'ଲୌହ ଦାନବର ରକ୍ତ ଭୋଜି': ଆଗ-ପଛ ହୋଇ ଚାଲିଗଲେ ଅଣ୍ଡିରା ଓ ମାଈ ହାତୀ
Advertisement
Article Detail0/zeeodisha/odisha1055971

'ଲୌହ ଦାନବର ରକ୍ତ ଭୋଜି': ଆଗ-ପଛ ହୋଇ ଚାଲିଗଲେ ଅଣ୍ଡିରା ଓ ମାଈ ହାତୀ

ଶନିବାର ରାତିରେ ଖୋର୍ଦ୍ଧା ଭୂଷଣ୍ଡପୁର ଷ୍ଟେସନ ନିକଟରେ ପ୍ରାୟ ୧୫ ଟିକିଆ ହାତୀପଲ ରେଳ ଲାଇନ ପାର ହେଉଥିଲେ। ଏହି ସମୟରେ ହାତୀ ପଲକୁ ଏକ ଦ୍ରୁତଗାମୀ ମାଲବାହୀ ଟ୍ରେନ୍‌ ଧକ୍କା ଦେଇଥିଲା। ଦୁର୍ଘଟଣାରେ ୩ଟି ହାତୀ ଆହତ ହୋଇଥିବା ସୂଚନା ମିଳିଥିଲା। 

ଡିଜାଇନ୍ ଫଟୋ

ଭୁବନେଶ୍ୱର: ପୁଣି ହାତୀଙ୍କୁ ଧକ୍କା ଦେଇଛି ଲୌହ ଦାନବ। ଭୁଷଣ୍ଢପୁର ଲେବଲ କ୍ରସିଂ ନିକଟରେ ହାତୀଙ୍କୁ ଉପରେ ଚଢାଇଦେଲା ଟ୍ରେନ। ୧୫ ହାତୀ ରେଳ ଲାଇନ୍ ପାର୍ ହେବାବେଳେ ଟ୍ରେନ୍ ପିଟିଲା। ଟ୍ରେନ ଧକ୍କାରେ ଗୋଟିଏ ଦନ୍ତା ଓ ଗୋଟିଏ ମାଈ ହାତୀର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଗୋଟିଏ ହାତୀ ଆହତ ହୋଇଥିବା ସୂଚନା ମିଳିଛି।

ରାଜ୍ୟରେ ଲଗାତାର ହାତୀ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି। ଶିକାର ଓ ବିଦ୍ୟୁତ ଆଘାତ ପରେ ରେଳ ଧକ୍କା ଯୋଗୁଁ ଅଧିକ ହାତୀଙ୍କ ମୃତ୍ୟୁ ହୋଇଥିବା ସରକାରୀ ତଥ୍ୟ କହୁଛି। ଆଉ ଏଥିୃପାଇଁ ପଶୁପ୍ରେମୀମାନେ ଉଭୟ ବନ ବିଭାଗ ଓ ରେଳବାଇକୁ ଦାୟୀ କରିଛନ୍ତି। ଲଗାତାର ହାତୀଙ୍କ ପାଇଁ କରିଡର ତିଆରି କରିବା ସହ ସେମାନଙ୍କ ଗତିବିଧି ଉପରେ ନଜର ରଖିବାକୁ କୁହାଯାଉଛି। କିନ୍ତୁ ରେଳ ଦୁର୍ଘଟଣା ଯୋଗୁଁ ଶତାଧିକ ହାତୀଙ୍କ ମୃତ୍ୟୁ ପରେ ମଧ୍ୟ ସମ୍ପୃକ୍ତ ବିଭାଗକୁ ଚେତା ପଶି ନାହିଁ।

Also Read: ଗଜ ପାଇଁ ସରକାରଙ୍କ ଦରଦ ନାହିଁ, ପ୍ରତି ୯ ଦିନରେ ଯାଉଛି ୪ ଜୀବନ

ଶନିବାର ରାତିରେ ଖୋର୍ଦ୍ଧା ଭୂଷଣ୍ଡପୁର ଷ୍ଟେସନ ନିକଟରେ ପ୍ରାୟ ୧୫ ଟିକିଆ ହାତୀପଲ ରେଳ ଲାଇନ ପାର ହେଉଥିଲେ। ଏହି ସମୟରେ ହାତୀ ପଲକୁ ଏକ ଦ୍ରୁତଗାମୀ ମାଲବାହୀ ଟ୍ରେନ୍‌ ଧକ୍କା ଦେଇଥିଲା। ଦୁର୍ଘଟଣାରେ ୩ଟି ହାତୀ ଆହତ ହୋଇଥିବା ସୂଚନା ମିଳିଥିଲା। ଘଟଣାସ୍ଥଳରେ ବନ ବିଭାଗ ଓ ପୋଲିସ ପହଞ୍ଚି ମାମଲାର ତଦନ୍ତ କରିଥିଲେ। କିନ୍ତୁ ରବିବାର ସକାଳେ ଦୁର୍ଘଟଣାରେ ଆହତ ଗୋଟିଏ ଦନ୍ତାର ମୃତଦେହ ଠାବ କରାଯାଇଛି। ଏହା ପରେ ଦୁର୍ଘଟଣାରେ ଆହତ ହୋଇଥିବା ଅନ୍ୟ ଗୋଟିଏ ମାଈ ହାତୀର ମୃତ୍ୟୁ ହୋଇଥିବା ସୁଚନା ମିଳିଛି।

ଅନ୍ୟପଟେ କେନ୍ଦୁଝର ପାଟଣା ରେଞ୍ଜର ୧୫ରୁ ଅଧିକ ଗାଁରେ ହାତୀ ଆତଙ୍କ ଦେଖାଦେଇଛି। ଜନବସତିମୁହାଁ ଦନ୍ତା ଅନେକ ଘର ଭାଙ୍ଗିବା ସହ ଧାନ, ଚାଉଳ ନଷ୍ଟ କରିଛି। ଖୁଦପୁଟୁଳି ଓ ପୁଟୁଳିଆ ଗାଁ ନିକଟରେ ହାତୀ ବୁଲୁଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ସେପଟେ ବଣାଇ ରେଞ୍ଜ୍ ସାନଦଲକି ଗାଁରେ ଜଣେ ମହିଳାଙ୍କୁ ହାତୀ କଚାଡ଼ି ମାରିଥିବା ବେଳେ ମୃତ ମହିଳାଙ୍କ ଝିଅ ଅଳ୍ପକେ ବର୍ତ୍ତି ଯାଇଥିଲେ। ଘରୁ ବାହାରି ଯିବାକୁ ଉଦ୍ୟମ ବେଳେ ହାତୀ ଆକ୍ରମଣ କରିଥିଲା।