ବାରମ୍ବାର ବ୍ୟାରିକେଡରେ ଫସୁଛି ମୁଣ୍ଡ, କେବେ ଚେତିବ ଶ୍ରୀମନ୍ଦିର ପ୍ରଶାସନ?
Advertisement
Article Detail0/zeeodisha/odisha877835

ବାରମ୍ବାର ବ୍ୟାରିକେଡରେ ଫସୁଛି ମୁଣ୍ଡ, କେବେ ଚେତିବ ଶ୍ରୀମନ୍ଦିର ପ୍ରଶାସନ?

ବିଭିନ୍ନ ସମୟରେ ଲୁହା ବ୍ଯାରିକେଡର ଫାଙ୍କରେ ଛୋଟ ପିଲା ମୁଣ୍ଡ ପୁରାଇ ଦେଉଛନ୍ତି। ଫଳରେ ମୁଣ୍ଡକୁ ବାହାର କରିବା ମୁସ୍କିଲ ହେଉଛି। ଆଜି ମଧ୍ୟ ଏଇଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।

ବାରମ୍ବାର ବ୍ୟାରିକେଡରେ ଫସୁଛି ମୁଣ୍ଡ, କେବେ ଚେତିବ ଶ୍ରୀମନ୍ଦିର ପ୍ରଶାସନ?

ପୁରୀ:  ଭକ୍ତଙ୍କ ପାଇଁ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିରର ବିଭିନ୍ନ ସ୍ଥାନରେ ବ୍ଯାରିକେଡିଂ ବ୍ଯବସ୍ଥା କରାଯାଇଛି। କିନ୍ତୁ ଏହି ବ୍ୟାରିକେଡ ଏବେ କଅଁଳ ଶିଶୁଙ୍କ ପାଇଁ ବିପଦ ସାଜିଛି। ବିଭିନ୍ନ ସମୟରେ ଲୁହା ବ୍ଯାରିକେଡର ଫାଙ୍କରେ ଛୋଟ ପିଲା ମୁଣ୍ଡ ପୁରାଇ ଦେଉଛନ୍ତି। ଫଳରେ ମୁଣ୍ଡକୁ ବାହାର କରିବା ମୁସ୍କିଲ ହେଉଛି। ଆଜି ମଧ୍ୟ ଏଇଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଶିଶୁକନ୍ଯା ଜୋତାଷ୍ଟାଣ୍ଡର ବ୍ଯାରିକେଡରେ ମୁଣ୍ଡ ଗଳାଇ ଦେଇଥିଲେ। ଶେଷରେ ଅଗ୍ନିଶମ ବିଭାଗର ହସ୍ତକ୍ଷେପ ଫଳରେ ସୁରକ୍ଷିତ ଭାବେ ତାଙ୍କୁ ଉଦ୍ଧାର କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଛି।

ଆଜି ଦିନ ପ୍ରାୟ ଗୋଟାଏ ଚାଳିଶ ମିନିଟରେ ଦୋଳବେଦୀ ନିକଟ ଜୋତାଷ୍ଟାଣ୍ଡରେ ଗହଳିଚହଳି ଜମିଥିଲା। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ସାରି ଭକ୍ତମାନେ ଆସି ଏହି ଜୋତାଷ୍ଟାଣ୍ଡରୁ ନିଜର ଜୋତା ଆଉ ମୋବାଇଲ ସଂଗ୍ରହ କରୁଥିଲେ। ହଠାତ ଜଣେ ଶିଶୁକନ୍ଯାର କରୁଣ ଚିତ୍କାର ଶୁଭିଲା। ଧିରେଧିରେ ଭିଡ ଜମିଯାଇଥିଲା। କାଉଁଣ୍ଟରରୁ ବାପାମାଆ ଜୋତା ଓ ମୋବାଇଲ ସଂଗ୍ରହ କରୁଥିବା ବେଳେ ଟିକେ ଅନ୍ଯମନସ୍କ ହୋଇପଡିଥିଲେ। ସେହି ସମୟରେ ଘଟିଥିଲା ବଡ ଅଘଟଣ। 

Also Read: ମହାପ୍ରଭୁଙ୍କ ମାଉସୀ ମାଆ ମନ୍ଦିରରେ କଳାକନା ବୁଲାଇଲେ ଲୁଟେରା

ଶିଶୁ କନ୍ଯାଟି ଖେଳୁ ଜୋତାଷ୍ଟାଣ୍ଡରେ ଥିବା ଲୁହା ବ୍ଯାରିକେଡରେ ଅଜାଣତରେ ମୁଣ୍ଡକୁ ଗଳାଇ ଦେଇଥିଲା। ଗୋଟିଏ ବ୍ଯାରିକେଡରେ ନୁହେଁ ଦୁଇଟି ବ୍ଯାରିକେଡରେ ଫସି ମୁଣ୍ଡ ରହିଥିଲା। ଯେତେ ଚେଷ୍ଟା କଲେବି ବାହାରିନଥିଲା। ଶିଶୁଟି ଯନ୍ତ୍ରଣାରେ ଛଟପଟ ହେଉଥାଏ। ଜୟ ଜଗନ୍ନାଥ କହି ଉଦ୍ଧାର କରିବାକୁ ମହାପ୍ରଭୁଙ୍କୁ (Lord Jagannath) ଜୋରରେ ଡାକୁଥାଏ। ବାପାମାଆ ଝିଅକୁ ଟେକି ଧରିଥାନ୍ତି। ଝିଅକୁ ଉଦ୍ଧାର କରିବା ପାଇଁ କାକୁତି ମିନତୀ ହେଉଥାନ୍ତି। 

