ଟ୍ରାକ୍ଟର ରାଲି ବେଳେ ଦିଲ୍ଲୀରେ ହୋଇଥିବା ହିଂସାକାଣ୍ଡକୁ ନଜରରେ ରଖି ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଲାଗି ୧୫ କମ୍ପାନୀ ଅତିରିକ୍ତ ଅର୍ଦ୍ଧ ସାମରିକ ବଳ ମୁତୟନ କରାଯିବ। ହଙ୍ଗାମା କରିଥିବା ଉପଦ୍ରବୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଗୃହ ମନ୍ତ୍ରଣାଳୟ ପକ୍ଷରୁ ଦିଲ୍ଲୀ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ମିଳିଛି।
Trending Photos
ନୂଆଦିଲ୍ଲୀ: ନୂଆ କୃଷି ଆଇନ ବିରୁଦ୍ଧରେ ପ୍ରାୟ ୨ ମାସରୁ ଉର୍ଦ୍ଧ୍ୱ ସମୟ ଧରି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବା କୃଷକଙ୍କ ପକ୍ଷରୁ ୨୦୨୧ ସାଧାରଣତନ୍ତ୍ର ଦିବସ ଅବସରରେ ଆୟୋଜିତ ହୋଇଥିବା ଟ୍ରାକ୍ଟର ରାଲି ସମୟରେ ବ୍ୟପକ ହିଂସାକାଣ୍ଡ ହୋଇଛି। ଏପରିକି ରାଲି କରିବା ସମୟରେ ବିକ୍ଷୋଭକାରୀ ରାଜଧାନୀ ଦିଲ୍ଲୀରେ ହଙ୍ଗାମା କରିଛନ୍ତି।
ଚଳିତ ସାଧାରଣତନ୍ତ୍ର ଦିବସ ଅବସରରେ ଲାଲକିଲ୍ଲା ଠାରେ ଜାତୀୟ ପତକା ଉତ୍ତୋଳନ କରାଯିବା ପରେ ଆନ୍ଦୋଳନରତ କୃଷକ ସେମାନଙ୍କ ସାଥିରେ ଆଣିଥିବା ପତାକା ଉଡାଇଛନ୍ତି। ହେଲେ ପୋଲିସ ଏହାକୁ ହଟାଇଛି। ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ଠାରେ ଆୟୋଜିତ ହୋଇଥିବା ଟ୍ରାକ୍ଟର ରାଲି ବେଳେ ହୋଇଥିବା ହିଂସାକାଣ୍ଡ ଘଟଣାକୁ ନେଇ ସତର୍କ ହୋଇଉଠିଛି ଗୃହ ମନ୍ତ୍ରଣାଳୟ।
ଦିଲ୍ଲୀରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଲାଗି ୧୫ କମ୍ପାନୀ ଅତିରିକ୍ତ ଅର୍ଦ୍ଧ ସାମରିକ ବଳ ମୁତୟନ କରାଯିବ। ଟ୍ରାକ୍ଟର ରାଲି ବେଳେ ହଙ୍ଗାମା କରିଥିବା ଉପଦ୍ରବୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଗୃହ ମନ୍ତ୍ରଣାଳୟ ପକ୍ଷରୁ ଦିଲ୍ଲୀ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ମିଳିଛି।
Also Read: ଟ୍ରାକ୍ଟର ରାଲି ବେଳେ ଉତ୍ତ୍ୟକ୍ତ ବିକ୍ଷୋଭକାରୀଙ୍କ ହିଂସାକାଣ୍ଡ; ପୋଲିସ ଉପରକୁ ପଥର ମାଡ
ରାଲି ସମୟରେ ହୋଇଥିବା ହିଂସାକାଣ୍ଡକୁ ନଜରରେ ରଖି ଦିଲ୍ଲୀର ବିଭିନ୍ନ ସ୍ଥାନରେ ମେଟ୍ରୋ ସେବାକୁ ବନ୍ଦ କରାଯାଇଛି। ଗୃହ ମନ୍ତ୍ରଣାଳୟ ପକ୍ଷରୁ ଟିକରି ବର୍ଡର, ଗାଜିପୁର ବର୍ଡର, ସିଂଘୁ ବର୍ଡର, ମୁକରବା ଚୌକ, ନାଙ୍ଗଲୋଇ ଠାରେ ମଧ୍ୟ ରାତ୍ରୀ ପର୍ଯ୍ୟନ୍ତ ଇଣ୍ଟରନେଟ ସେବାକୁ ବନ୍ଦ ରଖାଯାଇଛି।
ନୂଆଦିଲ୍ଲୀ ସମେତ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର-ଏନସିଆର (National Capital Region-NCR) ଅଞ୍ଚଳରେ ସ୍ଥିତି କିପରି ରହିଛି ତାହା ଉପରେ ତୀକ୍ଷ୍ଣ ନଜର ରଖାଯାଉଛି। ବର୍ତ୍ତମାନର ପରିସ୍ଥିତିକୁ ନଜରରେ ରଖି ଆଗାମୀ କାର୍ଯ୍ୟାନୁଷ୍ଠାନରେ ବାବଦରେ ବିଚାର କରୁଛି ମନ୍ତ୍ରଣାଳୟ। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଲାଗି ଅତିରିକ୍ତ ସୁରକ୍ଷାବଳକୁ ସତର୍କ ରଖାଯାଇଛି।
Also Read: ସରକାରଙ୍କୁ କୃଷକଙ୍କ ଚେତାବନୀ; ବଜେଟ ଦିନ କରିବୁ ସଂସଦ ମାର୍ଚ୍ଚ ରାଲି
ଲାଲକିଲ୍ଲାରେ ହଙ୍ଗାମା କରିଥିବା ବିକ୍ଷୋଭକାରୀଙ୍କୁ ହଟାଇବା ଲାଗି ପୋଲିସକୁ ବେଶ କସରତ କରିବାକୁ ପଡିଥିଲା। ଟ୍ରାକ୍ଟର ରାଲି ଲାଗି ଧାର୍ଯ୍ୟ ହୋଇଥିବା ରୁଟରୁ ବାହାରି ଲାଲକିଲ୍ଲା ଠାରେ ପହଞ୍ଚି ଯାଇଥିବା ବିକ୍ଷୋଭକାରୀଙ୍କୁ ସେଠାରୁ ଖାଲି କରିବା ଲାଗି ପୋଲିସକୁ ଲାଠିଚାର୍ଜ କରିଥିଲା। ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ପୋଲିସ ସ୍ୱେଚ୍ଛାକୃତ ଭାବେ ଲାଲକିଲ୍ଲା ପରିସରରୁ ହଟିଯିବା ଲାଗି ଆନ୍ଦୋଳନକାରୀଙ୍କ ଉଦ୍ଦେଶ୍ୟରେ ଜଣାଇ ଦେଇଥିଲା ପୋଲିସ।
Also Read: ଟ୍ରାକ୍ଟର ରାଲି ପାଇଁ ଦିଲ୍ଲୀ ପୋଲିସର ଗାଇଡଲାଇନ୍ସ ଜାରି, ଜାଣନ୍ତୁ କ'ଣ ରହିଛି ସର୍ତ୍ତ
ଟ୍ରାକ୍ଟର ରାଲି କରିବା ଲାଗି ଆନ୍ଦୋଳନରତ କୃଷକଙ୍କୁ ସିଂଘୁ ବର୍ଡର, ଗାଜିପୁର ବର୍ଡର, ଟିକରି ବର୍ଡର ରୁଟ ଧାର୍ଯ୍ୟ ହୋଇଥିଲା। ନୂଆ କୃଷି ଆଇନ ବିରୁଦ୍ଧରେ ପ୍ରାୟ ୨ ମାସରୁ ଉର୍ଦ୍ଧ୍ୱ ସମୟ ଧରି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସୀମାରେ ଆନ୍ଦୋଳନ ଚଳାଇ ଆସୁଛନ୍ତି ବିଭିନ୍ନ କୃଷକ ସଙ୍ଗଠନ। ସେମାନଙ୍କ ଦାବି ହେଉଛି ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ଆଇନଗତ ଗ୍ୟାରେଣ୍ଟି ଦିଆଯାଉ ଏବଂ ୩ଟି ନୂଆ କୃଷି ଆଇନକୁ କାର୍ଯ୍ୟକାରୀ କରାନଯାଉ।