ଅତ୍ୟାଧୁିନିକ ସେବା ପ୍ରଦାନ ଲକ୍ଷ୍ୟରେ ଆହୁରି ୪୪ଟି ବନ୍ଦେ ଭାରତ ଟ୍ରେନକୁ ଟ୍ରାକରେ ଦୌଡାଇବ ଭାରତୀୟ ରେଳବାଇ।
Trending Photos
ନୂଆଦିଲ୍ଲୀ: ରେଳଯାତ୍ରାକୁ ଉନ୍ନତ, ସୁଗମ ଏବଂ ଆରାମଦାୟକ କରିବା ଲାଗି ପ୍ରୟାସ ଜାରି ରଖିଛି ଭାରତୀୟ ରେଳବାଇ । ଏହିକ୍ରମରେ ଅତ୍ୟାଧୁନିକ ବନ୍ଦେ ଭାରତ ଟ୍ରେନକୁ ସେବାରେ ସାମିଲ କରିବା ଲାଗି ଯୋଜନା କରାଯାଇଛି । ଆଗାମୀ ଦିନରେ ଏପରି ଧରଣର ଆହୁରି ୪୪ଟି ଟ୍ରେନକୁ ଯାତ୍ରୀ ପରିବହନରେ ବ୍ୟବହାର କରାଯିବ।
ଆସନ୍ତା ୨୦୨୨ ସୁଦ୍ଧା ୪୪ଟି ବନ୍ଦେ ଭାରତ ଟ୍ରେନକୁ ଟ୍ରାକରେ ଦୌଡୁଥିବାର ଦେଖିବାକୁ ମିଳିବ। ଏନେଇ ମଙ୍ଗଳବାର(ଜୁଲାଇ ୨୮,୨୦୨୦) ରେଳବାଇ କହିଛି ଯେ ଏହି ଟ୍ରେନ କେବଳ ଗୋଟିଏ ନୁହେଁ ତିନୋଟି ରେଳ ୟୁନିଟରେ ନିର୍ମାଣ କରିବାକୁ ଯୋଜନା ରହିଛି ଏବଂ ଆସନ୍ତା ୩ ବର୍ଷ ମଧ୍ୟରେ ଏହି କାର୍ଯ୍ୟକୁ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଗତ ବର୍ଷ ରେଳବାଇ ପକ୍ଷରୁ ବନ୍ଦେ ଭାରତ ଟ୍ରେନ ସେବାର ଆରମ୍ଭ କରାଯାଇଥିଲା । ଏହି ସେବା ବର୍ତ୍ତମାନ ଦିଲ୍ଲୀ-ବାରାଣାସୀ ଏବଂ ଦିଲ୍ଲୀ-କଟାର ରୁଟରେ ଉପଲବ୍ଧ ରହିଛି । ଭାରତୀୟ ରେଳବାଇ ଏହି ସେବାକୁ ସମଗ୍ର ଦେଶରେ ବିସ୍ତାର କରିବାକୁ ଚାହୁଁଛି।
ଏନେଇ ରେଲୱେ ବୋର୍ଡର ଚେୟାରମ୍ୟାନ୍ ଭି.କେ ଯାଦବ କହିଛନ୍ତି ଏହି ଟ୍ରେନକୁ, ୩ଟି ରେଳ ୟୁନିଟ୍ ଯଥା ପଞ୍ଜାବର କାପୁରଥାଲା ରେଳ କୋଚ୍ କାରଖାନା, ଉତ୍ତର ପ୍ରଦେଶର ରାଏବରେଲିସ୍ଥିତ ଆଧୁନିକ କୋଚ୍ କାରଖାନା ଏବଂ ଚେନ୍ନାଇର ଇଣ୍ଟିଗ୍ରାଲ୍ କୋଚ୍ କାରଖାନାରେ ଏକକାଳୀନ ଭାବେ ନିର୍ମାଣ କରାଯିବ। କିଛି ମାସ ପୂର୍ବରୁ ନିଷ୍ପତ୍ତି ନିଆଯାଇଥିଲା ଏହି ୩ଟି ରେଳ ଉତ୍ପାଦନ ୟୁନିଟରେ ଏହି ଟ୍ରେନ୍ ନିର୍ମାଣ କରାଯିବ। ଯାହା ଫଳରେ କମ ସମୟ ମଧ୍ୟରେ ଏହି କାର୍ଯ୍ୟ ଶେଷ ହେବ। ପ୍ରସ୍ତାବିତ ୪୪ଟି ବନ୍ଦେ ଭାରତ ଟ୍ରେନକୁ ଆଗାମୀ ୨-୩ ବର୍ଷ ମଧ୍ୟରେ ନିର୍ମାଣ କରାଯିବ ।
ବନ୍ଦେ ଭାରତ ଟ୍ରେନରେ ଉପଲବ୍ଧ ରହିଛି ଏହି ସୁବିଧା
ଅତ୍ୟାଧିୁନିକ ବନ୍ଦେ ଭାରତ ଟ୍ରେନରେ ହାଇ ସ୍ପିଡ୍ ବୋର୍ଡ ଅନ ୱାଇଫାଇ, ଜିପିଏସ୍ ଆଧାରିତ ଯାତ୍ରୀ ସୂଚନା ପ୍ରଣାଳୀ, ସ୍ପର୍ଶମୁକ୍ତ ବାୟୋ ଭାକ୍ୟୁମ୍ ଟଏଲେଟ୍, ଏଲଇଡି ଲାଇଟ୍, ମୋବାଇଲ୍ ଚାର୍ଜିଂ ପଏଣ୍ଟ ଏବଂ ଜଳବାୟୁ ନିୟନ୍ତ୍ରଣ ବ୍ୟବସ୍ଥା ଯାହା ସ୍ୱୟଂଚାଳିତ ଭାବରେ ତାପମାତ୍ରାକୁ ନିୟନ୍ତ୍ରଣ କରିଥାଏ ।