କୃଷକ ଲଙ୍ଘିଲେ ଲକ୍ଷ୍ମଣ ରେଖା, ରାବଣ ଚେହେରା ଲାଗୁଛି ଚିହ୍ନା ଚିହ୍ନା !
Advertisement

କୃଷକ ଲଙ୍ଘିଲେ ଲକ୍ଷ୍ମଣ ରେଖା, ରାବଣ ଚେହେରା ଲାଗୁଛି ଚିହ୍ନା ଚିହ୍ନା !

୭୨ତମ ସାଧାରଣତନ୍ତ୍ର ଦିବସରେ ଲାଲକିଲ୍ଲା ଠାରେ ଯାହା ଘଟିଗଲା ତାହା ନିହାତି ଭାବେ ନିନ୍ଦନୀୟ। କୃଷକ ଆନ୍ଦୋଳନରେ ହିଂସାକାଣ୍ଡ ଓ ଲାଲକିଲ୍ଲାରେ ଧାର୍ମୀକ ବାନା ଉଡାଇବାକୁ ନେଇ ଏବେ ଆନ୍ତର୍ଜାତୀୟ ସ୍ତରରେ ଆଲୋଚନା ଚାଲିଛି। କିନ୍ତୁ ଏହା ଏକ ପ୍ରାୟୋଜିତ ଷଡ଼ଯନ୍ତ୍ର ଥିଲା ନା ଅନିୟନ୍ତ୍ରୀତ ପରିସ୍ଥିତି, ତାହା ଯୁକ୍ତିଯୁକ୍ତ। 

କୃଷକ ଲଙ୍ଘିଲେ ଲକ୍ଷ୍ମଣ ରେଖା! ରାବଣ ଚେହେରା ଲାଗୁଛି ଚିହ୍ନା ଚିହ୍ନା

ନୂଆଦିଲ୍ଲୀ: ୭୨ତମ ସାଧାରଣତନ୍ତ୍ର ଦିବସରେ ଲାଲକିଲ୍ଲା ଠାରେ ଯାହା ଘଟିଗଲା ତାହା ନିହାତି ଭାବେ ନିନ୍ଦନୀୟ। କୃଷକ ଆନ୍ଦୋଳନରେ ହିଂସାକାଣ୍ଡ ଓ ଲାଲକିଲ୍ଲାରେ ଧାର୍ମୀକ ବାନା ଉଡାଇବାକୁ ନେଇ ଏବେ ଆନ୍ତର୍ଜାତୀୟ ସ୍ତରରେ ଆଲୋଚନା ଚାଲିଛି। କିନ୍ତୁ ଏହା ଏକ ପ୍ରାୟୋଜିତ ଷଡ଼ଯନ୍ତ୍ର ଥିଲା ନା ଅନିୟନ୍ତ୍ରୀତ ପରିସ୍ଥିତି, ତାହା ଯୁକ୍ତିଯୁକ୍ତ। ତେବେ ସତ କଥା ତ ଏହା କି, ୬୦ ଦିନ ଧରି ଚାଲିଥିବା କୃଷକଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଯେଉଁ ଜନ ସମର୍ଥନ ମିଳିଥିଲା, ସେଇ ଆନ୍ଦୋଳନ ଆଜି ବଦନାମ ହୋଇଛି।

ଗୋଟିଏ ଖରାପ ମାଛ ପାଇଁ ଯେଭଳି ସମଗ୍ର ପୋଖରୀ ଦୂଷିତ ହୁଏ, ଠିକ ସେହି ଭଳି କୃଷକ ଆନ୍ଦୋଳନ (Farmer Protests) ରେ ସ୍ଥିତି ହୋଇଛି। '୧୨ ବର୍ଷର ତପସ୍ୟା ଶୁଖୁଆ ପୋଡାରେ ଗଲା' ଏହି ଉକ୍ତି ମଧ୍ୟ ଆନ୍ଦୋଳନକାରୀ କୃଷକଙ୍କ କ୍ଷେତ୍ରରେ ଠିକ ବସିଛି। ନିଜର ହକ୍ ପାଇଁ ବିଗତ ୬ ମାସରୁ କୃଷକମାନେ ଆନ୍ଦୋଳନ କରୁଛନ୍ତି। ପ୍ରଥମେ ପଞ୍ଜାବ (Punjab) ର ବିଭିନ୍ନ ସ୍ଥାନରେ ଧାରଣାରେ ବସିଥିବା ବେଳେ ଏବେ ଗତ ୨ ମାସ ହେବ ସେମାନେ ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନ କରୁଛନ୍ତି। କିନ୍ତୁ ଗଣତନ୍ତ୍ର ଦିବସ ଭଳି ଜାତୀୟ ପର୍ବରେ ହିଂସାକାଣ୍ଡ ଘଟାଇବା କୃଷକଙ୍କ ଆନ୍ଦୋଳନ ଉପରେ କଳଙ୍କର ଛିଟା ଲଗାଇଦେଇଛି। 

