କାଳିଆ ଘରେ କୋରୋନା! ଭକ୍ତଙ୍କୁ ୨୨ ଦିନ ଶ୍ରୀମନ୍ଦିର ମନା, ଶୀତଳ ପଡ଼ିବ ସ୍ୱର୍ଗଦ୍ୱାର
Advertisement

କାଳିଆ ଘରେ କୋରୋନା! ଭକ୍ତଙ୍କୁ ୨୨ ଦିନ ଶ୍ରୀମନ୍ଦିର ମନା, ଶୀତଳ ପଡ଼ିବ ସ୍ୱର୍ଗଦ୍ୱାର

ଆଜି ମହାପ୍ରଭୁଙ୍କୁ ମାସର ଶେଷ ଦର୍ଶନ କରିବେ ଶ୍ରଦ୍ଧାଳୁ। କାରଣ ଆସନ୍ତାକାଲି ରବିବାର ଥିବାରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ। ସେହିପରି ଜାନୁଆରୀ ୧୦ରୁ ୩୧ ପର୍ଯ୍ୟନ୍ତ କୋରୋନା କଟକଣା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ।

ଡିଜାଇନ୍ ଫଟୋ

ପୁରୀ: ରାଜ୍ୟରେ ଲଗାତାର କୋରୋନା ସଂକ୍ରମଣ ବ୍ୟାପୀବାରେ ଲାଗିଛି। ବଡଦେଉଳ ମଧ୍ୟ ଏହା କବଳରୁ ବଞ୍ଚିନାହିଁ। ଶ୍ରୀମନ୍ଦିରର କିଛି ସେବାୟତ କୋରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଯାହାପରେ କୋରୋନାର ବର୍ଦ୍ଧିତ ସଂକ୍ରମଣ ଦେଖି ଶ୍ରୀମନ୍ଦିର ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଅନ୍ୟପଟେ ସ୍ୱର୍ଗଦ୍ୱାରରେ ମଧ୍ୟ କଟକଣା ଲାଗିବାକୁ ଥିବା ବେଳେ ଜିଲ୍ଲାରେ କଣ୍ଟେନମେଣ୍ଟ ଜୋନ ବଢିବାରେ ଲାଗିଛି।

ଆଜି ମହାପ୍ରଭୁଙ୍କୁ ମାସର ଶେଷ ଦର୍ଶନ କରିବେ ଶ୍ରଦ୍ଧାଳୁ। କାରଣ ଆସନ୍ତାକାଲି ରବିବାର ଥିବାରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ। ସେହିପରି ଜାନୁଆରୀ ୧୦ରୁ ୩୧ ପର୍ଯ୍ୟନ୍ତ କୋରୋନା କଟକଣା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର ସେବାୟତ ଓ କର୍ମଚାରୀ କୋଭିଡ୍‍ ଆକ୍ରାନ୍ତ ହେବା ପରେ ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ମାସ ଶେଷ ପର୍ଯ୍ୟନ୍ତ ଜଗା ଦର୍ଶନ ବନ୍ଦ ରହିବ ​ବୋଲି ଜିଲ୍ଲାପାଳ  ସମର୍ଥ ବର୍ମା ମଧ୍ୟ ସୂଚନା ଦେଇଛନ୍ତି।

Also Read: ହସ୍ପିଟାଲ ଯାଇ ପ୍ରସୂତି ହଟହଟା; ଅଟୋରେ ହେଲା ପ୍ରସବ, ଡାକ୍ତର ଦେଲେ ଭୟଙ୍କର ଉତ୍ତର

