ଦେଶରେ ୭୦ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା
Advertisement
Article Detail0/zeeodisha/odisha679957

ଦେଶରେ ୭୦ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଦେଶରେ ଏବେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦୭୫୬ରେ ପହଞ୍ଚିଛି । ସେହିପରି ମୃତ୍ୟୁ ସଂଖ୍ୟା ୨୨୯୩ ।

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଲକଡାଉନ୍ ସତ୍ତ୍ୱେ ଦେଶରେ ଏବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଢ଼େର ମାତ୍ରାରେ ବଢ଼ିବାରେ ଲାଗିଛି । ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୭୦ ହଜାର ପାର୍ କରିଛି । ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ୨୩ଶହ ଛୁଇଁବାକୁ ବସିଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୬୦୪ ନୂଆ ମାମଲା ସାମ୍ନାକୁ ଆସିଛି । ଅନ୍ୟପଟେ ୮୭ ଜଣଙ୍କ ମୃତ୍ୟୁ ମଧ୍ୟ ହେଲାଣି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । 

ଦେଶରେ ଏବେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦୭୫୬ରେ ପହଞ୍ଚିଛି । ସେହିପରି ମୃତ୍ୟୁ ସଂଖ୍ୟା ୨୨୯୩ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୨୨୪୫୪ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହେଲେଣି । ସେହିପରି ୪୬୦୦୮ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି । 

ଏବେ ନଜର ପକାଇବା ରାଜ୍ୟ ଡ୍ୟାସବୋର୍ଡ ଉପରେ । ରାଜ୍ୟରେ ଏବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩୭ରେ ପହଞ୍ଚିଛି । ସର୍ବାଧିକ ୧୫୭ ଜଣ ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାରେ ଚିହ୍ନଟ ହେଲେଣି । ସେହିପରି ଯାଜପୁରରେ ୬୪, ବାଲେଶ୍ୱରରେ ୫୭, ଖୋର୍ଦ୍ଧାରେ ୫୦, ଭଦ୍ରକରେ ୩୧, ସୁନ୍ଦରଗଡ଼ରେ ୧୬, ଅନୁଗୋଳରେ ୧୫, କେନ୍ଦ୍ରାପଡ଼ାରେ ୯, ମୟୂରଭଞ୍ଜରେ ୯, ଜଗତସିଂହପୁରରେ ୫, ବୌଦ୍ଧରେ ୫, ପୁରୀରେ ୪, କଟକରେ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ବଲାଙ୍ଗୀରରେ ୨, କଳାହାଣ୍ଡିରେ ୨, ଝାରସୁଗୁଡ଼ାରେ ୨, କେନ୍ଦୁଝରରେ ୨ ଏବଂ କୋରାପୁଟ, ଦେବଗଡ଼, ନୟାଗଡ଼ ଓ ଢ଼େଙ୍କାନାଳରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହେଲେଣି । 

ଆକ୍ରାନ୍ତଙ୍କ ମଧ୍ୟରୁ ୮୫ ଜଣ ସୁସ୍ଥ ହୋଇସାରିଛନ୍ତି । ସେହିପରି ୩ ଜଣଙ୍କ ମୃତ୍ୟୁ ମଧ୍ୟ ହେଲାଣି । ଅର୍ଥାତ ଏବେ ୩୪୯ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, ଅନୁଗୋଳ ଏବଂ ଗଞ୍ଜାମ ଜିଲ୍ଲା ରେଡ୍ ଜୋନରେ ରହିଛି ।