Also Read: ସରକାରଙ୍କୁ କୃଷକଙ୍କ ଚେତାବନୀ; ବଜେଟ ଦିନ କରିବୁ ସଂସଦ ମାର୍ଚ୍ଚ ରାଲି

ନୂଆ କୃଷି ଆଇନ (Farm Law) କୁ ପ୍ରତ୍ୟାହାର ଓ MSP ଉପରେ ଗ୍ୟାରେଣ୍ଟି ଦାବିରେ କୃଷକମାନେ ଆନ୍ଦୋଳନ କରୁଛନ୍ତି। ସରକାର ଓ କୃଷକ ନେତାଙ୍କ ସହ ୧୨ ଥରର ଆଲୋଚନା ପରେ ମଧ୍ୟ କୌଣସି ନିଷ୍କର୍ଷ ବାହାରି ନାହିଁ। ସେପଟେ ସମସ୍ୟାର ସମାଧାନ ପାଇଁ ସୁପ୍ରିମକୋର୍ଟ (Supreme Court) ଏକ ୪ ଜଣିଆ କମିଟି ଗଠନ କରିଛନ୍ତି। କିନ୍ତୁ ଏହି କମିଟିର ସଦସ୍ୟମାନେ ମଧ୍ୟ ବିବାଦୀୟ ହୋଇଥିବା ବେଳେ ଏଥିରୁ ମଧ୍ୟ କୌଣସି ସୁଫଳ ମିଳିବ ତାହା ଆଶା କରିବା ନିରର୍ଥକ। ଆଉ ସେପଟେ ଟ୍ରାକ୍ଟର ରାଲି (Taractor rally) କରିବାକୁ ଅନୁମତି ମାଗି କୃଷକମାନେ ଜାତୀୟ ରାଜଧାନୀରେ ଲଙ୍କାକାଣ୍ଡ କରିଛନ୍ତି। ତେବେ ଦୀର୍ଘ ୨ ମାସରେ ଯାହା ହୋଇ ନଥିଲା ତାହା, ଗୋଟିଏ ରାତିରେ କିପରି ହେଲା? ଏହା ଏକ ଷଡଯନ୍ତ୍ର ନା ରାଜନୈତିକ କାରନାମା? ତାହାକୁ ନେଇ ବିଭିନ୍ନ ମହଲରେ ଅନେକ ପ୍ରଶ୍ନ ଉଠୁଛି।

ଲାଲକିଲ୍ଲା (Lal Quila) ରେ ଯେଉଁ ହିଂସାକାଣ୍ଡ ଘଟିଗଲା ସେଥିପାଇଁ କେଉଁଠି ନା କେଉଁଠି ଦିଲ୍ଲୀ ପୋଲିସ ଦାୟୀ। ଏତେ ବଡ ରାଲି ବା ଟ୍ରାକ୍ଟର ପରେଡ ହେବାର ଥିଲା କିନ୍ତୁ ହିଂସାକାଣ୍ଡ ନେଇ ଦିଲ୍ଲୀ ପୋଲିସ (Delhi Police) କିମ୍ବା ଗୁଇନ୍ଦା ସଂସ୍ଥା ପାଖରେ କୌଣସି ଖବର ନଥିଲା। ଯଦି ଥିଲା ତେବେ ସେମାନେ କାହିଁକି ସୁରକ୍ଷା ବ୍ୟବସ୍ଥା କଡାକଡି କରିନଥିଲେ? ଲାଲକିଲ୍ଲାରେ ଯେତେବେଳେ ଶହ ଶହ ସଂଖ୍ୟାରେ କୃଷକମାନେ ପ୍ରବେଶ କରୁଥିଲେ, ସେତେବେଳେ ପୋଲିସ ଚେୟାରରେ ବସି ଆରାମ କରୁଥିଲେ। କଥାକଥିତ ଚାଷୀଙ୍କ ଉତ୍ପାତ ମଧ୍ୟାହ୍ଣରେ ହିଁ ଆରମ୍ଭ ହୋଇଯାଇଥିଲା କିନ୍ତୁ ସନ୍ଧ୍ୟା ବେଳକୁ କାର୍ଯ୍ୟାନୁଷ୍ଠାନ କାହିଁକି ନିଆଗଲା ନାହିଁ ବୋଲି ମଧ୍ୟ ପ୍ରଶ୍ନ ଉଠୁଛି।

Also Read: ପାକିସ୍ତାନୀଙ୍କ ତୁଣ୍ଡରେ ଶବ୍ଦ ଭରିଦେଲା କୃଷକ ରାଲି!

