QR code: କେମିତି କାମ କରିଥାଏ QR କୋଡ଼? କେତେ ସୁରକ୍ଷିତ ହୋଇଥାଏ ଏହାର ବ୍ୟବହାର
Advertisement
Article Detail0/zeeodisha/odisha1759375

QR code: କେମିତି କାମ କରିଥାଏ QR କୋଡ଼? କେତେ ସୁରକ୍ଷିତ ହୋଇଥାଏ ଏହାର ବ୍ୟବହାର

QR code: QR କୋଡ ଫୁଲଫର୍ମ ହେଉଛି କ୍ୱିକ୍ ରେସ୍ପୋନ୍ସ କୋଡ଼। ତୁରନ୍ତ ସୂଚନା ଦେବା ପାଇଁ ଏହି କୋଡ୍ ବ୍ୟବହୃତ ହୋଇଥାଏ । ବାସ୍ତବରେ, ଏଗୁଡ଼ିକ ହେଉଛି ଏକ ପ୍ରକାରର ସୂଚକ ସଂକେତ । ଏହି ସଂକେତ ଗୁଡ଼ିକରେ ଉତ୍ପାଦ କିମ୍ବା ସମ୍ବନ୍ଧୀୟ ପ୍ରକ୍ରିୟା ବିଷୟରେ ସୂଚନା ଲୁଚି ରହିଥାଏ ।

ସୌ(ସୋସିଆଲ ମିଡିଆ)

QR code: QR କୋଡ଼ (QR code) ଆଜି ଆମ ଜୀବନର ଏକ ଅଂଶ ପାଲଟିଛି । ଛୋଟ ପାନ ଦୋକାନରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ ଗୁଡିକରେ ଟଙ୍କା ନେଣଦେଣ ଲାଗି QR କୋଡ୍ ବ୍ୟବହାର କରାଯାଉଛି । ତେବେ ଏହି QR କୋଡ୍‌ର ଅର୍ଥ କ’ଣ? ଏହାକୁ କିପରି ବ୍ୟବହାର କରିବେ ଓ ନିଜର କୋଡ୍ କିପରି ତିଆରି କରିବେ ସେନେଇ ଆଜି ଆଲୋଚନା କରିବା । QR କୋଡ ଫୁଲଫର୍ମ ହେଉଛି କ୍ୱିକ୍ ରେସ୍ପୋନ୍ସ କୋଡ଼ ( Quick Response Code )। ତୁରନ୍ତ ସୂଚନା ଦେବା ପାଇଁ ଏହି କୋଡ୍ ବ୍ୟବହୃତ ହୋଇଥାଏ । ବାସ୍ତବରେ, ଏଗୁଡ଼ିକ ହେଉଛି ଏକ ପ୍ରକାରର ସୂଚକ ସଂକେତ । ଏହି ସଂକେତ ଗୁଡ଼ିକରେ ଉତ୍ପାଦ କିମ୍ବା ସମ୍ବନ୍ଧୀୟ ପ୍ରକ୍ରିୟା ବିଷୟରେ ସୂଚନା ଲୁଚି ରହିଥାଏ । ସାଧାରଣ ଆଖିରେ ଆମେ ଏହି କୋଡ୍ ବୁଝିପାରୁ ନାହୁଁ । କିନ୍ତୁ ଆମର ମୋବାଇଲ୍ ଆପ୍ଲିକେସନ୍ ଏହାକୁ ପଢିଥାଏ । ଯେତେବେଳେ ଆମେ ମୋବାଇଲରେ QR ସ୍କାନର୍ ସହିତ ଏକ କୋଡ୍ ସ୍କାନ୍ କରୁ, ଏଥିରେ ଲୁକ୍କାୟିତ ସୂଚନା ତୁରନ୍ତ ଆପ୍‌ ମାଧ୍ୟମରେ ଆମ ନିକଟରେ ପହଞ୍ଚେ । ଯେହେତୁ ଏହା ତୁରନ୍ତ ସୂଚନା ପଢେ ତେଣୁ ଏହାକୁ କ୍ୱିକ୍ ରେସ୍ପୋନ୍ସ କୋଡ୍ ବୋଲି କୁହାଯାଏ ।

