ଦେଶ ସ୍ବାଧିନ ହେବାର ୭୦ ବର୍ଷ ବିତିଯାଇଥିଲେ ମଧ୍ୟ ଅନେକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପହଞ୍ଚି ପାରିନାହିଁ ବିକାଶ।
Trending Photos
ପ୍ରେମାନନ୍ଦ ପୂଜାରୀ,ଗଜପତି: ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିକାଶ ପାଇଁ ଅନେକ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର। ହେଲେ ଏବେ ମଧ୍ୟ କାର୍ଯ୍ୟକାରୀ ହେଉଥିବା ଅନେକ ସରକାରୀ ଯୋଜନା ଉପାନ୍ତ ତଥା ପଛୁଆ ଅଞ୍ଚଳରେ ପହଞ୍ଚି ପାରିନାହିଁ। ଯାହାର ଫଳ ସ୍ୱରୂପ ବିଭିନ୍ନ ବିକାଶମୂଳକ ଯୋଜନାର ସୁଫଳ ସେଠାକାର ସ୍ଥାନୀୟ ଲୋକ ନିକଟରେ ପହଞ୍ଚି ପାରୁନାହିଁ।
ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲା ଆର.ଉୟୟଗିରି ବ୍ଲକ ପୁରୁଣାପାଣି ପଞ୍ଚାୟତର କୁଦାଳବାଡ, ବାଦପୁର ଗ୍ରାମରେ ଦେଖିବାକୁ ମିଳିଛି ଏପରି ଅବସ୍ଥା। ଦେଶ ସ୍ବାଧିନ ହେବାର ୭୦ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ଗ୍ରାମ ଦ୍ୱୟରେ ବିକାଶ ଏ ପର୍ଯ୍ୟନ୍ତ ପହଞ୍ଚି ପାରିନାହିଁ। ଗ୍ରାମର ଏହି ସମସ୍ୟାର ସମାଧାନ କରିବା ଲାଗି ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହ ରାଜନେତାଙ୍କୁ ଜଣାଇ ନୟାନ୍ତ ହୋଇଲେଣି ଗ୍ରାମବାସୀ। ଏବେ ଶେଷରେ ସରକାର ଯଦି କଥା ନଶୁଣନ୍ତି ତାହଲେ ସାମୂହିକ ଭୋଟବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଏଠାକାର ଲୋକ।
Also Read: କ୍ଷତିପୂରଣକୁ ନେଇ ଅସନ୍ତୁଷ୍ଟ କ୍ଷତିଗ୍ରସ୍ତ; କେତେ ଫଳପ୍ରଦ ହେବ ନୂଆ ଗ୍ରାମ ନିର୍ମାଣ?
ପାହାଡ ପର୍ବତ ଘେରା ଗଜପତି ଜିଲ୍ଲା ପୁରୁଣାପାଣି ପଞ୍ଚାୟତର ତରବଙ୍ଗ ଗାଁ ଠାରୁ ୨ କିମି ଦୂରରେ ଅବସ୍ଥିତ କୁଦାଳବାଡ ଓ ବାଦପୁର ଗ୍ରାମ। ଦୁଇ ଗ୍ରାମରେ ଶହେରୁ ଉର୍ଦ୍ଧ୍ୱ ଆଦିମ ଜନଜାତି ପରିବାର ପୂର୍ବ ପୁରୁଷରୁ ବସବାସ କରି ଆସିବା ସହ ଚାଷବାସ କରି ଜୀବିକା ନିର୍ବାହ କରିଆସୁଛନ୍ତି। ହେଲେ ଏବେ ମଧ୍ୟ ଏହି ଗ୍ରାମର ଲୋକ ନିଜକୁ ଜଙ୍ଗଲ ଜୀବଜନ୍ତୁ ବୋଲି ବିବେଚନା କରୁଛନ୍ତି। କାରଣ କୌଣସି ସରକାରୀ ଯୋଜନା ଏଠାରେ ପହଞ୍ଚିନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ।