ଦିଲ୍ଲୀ ପୋଲିସ କେନ୍ଦ୍ର ଗୃହମନ୍ତ୍ରାଳୟ (Home Ministry) ଅଧିନରେ ଆସୁଛି। ଯାହାର ମୁଖ୍ୟ ଖୋଦ ଗୃହମନ୍ତ୍ରୀ ଅମିତ ଶାହା (Amit Shah) । ଜାତୀୟ ରାଜଧାନୀ ଓ ଲାଲକିଲ୍ଲା ଭଳି ଐତିହ ଏବଂ ସମ୍ବେଦନଶୀଳ ସ୍ଥାନରେ ହିଂସାକାଣ୍ଡ ଘଟିବା ଏବଂ ଏହାର ପୂର୍ବ ଆଶଙ୍କା ଗୃହମନ୍ତ୍ରାଳୟ ପାଖରେ ନ ପହଞ୍ଚିବା, ସରକାରଙ୍କ ଗୁଇନ୍ଦା ସଂସ୍ଥାର ବିଫଳତା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଦିଲ୍ଲୀର ITO ଛକରେ ପ୍ରଥମେ ଯେଉଁ ହିଂସାକାଣ୍ଡ ହୋଇଥିଲା, ସେଠାରୁ ମାତ୍ର ୬୦୦ ମିଟର ଦୂରରେ BJP ମୁଖ୍ୟାଳୟ ଥିଲା ବେଳେ ପ୍ରାୟ ଅଢେଇ କିଲୋମିଟର ଦୂରରେ ଲାଲକିଲ୍ଲା ପଡୁଛି। ଆଉ ପୋଲିସ ସେଠାରେ ଭିଡ ନିୟନ୍ତ୍ରଣ କରିବା ପାଇଁ BJP ମୁଖ୍ୟାଳୟ ରାସ୍ତାରେ ବ୍ୟାରିକେଡ ଲଗାଇ ଉତ୍ୟକ୍ତ ଲୋକଙ୍କ ପାଇଁ ଲାଲକିଲ୍ଲା ରାସ୍ତା ଖାଲି କରିଛି ବୋଲି ଅଭିଯୋଗ ହେଉଛି। 

କିଛି ରାଜନୈତିକ ଦଳ ଏବଂ ବ୍ୟକ୍ତି ବିଶେଷ ଲାଲକିଲ୍ଲାରେ ହୋଇଥିବା ହିଂସାକାଣ୍ଡ ପାଇଁ ପଞ୍ଜାବ ଅଭିନେତା ଦୀପ ସିଦ୍ଧୁ (Deep Sidhu) ଙ୍କୁ ଦାୟୀ କରିଛନ୍ତି। ଦୀପ ସିଦ୍ଧୁ  BJP ସାଂସଦ ସନ୍ନୀ ଦେଓଲଙ୍କ ପୂର୍ବତନ ସହଯୋଗୀ। ପ୍ରଧାନମନ୍ତ୍ରୀ ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ତାଙ୍କର ଭଲ ସମ୍ପର୍କ ଥିବା କୁହାଯାଉଛି। ଦୀପ ସିଦ୍ଧୁ କୃଷକ ସଙ୍ଗଠନ (Farmer Union) ର କିଛି ସଦସ୍ୟଙ୍କୁ ଲାଲକିଲ୍ଲା ନେଇଯାଇଥିବା ଓ ହିଂସାକାଣ୍ଡ ଘଟାଇବାକୁ ଉସୁକାଇଥିବା ଅଭିଯୋଗ ହେଉଛି। ସେପଟେ ଅନ୍ୟ ଅନ୍ଦୋଳନକାରୀ କୃଷକଙ୍କ ପରି ସେ ବି ଭିଡରେ ସାମିଲ ହୋଇଥିଲେ, ଏହି ହିଂସାକାଣ୍ଡରେ ତାଙ୍କର କୌଣସି ହାତ ନଥିବା ଦୀପ ସିଦ୍ଧୁ ସଫେଇ ଦେଇଛନ୍ତି। ଏହା ବ୍ୟତୀତ ଲାଲକିଲ୍ଲା ଯିବାର ଯୋଜନା ୨ ଜଣ କୃଷକ ନେତା ପୂର୍ବରୁ କରିଥିବା ସେ କହିଛନ୍ତି। 

