ପହଞ୍ଚି ପାରିନାହିଁ ବିକାଶ, ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ
Advertisement
Article Detail0/zeeodisha/odisha889241

ପହଞ୍ଚି ପାରିନାହିଁ ବିକାଶ, ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ

ଏହି ଗ୍ରାମରେ ବସବାସ କରୁଥିବା ୩୦ରୁ ଉର୍ଦ୍ଧ୍ୱ ଶବର ସମ୍ପ୍ରଦାୟର ଆଦିବାସୀ ପରିବାର ନିକଟରେ ପହଞ୍ଚି ପାରିନାହିଁ ବିକାଶ। 

ପହଞ୍ଚି ପାରିନାହିଁ ବିକାଶ, ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ

ପ୍ରେମାନନ୍ଦ ପୂଜାରୀ,ଗଜପତି: ତୃଣମୂଳ ସ୍ତରରେ ଲୋକଙ୍କ ନିକଟରେ ବିକାଶ ପହଞ୍ଚାଇବା ଲାଗି କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି ସରକାର। ପାନୀୟ ଜଳ, ରାସ୍ତାଘାଟ, ଚିକିତ୍ସା, ଶିକ୍ଷା ଆଦି ମୌଳିକ ସୁବିଧା ଯୋଗାଇ ଦେବା ଲାଗି ବେଶ ମୋଟା ଅଙ୍କର ଅର୍ଥ ବ୍ୟୟ କରୁଛି ପ୍ରଶାସନ ହେଲେ ଏହାର ସୁଫଳ ଲୋକଙ୍କ ନିକଟରେ କେତେ ପହଞ୍ଚୁଛି ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପାନୀୟ ଜଳ, ରାସ୍ତାଘାଟ ଭଳି ମୌଳିକ ସମସ୍ୟାରୁ ବଞ୍ଚିତ ଏଠାକାର ସ୍ଥାନୀୟ ଲୋକ। ପାନୀୟ ଜଳ ସଂକଟ ଦୂରୀକରଣ ପାଇଁ ସରକାର କୋଟି କୋଟି ଟଙ୍କା ପାଣି ଭଳି ପାଣି ପାଇଁ ଖର୍ଚ୍ଚ କରିଆସୁଥିବା ବେଳେ ଅନୁନ୍ନତ ଅଞ୍ଚଳରେ ପାଣି ମୁନ୍ଦାଏ ପାଇଁ ଲୋକେ ହେଉଛନ୍ତି ଡହଳ ବିକଳ। ଗାଁକୁ ଗମନାଗମନ ପାଇଁ ଭଲ ରାସ୍ତା ନଥିବା ବେଳେ ପାଣି ପାଇଁ ଗ୍ରାମବାସୀଙ୍କୁ ଅତିକ୍ରମ କରିବାକୁ ପଡୁଛି ଦେଢ କିଲୋମିଟର ଦୂର। ଏଭଳି ସମସ୍ୟା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ କର୍ଚ୍ଚବାଡି ପଞ୍ଚାୟତ ଅଧିନସ୍ଥ ଜାଗେରସିଂ ଗ୍ରାମରେ।

Also Read: କନ୍ଧମାଳ, ଗଜପତି ସୀମାନ୍ତରେ ଅଜଣା କୀଟର ଆତଙ୍କ

 

ଏହି ଗ୍ରାମରେ ଏ ପର୍ଯ୍ୟନ୍ତ ପହଞ୍ଚି ପାରିନାହିଁ ବିକାଶ। ଅନୁ୍ନ୍ନତ ପାହାଡି ଇଲାକା ମଧ୍ୟରେ ରହିଥିବା ଏହି ଗ୍ରାମରେ ୩୦ରୁ ଉର୍ଦ୍ଧ୍ୱ ଶବର ସମ୍ପ୍ରଦାୟର ଆଦିବାସୀ ପରିବାର ବସବାସ କରୁଛନ୍ତି। ନିଜ ଅଞ୍ଚଳରେ ପୋଡୁଚାଷ କରିବା ସହ ଜଙ୍ଗଲଜାତ ଜିନିଷ ସଂଗ୍ରହ କରି ଜୀବିକାର୍ଜନ କରି ଆସୁଥିବା ବେଳେ ଗ୍ରାମରେ ବର୍ଷ ବର୍ଷ ଧରି ଲାଗିରହିଛି ପାନୀୟ ଜଳ ସମସ୍ୟା। ଗାଁରେ ପିଇବା ପାଣି ପାଇଁ ନଳକୂପ ଟିଏ ନାହିଁ। ସରକାରୀ ଯୋଜନା କହିଲେ କେବଳ ଟଙ୍କିକିଆ ଚାଉଳ ଏବଂ ବାର୍ଦ୍ଧକ୍ୟ ଭତ୍ତା ଛଡା ଅନ୍ୟ ସରକାରୀ ଯୋଜନାର ସ୍ବାଦ ଚାଖିନାହାଁନ୍ତି ଗ୍ରାମବାସୀ। 