ଏହି ଗ୍ରାମକୁ ଯୋଗାଯୋଗ କରିବା ଲାଗି ୨ କିମି କାଦୁଅ ଭରା ରାସ୍ତା ରହିଥିବା ବେଳେ ଗମନାଗମନରେ ବାଧକ ସାଜିଛି ଘୋଡାଘୋଡ ନଦୀ। ଅସରାଏ ବର୍ଷା ହେଲେ ପାହାଡିଆ ଝରଣା ପାଣିର ସମ୍ମିଶ୍ରଣରେ ନଦୀପାଣି ଫୁଲିଉଠେ। ଯାହାଫଳରେ ଏହି ଦୁଇ ଗ୍ରାମ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡେ। କେବଳ ସେତିକି ନୁହେଁ ପାନୀୟ ଜଳ ପାଇଁ ଗାଁରେ କୌଣସି ନଳକୂପ ନାହିଁ। ଯାହା ଫଳରେ ନଦୀରେ ଚୁଆ ଖୋଳି ଦୂଷିତ ଜଳ ବ୍ୟବହାର କରୁଛନ୍ତି ଗ୍ରାମବାସୀ। ଦୁଇ ବର୍ଷ ହେବ ବିଦ୍ୟୁତ ଖୁଣ୍ଟ ପୋତାଯାଇଛି ହେଲେ ବିଦ୍ୟୁତ ଏ ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ହୋଇପାରୁନାହିଁ। ବିଜୁଳି ଆଲୋକ ପରିବର୍ତ୍ତେ ଡିବି ଆଲୁଅରେ ଗଢା ହେଉଛି ପିଲାଙ୍କ ଭବିଷ୍ୟତ। ବାର୍ଦ୍ଧକ୍ୟ ଭତ୍ତା, ଆବାସ ଯୋଜନା ଅନେକ ଲୋକଙ୍କ ମିଳିନଥିବା ଅଭିଯୋଗ ହୋଇଛି।
Also Read: ଶୁଣିଲେନି ସରକାର; ନିଜ ଉଦ୍ୟମରେ ରାସ୍ତା ମରାମତି କରୁଛନ୍ତି ଗ୍ରାମବାସୀ
ଅଧିକାଂଶ ସମୟରେ ଘୋଡାଘୋଡ ଡ୍ୟାମରୁ କୁମ୍ଭୀର ଗାଁ ମୁଣ୍ଡକୁ ନଦୀ ରାସ୍ତାରେ ଚାଲିଆସୁଥିବା ବେଳେ ନିଜ ଜୀବନକୁ ପାଣି ଛଡେଇ ଗମନାଗମନ କରିବାକୁ ପଡେ। ନଦୀ ଉପରେ ପୋଲଟିଏ ନିର୍ମାଣ କରିବା ସହ ଗାଁରେ ଲାଗି ରହିଥିବା ସମସ୍ୟାର ସମାଧାନ କରିବା ପାଇଁ ଗତ ଦୁଇ ବର୍ଷ ତଳେ ଜିଲ୍ଲାପାଳ, ବିଧାୟକ, ବିଡିଓ, ସରପଞ୍ଚଙ୍କୁ ଜଣାଇଥଲେ ଗ୍ରାମବାସୀ। ହେଲେ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ। ଯଦି ଆଗାମୀ ଦିନରେ ସରକାର ଗ୍ରାମରେ ରହିଥିବା ସମସ୍ୟାର ସମାଧାନ କରିବାକୁ କୌଣସି ପଦକ୍ଷେପ ଗ୍ରହଣ ନକରନ୍ତି ତାହଲେ ସାମୂହିକ ଭୋଟ ବର୍ଜନ କରାଯିବା ବୋଲି କହିଛନ୍ତି ଗ୍ରାମବାସୀ।
Also Read: ଅଚଳ ହୋଇପଡିଛି ପ୍ରକଳ୍ପ; ପାନୀୟ ଜଳ ପାଇବାରୁ ବଞ୍ଚିତ ଗ୍ରାମବାସୀ
ଗ୍ରାମବାସୀଙ୍କ ସମସ୍ୟା ନେଇ ମୋହନା ବିଧାୟକଙ୍କୁ ପଚାରିବାରୁ ସେ କହିଛନ୍ତି ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ଯୋଗାଯୋଗ କରି ଗ୍ରାମରେ ରହିଥିବା ସମସ୍ୟାର ସମାଧାନ କରାଯିବ। ସମସ୍ୟା ଜର୍ଜରିତ ଆଦିବାସୀ ଗ୍ରାମ ବାଦପୁର ଓ କୁଦାଳବାଡ ଗ୍ରାମରେ କେବେ ପହଞ୍ଚୁଛି ବିକାଶ ତାହା ଦେଖିବାକୁ ବାକି ରହିଲା।