ତୁରେଇ ମାଣ୍ଡିଆପଡା ଗ୍ରାମରୁ ୨୦ରୁ ଊର୍ଦ୍ଧ୍ୱ ଚାଷୀ ଆସି କୁଚିଣ୍ଡା ଉପଜିଲ୍ଲାପାଳ ଆଦିତ୍ୟ ଗୋଏଲଙ୍କୁ ତଦନ୍ତ ଓ କାର୍ଯ୍ଯାନୁଷ୍ଠାନ ପାଇଁ ଜଣାଇବା ପରେ ବିଷୟଟି ଲୋକ ଲୋଚନକୁ ଆସିଛି।
Trending Photos
ସମ୍ବଲପୁର: କୁଚିଣ୍ଡା ଉପଖଣ୍ଡ ବାମରା ବ୍ଲକ ତୁରେଇ ଗ୍ରାମ ପଞ୍ଚାୟତରେ ଖରିଫ ଋତୁ ଚାଷ ବୀମାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଘଟଣାଟି ପଦାକୁ ଆସିବା ପରେ ଅଞ୍ଚଳରେ ଚାଞ୍ଚଲ୍ଯ ସୃଷ୍ଟି ହୋଇଛି। ତୁରେଇ ମାଣ୍ଡିଆପଡା ଗ୍ରାମରୁ ୨୦ରୁ ଊର୍ଦ୍ଧ୍ୱ ଚାଷୀ ଆସି କୁଚିଣ୍ଡା ଉପଜିଲ୍ଲାପାଳ ଆଦିତ୍ୟ ଗୋଏଲଙ୍କୁ ତଦନ୍ତ ଓ କାର୍ଯ୍ଯାନୁଷ୍ଠାନ ପାଇଁ ଜଣାଇବା ପରେ ବିଷୟଟି ଲୋକ ଲୋଚନକୁ ଆସିଛି।
ଚଳିତବର୍ଷ ଖରିଫ ଋତୁ ଚାଷ ପାଇଁ ରିଲାଏନ୍ସ ବୀମା କମ୍ପାନୀରେ ଫସଲ ବୀମା କରିବାକୁ ସରକାର ସୂତିତ କରିଥିଲେ। ଏହାର ଅବଧି ୩୧ ଜୁଲାଇ ପର୍ଯ୍ୟନ୍ତ ରହିଥିଲା। ଏହି ସମୟରେ ମଣ୍ଡିଆପଡା ଗ୍ରାମର ସନାତନ ପୃଷେଠ, ନବୀନ ଚନ୍ଦ୍ର ନାଏକ ସମେତ ତୁରେଇ ପଞ୍ଚାୟତର ୪୦ରୁ ଊର୍ଦ୍ଧ୍ବ ଚାଷୀ ନିଜ ଜମିପଟା ମାଧ୍ୟମରେ ବୀମାଭୂକ୍ତ କରିବାକୁ ଜନସେବା କେନ୍ଦ୍ରକୁ ଯାଇଥିଲେ। ସେଠାରେ ଜାଣିବାକୁ ପାଇଥିଲେ ଯେ, କୌଣସି ଏକ ବ୍ଯକ୍ତି (ଦଲାଲ) ସମ୍ପୃକ୍ତ ଜମିପଟାର ଖାତା ନମ୍ବର ଓ ପ୍ଲଟ ନମ୍ବର ଆଗରୁ ବ୍ୟବହାର କରି ବୀମାଭୂକ୍ତ କରିନେଇଛନ୍ତି। ଏପରିକି ଏହି ଚାଷୀମାନେ ବୀମାରୁ ବଞ୍ଚିତ ହେବାପରେ ତାରିଖ ମଧ୍ୟ ସରିଯାଇଥିଲା। ଏପରିକି ଗାଁରେ ଜଣ ଜଣ କରି ଆଲୋଚନା ପରେ ଜାଣିବାକୁ ପାଇଥିଲେ ଯେ ପଞ୍ଚାୟତର ଶତାଧିକ ଚାଷୀ ଏହି ଠକାମୀର ଶିକାର ହେଉଛନ୍ତି। ଶେଷରେ ଉପାୟ ଶୂନ୍ଯ ହୋଇ ଉପଜିଲ୍ଲାପାଳ କୁଚିଣ୍ଡାଙ୍କ ସହାୟତା ମାଗିଥିବା ଜଣାପଡ଼ିଛି।
Also Read: ଲଗାଣ ବର୍ଷାରେ ଧୋଇଗଲା ଅସ୍ଥାୟୀ ପୋଲ, ଛଅ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ
ତୁରେଇ ପଞ୍ଚାୟତର ଚାଷୀ ନବୀନ ଚନ୍ଦ୍ର ନାଏକଙ୍କ ମୋଟ ୨୮ ଏକର ଜମିରୁ ୨୬ ଏକର ଜମିର ଖରିଫ ଧାନ ଚାଷ ପାଇଁ ତାଙ୍କ ଅଜାଣତରେ ବୀମାଭୂକ୍ତ ହୋଇ ଯାଇଛି। ଖାଲି ଏହି ଚାଷୀ ନୂହେଁ ସେହି ଅଂଚଳର କାହ୍ନୁ ଚରଣ ବେହେରା ୭ ଏକର ୩୫ ଡିସିମିଲି, ସୁବନ କିଶାନ ୨୩ ଏକର, ଶୋଭାରାମ ମରେଇ ୬ ଏକର, ସତ୍ଯରାମ ମାଝୀ ୭ ଏକର ଭୁବନେଶ୍ବର ପଟେଲ ୫ ଏକର, ଶୁକଦେବ ନାଏକଙ୍କ ୧୨ ଏକର ଜମି ଅଜାଣତେ ବୀମାଭୂକ୍ତ ହୋଇଛି। ଏପରିକି ଶତାଧିକ ଚାଷୀଙ୍କର ବୀମା କୌଣସି ଏକ ଦଲାଲ କୌଣସି ସୁତ୍ରରୁ ଇଣ୍ଟରନେଟ ପଟ୍ଟାକୁ ବ୍ୟବହାର କରି ଚଞ୍ଚକତା ପୂର୍ଣ୍ଣ ଭାବରେ କରାଇ ନେଇଥିବା ଅଭିଯୋଗ ଆସିଛି। ୧୦ କି ୨୦ ଜଣଙ୍କ କଥାନୁହେଁ। ଏହି ଅଞ୍ଚଳରେ ଶତାଧିକ ଲୋକଙ୍କ ସମାନ ଦୃଶ୍ୟ ଦେଖିବାକୁ ମିଳିଛି।
ବରିଷ୍ଠ ଚାଷୀ ସନାତନ ପୃଷେଠଙ୍କ ଅଭିଯୋଗ ଯେ, ଆଭ୍ୟନ୍ତରୀଣ ଗ୍ରାମାଞ୍ଚଳରେ ଇଣ୍ଟରନେଟର ବ୍ୟବସ୍ଥା ନାହିଁ ବା ଜନସେବା କେନ୍ଦ୍ର ନାହିଁ। ଯାହାଫଳରେ ଅଭ୍ଯସ୍ତ ଦଲାଲମାନେ କାଗଜପତ୍ର, ବ୍ଯାଙ୍କ ଆକାଉଣ୍ଟ୍ ଜାଲିଆତି କରି ନିଜ ନାମରେ ବୀମା କରାଇ ନେଉଥିବା ଦେଖିବାକୁ ମିଳୁଛି। ଏହା କିଏ, କେବେ, କିପରି ଓ କେଉଁଠାରେ କରିଛି ତାହା ଜଣାମଧ୍ୟ ପଡୁନାହିଁ। ଯାହାଫଳରେ ଜଣେ ଗରିବ ନୀରିହ ଚାଷୀ ବର୍ତ୍ତମାନ ଶୋଷଣର ଶିକାର ହେଉଛି। କୁଚିଣ୍ଡା ବ୍ଲକ ଚାଷୀନେତା ଜୟନ୍ତ ପ୍ରଧାନଙ୍କ ଅଭିଯୋଗ ହେଲା, ସରକାରଙ୍କ ନିତୀରେ ଅନେକ ତ୍ରୁଟି ଅଛି ଏବଂ ଏହି ବୀମା ପରିଚାଳନା କରୁଥିବା ସମବାୟ ସମିତିର କର୍ମକର୍ତ୍ତା ଖାମଖିଆଲି ନୀତି ଯୋଗୁଁ ଚାଷୀ ଠିକାମୀର ଶିକାର ହୋଇଛି। ପ୍ରକୃତରେ ଚାଷୀ ଚାଷ କରିବା ସହ ସରକାରୀ ବ୍ୟବସ୍ଥା ବୁଝିବା ତା ପାଇଁ ବଡ କଷ୍ଟ ଏବଂ ଚାଷୀଙ୍କ ଉନ୍ନତିରେ ନିୟୋଜିତ ଥିବା କର୍ମଚାରୀମାନେ ମଧ୍ୟ ଚାଷୀଙ୍କ ଗାଁକୁ ଯାଇ ସଠିକ ତଥ୍ୟ ଦେଉନାହାନ୍ତି।
Also Read: ଲୋକଙ୍କ ସ୍ୱପ୍ନ ପୂରଣ କରୁଛନ୍ତି ସ୍ୱପ୍ନେର ଚାଷୀ: ବିନା ପାଣି ଓ ସାରରେ ଫଳାଉଛନ୍ତି ପରିବା