ଗାଁରେ ନଳକୂପ ଖନନ କରିବା ପାଇଁ ବହୁବାର ସରପଞ୍ଚ ଠାରୁ ଆରମ୍ଭ କରି ବହୁ ବିଭାଗୀୟ ଅଧିକାରୀଙ୍କୁ ଜଣାଇ ଆସୁଥିଲେ ମଧ୍ୟ କେବଳ ପ୍ରତିଶୃତି ହିଁ ମିଳିଛି। ଗ୍ରାମରେ ଅବସ୍ଥିତ ଏକ ଝରଣାରୁ ପାଇପ ଯୋଗେ ସେହି ପାଣିକୁ ଆଣି ହାତଖୋଳା କୁଅରେ ଭର୍ତ୍ତି କରୁଛନ୍ତି। ହେଲେ ଖରାଦିନେ ତାହା ଶୁଖିଯାଉଛି। ଯାହା ଫଳରେ ଗାଁ ଠାରୁ ଦେଢ କିଲୋମିଟର ଦୂର ଜଙ୍ଗଲ ପର୍ବତ ଭରା ରାସ୍ତାରେ ଚାଲି ଚାଲି ଯାଇ ଝରଣାରୁ ବହୁକଷ୍ଟରେ ପାଣି ଆଣିବାକୁ ପଡୁଛି। ଜାଗେରସିଂ ଗ୍ରାମରେ ଲାଗିରହିଥିବା ଜଳକଷ୍ଟ ମୁଖ୍ୟ ସମସ୍ୟା ହୋଇଥିବା ବେଳେ ଅଧିକାଂଶ ସମୟରେ ଦୂଷିତ ଜଳ ବ୍ୟବହାର କରି ରୋଗାଗ୍ରସ୍ଥ ହେଉଛନ୍ତି ଗ୍ରାମବାସୀ। 

Also Read: ପରିବା ଚାଷୀଙ୍କ ଦୁଃଖ କାହାଣୀ: ସତେଜ ପରିବା, ଗ୍ରାହକ ଶୂନ

 

ସଚେତନତା ଅଭାବ ଯୋଗୁଁ ଚିକିତ୍ସା ପାଇଁ ଚେରମୂଳ ଉପଚାର ହିଁ ଗ୍ରାମବାସୀଙ୍କ ପ୍ରାଥମିକ ଚିକିତ୍ସା। ଗାଁ ଠାରୁ ନିଜ ପଞ୍ଚାୟତ କର୍ଚ୍ଚବାଡି ଏବଂ ବ୍ଲକ ମୁଖ୍ୟାଳୟକୁ ଯୋଗାଯୋଗ କରିବା ପାଇଁ ଭଲ ରାସ୍ତାଟିଏ ନାହିଁ। ପଥୁରିଆ, ଖାଲଖମା ରାସ୍ତାରେ ମନେରେଗା ଯୋଜନାରେ ବାରମ୍ବାର ମରାମତି କରାଯାଉଥିବା ବେଳେ ସାମାନ୍ୟ ବର୍ଷା ହେଲେ ଏହି ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡୁଛି। ଏଭଳି ପରିସ୍ଥିତିରେ ଜରୁରୀକାଳୀନ ପରିସ୍ଥିତିରେ ଆମ୍ବୁଲାନ୍ସ ପହଞ୍ଚି ପାରୁନାହିଁ। 

ଯାଫଳରେ ଜୀବନ ମରଣ ସହ ସଂଗ୍ରାମ କରୁଥିବା ରୋଗୀକୁ ଦୋଳାରେ ବୋହି ମେଡିକାଲ ପର୍ଯ୍ୟନ୍ତ ନେବାକୁ ପଡିୁଛି। ନିଜ ଗ୍ରାମରେ ଲାଗି ରହିଥିବା ସମସ୍ୟା ବାବଦରେ ଜାଗେରସିଂ ବାସିନ୍ଦା ବାରମ୍ବାର ପ୍ରଶାସନକୁ ଜଣାଇ ଆସୁଛନ୍ତି। ଉକ୍ତ ଗ୍ରାମରରେ ପାନୀୟ ଜଳ ସମସ୍ୟା ବିଷୟରେ ଅବଗତ ଥିବା କହିଛିନ୍ତି କର୍ଚ୍ଚବାଡି ସରପଞ୍ଚ କାମ୍ପି ମଲ୍ଲିକ। ଏହି ଗ୍ରାମରେ ନଳକୂପ ଖନନ କରିବା ପାଇଁ ଦରଖାସ୍ତ ଦିଆଯାଇଥିବା ପ୍ରକାଶ କରିଛନ୍ତି ସେ। 

Also Read: ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ମୋହନାର ମତ୍ସ୍ୟଚାଷୀ ଉମାଶଙ୍କର ସାହୁ

 

ଏହି ଗ୍ରାମର ସମସ୍ୟା ସମ୍ପର୍କରେ ପ୍ରତିକ୍ରିୟା ରଖି ଭାରପ୍ରାପ୍ତ ମୋହନା ଗୋଷ୍ଠୀ ଉନ୍ନୟନ ଅଧିକାରି କଲ୍ୟାଣି ସଂଘମିତ୍ରା ଦେବୀ କହିଛନ୍ତି ପାନୀୟ ଜଳ ସମସ୍ୟା ଦୂରୀକରଣ ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ଯଥାଶୀଘ୍ର ଏନେଇ ପଦକ୍ଷେପ ନିଆଯିବା ବୋଲି ଜଣାଇଛନ୍ତି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିକାଶ ପାଇଁ ସରକାର ମାଳ ମାଳ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ଜାଗରସିଂ ଗ୍ରାମରେ ବିକାଶ ଅପହଞ୍ଚ ହୋଇ ରହିଛି। ଏହି ଗ୍ରାମରେ ରହିଥିବା ସମସ୍ୟାର କେବେ ହେଉଛି ସମାଧାନ ତାହା ସମୟ କହିବ।