ଅନ୍ୟପଟେ ପୁରୀ ସ୍ୱର୍ଗଦ୍ୱାରରେ ଶବସତ୍କାର ଉପରେ ମଧ୍ୟ କଟକଣା ଲାଗିବ। ଆସନ୍ତା ୧୦ରୁ ଏହି କଟକଣା ଲାଗୁ ହେବ। କୋଭିଡର ସ୍ଥିତିକୁ ନେଇ ପୁରୀ ଜିଲ୍ଲା ବାହାର ଲୋକଙ୍କର ଶବଦାହ ସ୍ୱର୍ଗଦ୍ୱାରରେ ନହେବା ପାଇଁ ସ୍ୱତନ୍ତ୍ର ବିଜ୍ଞପ୍ତି ଆସିବ। ଦୈନିକ ସଂକ୍ରମଣ ବୃଦ୍ଧି ପାଇବା ସହ ସ୍ୱର୍ଗଦ୍ୱାରରେ ବହୁ କର୍ମଚାରୀ କୋରୋନା ସଂକ୍ରମିତ ହେବା ସହ ଏବେ ବି ଅନେକ ଚିକିତ୍ସାଧୀନ ଅଛନ୍ତି। ଏଣୁ ଏସବୁକୁ ବିଚାର କରି ସ୍ୱର୍ଗଦ୍ୱାର ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଗତବର୍ଷ ଏପ୍ରିଲ ମାସରେ ଜିଲ୍ଲା ବାହାର ଶବଦାହ ଉପରେ କଟକଣା ଲଗାଯାଇଥିଲା। 

ପୁରୀରେ କୋରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଇବା ଓ ଓମିକ୍ରନ ସଂକ୍ରମଣ ବୃଦ୍ଧି ଆଶଙ୍କା ରହିଥିବାରୁ କଟକଣା ଲଗାଯାଇଛି। ସ୍ଥିତିରେ ସୁଧାର ହେଲେ ପୁଣି ନିର୍ଦ୍ଦେଶନାମାରେ ପରିବର୍ତ୍ତନ ହେବ। ଜିଲ୍ଲାରେ କୋଭିଡରେ ମୃତ୍ୟୁବରଣ କଲେ ସିପସରୁବାଲି ଅଂଚଳ ମଙ୍ଗଳାନଦୀ ଘାଟ ନିକଟରେ ଶବଦାହ କରାଯାଉଛି। ସେପଟେ କେବଳ ଶବଦାହ ପାଇଁ ନୁହେଁ ବରଂ ମହୋଦଧିରେ ଅସ୍ଥି ବିସର୍ଜନ ଓ ଶ୍ୱେତଗଙ୍ଗାରେ ଶୁଦ୍ଧି କ୍ରିୟା ଓ ସ୍ନାନ କାର୍ଯ୍ୟକୁ ମଧ୍ୟ ବନ୍ଦ କରାଯିବାକୁ ନେଇ ମଧ୍ୟ ବିଜ୍ଞପ୍ତି ଜାରି ହୋଇପାରେ।

Also Read: ସୁମିତ-ତପସ୍ୱିନୀ ବିବାହ ବିବାଦରେ ରୋଚକ ମୋଡ଼, ରାତିରେ ଘର ଛାଡ଼ିଲେ ଶ୍ୱଶୂର

ସେହିପରି ପୁରୀରେ ସୋନା ଇଣ୍ଟରନ୍ଯାସନାଲ ହୋଟେଲ ପରେ ଜିଲ୍ଲା କୋର୍ଟ ପରିସରକୁ ମାଇକ୍ରୋ କଣ୍ଟେନମେଣ୍ଟ  ଘୋଷଣା କରାଯାଇଛି। ପୁରୀ  ପୌର ସଂସ୍ଥାର ୧୨ନମ୍ବର ୱାର୍ଡର ଜିଲ୍ଲା କୋର୍ଟ ପରିସରରେ ପାଞ୍ଚଜଣ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ଶନିବାର ସକାଳ ୭ଟାରୁ ୧୩ତାରିଖ ସକାଳ ୭ଟା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ। ଏହି ସମୟ ମଧ୍ୟରେ ଏହି ଅଞ୍ଚଳରେ  ଚଳପ୍ରଚଳ ବନ୍ଦ ରହିବ। ବ୍ଯବସାୟିକ ପ୍ରତିଷ୍ଠାନ ମଧ୍ୟ ବନ୍ଦ ରହିବ ।