ଚାଷୀ ସମସ୍ତ ତଥ୍ୟ ଜାଣି ସରକାରୀ ସୁବିଧା ପାଇବା ବେଳକୁ ସମୟ ଗଡି ଯାଉଛି। ଏହି ପରିକି ଚାଷୀଙ୍କୁ ଠକିବା ଓ ଏଥିରେ ସମ୍ପୃକ୍ତ ଥିବା ଦଲାଲଙ୍କ ସଂଖ୍ୟା ଓ ପୃଷ୍ଟପୋଷକ ଯୋଗାଉଥିବା ବ୍ୟବସ୍ଥାପକଙ୍କ ସଂଖ୍ୟା ମଧ୍ଯ କମ ନୁହେଁ। ପ୍ରକୃତରେ ଚାଷୀଙ୍କୁ ସହଯୋଗ କରିବାର ମନୋବୃତ୍ତି କାହାରି ନାହିଁ। ଏହି ଦଲାଲମାନେ ଧାନ କିଣା ବିକାରୁ ଆରମ୍ଭ କରି ଚାଷର ବୀମା କରିବା ପର୍ଯ୍ୟନ୍ତ ଚତୁରତା ସହ ଲିପ୍ତ ରହୁଛନ୍ତି। ଏଥିରେ ସହଯୋଗ ଯୋଗାଉଥିବା ବ୍ଯାଙ୍କ କର୍ମଚାରୀ, କୃଷି ବିଭାଗ ଅଧିକାରୀ, ବୀମା କମ୍ପାନୀର କର୍ମଚାରୀଙ୍କୁ ଆଖି ଦୃଶିଆ ଦଣ୍ଡ ବିଧାନ କେବେ ହୋଇଥିବା ନଜିରନାହି। ଏଣୁ ଏହା ବଢିବାରେ ଲାଗିଛି। ଏହି କମ୍ପାନୀ କେବେଳ ତୁରେଇ ଅଂଚଳରେ ସିମୀତ ନୁହେଁ ଏହା ସମଗ୍ର ଜିଲ୍ଲାରେ ଲମ୍ବିଛି। ଏହାର ଏକମାତ୍ର ପ୍ରତିକାର ହେଉଛି ସରକାରୀ କଳର ତତ୍ପରତା ବୋଲି ଜୟନ୍ତ ପ୍ରଧାନ କହିଛନ୍ତି।
କୃଷକ ନେତାଙ୍କ କହିବା ଅନୁସାରେ, ବିଶେଷ ଭାବରେ ଚାଷୀର ଏହି କଷ୍ଟ ଅବର୍ଣ୍ଣନୀୟ। ସେ ଚାଷ କରିବ କି ପ୍ରକୃତି ଦାଉରୁ ତାର ଫସଲ ବଞ୍ଚାଇବ। ସରକାର ଘୋଷଣା କରୁଥିବା ସର୍ବନିମ୍ନ ସହାୟତା ପାଇଁ ତାକୁ ବାର ଦ୍ବାର ସୁଣ୍ଠିପିଣ୍ଡା ହେବାକୁ ପଡୁଛି। ବିଗତ ବର୍ଷର ବୀମା ରାଶି ପାଇନଥିବା ବେଳେ ଏବେ ଦଲାଲ ଜମିକୁ ଚଞ୍ଚକତାରେ ହଡପ କରିନେଇଛି। ଆଗରୁ ମଧ୍ୟ ଏହା କେତେ ଚାଷୀଙ୍କ ଠାରେ ହୋଇଥିବ କହିବା କଷ୍ଟ। କିନ୍ତୁ ଏହା ଅନୁମାନ କରାଯାଉଛି ଯେ, ଏହି ଦଲାଲ କେବେଳ ଜଣେ ନୁହେଁ ଏହା ଏକ ଦଳଗତ ଏବଂ ଏଥିରେ ସରକାରୀ, ସମବାୟ, ବ୍ଯାଙ୍କ ଓ ଅସାଧୁ ଜନସେବା ସଂସ୍ଥା କାଯ୍ଯ କରୁଥିବା ଅନୁମେୟ। ହେଉଛି। ଏବେ ଅଭିଯୋଗ ଉପଜିଲ୍ଲାପାଳଙ୍କ ନିକଟରେ ଏହାର ସମାଧାନ ନ ହେଲେ ଚାଷୀମାନେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଉଚ୍ଚସ୍ତରୀୟ ତଦନ୍ତର ଆଶ୍ରୟ ନେବେ ବୋଲି ସେ ପ୍ରକାଶ କରିଛନ୍ତି।