ଏକାସାଙ୍ଗରେ ୩ଟି ଗୁରୁତର ସଙ୍କଟର ସାମ୍ନା କରୁଛି ଚୀନ, ବୁଡ଼ି ଯାଇପାରେ ଅର୍ଥ ବ୍ୟବସ୍ଥା
Advertisement

ଏକାସାଙ୍ଗରେ ୩ଟି ଗୁରୁତର ସଙ୍କଟର ସାମ୍ନା କରୁଛି ଚୀନ, ବୁଡ଼ି ଯାଇପାରେ ଅର୍ଥ ବ୍ୟବସ୍ଥା

ବିଗତ ୨୦ ବର୍ଷ ମଧ୍ୟରେ ଚାଇନାର ରପ୍ତାନି ଅଧିକ ରହିଛି ଓ ଘରୋଇ ସଞ୍ଚୟ ହାର ମଧ୍ୟ ଅଧିକ ରହିଛି । ତାକୁ ଏହି ଜିନିଷଗୁଡ଼ିକରୁ ଅର୍ଜିତ ଟଙ୍କାକୁ କୌଣସି ନା କୌଣସି ସ୍ଥାନରେ ବିନିଯୋଗ କରିବାର ଥିଲା । ଏଥିପାଇଁ ଚୀନ ବିଆରଆଇ ଯୋଜନା ପ୍ରସ୍ତୁତ କରିଛି ।

ଏକାସାଙ୍ଗରେ ୩ଟି ଗୁରୁତର ସଙ୍କଟର ସାମ୍ନା କରୁଛି ଚୀନ, ବୁଡ଼ି ଯାଇପାରେ ଅର୍ଥ ବ୍ୟବସ୍ଥା

ନୂଆଦିଲ୍ଲୀ: ଚୀନ (China) ବର୍ତ୍ତମାନ ଏକାସାଙ୍ଗରେ ତିନୋଟି ଗୁରୁତର ସଙ୍କଟ ସହ ମୁକାବିଲା କରୁଛି । ପ୍ରଥମତଃ, ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍ (Belt and Road Initiative-BRI) ଅନ୍ତର୍ଗତ ବିଶ୍ୱର ସମସ୍ତ ଦେଶରେ ଭିତ୍ତିଭୂମି ପ୍ରକଳ୍ପ ବାତିଲ କରାଯାଉଛି । ଦ୍ୱିତୀୟତଃ, ରିଅଲ୍ ଇଷ୍ଟେଟ୍ କମ୍ପାନୀ ଏଭରଗ୍ରାଣ୍ଡେ (Evergrande) ଉପରେ ଆର୍ଥିକ ସଙ୍କଟ ଆସିଛି । ତୃତୀୟତଃ, ବିଦ୍ୟୁତ୍ ଉତ୍ପାଦନ (Power Supply) ହ୍ରାସ ପାଉଛି । ଏହି କାରଣରୁ ସହରଗୁଡ଼ିକରେ ବିଦ୍ୟୁତ କାଟ କରାଯାଉଛି । ଏହି ତିନୋଟି ମଧ୍ୟରେ BRI ର ସଙ୍କଟ ସବୁଠାରୁ ବଡ଼ । BRI କୁ ଚୀନ ନିଜର ଅତିରିକ୍ତ ବା ସରପ୍ଲସ ପୁଞ୍ଜି ବିନିଯୋଗ ପାଇଁ ସୃଷ୍ଟି କରିଥିଲା । ବିଗତ ୨୦ ବର୍ଷ ମଧ୍ୟରେ ଚାଇନାର ରପ୍ତାନି ଅଧିକ ରହିଛି ଓ ଘରୋଇ ସଞ୍ଚୟ ହାର ମଧ୍ୟ ଅଧିକ ରହିଛି । ତାକୁ ଏହି ଜିନିଷଗୁଡ଼ିକରୁ ଅର୍ଜିତ ଟଙ୍କାକୁ କୌଣସି ନା କୌଣସି ସ୍ଥାନରେ ବିନିଯୋଗ କରିବାର ଥିଲା । ଏଥିପାଇଁ ଚୀନ ବିଆରଆଇ ଯୋଜନା ପ୍ରସ୍ତୁତ କରିଛି । ଏହା ଅଧୀନରେ ସେ ବିଭିନ୍ନ ଭିତ୍ତିଭୂମି ନିର୍ମାଣ ପାଇଁ ବିଶ୍ୱର ଅଧିକାଂଶ ଦେଶକୁ ଋଣ ଦେଇଛି । ୨୦୧୯ରେ ବିଶ୍ୱ ବ୍ୟାଙ୍କ BRI ଅଧ୍ୟୟନ କରିଥିଲା ​। ଏଥିରୁ ଜାଣିବାକୁ ପାଇଲା ଯେ ଏହା ଅଧୀନରେ ନିର୍ମାଣ ହେଉଥିବା ପ୍ରକଳ୍ପଗୁଡିକ ସ୍ଥାନୀୟ ଦେଶକୁ ଉପକୃତ କରିପାରିବ ।

