)
ଅଜୟ ନାଥ, ସମ୍ବଲପୁର: ଜିଲ୍ଲା ପ୍ରଶାସନର ସହଯୋଗରେ ଦିବ୍ୟାଙ୍ଗ ହେବେ ସ୍ୱାବଲମ୍ବୀ। ସମ୍ବଲପୁରର ନଅଟି ବ୍ଲକର ୩୫୦ଜଣ ଦିବ୍ୟାଙ୍ଗଙ୍କୁ କୁକୁଡ଼ା ପାଳନ ମାଧ୍ୟମରେ ସ୍ୱାବଲମ୍ବୀ କରିବାକୁ ପ୍ରଚେଷ୍ଟା କରିଛି ଜିଲ୍ଲା ପ୍ରଶାସନ। ଗତକାଲି ପଞ୍ଚାୟତିରାଜ ଦିବସରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି।
ସ୍ୱାବଲମ୍ବୀ ହେବେ ସମ୍ବଲପୁର ଦିବ୍ୟାଙ୍ଗ (Sambalpur Disable People)। ନଅଟି ବ୍ଲକରୁ ୩୫୦ ଜଣ ଦିବ୍ୟାଙ୍ଗଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ କୁକୁଡ଼ା ପାଳନ (Poultry) ପାଇଁ ପ୍ରତ୍ସାହନ ଦିଆଯାଉଛି। ପ୍ରତ୍ୟେକଙ୍କୁ ଜିଲ୍ଲା ପ୍ରଶାସନ (Sambalpur Dist Administration) ୫୦ଟି କୁକୁଡ଼ା (Chicken) ଓ ୫୦୦ ଟଙ୍କା ଲେଖାଏଁ ଦେଇଛି। ବର୍ତ୍ତମାନ ଦୁଇଟି ବ୍ଲକ ଧନକଉଡା (Dhankauda) ଓ ମାନେଶ୍ଵରର ଦିବ୍ୟାଙ୍ଗଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଏହି ସହାୟତା ଦିଆଯାଇଛି।
ତେବେ ଆଗାମୀ ଦଶ ମାସ ପର୍ଯ୍ୟନ୍ତ ପ୍ରତ୍ୟେକ ମାସ ବ୍ୟବସାୟ ଚଳାଇବାକୁ ସେମାନଙ୍କୁ ମାସିକ ୫୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି (Financial Assistance) ଦିଆ ଯିବ ବୋଲି କୁହାଯାଇଛି। ବର୍ତ୍ତମାନ ୨ଟି ବ୍ଲକରେ ଦିବ୍ୟାଙ୍ଗଙ୍କୁ ସ୍ୱାବଲମ୍ବୀ (Self Reliant) କରିବା କାଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ପର୍ଯ୍ୟାୟକ୍ରମେ ଅନ୍ୟ ସାତଟି ବ୍ଲକର ଦିବ୍ୟଙ୍ଗଙ୍କୁ ସହାୟତା ପ୍ରଦାନ କରାଯିବ ବୋଲି ଜିଲ୍ଲା ଭିନ୍ନକ୍ଷମ ଅଧିକାରୀ ରବୀନ୍ଦ୍ର ଶତପଥୀ କହିଛନ୍ତି।

କୋରୋନା ମହାମାରୀ (Covid19) ସମୟରେ ଅନେକ ଲୋକ ବେରୋଜଗାର ହୋଇଗଲେ। ସାଧାରଣ ଲୋକଙ୍କ ସହ ଦିବ୍ୟାଙ୍ଗ ମଧ୍ୟ କିଭଳି ନିଜର ପ୍ରତିପୋଷଣ କରିବେ ସେହି ଚିନ୍ତାରେ ଥିଲେ। ବର୍ତ୍ତମାନ କୋଭିଡ ସ୍ଥିତି କିଛି ପରିମାଣରେ ସୁଧୁରି ଥିବା ବେଳେ କେମିତି ରୋଜଗାର ହେବ ପରିବାର ଚଳିବେ ସଭିଏଁ ସେହି ଚିନ୍ତାରେ ଅଛନ୍ତି। ଆଉ ଏହି ସମୟରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫରୁ ଦିବ୍ୟାଙ୍ଗ କିଭଳି ସ୍ୱାବଲମ୍ବୀ ହେବେ ଏବଂ ଘରେ ବସି ଦୁଇ ପଇସା ରୋଜଗାର ସହ ପରିବାର ପ୍ରତିପୋଷଣ କରିପାରିବେ ସେଥିପାଇଁ ସହଯୋଗ ର ହାତ ବଢାଇଛି।
ସମ୍ବଲପୁର ଜିଲ୍ଲା ପ୍ରଶାସନ, ଜିଲ୍ଲା ପଶୁପାଳନ କେନ୍ଦ୍ର (Animal Husbandary) ଓ ଜିଲ୍ଲା ଭିନ୍ନକ୍ଷମ କେନ୍ଦ୍ରର ମିଳିତ ଉଦ୍ୟମରେ ଭିନ୍ନକ୍ଷମଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଛୋଟ ପ୍ରୟାସ ଆରମ୍ଭ ହୋଇଛି। ଘରେ ରହି କୁକୁଡ଼ା ପାଳନ ବ୍ୟବସାୟ ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି ଯୋଜନାରେ ସାମିଲ ହୋଇ ସ୍ୱାବଲମ୍ବୀ ହେବାକୁ ଆଶା ରଖିଥିବା ଭିନ୍ନକ୍ଷମମାନେ ଖୁସି ଜାହିର କରିବା ସହ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି। ସମ୍ବଲପୁରରେ ପ୍ରଥମ କରି ଭିନ୍ନକ୍ଷମଙ୍କ ପାଇଁ ନିଆଯାଇଥିବା ଏଭଳି ପଦକ୍ଷେପ ରାଜ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇବ ଏଥିରେ ସନ୍ଦେହ ନାହିଁ।