Top 10 News Headlines: ୨୬ରେ ଯୁକ୍ତ ଦୁଇ ପରୀକ୍ଷା ଫଳ, ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2259636

Top 10 News Headlines: ୨୬ରେ ଯୁକ୍ତ ଦୁଇ ପରୀକ୍ଷା ଫଳ, ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

Top 10 News Headlines: ୨୬ରେ ଯୁକ୍ତ ଦୁଇ ପରୀକ୍ଷା ଫଳ, ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

H1. Buddha Jayanti: ଆଜି ବୁଦ୍ଧ ପୂର୍ଣ୍ଣିମା
ଆଜି ଭଗବାନ ବୁଦ୍ଧଙ୍କ ଜନ୍ମଦିନ। ନେପାଳର ଲୁମ୍ବିନୀଠାରେ ରାଜା ଶୁଧୋଧନ ଏବଂ ମାୟାଦେବୀଙ୍କ ଔରସରୁ ଜନ୍ମ ହୋଇଥିଲେ ଗୌତମ ବୁଦ୍ଧ। ଭାରତ ଓ ନେପାଳରେ ବୈଶାଖ ପୂର୍ଣ୍ଣମୀକୁ ବୁଦ୍ଧ ପୂର୍ଣ୍ଣମୀ ଭାବେ ପାଳନ କରାଯାଇଥାଏ। ପୃଥିବୀର ଭିନ୍ନ ଭିନ୍ନ ଦେଶରେ ଭିନ୍ନ ଭିନ୍ନ ତାରିଖକୁ ଭଗବାନ ବୁଦ୍ଧଙ୍କ ଜୟନ୍ତୀ ଭାବେ ପାଳନ କରାଯାଇ ଆସୁଛି। ଏ ବର୍ଷ ଚୀନ ଓ ବାଂଲାଦେଶରେ ମେ’ ୧୫ ତାରିଖରେ ବୁଦ୍ଧ ଜୟନ୍ତୀ ପାଳନ କରାଯାଇଥିବା ବେଳେ ୨୬ ମେ’ରେ ତିବ୍ଦତ, ମାଲେସିଆ, ସିଙ୍ଗାପୁର, ଇଣ୍ଡୋନେସିଆରେ ବୁଦ୍ଧ ଜୟନ୍ତୀ ପାଳନ କରାଯିବ। ଭାରତରେ ଭଗବାନ ବୁଦ୍ଧ ଦେବଙ୍କୁ ବିଷ୍ଣୁଙ୍କ ଦଶ ଅବତାର ଭିତରେ ଗଣାଯାଇଥାଏ। 

H2. Repolling in 2 Booths of Kantamal: ଭୋଟ ଦେଉଛି କଣ୍ଟାମାଳ
କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୌଦ୍ଧ ଜିଲ୍ଲାର କଣ୍ଟାମାଳରେ ଥିବା ଦୁଇଟି ବୁଥରେ ପୁନଃ ମତଦାନ ଆରମ୍ଭ ହୋଇଛି। ସକାଳ ୭ଟାରୁ ଭୋଟର ଆସି ନିଜର ମତଦାନ କରିଛନ୍ତି। ଏହି ଦୁଇ ବୁଥ ହେଉଛି କଣ୍ଟାମାଳର କିରାସିରା ଓ କାଦପଦର, ଯାହା ବୁଥ ସଂଖ୍ୟା ୨୬ ଓ ୨୮ ଭାବେ ପରିଚିତ। ୨୦ ତାରିଖ ଦିନ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ସମୟରେ ହୋଇଥିବା ତ୍ରୁଟି ଏବଂ ଲୋକଙ୍କ ଅଗିଯୋଗକୁ ଆଧାର କରି  ନିର୍ବାଚନ କମିଶନ ଏଠାରେ ସାନି ମତଦାନ ନିଷ୍ପତ୍ତି ନେଇଥିଲେ। ସେହି ଆଧାରରେ ଆଜି ଭୋଟ ଗ୍ରହଣ ଚାଲିଛି।   