Also Read: Tractor Ralley: ହିଂସାକାଣ୍ଡରେ ୧୦୯ ପୋଲିସ ଆହତ, ୪୫ ଟ୍ରମା ସେଣ୍ଟର ସ୍ଥାନାନ୍ତର

କୃଷକନେତାମାନେ ମଧ୍ୟ ହିଂସାକାଣ୍ଡର କଳଙ୍କିତ ଛିଟାରୁ ନିଜକୁ ଦୂରେଇ ରଖିବାକୁ ଭରପୁର ଚେଷ୍ଟା ଚଳାଇଛନ୍ତି। ରାକେଶ ଟିକଏଟ୍ (Rakesh Tikait) କହିଛନ୍ତି ଯେ, ଲାଲକିଲ୍ଲାରେ ଯେଉଁ ହିଂସା ହୋଇଛି ସେଥିରେ ଆନ୍ଦୋଳନକାରୀ କୃଷକଙ୍କର (Farmer Protest) କୌଣସି ହାତ ନାହିଁ। କୃଷକଙ୍କ ନାଁରେ ଅସାମାଜିକ ବ୍ୟକ୍ତିମାନେ ଏଭଳି କାଣ୍ଡ ଭିଆଇଛନ୍ତି। ସେ ପୁଣି କହିଛନ୍ତି ଯେ, କୃଷକମାନେ କେଉଁ ରୁଟରେ ଟ୍ରାକ୍ଟର ମାର୍ଚ୍ଚ କରିବେ, ତାହାର ମ୍ୟାପ ୨୫ ତାରିଖ ମଧ୍ୟ ରାତ୍ରିରେ ମିଳିଥିଲା। ସକାଳେ ପୋଲିସ ନିର୍ଦ୍ଧାରିତ ରୁଟରେ ବ୍ୟାରିକେଡ ଲଗାଇଥିବାରୁ କୃଷକମାନେ ଅନ୍ୟ ରାସ୍ତାରେ ଯାଇଥିଲେ। ତେବେ ହିଂସାକାଣ୍ଡ ଘଟାଇଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

ଟିକିରି ସୀମାରେ ଆନ୍ଦୋଳନକାରୀ କୃଷକଙ୍କ ନେତୃତ୍ୱ ନେଉଥିବା ଯୋଗେନ୍ଦ୍ର ଯାଦବ ଉପରେ ମଧ୍ୟ ହିଂସାକାଣ୍ଡ ଘଟାଇବାର ଅଭିଯୋଗ ହୋଇଛି। କିନ୍ତୁ ସେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ ଅସାମାଜିକ ବ୍ୟକ୍ତିଙ୍କ ମୁଣ୍ଡରେ ଦୋଷ ଲଦିଛନ୍ତି। କିନ୍ତୁ ଏଥିରୁ ତ ଗୋଟିଏ କଥା ସ୍ପଷ୍ଟ ଯେ, ଟ୍ରାକ୍ଟର ରାଲିରେ କୌଣସି ଅପ୍ରିତିକର ପରିସ୍ଥିତି ଉପୁଜିବ ନାହିଁ ବୋଲି ପୋଲିସକୁ ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ କରିପାରିନାହାନ୍ତି। ଏପରିକି ନିଜ ଲୋକଙ୍କୁ ନିୟନ୍ତ୍ରଣ କରିବାରେ ସେମାନେ ବିଫଳ ହୋଇଛନ୍ତି। ଟ୍ରାକ୍ଟର ରାଲି ସମୟରେ କୌଣସି ନେତୃବୃନ୍ଦ ଘଟଣାସ୍ଥଳରେ ନଥିଲେ। ତେଣୁ ଏହି ହିଂସାକାଣ୍ଡ ପୂର୍ବ ପ୍ରୟୋଜିତ ବୋଲି ମଧ୍ୟ ଆଶଙ୍କା କରାଯାଉଛି।

