ବଂଶଧାରା ଜଳ ବିବାଦ; ଆନ୍ଧ୍ର ଆଗରେ ନାଚାର ଓଡ଼ିଶା, ନ୍ୟାୟିକ ଲଢେଇ ବି ହାରିଲା
Advertisement
Article Detail0/zeeodisha/odisha929290

ବଂଶଧାରା ଜଳ ବିବାଦ; ଆନ୍ଧ୍ର ଆଗରେ ନାଚାର ଓଡ଼ିଶା, ନ୍ୟାୟିକ ଲଢେଇ ବି ହାରିଲା

ଗଜପତି ଜିଲ୍ଲାରେ ଜଳ, ଜମି, ଜଙ୍ଗଲକୁ ନେଇ ଆନ୍ଧ୍ର ସରକାର ସହ ବିବାଦ କିଛି ନୂଆକଥା ନୁହେଁ। ହେଲେ ବଂଶଧାରା ଜଳ ବିବାଦ ୧୯୫୦ ମସିହାରୁ ଆନ୍ଧ୍ର ସରକାର ଭିତ୍ତିପ୍ରସ୍ତର ସ୍ଥାପନ କରିବା ଠାରୁ ଏହି ଲଢ଼େଇ ଜାରି ରହିଛି। ୧୯୬୧ ମସିହାରେ କାଶୀନଗର ବ୍ଲକର ସ୍ଥାନୀୟ ଲୋକେ ଆନ୍ଦୋଳନ ଜୋରଦାର କରିବାପରେ ରାଜ୍ୟ ସରକାରଙ୍କ ନ୍ୟାୟିକ ଲଢେଇ ଆରମ୍ଭ ହୋଇଥିଲା।

ଡିଜାଇନ ଫଟୋ

ଗଜପତି: ଆନ୍ଧ୍ରକୁ ଜବାବ ଦେବାରେ ବିଫଳ ରାଜ୍ୟ ସରକାର। ବଂଶଧାରା ନଦୀରେ କାଟ୍ରାଗାଡ଼ା ସେତୁକୁ ନେଇ ଦେଖାଦେଇଥିବା ଜଳ ବିବାଦର ସମାଧାନ ପାଇଁ ଗଠିତ ଟ୍ରୁବିନାଲର ଚୁଡାନ୍ତ ରାୟରୁ ଓଡ଼ିଶାର ବିଫଳତା ସ୍ୱଷ୍ଟ ବାରି ହେଉଛି। ଟ୍ରିବୁନାଲ ସାମ୍ନାରେ ନା ଯୁକ୍ତି ଉପସ୍ଥାପନ କରିପାରିଲେ ନା ଅନ୍ଧ୍ରକୁ ଚେକ୍ ଦେବାପାଇଁ ବଂଶଧାରା ନଦୀର ଉପର ମୁଣ୍ଡରେ ପାଣି ଡ଼ଙ୍ଗର ପ୍ରକଳ୍ପର କାର୍ଯ୍ୟକାରୀ କରିପାରିଲେ। କିନ୍ତୁ ଟ୍ରିବୁନାଲର ରାୟ ପ୍ରକାଶ ପାଇବା ପରେ ପ୍ରଭାବିତ ଅଞ୍ଚଳରେ ପ୍ରକଳ୍ପ ବିରୋଧରେ ଏକ ବିରାଟ ଆନ୍ଦୋଳନର ଦାନା ବାନ୍ଧୁଛି। ଆଉ ସରକାରଙ୍କୁ ସିଧା ସଳଖ ଚେତାବନୀ ଦେଇଛନ୍ତି ବିସ୍ଥାପିତ ହେବାକୁ ଥିବା ଗ୍ରାମବାସୀ। 

