ଜଣେ ସେବାୟତ ଶ୍ରୀମନ୍ଦିରରୁ ନିଜ ଘର ମଣିକର୍ଣ୍ଣିକାସାହିକୁ ଫେରୁଥିବା ବେଳେ ଗାଣ୍ଡୁଆଚୋରା ଛକ ନିକଟରେ ସ୍ନାଚିଂର ଶିକାର ହୋଇଥିଲେ। ସେବାୟତଙ୍କ ବେକରୁ ସୂନା ଚେନ୍ ଓ ହାତରୁ ମୋବାଇଲକୁ ସ୍ନାଚିଂ କରି ଚମ୍ପଟ ମାରିବାକୁ ଉଦ୍ଯମ କରିଥିଲେ ଦୁଇ ଦୁର୍ବୁତ୍ତ।
Trending Photos
ପୁରୀ: ଦୁଇ କୁଖ୍ୟାତ ଅପରାଧିଙ୍କୁ ଜଣେ ଦୁଃସାହସୀ ଶ୍ରୀମନ୍ଦିର ସେବାୟତ କାବୁ କଲେ। ରାଜ୍ଯରେ ଚୋରି, ଡକାୟତି, ରାହାଜାନୀ ଆଦି ବିଭିନ୍ନ ଅପରାଧ ଚଳାଉଥିବା ଏରାଗୋଲା ଗ୍ଯାଙ୍ଗର ଦୁଇଜଣ ସଦସ୍ଯ ଗିରଫ ହୋଇଛନ୍ତି। ଏମାନଙ୍କ ବିରୁଦ୍ଧରେ ରାଜ୍ୟର ବିଭିନ୍ନ ଥାନାରେ ୩୦ରୁ ଊର୍ଦ୍ଧ୍ବ ଅପରାଧିକ ମାମଲା ରହିଛି। ନିଜ ଜୀବନକୁ ପଛ କରି କୁଖ୍ୟାତ ଅପରାଧିଙ୍କୁ କାବୁ କରିଥିବାରୁ ସଂପୃକ୍ତ ସେବାୟତଙ୍କୁ ପୁରୀ ପୋଲିସ ପକ୍ଷରୁ ସାହସିକତା ପାଇଁ ଏସପି କନୱର ବିଶାଲ ସିଂ ସମ୍ମାନୀତ କରିଛନ୍ତି।
ଶ୍ରୀମନ୍ଦିର (Srimandir) ପରିକ୍ରମା ମାର୍ଗ ବି ଅସୁରକ୍ଷିତ। ଦିନ ଦିପହରେ ଘଟୁଛି ଗୋଟିଏ ପରେ ଗୋଟିଏ ଅପରାଧ (Crime) । ଏମିତିକି ସେବାୟତ ମାନେ ବି ସୁରକ୍ଷିତ ନୁହନ୍ତି। କିଛିଦିନ ତଳେ ଉତ୍ତରଦ୍ୱାର ସମ୍ମୁଖ ଭାଗରେ ଜଣେ ଟଙ୍କତୋରାଣୀ ବ୍ଯବସାୟୀଙ୍କୁ ଗୋଡାଇ ଗୋଡାଇ ହାଣିଥିଲେ ଦୁର୍ବୁତ୍ତ। ଶୁକ୍ରବାର ସକାଳ ୭ଟା ସମୟରେ ସାମ୍ନାକୁ ଆସିଛି ଆଉ ଏକ ଅପରାଧ। ଜଣେ ସେବାୟତ ଶ୍ରୀମନ୍ଦିରରୁ ନିଜ ଘର ମଣିକର୍ଣ୍ଣିକାସାହିକୁ ଫେରୁଥିବା ବେଳେ ଗାଣ୍ଡୁଆଚୋରା ଛକ ନିକଟରେ ସ୍ନାଚିଂର ଶିକାର ହୋଇଥିଲେ। ସେବାୟତଙ୍କ ବେକରୁ ସୂନା ଚେନ୍ ଓ ହାତରୁ ମୋବାଇଲକୁ ସ୍ନାଚିଂ କରି ଚମ୍ପଟ ମାରିବାକୁ ଉଦ୍ଯମ କରିଥିଲେ ଦୁଇ ଦୁର୍ବୁତ୍ତ। ମାତ୍ର ସେବାୟତଙ୍କ ସାହସିକତା ପାଇଁ ସ୍ନାଚିଂ ହୋଇଥିବା ସାମଗ୍ରୀ ଜବତ ହେବା ସହ ଜବତ ହେଲା ଲୁଟେରାଙ୍କ ପଲସର। ସଂପୃକ୍ତ ଦୁଇଜଣ ସ୍ନାଚରଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ।