ସେପଟେ ଆନ୍ଦୋଳନକାରୀ କୃଷକ ସଙ୍ଗଠନ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। BKU ଏବଂ AIKSCC ଆନ୍ଦୋଳନରୁ ଓହରିଛନ୍ତି। ସେମାନେ କହିଛନ୍ତି ଯେ, କୃଷକ ଆନ୍ଦୋଳନ ଏବେ ଅନ୍ୟ ପଥରେ ଚାଲୁଛି। ଯେଉଁ ଲକ୍ଷ୍ୟ ନେଇ ଆନ୍ଦୋଳନ ଆରମ୍ଭ ହୋଇଥିଲା ତାହା ଦିଗହରା ହୋଇଛି ବୋଲି ଏହି ୨ ସଙ୍ଗଠନ ଅଭିଯୋଗ କରିଛନ୍ତି। ତେବେ ଏଭଳିସ୍ଥିତିରେ ଆନ୍ଦୋଳନ ଦୁର୍ବଳ ହେବ ଓ ସରକାର ନିଜ ଉଦେଶ୍ୟ ସହଜରେ ପୁରଣ କରିପାରିବେ। ଏହା ସରକାରଙ୍କ ପାରମ୍ପାରିକ ଫାଟ ଷଡଯନ୍ତ୍ର ବୋଲି କଂଗ୍ରେସ ଅଭିଯୋଗ କରିଛି।

Also Read: Farmer Protest Update: ହିଂସାକାଣ୍ଡ ପରେ ହେପାଜତରେ ୨୦୦, ଟାର୍ଗେଟରେ ଯୋଗେନ୍ଦ୍ର ଯାଦବ

ସାଧାରଣନ୍ତ୍ର ଦିବସରେ ଯେଉଁ ହିଂସାକାଣ୍ଡ ହୋଇଥିଲା ସେଥିରେ ଶତାଧିକ ପୋଲିସ କର୍ମୀ ଆହତ ହୋଇଛନ୍ତି। ଟ୍ରାକ୍ଟର ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ମଧ୍ୟ ହୋଇଛି। ସେପଟେ ହିଂସାକାଣ୍ଡକୁ ନେଇ ବୁଧବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଛି। ଦିଲ୍ଲୀର ସୁରକ୍ଷା ପାଇଁ ଅତିରିକ୍ତ ୧୫ ପ୍ଲାଟୁନ ଅର୍ଦ୍ଧସାମରିକ ବଳ ମୁତୟନ କରାଯାଇଛି। ୩୦୦ରୁ ଊର୍ଦ୍ଧ୍ୱ ଟ୍ୱିଟର ଆକାଣ୍ଟ ବନ୍ଦ କରାଯାଇଥିବା ବେଳେ ଯୋଗେନ୍ଦ୍ର ଯାଦବ ଓ ରାକେଶ ଟିକଏଟ ପରି ୭ ଜଣ କୃଷକ ନେତାଙ୍କ ନାମରେ ମାମଲା ରୁଜୁ କରାଯାଇଛି। ୨୦୦ରୁ ଊର୍ଦ୍ଧ୍ୱ ଜଣଙ୍କୁ ଅଟକ ରଖାଯାଇଛ ଓ ବିଭିନ୍ନ ଥାନାରେ ବିକ୍ଷୋଭକାରୀଙ୍କ ବିରୁଦ୍ଧରେ ୨୨ଟି ଏତଲା ରୁଜୁ ହୋଇଛି। ସେପଟେ ଦୃଷ୍ଟିରୁ ଏବେ ବି ଦିଲ୍ଲୀ ଓ ହରିୟାଣାର ଅନେକ ଅଞ୍ଚଳରେ ଇଣ୍ଟରନେଟ ସେବା ବନ୍ଦ ରହିଛି। 

ଅନେକ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଦାବି କରାଯାଉଛି ଯେ, ଲାଲକିଲ୍ଲାରେ ଜାତୀୟ ପତାକାକୁ ହଟାଇ ଆନ୍ଦୋଳନକାରୀମାନେ ଧାର୍ମୀକ ବାନା ଲଗାଇଛନ୍ତି। ଏହି ରିପୋର୍ଟ ସମ୍ପୂର୍ଣ୍ଣ ଭାବେ ମିଛ। ଲାଲକିଲ୍ଲାର ଯେଉଁ ପୋଲରେ ବାନା ଲଗାଯାଇଥିଲା ସେହି ପୋଲରେ ଅଗଷ୍ଟ ୧୫ ଦିନ ପ୍ରଧାନମନ୍ତ୍ରୀ ତ୍ରିରଙ୍ଗା ଉଡାନ୍ତି। କିନ୍ତୁ ଗଣତନ୍ତ୍ର ଦିବସରେ ସେହି ପୋଲରେ କୌଣସି ପତାକା ଉଡୁନଥିଲା। ଅଗଷ୍ଟ ୧୫ ବ୍ୟତୀତ ଅନ୍ୟ ୩୬୪ ଦିନ ଏହି ପୋଲ ଫାଙ୍କା ଥାଏ।