ସୀମାରେ ଧସେଇ ପଶିଲେ ଆନ୍ଧ୍ର ମନ୍ତ୍ରୀ; ଅଙ୍ଗନବାଡିରେ ଅଣ୍ଡା ବାଣ୍ଟି ପିଲାଙ୍କୁ ପଢାଇଲେ ପାଠ
Advertisement
Article Detail0/zeeodisha/odisha982855

ସୀମାରେ ଧସେଇ ପଶିଲେ ଆନ୍ଧ୍ର ମନ୍ତ୍ରୀ; ଅଙ୍ଗନବାଡିରେ ଅଣ୍ଡା ବାଣ୍ଟି ପିଲାଙ୍କୁ ପଢାଇଲେ ପାଠ

ଏହି ଘଟଣା ବାବଦରେ ପ୍ରତିକ୍ରିୟା ରଖି ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ଓଡିଶା ପଟ ଦେଇ ରାସ୍ତା ଏବଂ ଏକ ପୋଲିସ ଫାଣ୍ଡି ଯଥାଶୀଘ୍ର ନିର୍ମାଣ କରାଯିବ।

ସୀମାରେ ଧସେଇ ପଶିଲେ ଆନ୍ଧ୍ର ମନ୍ତ୍ରୀ; ଅଙ୍ଗନବାଡିରେ ଅଣ୍ଡା ବାଣ୍ଟି ପିଲାଙ୍କୁ ପଢାଇଲେ ପାଠ

ଗଜପତି: ସୀମା ଟପିଲା ଆନ୍ଧ୍ର। ଗଜପତି ଜିଲ୍ଲାର ଗଙ୍ଗାବାଡ ପଞ୍ଚାୟତରେ ସୀମାକୁ ନେଇ ଲାଗି ରହିଥିବା ବିବାଦ ଏବେ ଉଗ୍ରରୂପ ନେଇଛି। ଏକ ପ୍ରକାର ଷଣ୍ଢୁଆସି ଆକ୍ରମଣ କରିଛି ପଡୋଶୀ ଆନ୍ଧ୍ର। ଉଭୟ ରାଜ୍ୟର ସୀମାନ୍ତରେ ଅବସ୍ଥିତ ମାଣିକପାଟଣା ଗ୍ରାମରେ ପହଞ୍ଚି ଶକ୍ତି ପ୍ରଦର୍ଶନ କରିଛନ୍ତି ଆନ୍ଧ୍ର ପ୍ରଦେଶ ସରକାରଙ୍କ ମନ୍ତ୍ରୀ ଏବଂ ପ୍ରଶାସନିକ ଅଧିକାରୀ। ସେପଟେ ସେମାନଙ୍କ ଉପସ୍ଥିତିରେ ଆଗରେ ଗଜପତି ଜିଲ୍ଲା ପ୍ରଶାସନର ସ୍ଥିତି ଅସହାୟ ହୋଉପଡିଛି। 

କୋରାପୁଟ ଜିଲ୍ଲାର କୋଟିଆ ଭଳି ସୀମାନ୍ତରେ ଅବସ୍ଥିତ ଗଜପତି ଜିଲ୍ଲାର ସୀମାନ୍ତ ମାଣିକପାଟଣା ଗ୍ରାମକୁ ନିଜ ଅକ୍ତିଆରକୁ ନେବା ପାଇଁ ଜୋରଦାର ବଳ ପ୍ରୟୋଗ କରିଛି ପଡୋଶୀ ଆନ୍ଧ୍ର। ଶହ ଶହ ଦଳୀୟ କର୍ମୀ, ବହୁ ପ୍ରଶାସନିକ ଅଧିକାରୀ ସହ ନିଜେ ଆନ୍ଧ୍ର ସରକାରଙ୍କ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ମନ୍ତ୍ରୀ ଡ଼ଃ.ଆପାଲା ରାଜୁ ଏହି ଅଞ୍ଚଳରେ ଧସେଇ ହୋଇପଶିଥିଲେ। ଏଠାରେ ପ୍ରବେଶ କରିବା ପୂର୍ବରୁ ସିଲ୍ କରାଯାଇଥିବା ଅଙ୍ଗନବାଡି କେନ୍ଦ୍ର ଖୋଲିବା ସହ ପିଲାଙ୍କୁ ଅଣ୍ଡା ବାଣ୍ଟି ପାଠ ପଢାଇଥିଲେ। 