Also Read: କୋରୋନା ମୁକାବିଲା: ପିପିପି ମୋଡରେ ପ୍ରତିଷ୍ଠା ହେବ କୋଭିଡ୍ ହସ୍ପିଟାଲ
ତେବେ ଲୁଟେରା ଦ୍ୱୟ ହେଉଛନ୍ତି ଗଞ୍ଜାମ (Ganjam) ଜିଲ୍ଲା ଆସ୍କା ଝଗଡିଆ ଅଞ୍ଚଳର ମେଘ ଦାସଙ୍କ ପୁଅ ଗଣେଶ ଦାସ ଓ ଦୁର୍ଗା ଦାସ ବୋଲି ଜଣାପଡିଛି। ପୁଲିସ ଏମାନଙ୍କର ପୁରୁଣା ଅପରାଧିକ ରେକର୍ଡ ଖୋଜିବା ପରେ ଅନେକ ତଥ୍ଯ ମିଳିଛି। ଏମାନେ ଆନ୍ତଃରାଜ୍ଯ ଏରାଗୋଲା ଡକାୟତ ଗ୍ଯାଙ୍ଗର ସଦସ୍ୟ। ସେମାନଙ୍କ ବିରୁଦ୍ଧରେ ରାଜ୍ୟର ବିଭିନ୍ନ ଥାନାରେ ରହିଛି ୩୦ରୁ ଉର୍ଦ୍ଧ୍ବ ଅପରାଧିକ ମାମଲା। ଗଞ୍ଜାମ, ଅନୁଗୁଳ, ସମ୍ବଲପୁର, ଢେଙ୍କାନାଳ, କଟକ ଓ ଭୁବନେଶ୍ୱର ଆଦି ଅଞ୍ଚଳରେ ଚୋରି, ଡକାୟତି, ରାହାଜାନୀ ଓ ଡିକି ଭାଙ୍ଗି ଲୁଟ କରିବା ଭଳି ସାଂଘାତିକ ମାମଲା ସହ ସିଧାସଳଖ ସମ୍ପର୍କ ରହିଛି ବୋଲି ସୂଚନା ଦେଇଛନ୍ତି ସିଂହଦ୍ଵାର ଥାନା ଆଇଆଇସି ଗେଲ୍ଲୀ କୁମାରୀ ସାହୁ।
ସ୍ନାଚିଂ (Snatching) କରି ଘଟଣାସ୍ଥଳରୁ ଫେରାର ହୋଇଯାଉଥିବା ସମୟରେ ଦୁଇ ଲୁଟେରାଙ୍କୁ ମାଡି ବସିଲେ ସଂପୃକ୍ତ ସେବାୟତ (Sebayat) ଓ କିଛି ସ୍ଥାନୀୟ ଲୋକ। ସିଂହଦ୍ଵାର ଥାନାକୁ ହସ୍ତାନ୍ତର କରିବା ପରେ ଦୁଇ ଲୁଟେରାଙ୍କୁ ଅଟକ ରଖିବା ସହ ଘଟଣାର ଛାନଭିନ କରିଥିଲା ପୋଲିସ (Puri Police) । ସ୍ନାଚିଂର ଶିକାର ହୋଇଥିବା ସେବାୟତ ହେଉଛନ୍ତି ରାଜୀବ ପତିମହାପାତ୍ର। ସେ ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ନବକିଶୋର ପତିମହାପାତ୍ରଙ୍କ ପୁଅ ବୋଲି ଜଣାପଡିଛି। ସେପଟେ ସିଂହଦ୍ୱାର ଥାନାରେ ମାମଲା ରୁଜୁ ହୋଇଛି। କେଶ୍ ନମ୍ବର ୪୪/୨୧, ଦଫା ୩୯୪, ୪୬୮, ୪୭୧ ଓ ୪୭୨ରେ କୋର୍ଟ ଚାଲାଣ ସହ ଜେଲ ଗଲେ ଦୁଇ ଆନ୍ତଃଜିଲ୍ଲା ଲୁଟେରା।