H3. Last Day of Campaign: ଆଜି ସରିବ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର
ଆଜି ଶେଷ ହେଉଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଅଭିଯାନ। ୬ଟି ଲୋକସଭା ମଣ୍ଡଳୀ ଓ ଏହା ଅନ୍ତର୍ଗତ ୪୨ ବିଧାନସଭା ମଣ୍ଡଳୀ ପାଇଁ ଆଜି ପ୍ରଚାର ଶେଷ ହେବା ପରେ ସନ୍ଧ୍ୟାରୁ ମତଦାନ ପାଇଁ ବ୍ୟବସ୍ଥା ଗ୍ରହଣ କରାଯିବ। ପୁଲିଂ ପାର୍ଟି ସମସ୍ତ ଭୋଟିଂ ଯନ୍ତ୍ରାଂଶ ସହ ବୁଥରେ ପହଞ୍ଚି ସେଠାରେ ବ୍ୟବସ୍ଥା ଗ୍ରହଣ କରିବେ। ଆଜି ସନ୍ଧ୍ୟା ୫ଟାରୁ ୨୬ ତାରିଖ ସକାଳ ୬ଟା ଯାଏ ନିର୍ବାଚନ ହେବାକୁ ଥିବା ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯିବ। ଏଥିପାଇଁ ପୁଲିସର ଫ୍ଲାଗ୍‍ ମାର୍ଚ୍ଚ ଶେଷ ହୋଇଛି। ଭୋଟଗ୍ରହଣ କେନ୍ଦ୍ରର ୨୦୦ ମିଟର ଦୂରତା ଯାଏ ଏହି ୧୪୪ ଧାରା ବଳବତ୍ତର ରହିବ। ବାହାରୁ ଆସିଥିବା ପ୍ରଚାରକଙ୍କୁ ଅଞ୍ଚଳ ଛାଡ଼ିବାକୁନ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ରାଜଧାନୀ ସହର ଭୁବନେଶ୍ୱର ସମେତ ପୁରୀ, ଢେଙ୍କାନାଳ, ସମ୍ବଲପୁର, କେନ୍ଦୁଝର ଏବଂ କଟକ ଲୋକସଭା ମଣ୍ଡଳୀ ଏବଂ ଏହା ଅନ୍ତର୍ଗତ ବିଧାନସଭା ମଣ୍ଡଳୀ ଲାଗି ଭୋଟଗ୍ରହଣ ହେବ। 

H4. +2 results on 26th : ୨୬ରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ
ଆସନ୍ତା ୨୬ ତାରିଖରେ  ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷାଫଳ ପ୍ରକାଶ ପାଇବ। ସମସ୍ତ ପାଠ୍ୟକ୍ରମର ଏକାଠି ଫଳ ପ୍ରକାଶ ପାଇବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି। ପରିଷଦର ଓ୍ୱେବସାଇଟରେ ଫଳାଫଳ ଉପଲବ୍ଧ ହେବ।
 
H5. No fear of cyclone in Odisha: ଓଡ଼ିଶା ପାଇଁ ନାହିଁ ବାତ୍ୟା ସୂଚନା
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓଡ଼ିଶାକୁ ବିଶେଷ ଭାବେ ପ୍ରଭାବିତ କରିବ ନାହିଁ। ଉତ୍ତର ଓଡ଼ିଶାର ଦୁଇଟି ଜିଲ୍ଲାରେ ପ୍ରବଳ ବର୍ଷାହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏଣୁ ଖରାଦିନିଆ ବାତ୍ୟା ହେବା ନେଇ ଯେଉଁ ଆଶଙ୍କା ସୃଷ୍ଟି ହୋଇଥିଲା ତାହା ଟଳିଛି। ତେବେ ରାଜ୍ୟର ବିଭିନ୍ନ ସ୍ଥାନରେ ୨୪ତାରିଖରୁ ବର୍ଷା ହୋଇପାରେ। ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ଆଜିଠୁ ସମୁଦ୍ରରୁ ଫେରି ଆସିବାକୁ ସତର୍କ ସୂଚନା ଜାରି କରାଯାଇଛି। 

H6. Friday- Dry Day: ଶୁକ୍ରବାର ହେବ ଡ୍ରାଏ ଡେ
ସମସ୍ତ ଶୁକ୍ରବାରକୁ ଏଣିକି ବିଏମ୍‍ସି ଶୁଷ୍କ ଦିବସ ଭାବେ ପାଳନ କରିବ। ଡେଙ୍ଗୁରୁ ମୁକ୍ତ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ରାଜଧାନୀ ସହରରେ ମୌସୁମୀ ନଆସୁଣୁ ଡେଙ୍ଗୁ ପ୍ରଭାବ ଦେଖା ଦେଇଥିବାରୁ ପାଣି ଜମୁଥିବା ଅଞ୍ଚଳ ପରିଷ୍କାର କରିବା ତଥା ଏହାର ନିୟମିତ ଯାଞ୍ଚ କରିବା ଲାଗି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯିବ। 

