୨୦୧୭ ଗଣନାରେ ଏହା ୧୯୭୬କୁ ଖସି ଆସିଥିଲା। ଗତ ୧୦ ବର୍ଷରେ ହାତୀ ସଂଖ୍ୟା ବୃଦ୍ଧି ନ ପାଇବା ଚିନ୍ତାର କାରଣ ପାଲିଟିଛି। ସେପଟେ ବିଭାଗ- ବିଭାଗ ମଧ୍ୟରେ ସମନ୍ବୟ ନ ରହିବାରୁ ବାରମ୍ବାର ଶୀକାରୀମାନେ ଦାନ୍ତ ପାଇଁ ହାତୀଙ୍କୁ ମାରିବାକୁ ପଛାଉନାହାନ୍ତି।
Trending Photos
ଭୁବନେଶ୍ୱର: ରାଜ୍ୟରେ ହାତୀଙ୍କ ସଂଖ୍ୟାକୁ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଚିନ୍ତା ପ୍ରକାଶ କରୁଛନ୍ତି। ଏତିକି ବେଳେ ଏକ ଉଦବେଗଜନକ ତଥ୍ୟା ସାମନାକୁ ଆସିଛି। ବିଭିନ୍ନ କାରଣରୁ ଗତ ୧୧ ବର୍ଷରେ ୮୬୨ଟି ହାତୀଙ୍କ ମୃତ୍ୟୁ ଘଟିଛି। ସରକାରୀ ତଥ୍ୟ ମୁତାବକ ଗତ ୫ ବର୍ଷରେ କେବଳ ଓଡିଶାରେ ୪୦୬ଟି ହାତୀ ମୃତ୍ୟୁବରଣ କରିଛନ୍ତି। ୧୯୭୯ ମସିହା ହାତୀ ଗଣନା ଅନୁସାରେ ରାଜ୍ୟରେ ମୋଟ ହାତୀ ସଂଖ୍ୟା ୨୦୪୪ ଥିଲା। ୨୦୧୭ ଗଣନାରେ ଏହା ୧୯୭୬କୁ ଖସି ଆସିଥିଲା। ଗତ ୧୦ ବର୍ଷରେ ହାତୀ ସଂଖ୍ୟା ବୃଦ୍ଧି ନ ପାଇବା ଚିନ୍ତାର କାରଣ ପାଲିଟିଛି। ସେପଟେ ବିଭାଗ- ବିଭାଗ ମଧ୍ୟରେ ସମନ୍ବୟ ନ ରହିବାରୁ ବାରମ୍ବାର ଶୀକାରୀମାନେ ଦାନ୍ତ ପାଇଁ ହାତୀଙ୍କୁ ମାରିବାକୁ ପଛାଉନାହାନ୍ତି।
ଦିନ ଥିଲା ହାତୀଙ୍କ ପାଇଁ ଓଡିଶା ଉତ୍କୃଷ୍ଟ ବସବାସସ୍ଥଳୀ ଥିଲା। ଓଡିଶାର ଜଙ୍ଗଲରେ ହାତୀ ଅବାଧରେ ଚଳପ୍ରଚଳ କରୁ ପାରୁଥିଲେ। ସମୟ ବଦଳିବା ସହ ହାତୀଙ୍କ ଉପରେ ବିପଦ ବଢିବାରେ ଲାଗିଛି। ହାତୀ ଦାନ୍ତ ପାଇଁ କେତେ ବେଳେ ତାଙ୍କୁ ହତ୍ୟା କରାଯାଉଛି ତ ଆଉ କେତେ ବେଳେ ବିକାଶ ପାଇଁ ବିଦ୍ୟୁତ ତାରରେ ଲାଗି ହାତୀଙ୍କ ଜୀବନ ଯାଉଛି। ଯାହାର ପରିଣାମ ସ୍ବରୁପ ଗତ ୧୧ ବର୍ଷ ମଧ୍ୟରେ ରାଜ୍ୟରେ ୮୬୨ଟି ହାତୀର ମୃତ୍ୟୁ ଘଟିଛି। କେବଳ ଗତ ୫ ବର୍ଷରେ ୪୦୬ଟି ହାତୀ ମୃତ୍ୟୁବରଣ କରିଛନ୍ତି।
Also Read: ପିହୁ ନିଖୋଜକୁ ୧୬ ମାସ; ମୁଖ୍ୟମନ୍ତ୍ରୀ ରଖିଥିବା ଗୃହ ବିଭାଗ ଉପରେ ଉଠିଲା ପ୍ରଶ୍ନ
ଗତ ୫ ବର୍ଷରେ ରେଳ ଦୁର୍ଘଟଣାରେ ୧୪, ସଡକ ଦୁର୍ଘଟଣାରେ ୪, ବିଦ୍ୟୁତ ଆଘାତରେ ୫୪, ଶୀକାରୀଙ୍କ ଦ୍ବାରା ୧୧ ଓ ଅନ୍ୟାନ୍ୟ କାରଣ ପାଇଁ ୯୦ଟି ହାତୀର ମୃତ୍ୟୁ ଘଟିଛି। ଏ ତଥ୍ୟ ବିଧାନସଭାରେ ଖୋଦ ରାଜ୍ୟ ସରକାର ଦେଇଛନ୍ତି। ଯଦି ଏହାର ଅନୁପାତ ଦେଖାଯାଏ ତେବେ ସାଢେ ୪ ଦିନରେ ଗୋଟିଏ ହାତୀ ଅର୍ଥାତ ପ୍ରତି ୯ ଦିନରେ ଦୁଇଟି ହାତୀର ମୃତ୍ୟୁ ହୋଇଛି। ସରକାର ତଥ୍ୟ ଦେଲେ କିନ୍ତୁ ମୃତ୍ୟକୁ ରୋକି ଗଜରାଜଙ୍କ ସୁରକ୍ଷା କିଭଳି କରାଯାଇପାରିବ ସେ ନେଇ କୌଣସି ଯୋଜନା କଥା ସ୍ପଷ୍ଟ କରିନାହାନ୍ତି।