 

ଖବର ପାଇ ମାତ୍ର କେଇ ମିନିଟରେ ପୁରୀ ଏସପି କନୱର ବିଶାଲ ସିଂ (Kanwar Vishal Singh)ଘଟଣାସ୍ଥଳରେ ପହଞ୍ଚିଲେ। ଅଗ୍ନିଶମ ବିଭାଗ ପକ୍ଷରୁ ଦମକଳ ବି ପହଞ୍ଚିଲା। ଆରମ୍ଭ ହେଲା ଅପରେସନ। ପ୍ରାୟ ୪୫ମିନିଟ ଧରି ଚାଲିଲା ଉଦ୍ଧାର କାର୍ଯ୍ଯ। ଫସି ରହିଥିବା ଦୁଇଟି ବେରିକେଡ (Barricade)ରେ ତିନୋଟି ରଡକୁ କଟର ସାହାଯ୍ୟରେ କାଟିବା ପରେ ଶିଶୁକନ୍ଯାକୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ହେବା ପରେ ଶିଶୁକନ୍ଯାର ପିଠି ଥାପୁଡେଇ ଏସପି (Puri SP) ଆଶ୍ୱାସନା ଦେଇ ତାଙ୍କୁ ପରିବାରକୁ ହସ୍ତାନ୍ତର କରିଥିଲେ।

Also Read: ଶ୍ରୀମନ୍ଦିର-କୋଣାର୍କ ସପରିବାର ପରିଦର୍ଶନ କଲେ ରାଷ୍ଟ୍ରପତି

ଉଦ୍ଧାର ହୋଇଥିବା ଶିଶୁକନ୍ଯା କଳାହାଣ୍ଡି (Kalahandi) ଜିଲ୍ଲା ଭବାନୀପାଟଣାର ବିଶ୍ୱ ନାରାୟଣ ରଥଙ୍କ ପାଞ୍ଚବର୍ଷ ବୟସର ଅଗ୍ନି ଅମ୍ବିକା ରଥ। ବାପା, ମାଆ ଓ ଜେଜେମାଙ୍କ ସହ ସେ ପୁରୀ ବୁଲି ଆସିଥିଲେ। ମହାପ୍ରଭୁଙ୍କୁ ଦର୍ଶନ (Jagannath Darshan) କରି ଉତ୍ତରଦ୍ୱାର ଦେଇ ସମସ୍ତେ ବାହାରି ଥିଲେ। ପ୍ରଶାସନର ଜୋତାଷ୍ଟାଣ୍ଡରୁ ଜୋତା ସଂଗ୍ରହ କରୁଥିବା ସମୟରେ ଘଟିଥିଲା ଏଭଳି ଅଘଟଣ। ତେବେ ଝିଅକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବାରୁ ଅଗ୍ନିଶମ ବିଭାଗ, ପୁଲିସ ଓ ସ୍ଥାନୀୟ ଭକ୍ତଙ୍କୁ ଧନ୍ଯବାଦ ଦେଇଛନ୍ତି ପରିବାର।

ସେପଟେ ଏହା ଯେ କେବଳ ଗୋଟିଏ ଘଟଣା ତାହା ନୁହେଁ। ଶ୍ରୀମନ୍ଦିର (Srimandir) ପରିସରରେ ଏଇଭଳି ଅନେକ ଉଦାହରଣ ଭକ୍ତମାନଙ୍କୁ ଭୟଭୀତ କରିଛି। କିଛିଦିନ ତଳେ ଜଗମୋହନରେ ଥିବା ବ୍ଯାରିକେଡରେ ଜଣେ ଶିଶୁ ମୁଣ୍ଡ ଗଳାଇ ଦେଇଥିବା ବେଳେ ସିଂହଦ୍ଵାର (Singha Dwara) ସମ୍ମୁଖରେ ମଧ୍ୟ ଜଣେ ଶିଶୁ ମୁଣ୍ଡ ଗଳାଇଦେଇ ବହୁ ଯନ୍ତ୍ରଣା ପାଇଥିଲେ। ଏଣୁ ଏଭଳି ବ୍ଯାରିକେଡ ପରିବର୍ତ୍ତେ ଜାଲି ବ୍ଯାରିକେଡ ଲଗାଇବାକୁ ଭକ୍ତ ଓ ବୁଦ୍ଧିଜୀବୀଙ୍କ ମହଲରୁ ଦାବି ହେଉଛି।