H7.ADR Report: ବୈଜୟନ୍ତ ସବୁଠାରୁ ଧନୀ
ଆସୋସିଏସନ୍‍ ଫଳ ଡେମୋକୟାଟିକ୍‍ ରିଫର୍ମ ଏବଂ ଓଡ଼ିଶା ଇଲେକ୍ସନ୍‍ ଓ୍ୱାଚ୍‍ ପକ୍ଷରୁ ରାଜ୍ୟର ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ପ୍ରାର୍ଥୀଙ୍କ ସତ୍ୟପାଠ ସମ୍ବନ୍ଧିତ ତଥ୍ୟକୁ ଜାରି କରାଯାଇଛି। ଏହି ରିପୋର୍ଟ ଅନୁସାରେ ବୈଜୟନ୍ତ ହେଉଛନ୍ତି ସର୍ବାଧିକ ଧନୀ ପ୍ରାର୍ଥୀ। ସେହିପରି ବିଜେଡିରୁ ପ୍ରାର୍ଥୀ ହୋଇଥିବା ସୁଦାମ ମାର୍ଣ୍ଡି ହେଉଛନ୍ତି ସବୁଠାରୁ ଅଧିକ ମାମଲା ଧାରଣ କରିଥିବା ପ୍ରାର୍ଥୀ। 

H8. Naveen Criticises on Alleged AI video:  ଏଆଇ ଭିଡ଼ିଓକୁ ନେଇ ମୁଖ୍ୟମନ୍ତ୍ରୀ ଜବାବ
କୃତ୍ରିମ ବୁଦ୍ଧିମତ୍ତା ବ୍ୟବହାର କରି ନବୀନ ଭିଡିଓ ତିଆରି କରୁଛନ୍ତି ବୋଲି ଆସିଥିବା ଅଭିଯୋଗକୁ ମୁଖ୍ୟମନ୍ତ୍ରୀ ନଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଖଣ୍ଡନ କରିଛନ୍ତି। ତାଙ୍କୁ ଦଳର ଅନ୍ୟତମ ଷ୍ଟାର ପ୍ରଚାରକ ଭିକେ ପାଣ୍ଡିଆନ୍‍ ପଚାରିଥିବା ପ୍ରଶ୍ନର ଉତ୍ତରରେ ନବୀନ କହିଛନ୍ତି ଯେଉଁମାନେ ଏହି ଅଭିଯୋଗ ଆଣୁଛନ୍ତି ସେମାନେ ତାଙ୍କ ବୁଦ୍ଧିମତା ବ୍ୟବହାର କରନ୍ତୁ। ବିଜେପି ଜାତୀୟ ସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଏହି ଅଭିଯୋଗ ଆଣିଥିଲେ। 

H9. PM to come to Odisha again: ୨୯ରେ ଆସିବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦର ରାଜ୍ୟରେ ବିଜେପି ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବାକୁ ଗସ୍ତ କରିବେ। ୨୯ ତାରିଖ ଅର୍ଥାତ୍‍ ଶେଷ ପର୍ଯ୍ୟାୟ ନିର୍ବାଚନର ଶେଷ ଦିନରେ ସେ ରାଜ୍ୟରେ ପହଞ୍ଚି କେନ୍ଦ୍ରାପଡ଼ା ଗସ୍ତ କରିବେ। ସେଠାରେ ନିର୍ବାଚନ ସଭାକୁ ଉଦବୋଧନ କରିବେ। ଏହାଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ  ୨୬ ତାରିଖଠାରୁ ରାଜ୍ୟଗସ୍ତରେ ରହିବେ। 

H10. 45% of cyber fraudsters from South East Asia Target Indians: ଭାରତୀୟଙ୍କ ଉପରେ ଆକ୍ରମଣ କରୁଛନ୍ତି ଏସୀୟ ଦୁର୍ବୃତ୍ତ
ଭାରତୀୟଙ୍କ ଉପରେ ସାଇବର ଆକ୍ରମଣ କରୁଛନ୍ତି ଦକ୍ଷିଶ ଏସୀୟ ଦେଶର ଦୁର୍ବୃର୍ତ୍ତ। ବିଶେଷକରି କାମ୍ବୋଡ଼ିଆ, ମ୍ୟାଁମାର ଏବଂ ଲାଓସରୁ ଏହିପରି ଆକ୍ରମଣ ହେଉଛି ବୋଲି ଗୃହ ମନ୍ତ୍ରଣାଳୟ ଏକ ରିପୋର୍ଟରେ କହିଛନ୍ତି। ଏଥିରେ କୁହାଯାଇଛି ଯେ, ପ୍ରତିଦିନ ଦେଶରେ ୭୦୦୦ ମାମଲା ସାଇବର ଅପରାଧ ସମ୍ପର୍କିତ ଦାଖଲ ହେଉଛି। ସେଥିରୁ ଅଧିକାଂଶ ଏହି ତିନି ଦେଶରୁ ସୃଷ୍ଟି ବୋଲି ସ୍ପଷ୍ଟ କରାଯାଇଛି।