ଶ୍ରୀମନ୍ଦିର ସନ୍ନିକଟ ଗାଣ୍ଡୁଆଚୋରା ଛକ ନିକଟରେ ଘଟିଥିଲା ଏକ ଅଭାବନୀୟ ଘଟଣା। କୁଖ୍ୟାତ ଏରାଗୋଲା ଡକାୟତି ଗ୍ଯାଙ୍ଗର ଦୁଇଜଣ ଡକାୟତ ଜଣେ ସେବାୟତ ଧୂପ କିଣୁଥିବା ସମୟରେ ତାଙ୍କ ବେକରୁ ୧୦୦ ଗ୍ରାମର ସୁନା ଚେନ ଓ ହାତରୁ ମୋବାଇଲ ସ୍ନାଚିଂ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ମାତ୍ର ସଂପୃକ୍ତ ସେବାୟତ ସେମାନଙ୍କୁ ପଛରୁ ଗୋଡେଇବା ସହ ହାଲ୍ଲା କରିଥିଲେ। ଏହି ସମୟରେ ଦେବଦୂତ ସାଜିଥିଲେ ଆଉ ଜଣେ ଶ୍ରୀମନ୍ଦିର ସେବାୟତ। ସେ ହେଉଛନ୍ତି ବାଲିସାହି ବରାହୀ ଲେନ୍ ଅଞ୍ଚଳର ଶ୍ୟାମସୁନ୍ଦର ମହାପାତ୍ର। ଶ୍ୟାମସୁନ୍ଦର ତତକ୍ଷଣାତ ନିଜ ମୋଟରସାଇକେଲରେ ଡକାୟତଙ୍କୁ ପିଛା କରି ଗାଣ୍ଡୁଆଚୋରା ଛକ ଠାରୁ ଅଳ୍ପ କେଇ ଗଜ ଦୂରତା ମଧ୍ୟରେ ଧରିବାକୁ ସକ୍ଷମ ହୋଇଥିଲେ।
ନିଜ ଜୀବନକୁ ବାଜି ଲଗାଇ ଶ୍ୟାମସୁନ୍ଦର ପ୍ରଥମେ ତାଙ୍କ ଗାଡି ଆଗରେ ଗାଡି ରଖିବା ସହ ସେମାନଙ୍କୁ କାବୁ କରିନେଇଥିଲେ। ତାପରେ ସ୍ନାଚିଂର ଶିକାର ହୋଇଥିବା ସେବାୟତ ରାଜୀବ ପତିମହାପାତ୍ର ଓ ସ୍ଥାନୀୟ ଲୋକେ ପହଞ୍ଚି ପୋଲିସକୁ ଜଣାଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଡକାୟତଙ୍କୁ ଗିରଫ କରିଥିଲେ। ତେବେ ଶ୍ୟାମସୁନ୍ଦରଙ୍କ ସାହସିକତା ଯୋଗୁଁ ଦୁଇଜଣ କୁଖ୍ୟାତ ଅପରାଧି ଗିରଫ ହେବା ସହ ସେମାନଙ୍କ ଠାରୁ ୧୦୦ଗ୍ରାମ ଓଜନର ଗୋଟିଏ ଚେନ୍, ତିନୋଟି ମୋବାଇଲ ସହ ସେମାନେ ବ୍ଯବହାର କରିଥିବା କଳା ପଲସରକୁ ଜବତ କରା ଯାଇଛି। ଏଣୁ ପୁରୀ ଏସପି ଡକ୍ଟର କନୱର ବିଶାଲ ସିଂ ସାହସୀ ସେବକ ଶ୍ୟାମସୁନ୍ଦରଙ୍କୁ ଜିଲ୍ଲା ପୋଲିସ କାର୍ଯ୍ଯାଳୟକୁ ଡାକି ସମ୍ମାନିତ କରିଛନ୍ତି। ପୁରୀ ପୁଲିସ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଥିବାରୁ ଶ୍ୱାମସୁନ୍ଦର ଓ ତାଙ୍କ ପତ୍ନି ଏସପିଙ୍କୁ କୃତଜ୍ଞତା ଜଣାଇଛନ୍ତି।