ଦିଲ୍ଲୀ ରେପ୍ କ୍ୟାପିଟାଲ: ସେବେ ବି ଥିଲା, ଆଜି ବି ଅଛି !
Advertisement
Article Detail0/zeeodisha/odisha609369

ଦିଲ୍ଲୀ ରେପ୍ କ୍ୟାପିଟାଲ: ସେବେ ବି ଥିଲା, ଆଜି ବି ଅଛି !

ଦିନେ ମୋଦି ବି ଦିଲ୍ଲୀକୁ କହିଥିଲେ 'ରେପ୍ କ୍ୟାପିଟାଲ' । 

ଫାଇଲ ଫଟୋ

ନୂଆଦିଲ୍ଲୀ: ଓଡିଆରେ ଗୋଟିଏ ଢଗ ଅଛି, ଚାଲୁଣୀ କହୁଛି ଛୁଞ୍ଚିକୁ।।।କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ରେପ୍ ଇନ୍ ଇଣ୍ଡିଆ ମନ୍ତବ୍ୟକୁ ନେଇ ବିଜେପି କ୍ଷମା ଦାବି କରିଛି । ଆଉ ଏହାକୁ ନେଇ କଂଗ୍ରେସ ଯୁବରାଜ ମଧ୍ୟ ସଫା ସଫା ମନା କରିଦେଇଛନ୍ତି । ନିଜ ଟ୍ୱିଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଭିଡିଓରେ ନମୋ ଦିଲ୍ଲୀକୁ ରେପ୍ କ୍ୟାପିଟାଲ ବା ଦୁଷ୍କର୍ମର ରାଜଧାନୀ ବୋଲି ସମ୍ୱୋଧିତ କରିଛନ୍ତି । ଭିଡିଓକୁ ଦେଖିଲେ ଯାହା ଅନୁମାନ କରାଯାଉଛି, ଏହା ଏକ ପୁରୁଣା ଭିଡିଓ । 

୨୦୧୨ ମସିହାରେ ଦିଲ୍ଲୀରେ ହୋଇଥିବା ନିର୍ଭୟା କାଣ୍ଡ ଏଯାଏଁ ଲୋକଙ୍କ ମନରୁ ଲିଭିନି । ସେହି କାଳରାତ୍ରି ଆଜି ବି ମନେ ପଡିଲେ ଲୋମ ଟାଙ୍କୁରି ଉଠେ । ମନୁଷ୍ୟର ନୃଶଂସତା ଯେ କେତେ ସୀମା ସରହଦ ପାର କରିଯାଏ, ତାହା ଏଥିରୁ ସ୍ପଷ୍ଟ ଅନୁମେୟ । ତେବେ ନିର୍ଭୟା କାଣ୍ଡ ଯେଉଁ ସମୟରେ ଘଟିଥିଲା, ସେତେବେଳେ କେନ୍ଦ୍ରରେ ବିରୋଧୀ ଦଳର ଭୂମିକା ନିଭାଉଥିଲା ବିଜେପି । ସେହି ସମୟରେ ଥିବା ଉପ ସରକାରକୁ ଏହି ପ୍ରସଙ୍ଗରେ ଜୋରଦାର ଘେରିଥିଲା ଗେରୁଆ ଦଳ । ଏପରିକି ସାରା ଦେଶରେ ବିରୋଧରେ ନିଆଁ ଲଗାଇଥିଲା ବିରୋଧୀ ବିଜେପି । 

ଏବେ ସମୟ ବଦଳିଛି । କେନ୍ଦ୍ରରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସରକାର । ଦିନେ ବିରୋଧୀ ଭୂମିକାରେ ଥାଇ ସେମାନେ ଯେଉଁ ପ୍ରସଙ୍ଗ ଉଠାଉଥିଲେ, ଆଜି ବିରୋଧୀ ଭୂମିକାରେ ଥାଇ କଂଗ୍ରେସ ସେହି ପ୍ରସଙ୍ଗକୁ ଦୋହରାଉଛି । ଉନ୍ନାଓ, ହାଇଦ୍ରାବାଦ ଭଳି ହାଇ ପ୍ରୋଫାଇଲ ଦୁଷ୍କର୍ମ ଘଟଣାକୁ ଦୁଇମାସ ବି ବିତିନି । ଏହା ପୂର୍ବରୁ ୨୦୧୪ରୁ ୨୦୧୯ ଅକ୍ଟୋବର ମାସ ଭିତରେ ଦେଶରେ ଆହୁରି ଅନେକ ଦୁଷ୍କର୍ମ ଘଟଣାର ନଜିର ରହିଛି । ତେଣୁ ଚାଲୁଣୀ କହୁଛି ଛୁଞ୍ଚିକୁ।।।ଉକ୍ତିଟି ବିଜେପି ପାଇଁ ମଧ୍ୟ ପ୍ରଯୁଜ୍ୟ । ଦୁଷ୍କର୍ମ କ୍ୟାପିଟାଲ ଭାବରେ ଦିଲ୍ଲୀ କଂଗ୍ରେସ ସରକାର ଅମଳରେ ଥିଲା, ଆଜି ବିଜେପି ସରକାର ଅମଳରେ ମଧ୍ୟ ଅଛି । ଏଥିରେ ସନ୍ଦେହ ନାହିଁ । 

ଆହୁରି ପଢନ୍ତୁ; ସଂସଦରେ 'ରେପ୍ ଇନ ଇଣ୍ଡିଆ' ଝଡ, ରାହୁଲଙ୍କ ସପକ୍ଷରେ ଛିଡା ହେଲେ କାନିମୋଝି