ନୂଆଦିଲ୍ଲୀ: ବିଶ୍ୱ ମହମାରୀ କୋରୋନା ଭାଇରସର ମୁକାବିଲା ଲାଗି ଆବଶ୍ୟକୀୟ ହେଉଥିବା ଟିକା ନିର୍ମାଣରେ ଭାରତ ଆନ୍ତର୍ଜାତୀୟ ସ୍ତରରେ ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ଉଭା ହୋଇଛି। ବିଶ୍ୱର ଅନେକ ରାଷ୍ଟ୍ର ଭାରତରେ ନିର୍ମିତ ଟିକା ନେବା ଲାଗି ଆଗ୍ରହୀ ହୋଇ ଉଠିଛନ୍ତି। ଏହି ଦେଶଙ୍କ ତାଲିକାରେ ଶତ୍ରୁ ସହ ମିତ୍ର ରାଷ୍ଟ୍ର ମଧ୍ୟ ସାମିଲ ରହିଛନ୍ତି। 


COMMERCIAL BREAK
SCROLL TO CONTINUE READING

ଭାରତରେ ନିର୍ମିତ ଏଷ୍ଟ୍ରା ଜେନେକା ଟିକା (Astra Zeneca Vaccine) ନେବା ଲାଗି ପଞ୍ଜୀକରଣ କରିଛି ଭାରତର ପାରମ୍ପରିକ ପ୍ରତିଦ୍ୱନ୍ଦୀ କୁହାଯାଉଥିବା ପାକିସ୍ତାନ। ଏହି ଟିକା ପାକିସ୍ତାନକୁ ଦ୍ୱିପାକ୍ଷିକ ସମ୍ବନ୍ଧ କାରଣରୁ ନୁହେଁ   ବରଂ କୋଭ୍ୟାକ୍ସ ଅଭିଯାନ (Covax Mission) ମାଧ୍ୟମରେ ମିଳିବ। ଭାରତୀୟ ଔଷଧ ନିର୍ମାତା କମ୍ପାନୀ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ-ଏସଆଇଆଇ (Serum Institute of India-SII) ଏଷ୍ଟ୍ରା ଜେନେକା ଦ୍ୱାରା ବିକଶିତ ଟିକା ନିର୍ମାଣ କରୁଛି। 


କୋଭ୍ୟାକ୍ସ ଅଭିଯାନ ହେଉଛି ଏକ ବିଶ୍ୱସ୍ତରୀୟ ଗଠବନ୍ଧନ। ଏଥିଲାଗି ଗ୍ଲୋବାଲ ଆଲାଏନ୍ସ ଫର ଭ୍ୟାକସିନ ଆଣ୍ଡ ଇମ୍ୟୁନାଇଜେସନ-ଜିଏଭିଆଇ (The Global Alliance for Vaccines and Immunizations -GAVI), କୋଏଲିସନ ଫର ଏପିଡେମିକ ପ୍ରିପେୟାର୍ଡନେସ ଇନୋଭେସନ-ସିଇପିଆଇ (Coalition for Epidemic Preparedness Innovations-CEPI), ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ-ଡବ୍ଲ୍ୟୁଏଚଓ (World Health Organization-WHO) ଏକାଠି ହୋଇଛନ୍ତି। 


Also Read: ଆସନ୍ତା ବର୍ଷ ଆସିବ କୋରୋନା ଟିକା! ପ୍ରଥମେ କାହାକୁ ଦିଆଯିବ?


ଏହି ଗଠବନ୍ଧନରେ ସାମିଲ ହୋଇଥିବା ୧୯୦ଟି ଦେଶର ୨୦ ପ୍ରତିଶତ ଜନସାଧାରଣଙ୍କୁ ମାଗଣାରେ କୋରୋନା ଟିକା ଯୋଗାଇ ଦିଆଯିବ। କୋଭ୍ୟାକ୍ସ ଅଭିଯାନରେ ସାମିଲ ହୋଇଛି ପାକିସ୍ତାନ। ଚଳିତ ବର୍ଷ ପାକିସ୍ତାନକୁ ପ୍ରଥମ ପର୍ଯ୍ୟାୟରେ ମାଗଣା କୋରୋନା ଟିକା ଯୋଗାଇ ଦିଆଯିବ।  


ଆସନ୍ତା ସପ୍ତାହରେ ପାକିସ୍ତାନ ଚୀନୀ ନିର୍ମିତ କୋରୋନା ଟିକା ସାଇନୋଫାର୍ମ ପାଇଁ ପଞ୍ଜୀକରଣ ଆରମ୍ଭ କରିବ। ଏନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ସ୍ୱାସ୍ଥ୍ୟ ପରାମର୍ଶଦାତା ଡ.ଫୈଜଲ ସୁଲତାନ ଏହି ସୂଚନା ଦେଇଛନ୍ତି। ଭାରତ-ପାକିସ୍ଥାନ ମଧ୍ୟରେ ବାଣିଜ୍ୟ ବନ୍ଦ ରହିଛି ହେଲେ ଜୀବନ ରକ୍ଷାକାରୀ ଔଷଧର ଆମଦାନୀ ଏବଂ ରପ୍ତାନୀ ନିଷେଧ ହୋଇନାହିଁ।


Also Read: କୋରୋନା ଟିକାକୁ ନେଇ ୨ ଭାରତୀୟ କମ୍ପାନୀ ମୁହାଁମୁହିଁ


ପାକିସ୍ତାନ ବ୍ୟତୀତ ଆହୁରି ଅନ୍ୟାନ୍ୟ ଦେଶ ଭାରତରେ ନିର୍ମିତ ହେଉଥିବା କୋରୋନା ଟିକା ନେବା ଲାଗି ପ୍ରୟାସ ଆରମ୍ଭ କରିଛନ୍ତି। ୧.୨୦ କୋଟି ଟିକା ନେପାଳକୁ, ୩ କୋଟି ଟିକା ବାଂଲାଦେଶକୁ, ୧୦ ଲକ୍ଷ ଟିକା ଭୂଟାନକୁ, ବ୍ରାଜିଲକୁ ୨୦ ଲକ୍ଷ ଟିକା ଯୋଗାଇ ଦିଆଯିବ। ଅନ୍ୟପଟେ ମ୍ୟାନମାର ସରକାର ମଧ୍ୟ ଭାରତ ନିର୍ମିତ କୋରୋନା ଟିକା ନେବାରି ଆଗ୍ରହୀ ଅଛନ୍ତି।