Also Read: ନଳକୂପ ଖନନକୁ ନେଇ ମୁହାଁମୁହିଁ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଗ୍ରାମବାସୀ

ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଆନ୍ଧ୍ରପ୍ରଦେଶ ସରକାରଙ୍କ ମନ୍ତ୍ରୀ କହିଛନ୍ତି ଏହି ଅଞ୍ଚଳରେ ଓଡ଼ିଶାର କୌଣସି କାର୍ଯ୍ୟକଳାପକୁ ବରଦାସ୍ତ କରାଯିବ ନାହିଁ। ଅଙ୍ଗନବାଡି କେନ୍ଦ୍ରକୁ ସିଲ୍ କରିଥିବା ଓଡିଶା ଅଧିକାରୀଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ମନ୍ତ୍ରୀ।

ଏହି ଘଟଣା ବାବଦରେ ଖବର ପାଇବା ଗଜପତି ଅତିରିକ୍ତ ଜିଲ୍ଲାପାଳ ଏବଂ ରାୟଗଡ ବ୍ଳକ ଉନ୍ନୟନ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସମୟରେ ଆନ୍ଧ୍ର ସରକାର ମନ୍ତ୍ରୀ ସେଠାକୁ ସଦଳେବଳେ ଫେରି ଅଧିକାରୀଙ୍କୁ ଧମକାଇବା ସହ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନରେ ଜୟ ଜଗନ ନାରାବାଜି କରିଥିଲେ। 

ଏନେଇ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ଓଡିଶା ପଟ ଦେଇ ରାସ୍ତା ଏବଂ ଏକ ପୋଲିସ ଫାଣ୍ଡି ଯଥାଶୀଘ୍ର ନିର୍ମାଣ କରାଯିବ। ବର୍ତ୍ତମାନର ସ୍ଥିତି ବାବଦରେ ରାଜ୍ୟ ସରକାରଙ୍କୁ ଅବଗତ କରାଯିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।

Also Read: ପୁଣି ପଦାକୁ ଆସିଲା ଆନ୍ଧ୍ରର ମନମାନି, ଉନ୍ନୟନମୂଳକ କାର୍ଯ୍ୟରେ ସାଜୁଛି ବାଧକ

ଉଭୟ ରାଜ୍ୟ ମଧ୍ୟରେ ଚାଲିଥିବା ଲଢେଇ କାରଣରୁ ବଳିପଡୁ଼ଛନ୍ତି ସୀମାନ୍ତ ଅଞ୍ଚଳ ବାସିନ୍ଦା। ସେମାନେ ଏହାର ଏକ ସ୍ଥାୟୀ ସମାଧାନ ଚାହୁଁଛନ୍ତି। ଉଭୟ ସରକାର ମିଳିତ ଭାବେ ଆପୋଷ ବୁଝାମଣା କରି ଏହି ବିବାଦର ସମାଧାନ କରିବା ଆବଶ୍ୟକ। ସୀମା ବିବାଦ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ନେଡ଼ିଗୁଡ଼ କହୁଣୀକି ବୋହିବା ପୂର୍ବରୁ ରାଜ୍ୟ ସରକାର ସମାଧାନର ପନ୍ଥା ବାହାର ନକଲେ ଆଗକୁ ସ୍ଥିତି ବିସ୍ପୋରକ ରୂପ ନେଇପାରେ।