fallback

BRI ପ୍ରକଳ୍ପରେ ବ୍ୟାପକ ଦୁର୍ନୀତି

ଚୀନ-ୟୁରୋପ ମଧ୍ୟରେ ନିର୍ମାଣଧୀନ ରେଳ ଲାଇନ (China-Europe rail lines) କାରଣରୁ କାଜାଖସ୍ତାନ ଓ ପୋଲାଣ୍ଡରେ ବିନିର୍ମାଣ ବୃଦ୍ଧି ହେବାର ସଂକେତ ଦେଖାଉଛି, କିନ୍ତୁ BRI ରେ ଦୁର୍ନୀତି ବ୍ୟାପକ ହୋଇଛି । ପ୍ରାୟତଃ ଉଚ୍ଚ ରିଟର୍ଣ୍ଣ ଦେଖାଇ ପ୍ରୋଜେକ୍ଟଗୁଡିକ ଅନୁମୋଦିତ କରିନିଆଯାଇଥାଏ । ସେଥିପାଇଁ ସମସ୍ତ ଦେଶ ଏଥିରୁ ଦୂରେଇ ଯିବା ଆରମ୍ଭ କରିଛନ୍ତି । ଏହାପୂର୍ବରୁ ମାଲଦ୍ୱୀପରେ ଚୀନ ସମର୍ଥକ ପ୍ରଗତିଶୀଳ ପାର୍ଟି ଦ୍ୱାରା BRI କୁ ସମର୍ଥନ କରାଯାଉଥିଲା, କିନ୍ତୁ ନିକଟ ଅତୀତରେ ଅନୁଷ୍ଠିତ ନିର୍ବାଚନରେ ​​ପ୍ରଗତିଶୀଳ ପାର୍ଟି ହାରି ଯାଇଛି ଏବଂ ମାଲଦ୍ୱୀପ ଡେମୋକ୍ରାଟିକ୍ ପାର୍ଟି ଜିତିଛି, ଯିଏ BRI କୁ ବିରୋଧ କରେ । ମାଲେସିଆର ପ୍ରଧାନମନ୍ତ୍ରୀ BRI କୁ ଉପନିବେଶବାଦୀତାର ଏକ ନୂତନ ରୂପ ବୋଲି ବର୍ଣ୍ଣନା କରିଛନ୍ତି । ମିଆଁମାର କାୟୁକପ୍ୟୁ ବନ୍ଦର ପ୍ରକଳ୍ପକୁ ବାତିଲ କରିଦେଇଛି । ଶ୍ରୀଲଙ୍କା, ବାଂଲାଦେଶ, ନେପାଳ ଏବଂ ପାକିସ୍ଥାନ ମଧ୍ୟ ଏହି ପ୍ରକଳ୍ପର ରୂପ ବଦଳାଇବା ପାଇଁ ଅନୁରୋଧ କରିଛନ୍ତି ।

fallback

ଏହା ସ୍ପଷ୍ଟ ଯେ BRI ର ଲାଭ ହେବା ସତ୍ତ୍ୱ ଏହାର ଅନେକ ଅସୁବିଧା ଅଛି । ଯଦି ଚୀନ ଏହି ସମସ୍ୟାକୁ ଦୂର କରିବାରେ ସଫଳ ହୁଏ, ତେବେ BRI ଆଗକୁ ଯିବ, ନଚେତ୍ ଏହା ବୁଡ଼ିଯିବାର ସମ୍ଭାବନା ଅଛି । ଭାରତ ମଧ୍ୟ ଏହି ଦିଗରେ ପଦକ୍ଷେପ ନେବା ଉଚିତ, ନଚେତ୍ ଆମର ସାମଗ୍ରୀ ବିଶ୍ୱ ବଜାରରେ ଚୀନ୍ ଅପେକ୍ଷା ମହଙ୍ଗା ହେବା ଆରମ୍ଭ କରିବ ।

ଅଧିକ ପଢ଼ନ୍ତୁ:-୯୦ ମିନିଟର କଲ୍ ସତ୍ତ୍ୱେ ବାଇଡେନଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ଜିନପିଙ୍ଗ, ଏହା ଥିଲା ଚୀନ ରାଷ୍ଟ୍ରପତିଙ୍କ ଜବାବ

ଏଭରଗ୍ରାଣ୍ଡେ ସଙ୍କଟ

ଚାଇନାର ଦ୍ୱିତୀୟ ସଙ୍କଟ ହେଉଛି ଏଭରଗ୍ରାଣ୍ଡେ (Evergrande) କମ୍ପାନୀ । ଏହା ପଛରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ (Chinese President Xi Jinping) ଙ୍କ ମୂଳ ଧାରଣା ରହିଛି । କମ୍ପାନୀଗୁଡିକ ଲାଭ କରିବା ଅପେକ୍ଷା ପ୍ରଦୂଷଣ, ଅସମାନତା ଏବଂ ଆର୍ଥିକ ଅସ୍ଥିରତା ଦୂର କରିବା ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି । ଏହି କାରଣରୁ, ସେ ଏଭରଗ୍ରେଣ୍ଡେ କମ୍ପାନୀ ଦ୍ୱାରା ଅଧିକ ଋଣ ନେବାକୁ ଅଟକାଇଛନ୍ତି । ସେ ଏକ ନୂତନ ଆର୍ଥିକ ନୀତି ପ୍ରସ୍ତୁତ କରିଛନ୍ତି, ଯାହା ଅଧୀନରେ କୌଣସି କମ୍ପାନୀକୁ ତିନୋଟି ଜିନିଷ ଉପରେ ବିଚାର କରାଯାଏ । ପ୍ରଥମେ, ନିଆଯାଇଥିବା ଋଣ ବିରୁଦ୍ଧରେ ସେହି କମ୍ପାନୀ ପାଖରେ ସମ୍ପତ୍ତି କେତେ ରହିଛି? ଦ୍ୱିତୀୟ, ସ୍ୱଳ୍ପ ମିଆଦି ଋଣ ବିରୋଧରେ ତା ପାଖରେ କେତେ ନଗଦ ଅଛି? ତୃତୀୟତଃ, କମ୍ପାନୀ ଦ୍ୱାରା ନିଆଯାଇଥିବା ମୋଟ ଋଣ ତୁଳନାରେ ତା'ର ନିଜସ୍ୱ ପୁଞ୍ଜି କେତେ ରହିଛି? ଯଦି କୌଣସି କମ୍ପାନୀ ଗୋଟିଏ ବି ବିନ୍ଦୁରେ ବିଫଳ ହୁଏ, ତେବେ ତାକୁ ବ୍ୟାଙ୍କଗୁଡିକ ଋଣ ଦେଇପାରିବେ ନାହିଁ । ଏଭରଗ୍ରାଣ୍ଡେ ଅନେକ ପ୍ରକଳ୍ପ ଶେଷ କରିଛି, କିନ୍ତୁ କୋଭିଡ ସଙ୍କଟ ଯୋଗୁଁ ଏହା ଦ୍ୱାରା ନିର୍ମିତ ଫ୍ଲାଟ ବିକ୍ରି ହ୍ରାସ ପାଇଛି । ସେଥିପାଇଁ ଏଭରଗ୍ରାଣ୍ଡେ ଅସୁବିଧାରେ ଅଛି । ଏଥିରୁ ଦେଶର ଅର୍ଥ ବ୍ୟବସ୍ଥାକୁ ବଞ୍ଚାଇବା ପାଇଁ ଚୀନ ସରକାର ସରକାରୀ ୟୁନିଟ୍ ଗୁଡିକୁ ଏଭରଗ୍ରାଣ୍ଡେର ପ୍ରକଳ୍ପ କିଣିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯେପରି ଆମ ଦେଶର ସଙ୍କଟଗ୍ରସ୍ତ ୟସ୍ ବ୍ୟାଙ୍କର ଅଧିଗ୍ରହଣ ରାଷ୍ଟ୍ରାୟତ୍ତ ବ୍ୟାଙ୍କ କରାଯାଇଥିଲା, ସେହିପରି ଚାଇନାର ରାଷ୍ଟ୍ରାୟତ୍ତ କମ୍ପାନୀଗୁଡିକ ଏଭରଗ୍ରାଣ୍ଡେର ସଙ୍କଟଗ୍ରସ୍ତ ପ୍ରକଳ୍ପ କ୍ରୟ କରି ସେହି କମ୍ପାନୀକୁ ବୁଡ଼ିଯିବାରୁ ରକ୍ଷା କରିବାକୁ ଚେଷ୍ଟା କରୁଛନ୍ତି ।