ଗଜପତି ଜିଲ୍ଲାରେ ଜଳ, ଜମି, ଜଙ୍ଗଲକୁ ନେଇ ଆନ୍ଧ୍ର ସରକାର ସହ ବିବାଦ କିଛି ନୂଆକଥା ନୁହେଁ। ହେଲେ ବଂଶଧାରା ଜଳ ବିବାଦ ୧୯୫୦ ମସିହାରୁ ଆନ୍ଧ୍ର ସରକାର ଭିତ୍ତିପ୍ରସ୍ତର ସ୍ଥାପନ କରିବା ଠାରୁ ଏହି ଲଢ଼େଇ ଜାରି ରହିଛି। ୧୯୬୧ ମସିହାରେ କାଶୀନଗର ବ୍ଲକର ସ୍ଥାନୀୟ ଲୋକେ ଆନ୍ଦୋଳନ ଜୋରଦାର କରିବାପରେ ରାଜ୍ୟ ସରକାରଙ୍କ ନ୍ୟାୟିକ ଲଢେଇ ଆରମ୍ଭ ହୋଇଥିଲା। ୨୦୦୯ ଠାରୁ ୨୦୨୧ ମଧ୍ୟରେ ସୁପ୍ରିମକୋର୍ଟର ଟ୍ରିବୁନାଲ ଟିମ ସରଜମିନ ତଦନ୍ତ କରି ତିନି ତିନି ଥର ଉଭୟ ପକ୍ଷର ଯୁକ୍ତି ଶୁଣିଛନ୍ତି। ହେଲେ ଚଳିତ ମାସ ୨୧ ତାରିଖରେ ସୁପ୍ରିମକୋର୍ଟଙ୍କ ଦ୍ଵାରା ଗଠିତ ଟ୍ରୁବିନାଲରୁ ଯେଉଁ ରାୟ ଆସିଲା ତାହା ସ୍ଥାନୀୟ ଲୋକଙ୍କୁ ନିରାଶ କରିଛି। କିନ୍ତୁ ତିନି ଗ୍ରାମବାସୀ ଭାଙ୍ଗି ନପଡି ଏକତ୍ରିତ ହୋଇ ଆନ୍ଦୋଳନ ପାଇଁ ଧମକ ଦେଇଛନ୍ତି।

Also Read: Matric Results 2021: ପାସ୍ ବେଶି ଫେଲ୍ କମ, କଲେଜରେ ଆଡମିଶନ ନେଇ ଆଶଙ୍କାରେ ବିଦ୍ୟାର୍ଥୀ

ଟ୍ରିବୁନାଲଙ୍କ ରାୟ ସରକାରଙ୍କ ବିପକ୍ଷରେ ଯାଇଛି। ରାୟ ଅନୁସାରେ ବିସ୍ଥାପିତଙ୍କୁ ଆନ୍ଧ୍ର ସରକାର ଥଇଥାନ କରିବା ସହ କ୍ଷତିପୂରଣ ପ୍ରଦାନ କରିବେ। କିନ୍ତୁ ଏଥି ନିମନ୍ତେ ସିଧାସଳଖ ଗ୍ରାମବାସୀଙ୍କ ସହ ଆଲୋଚନା କରିବା ପାଇଁ ଆହ୍ୱାନ କରି ସମାଧାନ ପାଇଁ ସାମ୍ଭାବ୍ୟ କ୍ଷତିଗ୍ରସ୍ତ ଦାବି କରିଛନ୍ତି। ନଚେତ ବିରାଟ ଆନ୍ଦୋଳନ ହେବ ବୋଲି ସମାନେ ଧମକ ଦେଇଛନ୍ତି। ଏନେଇ ଗ୍ରାମବାସୀଙ୍କ ବୈଠକ ପରେ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ମଧ୍ୟ ପ୍ରଦାନ କରାଯାଇଛି।

