କଥାକଥିତ କୃଷକଙ୍କ ତାଣ୍ଡବଲୀଳା ଯୋଗୁଁ ଦିଲ୍ଲୀ ସୀମାରେ ଚାଲିଥିବା ଆନ୍ଦୋଳନ ଶୀଘ୍ର ସମାପ୍ତ ହେବ ବୋଲି ଆକଳନ କରାଯାଉଥିଲା। କିନ୍ତୁ ଏବେ ସୀମାରେ ତାର ଓଲଟା ପରିସ୍ଥିତି ଦେଖିବାକୁ ମିଳୁଛି। ସୀମାରେ ଲଗାତାର ଆନ୍ଦୋଳନକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।
Trending Photos
ନୂଆଦିଲ୍ଲୀ: ପବନ ଭଳି ବଦଳିଛି କୃଷକ ଆନ୍ଦୋଳନ ପ୍ରତି ଲୋକଙ୍କ ମନୋଭାବ। ୭୨ତମ ଗଣତନ୍ତ୍ର ଦିବସରେ ଲାଲକିଲ୍ଲା ତାଣ୍ଡବ ପରେ ଯେଉଁ ପାଣିପାଗ ଥିଲା, ତାହା ଏବେ ବଦଳିଯାଇଛି। କଥାକଥିତ କୃଷକଙ୍କ ତାଣ୍ଡବଲୀଳା ଯୋଗୁଁ ଦିଲ୍ଲୀ ସୀମାରେ ଚାଲିଥିବା ଆନ୍ଦୋଳନ ଶୀଘ୍ର ସମାପ୍ତ ହେବ ବୋଲି ଆକଳନ କରାଯାଉଥିଲା। କିନ୍ତୁ ଏବେ ସୀମାରେ ତାର ଓଲଟା ପରିସ୍ଥିତି ଦେଖିବାକୁ ମିଳୁଛି। ସୀମାରେ ଲଗାତାର ଆନ୍ଦୋଳନକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।
କେନ୍ଦ୍ର ସରକାରଙ୍କ ୩ଟି ବିବାଦୀୟ କୃଷି ଆଇନ (Farm Law) ଓ MSP ଗ୍ୟାରେଣ୍ଟି ଦାବିରେ ଦିଲ୍ଲୀ ସୀମାରେ ଲକ୍ଷାଧିକ କୃଷକମାନେ ଧାରଣାରେ ବସିଛନ୍ତି। ତେବେ ଗତ ୬୦ରୁ ଊର୍ଦ୍ଧ୍ୱ ଦିନ ଧରି ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିବା ଆନ୍ଦୋଳନ ୭୨ତମ ସାଧାରଣତନ୍ତ୍ର ଦିବସ (Republic Day) ରେ ହିଂସାର ରୂପ ନେଇଥିଲା। ଟ୍ରାକ୍ଟର ରାଲି (Tractor March) ବେଳେ ଲାଲକିଲ୍ଲାରେ ପୋଲିସ ଓ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଥିଲେ। ଯେଉଁଥିରେ ଉଭୟ ପକ୍ଷର ଶତାଧିକ ଲୋକ ଆହତ ହୋଇଥିବା ବେଳେ ଜଣେ ଆନ୍ଦୋଳନକାରୀଙ୍କ ମୃତ୍ୟୁ ହୋଇଥିଲା।
Also Read: କୃଷକ ଲଙ୍ଘିଲେ ଲକ୍ଷ୍ମଣ ରେଖା, ରାବଣ ଚେହେରା ଲାଗୁଛି ଚିହ୍ନା ଚିହ୍ନା !
ତେବେ ଲାଲକିଲ୍ଲାର ତୁମୁଳକାଣ୍ଡ ଯୋଗୁଁ ଦେଶର ଗୌରବରେ ଆଞ୍ଚ୍ ଆସିଥିବା ନେଇ ଅଭିଯୋଗ ହୋଇଥିଲା। ଏଥିପାଇଁ ଆନ୍ଦୋଳନକାରୀ କୃଷକ ନେତାଙ୍କୁ ବିରୁଦ୍ଧରେ ଦେଶଦ୍ରୋହ ଓ UAPA ଭଳି ସଙ୍ଗୀନ ଦଫା ଲାଗିଲା। ଶତାଧିକ ଆନ୍ଦୋଳନକାରୀ ଗିରଫ ହେଲେ, ୨୫ରୁ ଊର୍ଦ୍ଧ୍ୱ ଏତଲା ଦିଆଗଲା। ହିଂସାକାଣ୍ଡକୁ ନେଇ ଦିଲ୍ଲୀ ପୋଲିସ (Delhi Police) ର ପାରିବା ପଣିଆ ଓ କେନ୍ଦ୍ର ଗୃହମନ୍ତ୍ରାଳୟ (Home Ministry) ର ଗୁଇନ୍ଦା ସଂସ୍ଥାର ବିଫଳତାକୁ ନେଇ ପ୍ରଶ୍ନ ମଧ୍ୟ ଉଠିଲା। କିନ୍ତୁ ପୋଲିସ କିମ୍ବା ଗୃହମନ୍ତ୍ରୀଙ୍କ ପକ୍ଷରୁ ଏହା ଉପରେ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ।
ସେପଟେ ଲାଲକିଲ୍ଲା ହିଂସାକାଣ୍ଡ (Lal Quila Violance) ପରେ ପ୍ରାଶାସନ ଆକ୍ସନ ମୁଡରେ ଆସିଛି। ଶହ ଶହ ଆନ୍ଦୋଳନକାରୀଙ୍କ ନାଁରେ ମାମଲା ରୁଜୁ ହୋଇଛି। ଜବରଦସ୍ତି ଧାରଣାସ୍ଥଳକୁ ଖାଲି କରାଯାଉଛି। ହଜାର ହଜାର ସଂଖ୍ୟକ ସୁରକ୍ଷାକର୍ମୀ ମୁତୟନ ସହ ପାଣି-ବିଜୁଳି ଓ ମୋବାଇଲ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି। ଶୌଚାଳୟ ମଧ୍ୟ ଉଠାଇ ନିଆଯାଇଛି। କିଛି ସ୍ଥାନରେ ସ୍ଥାନୀୟ ଲୋକ ଓ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଛନ୍ତି। ଟ୍ରାକ୍ଟର ରାଲି କରି ଆନ୍ଦୋଳନକାରୀ କୃଷକମାନେ ଦେଶର ଅସ୍ମିତାକୁ ଆଘାତ କରିଥିବା ଅଭିଯୋଗରେ ଜନ ସମର୍ଥନ ମଧ୍ୟ ହ୍ରାସ ପାଇଥିଲା। ୨ଟି କୃଷକ ସଙ୍ଗଠନ (Farmer Union) ମଧ୍ୟ ଆନ୍ଦୋଳନରୁ ଓହରିଥିଲା।
Also Read: କୃଷକଙ୍କ ପାଇଁ ଅଗ୍ନି ପରୀକ୍ଷା! ଆନ୍ଦୋଳନ ଶେଷ କରିବାକୁ ସରକାର ନେଲେ ଏହି ପଦକ୍ଷେପ
ଏଭଳି ପରିସ୍ଥିତିରେ ଆନ୍ଦୋଳନକାରୀ କୃଷକମାନେ ମନୋବଳ ହରାଇ ଘରକୁ ଫେରିବା ଆରମ୍ଭ କରିଥିଲେ। ଆଉ ଏସବୁକୁ ଦୃଷ୍ଟିରେ ରଖି ସୀମାରେ କୃଷକଙ୍କ ଆନ୍ଦୋଳନ (Farmer Protest) ଶୀଘ୍ର ସମାପ୍ତ ହେବ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ଗତ ୨୮ ତାରିଖ ରାତିରେ ଯାହା ଘଟିଗଲା ତାହା କୃଷକ ଆନ୍ଦୋଳନ ପାଇଁ ଅଭୁଲା ସ୍ମୃତି। ପ୍ରାୟ ୨ ହଜାର ସୁରକ୍ଷା କର୍ମୀଙ୍କ ସହ ପୋଲିସ କୃଷକ ନେତା ରାକେଶ ଟିକାୟତ (Rakesh Tikait) ଙ୍କୁ ଗିରଫ କରିବାକୁ ଆସିଥିଲା। କିନ୍ତୁ ଏଥିରେ ରାଜନୈତିକ ଷଡଯନ୍ତ୍ର ଥିବା ଦର୍ଶାଇ ଆତ୍ମସମର୍ପଣ କରିବାକୁ ମନା କରି ଆତ୍ମହତ୍ୟା କରିବାକୁ ମଧ୍ୟ ଧମକ ଦେଲେ ଟିକୟତ।
ଏହି ସମୟରେ ରାକେଶ ଟିକୟତ ଭାବପ୍ରବଣ ହୋଇ କୃଷକଙ୍କ ପ୍ରତି ବିପଦ ଥିବା କହିଥିଲେ। ତାଙ୍କ ଆଖିରୁ ଧାର ଧାର ହୋଇ ଅଶ୍ରୁ ବାହାରିଥିଲା। ଆଉ ସେ ସେହି ରାତିରେ ଅନଶନରେ ବସିଥିଲେ। ପ୍ରଶାସନ ଜଳ ଯୋଗାଣ ବନ୍ଦ କରିଦେଇଥିବାରୁ ସେ ତାଙ୍କ ଗାଁରୁ ପାଣି ଆସିଲେ ହିଁ ପିଇବେ ବୋଲି କହିଥିଲେ। ତେବେ ଏହି ଘୋଷଣାର ମାତ୍ର କେଇ ମିନିଟ ମଧ୍ୟରେ ତାଙ୍କର ଭାବପ୍ରବଣର ଭିଡିଓ ଭାଇରାଲ ହୋଇଯାଇଥିଲା। ଆଉ ରାତାରାତି ପଞ୍ଜାବ, ହରିୟାଣା ଓ ପଶ୍ଚିମ ଉତ୍ତର ପ୍ରଦେଶର ବିଭିନ୍ନ ଅଞ୍ଚଳରେ ମହାପଞ୍ଚାୟତ ଆୟୋଜନ କରାଯାଇଥିଲା। ଏପରି କି ହଜାର ହଜାର ସଂଖ୍ୟାରେ କୃଷକ ଆନ୍ଦୋଳନ ସମର୍ଥକ ଗାଜିପୁର ବର୍ଡର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ।
Also Read: କୃଷକ ଆନ୍ଦୋଳନକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା
ଏବେ ସେହି ମୃତପ୍ରାୟ କୃଷକ ଆନ୍ଦୋଳନରେ ଜୀବନ ଫେରିଛି। ରାକେଶ ଟିକୟତଙ୍କ ଭାବପ୍ରବଣ ଅପିଲର ଭିଡିଓ ପାଇଁ ଦିଲ୍ଲୀ ସୀମାରେ ଜନସମୁଦ୍ର ସୃଷ୍ଟି ହୋଇଛି। ଲଗାତାର ଲୋକଙ୍କ ଆଗମନ ହୋଇଛି। ଯାହା ଆନ୍ଦୋଳନକାରୀଙ୍କ ମନବଳକୁ ପୁଣି ଦୃଢିଭୁତ କରିଛି। ଦିଲ୍ଲୀ, ପଞ୍ଜାବ ସରକାର ଏବେ ଖୁଲାମଖୁଲା ଆନ୍ଦୋଳନକୁ ସମର୍ଥନ କରୁଛନ୍ତି। ଏପରି କି ଖୋଦ୍ ଦିଲ୍ଲୀ ସରକାର କୃଷକଙ୍କୁ ଟ୍ୟାଙ୍କରରେ ପାଣି ଯୋଗାଇଛନ୍ତି। ସେପଟେ ପୁଣି ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ଦୋଳନକାରୀ କୃଷକଙ୍କୁ ପ୍ରସ୍ତାବ ଦେଇଛନ୍ତି।
ସେପଟେ ଲାଲକିଲ୍ଲା ହିଂସାକାଣ୍ଡ ପାଇଁ କୃଷକ ନେତାଙ୍କ ଉପରେ ସରକାର ଦୋଷାରୋପ କରିଛନ୍ତି। କିନ୍ତୁ ଏହା କୃଷକଙ୍କୁ ବଦନାମ କରିବାକୁ ବିଜେପି ଓ ମୋଦି ସରକାରଙ୍କ ଷଡଯନ୍ତ୍ର ବୋଲି ଆନ୍ଦୋଳନକାରୀ ନେତାମାନେ ଅଭିଯୋଗ ଆଣିଛନ୍ତି। ହିଂସାକାଣ୍ଡର ମାଷ୍ଟର ମାଇଣ୍ଡ କୁହାଯାଉଥିବା ପଞ୍ଜାବୀ ଅଭିନେତା ତଥା ବିଜେପି ସମର୍ଥକ ଦୀପ ସିଦ୍ଧୁଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ। ଅନ୍ୟପଟେ ପୋଲିସ ସହ ମିଶି ବିଜେପି ଓ RSS କର୍ମୀମାନେ ଆନ୍ଦୋଳନକାରୀ କୃଷକଙ୍କ ଉପରେ ହମଲା କରୁଥିବା ଅଭିଯୋଗ ହେଉଛି।