fallback

ଯଦି ଦେଖାଯାଏ ତ ଚୀନ ସରକାର ଏଭରଗ୍ରାଣ୍ଡେ (Evergrande) କୁ ସରକାରୀ ଋଣ ଦେଇ ବଞ୍ଚାଇବାକୁ ଚେଷ୍ଟା କରିନାହାଁନ୍ତି । ଦୁଇଟି ମୋଡ୍ ମଧ୍ୟରେ ଏକ ମୌଳିକ ପାର୍ଥକ୍ୟ ଅଛି । ଯେତେବେଳେ ଆମେରିକାରେ ଜେନେରାଲ ମୋଟର୍ସ କମ୍ପାନୀ ୨୦୦୮ରେ ଅସୁବିଧାର ସମ୍ମୁଖୀନ ହୋଇଥିଲା, ସେତେବେଳେ ଆମେରିକା ସରକାର କମ୍ପାନୀକୁ ଅଧିକ ଋଣ ଦେଇ ଜେନେରାଲ ମୋଟର୍ସକୁ ବଞ୍ଚାଇଥିଲେ । ଚୀନ ସରକାର ଏଭଳି ଋଣ ଦେଇ ଏଭରଗ୍ରାଣ୍ଡକୁ ବଞ୍ଚାଇବାକୁ ମନା କରିଦେଇଛି ଏବଂ ଋଣ ହ୍ରାସ କରିବା ପାଇଁ ତାକୁ କିଛି ସମ୍ପତ୍ତି ବିକ୍ରୟ କରିବାକୁ ବାଧ୍ୟ କରିଛି । ଏହା କରିବା ଦ୍ୱାରା ଏଭରଗ୍ରାଣ୍ଡେ ବଞ୍ଚିବାର ସମ୍ଭାବନା ବଢ଼ିଛି ଓ ଚୀନ ସରକାରଙ୍କ ଉପରେ ଅନାବଶ୍ୟକ ଆର୍ଥିକ ବୋଝ ପଡ଼ିବ ନାହିଁ । ଏହାଦ୍ୱାରା ଚାଇନାର ଅର୍ଥ ବ୍ୟବସ୍ଥା ମଧ୍ୟ ସୁରକ୍ଷିତ ରହିବ । ଯଦିଓ ବର୍ତ୍ତମାନ ଏହି ପ୍ରକ୍ରିୟା ଏକ ସଙ୍କଟ ଭାବରେ ଦେଖାଯାଉଛି । ଯେପରି ସମୟ ପୂର୍ବରୁ ଚିକିତ୍ସା ମଧ୍ୟ ଏକ ରୋଗ ପରି ଦେଖାଯାଏ ।

ଅଧିକ ପଢ଼ନ୍ତୁ:-ନିଜ କର୍ମର ଫଳ ଭୋଗୁଛି ଚୀନ! ଡ୍ରାଗନକୁ ସହିବାକୁ ପଡୁଛି ଭାରି କ୍ଷତି

ବିଦ୍ୟୁତ୍ ସଙ୍କଟ

ଚୀନର ତୃତୀୟ ସଙ୍କଟ ହେଉଛି ବିଦ୍ୟୁତ୍ (Energy Crisis) । ଯେହେତୁ ସି ଜିନପିଙ୍ଗ ପ୍ରଦୂଷଣ, ଅସମାନତା ଏବଂ ଆର୍ଥିକ ଅସ୍ଥିରତା ହଟାଇବାକୁ ପ୍ରତିଶୃତି ଦେଇଛନ୍ତି । ତେଣୁ ପ୍ରଦୂଷଣରୁ ମୁକ୍ତି ପାଇବା ପାଇଁ ସେ ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିୟମ ମାନୁ ନ ଥିବାରୁ ଅନେକ ପାୱାର ପ୍ଲାଣ୍ଟକୁ ବନ୍ଦ କରିଦିଆଯାଇଥିଲା । ଫଳସ୍ୱରୂପ ବିଦ୍ୟୁତ୍ ଉତ୍ପାଦନ ହ୍ରାସ ପାଇଛି । ଅନେକ ଶକ୍ତି କମ୍ପାନୀ ବୃହତ ଶିଳ୍ପ ୟୁନିଟ୍କୁ ବିଦ୍ୟୁତ୍ ଯୋଗାଣ ବନ୍ଦ କରିଦେଇଛି । କେତେକ ସହରରେ ବିଦ୍ୟୁତ କାଟକୁ ମଧ୍ୟ ଲାଗୁ କରିବାକୁ ପଡ଼ିଛି । ଯଦି ଦେଖାଯାଏ, ଚୀନ ଏହି ସଙ୍କଟ ନିଜେ ଆଣିଛି, କାରଣ ଏହା ସ୍ୱଚ୍ଛ ଶକ୍ତି ଉତ୍ପାଦନ ଆଡକୁ ଯିବାକୁ ଚାହୁଁଛି । ଭାରତ ତୁଳନାରେ ଚାଇନାରେ ସୌର ଓ ପବନ ଶକ୍ତି ଉତ୍ପାଦନ ଧୀରେ ଧୀରେ ବୃଦ୍ଧି ପାଉଛି । ସେଥିପାଇଁ ଚୀନ୍ ଏହି କଠୋର ପଦକ୍ଷେପ ନେଇଛି । ଫଳସ୍ୱରୂପ, ଚାଇନାରେ ସୌର ଓ ପବନ ଶକ୍ତି ଉତ୍ପାଦନ ମଧ୍ୟ ବୃଦ୍ଧି ହେବାର ସମ୍ଭାବନା ଅଛି । ଯଦି ଏହା ଘଟେ ତେବେ ଚୀନ ଶୀଘ୍ର ଏହି ଶକ୍ତି ସଙ୍କଟରୁ ମୁକ୍ତି ପାଇବ ।