୧୯୭୯ରେ ରାଜ୍ୟରେ ୨୦୪୪ଟି ହାତୀ ଥିବା ବେଳେ ଶେଷ ଗଣନା ଯାଏ ୨୦୧୭ ସୁଦ୍ଧା ରାଜ୍ୟରେ ୨୬ ଜିଲ୍ଲାରେ ୧୯୭୬ଟି ହାତୀ ରହିଥିଲେ। ଦିନକୁ ଦିନ ହାତୀ-ମଣିଷ ସଂଘର୍ଷ ବୃଦ୍ଧି ପାଉଛି। ଏଥିରେ କୌଣସି ହାତୀଙ୍କ ମୃତ୍ୟୁ ହୋଇନଥିବା ବେଳେ ଅନେକ ହାତୀ ଆହତ ହୋଇଛନ୍ତି। ହେଲେ ହତୀ ଆକ୍ରମଣରେ ଗତ ୧୧ ବର୍ଷ ମଧ୍ୟରେ ୯୨୧ ଜଣ ( ପ୍ରତି ୪.୩୫ ଦିନରେ ଜଣଙ୍କର) ଲୋକଙ୍କ ମୃତ୍ୟୁ ଘଟିଛି। ଏଭଳି ପରିସ୍ଥିତିରେ ହାତୀଙ୍କ ସଂଖ୍ୟା କିଭଳି ବୃଦ୍ଧି ପାଇବ ସେଥିପାଇଁ ଚିନ୍ତା ବଢିବାରେ ଲାଗିଛି।
Also Read: ହୀରାକୁଦ ଡ୍ୟାମରୁ ଉତ୍ପାଦନ ହେବ ସୌର ବିଦ୍ୟୁତ
ହାତୀଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ଅନେକ କମିଟି ଗଠନ କରାଯାଇଛି। ହେଲେ ବର୍ତ୍ତମାନ ସୁଦ୍ଧା କୌଣସି ଗୋଟିଏ କମିଟି ତାହାର ପୂର୍ଣ୍ଣାଙ୍ଗ ରିପୋର୍ଟ ସରକାର କାର୍ଯ୍ୟକାରୀ କରିନାହାନ୍ତି। ଚଳିତବର୍ଷ ଫେବୃଆରୀରେ କଳାହାଣ୍ଡି କର୍ଲାପାଟ ଜଙ୍ଗଲରେ ସେପଟିସେମିଆରେ ୬ଟି ହାତୀଙ୍କ ମୃତ୍ୟ ଘଟିଥିଲା। ସେଭଳି ଗଂଜାମ ଜିଲ୍ଲାରେ ଯେଭଳି ରେଳ ଦୁର୍ଘଟଣାରେ ହାତୀଙ୍କ ମୃତ୍ୟୁ ଘଟିଥିଲା ତାହା କିଏ ବା ଭୁଲି ପାରିବ। ସବୁଠାରୁ ଦୁଃଖର କଥା ହେଉଛି କେବଳ ୨୦୦୯ରୁ ୨୦୧୯, ଏହି ୧୦ ବର୍ଷରେ ୧୧୯ଟି ହାତୀଙ୍କ ମୃତ୍ୟୁ କେବଳ ବିଦ୍ୟୁତ ସଂଷ୍ପର୍ଶରେ ଆସି ଘଟିଛି। ଯାହା ସରକାରଙ୍କ ସମସ୍ତ ଯୋଜନା ଫେଲ ମାରିଥିବାର ପ୍ରମାଣ ଦେଉଛି।
କିଛି ଦିନ ତଳେ ହାତୀଙ୍କ ସୁରକ୍ଷା କରିବା ପାଇଁ ମାନୁଆଲ ବ୍ୟବସ୍ଥା ପରିବର୍ତ୍ତେ ବୌଷୟିକ ବ୍ୟବସ୍ଥା ଆରମ୍ଭ କରି IIT ଦିଲ୍ଲୀ, IIT ଭୁବନେଶ୍ୱର ସହ ମିଳିତ ଭାବେ ଗୁଜରାଟର ଏକ ଏନଜିଓ ଓ ଭୁବନେଶ୍ୱରର ଏକ ଘରୋଇ ୟୁନିର୍ଭରସିଟି ସହ ଆଲୋଚନା କରାଯାଇଥିଲା। ହେଲେ ସେ ଆଲୋଚନା କେବଳ କାଗଜ କଲମରେ ରହିଯାଇଥିଲା। ରାଜ୍ୟରେ ବାଘଙ୍କୁ ଯେଭଳି ସଂରକ୍ଷିତ କରିବା ପାଇଁ ସରକାର ଚିନ୍ତା କରୁଛନ୍ତି ସେଭଳି ହାତୀଙ୍କ ସୁରକ୍ଷା ପାଇଁ ବେଳ ଥାଉ ଥାଉ ଚିନ୍ତା ନ କଲେ ପରିସ୍ଥିତି ଆଗକୁ ଆହୁରି ଭୟାବହ ହେବାର ଆଶଙ୍କା ରହିଛି।