QR କୋଡ଼ ବାର୍ କୋଡର ଏକ ଉନ୍ନତ ସଂସ୍କରଣ

QR କୋଡ୍ ବାସ୍ତବରେ ବାର୍ କୋଡ୍‌ର ଏକ ଉନ୍ନତ ଓ ଦ୍ୱି-ଦିଗୀୟ ସଂସ୍କରଣ ଅଟେ । ଆପଣ ଦେଖିଥିବେ, ବଡ ଷ୍ଟୋର, ଶୋ’ରୁମ୍, ସୁପର ମାର୍କେଟ, ମଲ୍ ଇତ୍ୟାଦିରେ ଏକ ଦ୍ରବ୍ୟର ମୂଲ୍ୟ, ବିବିଧତା ଓ ଅନ୍ୟାନ୍ୟ ବିବରଣୀ ସମ୍ପର୍କରେ ବାର କୋଡ୍‌ ସୂଚନା ଦେଇଥାଏ । ସେଗୁଡିକ ପଢୁଥିବା ମେସିନ୍ ସୂଚନାକୁ ସ୍କାନ୍ କରି ବିଲ୍‌ରେ ଛାପିଥାଏ । କିନ୍ତୁ QR କୋଡ୍ ଅଧିକ ବିବରଣୀ ସହିତ ତୁରନ୍ତ ସୂଚନା ପ୍ରଦାନ କରିଥାଏ । କାରଣ ବାର କୋଡ଼ ଅପେକ୍ଷା QR କୋଡ଼ର ଅଧିକ ସୂଚନା ଧାରଣ କରିବାର କ୍ଷମତା ରହିଥାଏ।

ଏଥିରେ ତ୍ରୁଟି ସଂଶୋଧନ କ୍ଷମତା ମଧ୍ୟ ରହିଛି । ଯଦି ଏକ QR କୋଡ଼ର କିଛି ଅଂଶ (30% ପର୍ଯ୍ୟନ୍ତ) ଖରାପ କିମ୍ବା ନଷ୍ଟ ହୋଇଯାଏ, ଏକ ନୂତନ QR କୋଡ୍ ଦ୍ୱାରା ଏହା ପୁନରୁଦ୍ଧାର ହୋଇପାରେ। ଏଥିପାଇଁ ସମ୍ଭବ କାରଣ ପ୍ରତ୍ୟେକ ବର୍ଗ ପଏଣ୍ଟ ନିଜ ବିଷୟରେ ସୂଚନା ସହିତ ଅନ୍ୟ ପଏଣ୍ଟରେ ଥିବା ସୂଚନା ଧାରଣ କରିଥାଏ। ବାର୍‌କୋଡକୁ ଏକ ନିର୍ଦ୍ଧାରିତ ସ୍ଥାନରୁ ସ୍କାନ କରାଯାଏ, ନହେଲେ ଏହା କୋଡ୍‌ ଡିଟେକ୍ଟ କରିପାରେ ନାହିଁ। ଅପରପକ୍ଷ, QR କୋଡ୍‌ର 360 ଡିଗ୍ରୀ ହାଇ ସ୍ପିଡ୍ ସ୍କାନ କରିବାର କ୍ଷମତା ରହିଛି। ଅର୍ଥାତ୍ ଏହାକୁ ଯେ କୌଣସି ଦିଗରୁ ସ୍କାନ କଲେ ମଧ୍ୟ ଏହାର କୋଡ୍‌ ଡିଟେକ୍ଟ ହୋଇପାରିବ । ବିଶେଷ ବର୍ଣ୍ଣକୁ ବାଦ ଦେଇ ଏକ ବାର କୋଡ଼ ସର୍ବାଧିକ ୪୮ ଅକ୍ଷର ବିଶିଷ୍ଟ ସୂଚନା ଧାରଣ କରିପାରେ । କିନ୍ତୁ ବିରାମ ଚିହ୍ନ ଓ ବିଶେଷ ବର୍ଣ୍ଣ ଅନ୍ତର୍ଭୂକ୍ତ କରି QR କୋଡ୍ ୭୦୮୯ ଅଙ୍କ କିମ୍ବା ୪୨୯୬ ଅକ୍ଷର ଧାରଣ କରିବାର କ୍ଷମତା ରଖିଥାଏ।

 କିପରି ସୃଷ୍ଟି କରିବେ QR କୋଡ଼ ?

ଯେକୌଣସି ଉତ୍ପାଦ ପାଇଁ ଆପଣ QR କୋଡ଼ ସୃଷ୍ଟି କରିପାରିବେ। ଏଥିପାଇଁ QR କୋଡ଼ ତିଆରି କରୁଥି୍ବା ୱେବସାଇଟ୍ ବ୍ୟବହାର କରିବାକୁ ପଡିବ। ଉଦାହରଣ ସ୍ୱରୂପ qr-code-generator.com, qrcode-monkey.co , www.qrstuff.com barcodesinc.com ଇତ୍ୟାଦି।  ଏଥିରେ ଉତ୍ପାଦ ସମ୍ବନ୍ଧୀୟ ବିବରଣୀ ଦେଇ ଆପଣ QR କୋଡ଼ ପ୍ରସ୍ତୁତ କରିପାରିବେ।

QR କୋଡ କିପରି ସ୍କାନ୍ କରିବେ?