ଅନ୍ୟପକ୍ଷରେ ସରକାର ଉଭୟ ଗଜପତି ଏବଂ ରାୟଗଡା ଜିଲ୍ଲାର ଉପାନ୍ତ ଅଞ୍ଚଳର ଲୋକଙ୍କ କଥାକୁ କୌଣସି ପ୍ରକାରେ ଧ୍ୟାନ ଦେଇନାହାନ୍ତି, ଯାହା ଫଳରେ ବର୍ତ୍ତମାନ ନିଜର ଭିଟାମାଟି ଛାଡିବାକୁ ବାଧ୍ୟ ହେବାକୁ ପଡୁଛି। ତେବେ କ୍ଷତିଗ୍ରସ୍ତ ହେବାକୁ ଥିବା ଗ୍ରାମ ଗୁଡିକୁ ଆନ୍ଧ୍ରର ପ୍ରତିନିଧି ଦଳ ନିଜେ ବିଧାୟିକା ଉପସ୍ଥିତ ରହି ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କରି ପ୍ରଭାବିତ ହେବାକୁ ଥିବା ଆନ୍ଧ୍ର ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି। କିନ୍ତୁ ରାଜ୍ୟ ସରକାର କିମ୍ବା ପ୍ରଶାସନ ତରଫରୁ ଗାଁ ଲୋକଙ୍କ ନିକଟରେ କେହି ପହଁଞ୍ଚି ନଥିବା ଅଭିଯୋଗ ହୋଇଛି। 

Also Read: ଶ୍ରୀହୀନ ଶ୍ରୀଜୀଉଙ୍କ ବନପ୍ରକଳ୍ପ; ସନ୍ଦେହରେ ବନପାଳଙ୍କ କାର୍ଯ୍ୟଶୈଳୀ

ସରକାରଙ୍କ ଏପରି ଆଭିମୁଖ୍ୟକୁ ବିରୋଧ କରି ଆଗକୁ ବଡଧରଣର ଆନ୍ଦୋଳନ ହେବାକୁ ଯାଉଛି। ଯେଉଁଥିରେ ତିନୋଟି ଗ୍ରାମର ଚାରିଶହ ପରିବାରର ତିନି ହଜାରରୁ ଅଧିକ ଲୋକ ସାମିଲ ହେବେ। କ୍ଷତିଗ୍ରସ୍ତ ହେବାକୁ ଥିବା କାଶୀନଗର ବ୍ଲକର ସାରା, ବାଡ଼ିଗାଁ ଅଞ୍ଚଳବାସୀ ହଜାର ଏକର ଚାଷଜମି ସାଙ୍ଗକୁ ଘରବାଡି ହରାଇବେ। ଡ୍ୟାମ ନିର୍ମାଣ ପରେ ଆଖ ପାଖ ଗ୍ରାମବାସୀ ମଧ୍ୟ ବିପଦ ଭୟରେ ଭିଟାମାଟି ଛାଡିବେ। ତେଣୁ ଲୋକଙ୍କ ଉପଯୁକ୍ତ କ୍ଷତିପୂରଣ ସହ ଥଇଥାନ ନକରିବା ଯାଏଁ ଆନ୍ଧ୍ରକୁ କାଟ୍ରାଗଡ଼ା, ନେରେଡି ପ୍ରକଳ୍ପ କରାଇ ଦେବୁନାହିଁ ଓଡିଶାର ଇଞ୍ଚେ ଜାଗା ଛାଡ଼ିବୁନାହିଁ ବୋଲି ଗ୍ରାମବାସୀ ଜିଦ୍ ଧରି ବସିଛନ୍ତି।