fallback

ଚୀନର ଏହି ତିନୋଟି ସଙ୍କଟର ସକରାତ୍ମକ ଓ ନକାରାତ୍ମକ ଦିଗ ରହିଛି । BRI ରେ ଯଦି ଚୀନ୍ ନିଜର ପ୍ରକଳ୍ପର ସଠିକ୍ ଆର୍ଥିକ ମୂଲ୍ୟାଙ୍କନ କରି ଖରାପ ପ୍ରକଳ୍ପଗୁଡିକୁ ବାତିଲ୍ କରି କେବଳ ସୁଦୃଢ଼ ପ୍ରକଳ୍ପଗୁଡିକୁ ବଢ଼ାଇଥାଏ, ତେବେ BRI ସଫଳ ହେବ, ନଚେତ୍ ଏହା ବୁଡ଼ିଯିବ । ଯଦି ଏଭରଗ୍ରାଣ୍ଡେ ଭଳି କମ୍ପାନୀଗୁଡିକ ସେମାନଙ୍କର ମାନକ ସମ୍ପତ୍ତି ବିକ୍ରୟ କରି ଅଧିକ ସୁଦୃଢ଼ ହୁଅନ୍ତି, ତେବେ ଚୀନ୍ ଆର୍ଥିକ ସଙ୍କଟରୁ ରକ୍ଷା ପାଇବ । ଅପରପକ୍ଷେ, ଯଦି ଚୀନ୍ ବଡ଼ କମ୍ପାନୀଗୁଡିକର ଆର୍ଥିକ ଅସଦାଚରଣକୁ ରୋକିନଥାଏ, ତା’ହେଲେ ଏହାର ଅର୍ଥନୀତି ବୁଡ଼ିଯିବ । ଯଦି ସୌର ଓ ପବନ ଶକ୍ତି ଉତ୍ପାଦନ ବୃଦ୍ଧି ହୁଏ, ତେବେ ଚୀନ୍ ମଧ୍ୟ ବିଦ୍ୟୁତ୍ ସଙ୍କଟ (Energy Crisis) ରୁ ରକ୍ଷା ପାଇବ । ଏହା ଦେଶର ପରିବେଶରେ ଉନ୍ନତି ଆଣିବ, ଯାହା ପୁଣି ଅର୍ଥନୀତିକୁ ଗତି ଦେବ । ଦେଖିବାକୁ ବାକି ରହିଲା ଚୀନ ଏହି ପଦକ୍ଷେପ ନେବାରେ ସଫଳ ହେଉଛି କି ନୁହେଁ?

ଅଧିକ ପଢ଼ନ୍ତୁ:-ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା; ୯ ମୃତ, ୫୦ରୁ ଉର୍ଦ୍ଧ୍ୱ ଆହତ

ଅଧିକ ପଢ଼ନ୍ତୁ:-#DeshKaZee: ZEE TV କୁ ମିଳିଲା ଫେଡେରେସନ୍ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ କର୍ମଚାରୀଙ୍କ ସମର୍ଥନ

ଅଧିକ ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍

ଅଧିକ ପଢ଼ନ୍ତୁ:-ଦାନା ବାନ୍ଧୁଛି ଲଘୁଚାପ, ପୁଣି ଏକ ବାତ୍ୟା ଡର!