି ତଦନ୍ତ କରିଛି। ସୌମ୍ୟଙ୍କ ପରିବାର ସଦସ୍ୟଙ୍କୁ ପ୍ରାୟ ୩ ଘଣ୍ଟା ୪୫ ମିନିଟ ଧରି ପଚରାଉଚରା କରାଯାଇଥିଲା।

ଡିଜାଇନ ଫଟୋ

ଭୁବନେଶ୍ୱର: ପାରଳାଖେମୁଣ୍ଡି ACFO ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଦିନକୁ ଦିନ ଆସୁଛି ନୂଆ ମୋଡ। ଆଜି ମୃତ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର DGP ଓ PCCFଙ୍କୁ ଭେଟିଛନ୍ତି। ପୁଅର ନ୍ୟାୟ ପାଇଁ ସେ ଦାବି ପତ୍ର ଦେବା ସହ ୩ ଜଣଙ୍କ ଲାଇ ଡିଟେକ୍ସନ୍ ଟେଷ୍ଟ ପାଇଁ ଅନୁରୋଧ କରିଛନ୍ତି। ଏହା ବ୍ୟତୀତ ସୌମ୍ୟ ରଞ୍ଜନଙ୍କ ମୃତ୍ୟୁରେ ଗରାବନ୍ଧା IICଙ୍କ ସଂପୃକ୍ତି ନେଇ ମଧ୍ୟ ଅଭିରାମ ଅଭିଯୋଗ କରିଛନ୍ତି। 

DGPଙ୍କୁ ଭେଟି ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର, ବୋହୂ ବିଦ୍ୟାଭାରତୀ, DFO ଏବଂ ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଦାବି କରିଛନ୍ତି। ଏହା ସହ ପୁଅର ମୃତ୍ୟୁ ଘଟଣା ପଛରେ ଗରାବନ୍ଧା IIC ମମତା ପଣ୍ଡାଙ୍କ ସମ୍ପୃକ୍ତି ନେଇ ସେ ଅଭିଯୋଗ ଆଣିଛନ୍ତି। IIC ମମତା ପଣ୍ଡା ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଭାଉଜ ହେବେ। ଘଟଣାଦିନ ରାସ୍ତାରେ IIC ମମତା ପଣ୍ଡା ପ୍ରାୟ ଘଣ୍ଟାଏ ଆମ୍ବୁଲାନ୍ସ ଅଟକାଇଥିଲେ। ତେଣୁ ତାଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବାକୁ ଅଭିରାମ DGPଙ୍କୁ ଅନୁରୋଧ କରିଛନ୍ତି। 

Also Read: ଯଦି ଆତ୍ମହତ୍ୟା ନୁହେଁ ତାହେଲେ ସୌମ୍ୟଙ୍କୁ ମାରିଲା କିଏ ?

ACFO ସୌମ୍ୟ ରଞ୍ଜନଙ୍କ ମା’ କହିଛନ୍ତି, 'ପୁଅ ସହ ବୋହୂର ଆଦୌ ସଂପର୍କ ନଥିଲା। ବର୍ଷକ ପର୍ଯ୍ୟନ୍ତ ସଂପର୍କ ନ ରଖିବାକୁ ଉଭୟଙ୍କ ଏଗ୍ରିମେଣ୍ଟ ହୋଇଥିଲା। ଦିନେ ରାତିରେ ପୁଅ-ବୋହୂଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହାପରେ ବୋହୂ ଶଙ୍ଖା ଭାଙ୍ଗି, ମୁଣ୍ଡରୁ ସିନ୍ଦୂର ପୋଛି ରାତିରେ କେଉଁ ଆଡ଼େ ପଳାଇଥିଲା। ପୁଅ ଖୋଜାଖୋଜି କରିବା ପରେ ବୋହୂକୁ ଡିଏଫ୍ଓଙ୍କ ଘରେ ଦେଖିଥିଲା।'

ସେପଟେ ମୃତ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମାମୁ ଗଣମାଧ୍ୟମକୁ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ବାହାଘର ପରେ ବଲାଙ୍ଗିରରେ ଏକ ବ୍ୟାଚେଲର ପାର୍ଟି ହୋଇଥିଲା। ଉଭୟ ପତିପତ୍ନୀ ବଲାଙ୍ଗିର ଯାଇଥିଲେ। କିନ୍ତୁ ବିଦ୍ୟାଭାରତୀ, ସୌମ୍ୟଙ୍କୁ ବିଦା କରିଦେଲେ। ସୌମ୍ୟ ଫେରିବା ପରେ ତାଙ୍କୁ ବିଦ୍ୟାଭାରତୀ ଟଙ୍କା ମାଗିଥିଲେ।

Also Read: ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ; ତଦନ୍ତ ଦିଗହରା କରୁଛନ୍ତି ଏ ସରକାରୀ ବାବୁ !

ପାରଳାଖେମୁଣ୍ଡି IIC ବିବେକାନନ୍ଦ ସ୍ବାଇଁଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍ ସୌମ୍ୟଙ୍କ ବାଲେଶ୍ୱର ଜିଲ୍ଲା ଖଇରା ଘରେ ପହଞ୍ଚି ତଦନ୍ତ କରିଛି। ସୌମ୍ୟଙ୍କ ପରିବାର ସଦସ୍ୟଙ୍କୁ ପ୍ରାୟ ୩ ଘଣ୍ଟା ୪୫ ମିନିଟ ଧରି ପଚରାଉଚରା କରାଯାଇଥିଲା। ପଚରାଉଚରା ପରେ ପାରଳାଖେମୁଣ୍ଡି IIC  କହିଛନ୍ତି, 'ସୌମ୍ୟଙ୍କ ପରିବାର ସଦସ୍ୟ ଓ ମାମୁ-ମାଇଁଙ୍କ ବୟାନ ରେକର୍ଡ କରିଛୁ। ସେମାନେ ମାମଲା ସମ୍ପର୍କିତ ସମସ୍ତ ରିପୋର୍ଟ ଦେଇଛନ୍ତି। ସ୍ବାମୀ-ସ୍ତ୍ରୀ ମଧ୍ୟରେ ଥିବା ଚୁକ୍ତି ହାଣ୍ଡରାଇଟିଂ ବ୍ୟୁରୋକୁ ପଠାଯିବ।'