ସେପଟେ ଓଡିଶା ସରକାର, ଆନ୍ଧ୍ରର ଏକଚାଟିଆ ମନୋଭାବକୁ ଜବାବ ଦେବାପାଇଁ ୨୦୦୫ ମସିହାରେ ଏହାର ବିକଳ୍ପ ଚିନ୍ତା କରି ବଂଶଧାରା ନଦୀର ଉପର ମୁଣ୍ଡରେ ରାୟଗଡା ଜିଲ୍ଲା ଗୁଡାରି ବ୍ଲକର ପାଣି ଡ଼ଙ୍ଗର ଅଞ୍ଚଳରେ ଏକ ପ୍ରକଳ୍ପ ଆରମ୍ଭ କରିବା ପାଇଁ ନିର୍ଣ୍ଣୟ କରି ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସେହି ପ୍ରକଳ୍ପ ଯଦି କାର୍ଯ୍ୟକାରୀ ହୁଅନ୍ତା ତେବେ ରାୟଗଡା, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ଜଳ ଯୋଗାଇ ପାରିଥାନ୍ତେ। ରାଜ୍ୟ ସରକାର ସେତେବେଳେ ଏହି ପ୍ରକଳ୍ପର ରୂପରେଖ ଏବଂ ଲୋକଙ୍କ ଆବଶ୍ୟକ ଦୃଷ୍ଟିରୁ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ପ୍ରକଳ୍ପ ନିକଟରେ କାର୍ଯ୍ୟାଳୟ ମଧ୍ୟ ଖୋଲା ଯାଇଥିଲା କିନ୍ତୁ ପ୍ରକଳ୍ପ କାର୍ଯ୍ୟରେ ଗୋଟେ ପଦେ ଆଗେଇବାର ତ ଦୂରର କଥା କାଣିଚାଏ ମଧ୍ୟ କାମ ଆଗକୁ ବଢ଼ିପାରିନାହିଁ। ଯାହାକୁ ସ୍ଥାନୀୟ  ବୁଦ୍ଧିଜୀବୀ ତିବ୍ର ନିନ୍ଦା କରିଛନ୍ତି। 

Also Read: ବିଜୁପକ୍କା ଘର ହାତେଇବା ଅଭିଯୋଗରେ GRS ଙ୍କୁ ଲୋକାୟୁକ୍ତଙ୍କ ନୋଟିସ

ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ କାଶୀନଗର ଓ ଗୁଣପୁର ବାସିନ୍ଦାଙ୍କ କ୍ଷତି ପାଇଁ ରାଜ୍ୟ ସରକାରଙ୍କ ଅପାରଗତାକୁ ଦାୟୀ କରିଛନ୍ତି। ସେ ପୂର୍ବରୁ ମଧ୍ୟ ବିଧାନସଭାରେ ବିକଳ୍ପ ପ୍ରକଳ୍ପ ନିର୍ମାଣ ସକାଶେ ଅନୁରୋଧ କରିଥିଲେ। କିନ୍ତୁ ସରକାର ସମସ୍ତ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଛନ୍ତି। ବିଧାୟକ କେ ନାରାୟଣ ରାଓ ନିର୍ବାଚିତ ପ୍ରତିନିଧି ହିସାବରେ ନିର୍ବାଚନ ମଣ୍ଡଳୀର ଲୋକଙ୍କ ସହିତ ରହିବେ, ଏ ଆନ୍ଦୋଳନକୁ ସମ୍ପୂର୍ଣ୍ଣ ଭାବରେ ସହଯୋଗ କରିବା ସହ ଆନ୍ଦୋଳନକୁ ଆଗକୁ ନେବେ ବୋଲି କହିଛନ୍ତି।

ନିଜ ହକ୍ ପାଇଁ ନ୍ୟାୟିକ ଲଢେଇ ଲଢି ସରକାର ବିଫଳ ହୋଇଛନ୍ତି। ଆଉ ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ହିଁ କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କ ଭାଗ୍ୟ ନିର୍ଭର କରୁଛି। କିନ୍ତୁ ତା ପୂର୍ବରୁ ଲୋକଙ୍କ ସନ୍ଦେହ ଦୂର କରିବା ପାଇଁ ପ୍ରଭାବିତଙ୍କ ସହ ଆଲୋଚନା ଜରୁରୀ ହୋଇ ପଡ଼ିଛି, ନଚେତ ପ୍ରଭାବିତଙ୍କ କୋହ ଆନ୍ଦୋଳନକୁ ଅଧିକ ଖୁରାଗ ଯୋଗାଇବ ନିଶ୍ଚୟ।