QR କୋଡ଼ ସ୍କାନ୍ କରିବାକୁ ସ୍ମାର୍ଟଫୋନରେ ଏକ ସ୍କାନର୍ ଆପ୍ ଇନ୍‌ଷ୍ଟଲ ହେବା ଜରୁରୀ । ଆପ୍ ଷ୍ଟୋର୍‌ ବା ପ୍ଲେ ଷ୍ଟୋରରେ ଅନେକ ସ୍କାନର୍ ଆପ୍ ମାଗଣାରେ ଉପଲବ୍ଧ ରହିଥାଏ, ଯେପରିକି QR କୋଡ୍ ରିଡର୍, QR ଓ ବାରକୋଡ୍ ସ୍କାନର୍ ଇତ୍ୟାଦି। ସେହି ସ୍କାନର୍ ଆପ୍ ଖୋଲି କୌଣସି QR କୋଡ୍ ସ୍କାନ୍ କଲେ ଆପଣ ଉକ୍ତ ଉତ୍ପାଦ ସମ୍ବନ୍ଧୀୟ ସମସ୍ତ ବିବରଣୀ ପାଇପାରିବେ।

ସ୍କାନ୍ କରିବାବେଳେ ନିଶ୍ଚିତ କରନ୍ତୁ ଯେ, ଆପଣଙ୍କ ସ୍କ୍ରିନରେ ଗୋଟିଏରୁ ଅଧିକ କୋଡ୍ ନ ଥିବ । ଏହା ଦ୍ୱାରା ତ୍ରୁଟିପୂର୍ଣ୍ଣ ସ୍କାନିଂ ହୋଇଥାଏ। ପ୍ରାୟତଃ ଯଦି ଦୋକାନୀମାନେ ଅନେକ କମ୍ପାନୀର କୋଡ୍ ପାଖରେ ରଖନ୍ତି, ତେବେ ଏହିପରି ସମସ୍ୟା ଦେଖା ଦେଇଥାଏ।

QR କୋଡ଼ କିଭଳି କାମ କରେ?

ପୂର୍ବରୁ ଉପଲବ୍ଧ ହେଉଥିବା QR କୋଡ଼ ଗୁଡିକ କେବଳ ଗୋଟିଏ କମ୍ପାନୀର ସୂଚନା ବହନ କରୁଥିଲା। ଅର୍ଥାତ୍, ଆପଣ ଯଦି PayTM ବ୍ୟବହାର କରୁଛନ୍ତି ତାହେଲେ ଆପଣ କେବଳ PayTM QR କୋଡ ହିଁ ସ୍କାନ୍ କରିପାରିବେ। ଏହି ଅସୁବିଧା ଦୂର କରିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଏକ ନୂତନ QR କୋଡ଼ ନିର୍ମାଣ କରାଗଲା । ଯାହା ଫଳରେ ଗୋଟିଏ କମ୍ପାନୀର ଆପ୍‌ ମାଧ୍ୟମରେ ଆପଣ ଅନ୍ୟାନ୍ୟ କମ୍ପାନୀର QR କୋଡ଼ ସ୍କାନ୍ କରିପାରିବେ। ଉଦାହରଣ ସୂରୁପ- ଆପଣ ଫୋନ ପେ (PhonePe)  ବ୍ୟବହାର କରୁଥିଲେ ମଧ୍ୟ ଗୁଗୁଲ ପେ ( Google pay), ପେଟିଏମ୍ (PayTM) ଆଦିର QR କୋଡ଼ ସ୍କାନ କରିପାରିବେ । ପେମେଣ୍ଟ କରିବା ସମୟରେ ସୁରକ୍ଷା ଦୃଷ୍ଟିରୁ ବ୍ୟକ୍ତିଗତ ପିନ୍‌ ବା UPI ପିନ୍‌ର ବ୍ୟବହାର କରାଯାଏ। କୌଣସି ପେମେଣ୍ଟ ଆପ୍‌ ମାଧ୍ୟମରେ ଆପଣ ଏହି UPI ପିନ୍ ଚୟନ କରିପାରିବେ।