ପ୍ରଧାନମନ୍ତ୍ରୀଙ୍କ ନାଁରେ ରୁଜୁ ହେବ କି ଏତଲା?
Advertisement

ପ୍ରଧାନମନ୍ତ୍ରୀଙ୍କ ନାଁରେ ରୁଜୁ ହେବ କି ଏତଲା?

କୋରୋନା ଟିକା (Covid19 Vaccine) ନେଲା ପରେ ମଧ୍ୟ କୋଭିଡ୍ ଗାଇଡଲାଇନ ମାନିବାକୁ ଡାକ୍ତର ପରାମର୍ଶ ଦିଅନ୍ତି। କିନ୍ତୁ ନିର୍ବାଚନ ପ୍ରଚାର (Election Rally) ଓ ରାଜନୈତିକ କାର୍ଯ୍ୟକ୍ରମରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି।

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଦେଶରେ ନିୟନ୍ତ୍ରଣକୁ ଆସିଥିବା କୋରୋନା ଗ୍ରାଫ୍ ପୁଣି ଉପର ମୁହାଁ ହୋଇଛି। ବିଭିନ୍ନ ଅଞ୍ଚଳରେ କୋଭିଡ ଗାଇଡ ଲାଇନକୁ କଡାକଡି କରାଯାଇଛି। ସରକାର ଆଉ ଥରେ ଲକଡାଉନ କରିବାକୁ ବିଚାର କରୁଥିବା ନେଇ ଚର୍ଚ୍ଚା ମଧ୍ୟ ଚାଲିଛି। ସେପଟେ ଖୋଦ ଶାସକ ଦଳ BJP ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିପଦକୁ ଡାକି ଆଣୁଛନ୍ତି।

କୋରୋନା (Corona Virus) ଠାରୁ ବଞ୍ଚିବାକୁ ହେଲେ ସରକାରଙ୍କ ଗାଇଡଲାଇନ ମାନିବାକୁ ବାଧ୍ୟତାମୂଳକ ବୋଲି କୁହାଯାଉଛି। ବିଶେଷ କରି ମାସ୍କ ଓ ସାମାଜିକ ଦୂରତା (Social  distance) କୁ ଅଧିକ ଗୁରୁତ୍ୱ ଦିଆଯାଉଛି। କୋରୋନା ଟିକା (Covid19 Vaccine) ନେଲା ପରେ ମଧ୍ୟ କୋଭିଡ୍ ଗାଇଡଲାଇନ ମାନିବାକୁ ଡାକ୍ତର ପରାମର୍ଶ ଦିଅନ୍ତି। କିନ୍ତୁ ନିର୍ବାଚନ ପ୍ରଚାର (Election Rally) ଓ ରାଜନୈତିକ କାର୍ଯ୍ୟକ୍ରମରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। 

Also Read: PM, CMଙ୍କ ଚାଲାଣ କାଟିବ କିଏ?

 

ରବିବାର BJP ପଶ୍ଚିମବଙ୍ଗ (West Bengal Election) ରେ ନିର୍ବାଚନୀ ବିଗୁଲ ବଜାଇଛି। କୋଲକାତା (Kolkata) ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi)  ଏକ ବିଶାଳ ସଭା କରିଛନ୍ତି। ଏହି ସଭାରେ ଅଭିନେତା ମିଥୁନ ଚକ୍ରବର୍ତ୍ତୀ (Mithun Chokraborty) ବିଧିବଦ୍ଧ ଭାବେ BJPରେ ସାମିଲ ହୋଇଛନ୍ତି। ତାଙ୍କୁ ଦଳ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଛି। ତେବେ ଆଧିକାରୀକ ଭାବେ କୌଣସି ଘୋଷଣା ହୋଇନାହିଁ।

ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ହଜାର ହଜାର BJP ସମର୍ଥକ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ମୁହଁରେ ମାସ୍କ ନଥିଲା କିମ୍ବା ସାମାଜିକ ଦୂରତା ମଧ୍ୟ ନଥିଲା। ଏପରି କି ମଞ୍ଚରେ ବସିଥିବା ଅତିଥିମାନେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ କୋଭିଡ ଗାଇଡଲାଇନ (Covid Guidelines) କୁ ଖୋଲା ଖୋଲି ଉଲ୍ଲଙ୍ଘନ କରିଥିଲେ। ଏହି ଦୃଶ୍ୟ ଦେଖିଲା ପରେ ସରକାରଙ୍କ ନୀତି ଉପରେ ସାଧାରଣ ଲୋକଙ୍କ ବିଶ୍ୱାସ ଉଠିଯାଉଛି।

Also Read: ପଶ୍ଚିମବଙ୍ଗରେ BJPର ଖେଳ ବିଗାଡିବେ ରାକେଶ ଟିକାୟତ

କେବଳ ପଶ୍ଚିମବଙ୍ଗ ନୁହେଁ ଯେଉଁଠି କୌଣସି ରାଜନୈତିକ କାର୍ଯ୍ୟକ୍ରମ ହେଉଛି, ସେଇଠି କୋଭିଡ ଗାଇଡଲାଇନକୁ ଉଲ୍ଲଙ୍ଘନ କରାଯାଉଛି। ଏଥିରୁ ଓଡିଶା ମଧ୍ୟ ବାଦ ପଡିନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଙ୍କ କଳାହାଣ୍ଡି ଗସ୍ତ ବେଳେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା। ସାଧାରଣ ଲୋକଙ୍କ ପାଇଁ କୋଭିଡ୍ ଗାଇଡଲାଇନ କଡାକଡି ଭାବେ ପାଳନ କରାଯାଉଛି। କିନ୍ତୁ ନେତା-ମନ୍ତ୍ରୀମାନେ ନିଜର ବ୍ୟକ୍ତିଗତ ସ୍ୱାର୍ଥ ଓ ରାଜନୈତିକ ଫାଇଦା ପାଇଁ ଲୋକଙ୍କ ଜୀବନ ସହ ଖେଳୁଛନ୍ତି ସେଥିରେ ସନ୍ଦେହ ନାହିଁ।

ମାସ୍କ ନପିନ୍ଧିଲେ ଫାଇନ ଲାଗୁଛି। କିଛି କିଛି ସ୍ଥାନରେ କୋଭିଡ ଗାଇଡଲାଇନ ପାଳନ ନକଲେ ପୋଲିସ୍ କାର୍ଯ୍ୟାନୁଷ୍ଠାନ ନେଉଛି। ଓଡିଶାରେ ସିନେମା ହଲ, ବିବାହ, ଶୁଦ୍ଧିକ୍ରିୟା ପରି ସ୍ଥାନରେ ଲୋକଙ୍କ ସଂଖ୍ୟା ସ୍ଥିର କରାଯାଇଛି। ଭିନ୍ନ ଭିନ୍ନ ରାଜ୍ୟରେ କୋଭିଡ କଟକଣାରେ ତାରତମ୍ୟ ରହିଛି। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯାହା ହେଲା ତାହା କେତେ ଦୂର ଯୁକ୍ତିଯୁକ୍ତ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। ଯଦି ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ କୋରୋନା ସଂକ୍ରମଣ ବ୍ୟାପୀ ଥାଏ ତେବେ ଏଥିପାଇଁ କିଏ ଦାୟୀ ହେବେ? କୋଭିଡ ଗାଇଡଲାଇନ ଉଲ୍ଲଙ୍ଘନ ଓ ହଜାର ହଜାର ଲୋକଙ୍କ ଜୀବନକୁ ବାଜିରେ ଲଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁରେ ଏତଲା ହେବ କି ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି।