Loksabha Speaker Election: ଆଜି ବାଚସ୍ପତି ନିର୍ବାଚନ, ୧୦ ବିନ୍ଦୁ ଯାହା ଆପଣ ଜାଣିବାକୁ ଚାହାନ୍ତି
Advertisement
Article Detail0/zeeodisha/odisha2308460

Loksabha Speaker Election: ଆଜି ବାଚସ୍ପତି ନିର୍ବାଚନ, ୧୦ ବିନ୍ଦୁ ଯାହା ଆପଣ ଜାଣିବାକୁ ଚାହାନ୍ତି

Loksabha Speaker Election: ଆଜି ଲୋକସଭାରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ଏହା ସାଧାରଣ ନିର୍ବାଚନ ଭଳି ବ୍ୟବସ୍ଥା ନୁହେଁ। ପୁଣି ଏହା ଏକ ସବୁ ଲୋକସଭାରେ ଅନୁଷ୍ଠିତ ହୋଇଥାଏ ତାହା ବି ନୁହେଁ। ଏହା ଏକ ବିରଳ ଘଟଣା। ନଜର ପକାନ୍ତୁ ଏହି ୧୦ ବିନ୍ଦୁ ଯାହା ଆପଣ ଜାଣିବାକୁ ଚାହାନ୍ତି...

 Loksabha Speaker Election: ଆଜି ବାଚସ୍ପତି ନିର୍ବାଚନ, ୧୦ ବିନ୍ଦୁ ଯାହା ଆପଣ ଜାଣିବାକୁ ଚାହାନ୍ତି

Loksabha Speaker Election:  ଆଜି ଲୋକସଭାରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ଏହା ସାଧାରଣ ନିର୍ବାଚନ ଭଳି ବ୍ୟବସ୍ଥା ନୁହେଁ। ପୁଣି ଏହା ଏକ ସବୁ ଲୋକସଭାରେ ଅନୁଷ୍ଠିତ ହୋଇଥାଏ ତାହା ବି ନୁହେଁ। ଏହା ଏକ ବିରଳ ଘଟଣା। ନଜର ପକାନ୍ତୁ ଏହି ୧୦ ବିନ୍ଦୁ ଯାହା ଆପଣ ଜାଣିବାକୁ ଚାହାନ୍ତି...

1.ଲୋକସଭାରେ ଆଜି ତୃତୀୟଥର ପାଇଁ ବାଚସ୍ପତି ନିର୍ବାଚନ ହେବାକୁ ଯାଉଛି। ପ୍ରଥମ ଥର ପାଇଁ ନିର୍ବାଚନ ପ୍ରଥମ ଲୋକସଭା ଅର୍ଥାତ୍‍ ୧୯୫୨ରେ ଅନୁଷ୍ଠିତ ହୋଇଥିଲା। ସେ ସମୟରେ ବାଚସ୍ପତିଙ୍କ ପଦବୀ ଲାଗି ପ୍ରାର୍ଥୀ ହୋଇଥିଲେ ଜିଭି ମାଭଲେଙ୍କର। ସେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଥିଲେ। ତାଙ୍କ ବିଜୟ ସୁନିଶ୍ଚିତ ଥିଲା କିନ୍ତୁ ବିରୋଧୀ ଦଳ ସିପିଆଇ ପକ୍ଷରୁ ଶଙ୍କର ସୀତାରାମଙ୍କୁ ପ୍ରାର୍ଥୀ କରାଯାଇଥିଲା। ମାଭଲେଙ୍କର ବିଜୟୀ ହୋଇ ଦେଶର ପ୍ରଥମ ବାଚସ୍ପତି ପଦ ଅଳଂକୃତ କରିଥିଲେ।

2.ଏହାପରେ ଉଭୟ ଶାସକ ଓ ବିରୋଧି ଦଳ ଭିତରେ ସହମତି ଭିତ୍ତିରେ ବାଚସ୍ପତିଙ୍କ ନିର୍ବାଚନ ଅନୁଷ୍ଠିତ ହୋଇ ଆସୁଥିଲା। କିନ୍ତୁ ୧୯୭୬ ମସିହାରେ ଏପରି ସହମତି ହୋଇପାରିଲା ନାହିଁ। ଏଥର ବିରୋଧୀ ଦଳ ଥିଲା ଜନସଂଘ, ଯାହା ଏବେ ବିଜେପି ଭାବେ ପରିଚିତ। କଂଗ୍ରେସ ଦଳର ବି ଆର୍‍ ଭଗତଙ୍କ ବିରୁଦ୍ଧରେ  ଜଗନ୍ନାଥ ରାଓ ଯୋଶୀଙ୍କୁ ଜନସଂଘ ପ୍ରାର୍ଥୀ ଘୋଷଣା କରିଥିଲା। ସେ ପରାଜିତ ହୋଇଥିଲେ। 

3.୨୦୨୪ରେ ପୁଣିଥରେ ତୃତୀୟଥର ପାଇଁ ଏହି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି।  ନିର୍ବାଚନ ପାଇଁ ପ୍ରାର୍ଥୀ ଦେବା ପୂର୍ବରୁ ବିରୋଧୀ ମେଣ୍ଟ ପକ୍ଷରୁ ସରକାରୀ ଦଳ ଆଗରେ ଉପ ବାଚସ୍ପତିଙ୍କ ପଦବୀ ଲାଗି ଦାବି କରାଯାଇଥିଲା। ଏହା ଭାରତୀୟ ଗଣତନ୍ତ୍ରର ପରମ୍ପରା ଏବଂ ବିରୋଧୀଙ୍କ ହକ୍‍ ବୋଲି ମଧ୍ୟ ଦାବି କରିଥିଲା କଂଗ୍ରେସ। କିନ୍ତୁ  ବିରୋଧୀ ଦଳ ଚାପ ପ୍ରୟୋଗ କରୁଛନ୍ତି ବୋଲି ଅଭିଯୋଗ କରି ଏନ୍‍ଡିଏ ଏହାକୁ ପ୍ରତ୍ୟାଖ୍ୟାନ କରିବାରୁ ଇଣ୍ଡିଆ ମେଣ୍ଟ ୮ ଥର ସାଂସଦ କେ ସୁରେଶଙ୍କୁ ବାଚସ୍ପତିଙ୍କ ପଦବୀ ଲାଗି ପ୍ରାର୍ଥୀ କରିଛି। 

4.ବାଚସ୍ପତି ପଦବୀ ଲାଗି ନିର୍ବାଚନ କୌଣସି ଗୋପନୀୟ ବ୍ୟାପାର ନୁହେଁ। ସଭା ମଧ୍ୟରେ ଏହା ଶାସକ ଓ ବିରୋଧୀ ଦଳଙ୍କ ଶକ୍ତି ପ୍ରଦର୍ଶନର ଏକ ନମୁନା। ଏଥିଲାଗି ଉଭୟ ମେଣ୍ଟ ପକ୍ଷରୁ ଲୋକସଭାରେ ସଦସ୍ୟଙ୍କୁ ଉପସ୍ଥିତ ରହିବାକୁ ହ୍ୱିପ୍‍ ଜାରି କରାଯାଇଛି। 

5.ପ୍ରଥା ଓ ନିୟମ ଅନୁସାରେ ଅନୁସାରେ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ଦୁଇ ସଦସ୍ୟଙ୍କ ପକ୍ଷରେ ଦୁଇଟି ପ୍ରସ୍ତାବ ଲୋକସଭାରେ ଆଗତ କରାଯାଇଥାଏ। ପ୍ରଥମ ପ୍ରସ୍ତାବ ଶାସକ ମେଣ୍ଟର ପ୍ରାର୍ଥୀଙ୍କ ସପକ୍ଷରେ ହୋଇଥିବା ବେଳେ ଦ୍ୱିତୀୟ ପ୍ରସ୍ତାବ ଥାଏ ବିରୋଧୀ ଦଳଙ୍କ ପ୍ରାର୍ଥୀଙ୍କ ସପକ୍ଷରେ। ସାମୟିକ ବାଚସ୍ପତି ଏହି ନିର୍ବାଚନକୁ ପରିଚାଳନା କରିଥାଆନ୍ତି।

6.ସଂସଦୀୟ ବ୍ୟାପାର ପରିଚାଳନା ନିୟମର ଧାରା ୯୩ ଅନୁସାରେ ସାମୟିକ ବାଚସ୍ପତି ଭର୍ତ୍ତୃହରି ମହତାବ ଆଜି ଏହି ପ୍ରସ୍ତାବକୁ ଗୃହରେ ଆଗତ କରିବାକୁ ଆଦେଶ ଦେବେ। ପ୍ରଥମେ ଶାସକ ଦଳଙ୍କ ପ୍ରସ୍ତାବ ଆଗତ କରାଯିବ। ଶାସକ ଦଳ ଏହି ପ୍ରସ୍ତାବ ଆଗତ ପରେ ଗୃହରେ ଏ ବିଷୟରେ ମତ ସଂଗ୍ରହ କରାଯିବ। ସାଧାରଣତଃ ହଁ’ ଅଥବା ନାଁ’ରେ ଏହି ପ୍ରସ୍ତାବ ପାରିତ ହେଲା କି ଖଣ୍ଡନ ହୋଇ ଭୋଟ ହେବ ତାହା ସାମୟିକ ବାଚସ୍ପତି ନିର୍ଦ୍ଧାରଣ କରିବେ। ଯଦି ଏହି ପ୍ରସ୍ତାବକୁ ବାଚନିକ ଅଥବା ଇଲେକ୍ଟ୍ରୋନିକ ଭୋଟିଂ ଦ୍ୱାରା  ଅଧାରୁ ଅଧିକ ସଦସ୍ୟଙ୍କ ସମର୍ଥନ ମିଳିଥିବା ବାଚସ୍ପତି ଅନୁଭବ କରିବେ ତେବେ ଆଉ ଦ୍ୱିତୀୟ ପ୍ରସ୍ତାବ ଆଗତ ହେବ ନାହିଁ କି ଭୋଟ ହେବ ନାହିଁ। ପ୍ରଥମ ପ୍ରସ୍ତାବ ଅନୁସାରେ ବାଚସ୍ପତି ନିର୍ବାଚନ ପ୍ରକ୍ରିୟା  ସମ୍ପନ୍ନ ହେବ। 

7.ନୂତନ ସଂସଦ ଗୃହରେ ଏହା ପ୍ରଥମ ବାଚସ୍ପତି ନିର୍ବାଚନ ହେବ। ଏଥିରେ ସଦସ୍ୟମାନଙ୍କ ଭୋଟ ଗ୍ରହଣ ପାଇଁ ପାରଦର୍ଶୀ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଇଲେକ୍ଟ୍ରୋନିକ ଭୋଟିଂ ବ୍ୟବସ୍ଥା ସହ ଏଠାରେ ପାରମ୍ପରିକ ବ୍ୟାଲଟ ବ୍ୟବସ୍ଥା ମଧ୍ୟ ହୋଇଛି। 

8.ବର୍ତ୍ତମାନର ଗୃହରେ ସଂଖ୍ୟା ଓ ଉପସ୍ଥିତିକୁ ଦେଖିଲେ ଏନ୍‍ଡିଏ ପାଖରେ ସଂଖ୍ୟା ଗରିଷ୍ଠତା ରହିଛି। ତଥାପି ଆନ୍ଧ୍ର ପ୍ରଦେଶର ଜଗନ ମୋହନ ରେଡ୍ଡୀଙ୍କ ନେତୃତ୍ୱାଧୀନ ଓ୍ୱାଇଏସ୍‍ଆର କଂଗ୍ରେସ ଏନ୍‍ଡିଏ ପ୍ରାର୍ଥୀଙ୍କୁ ସମର୍ଥନ ନ କରି ପାରନ୍ତି। ଠିକ୍‍ ସେହିପରି ବିରୋଧୀ ଦଳର ପ୍ରାର୍ଥୀ ଚୟନକୁ ନେଇ ତୃଣମୂଳ କଂଗ୍ରେସ ମଧ୍ୟ ଅସନ୍ତୁଷ୍ଟ ରହିଛି। ମେଣ୍ଟର ସଦସ୍ୟ ଭାବେ ତାଙ୍କ ଦଳର ମତାମତ ମଗାଯାଇ ନାହିଁ ବୋଲି ଟିଏମ୍‍ସି ସ୍ପଷ୍ଟ କରିଛି। 

9.ବାଚସ୍ପତି ନିର୍ବାଚନ ପରେ ସାମୟିକ ବାଚସ୍ପତି ତାଙ୍କୁ ସ୍ୱାଗତ କରି ଦାୟିତ୍ୱ ହସ୍ତାନ୍ତର କରିବେ ଏବଂ ବାଚସ୍ପତିଙ୍କ ଆସନ ପ୍ରଦାନ କରିବେ। ସାଙ୍ଗରେ ବିରୋଧୀ ଓ ଶାସକ ଦଳର ବରିଷ୍ଠ ନେତାମାନେ ତାଙ୍କୁ ଆସନରୁ ପାଛୋଟି ନେବାର ବ୍ୟବସ୍ଥା ହୋଇଥାଏ। 

10.ଅଷ୍ଟାଦଶ ଲୋକସଭାରେ ବାଚସ୍ପତି ଭାବେ ଏନ୍‍ଡିଏ ପ୍ରାର୍ଥୀ ଓମ୍‍ ବିରଲାଙ୍କ ନିର୍ବାଚନ ହେଲେ ଏହା ଏକ ରେକର୍ଡ ହେବ। କାରଣ  ୧୯ ଜଣ ବାଚସ୍ପତିଙ୍କ ଭିତରେ ସେ ପଞ୍ଚମ ବାଚସ୍ପତି ହେବେ ଯିଏ ଗୋଟିଏ ଥରରୁ ଅଧିକ ସମୟ ପାଇଁ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି।