Pakistan energy crisis: ରାତିରେ ବନ୍ଦ ରହିବ ଦୋକାନ ବଜାର
Advertisement

Pakistan energy crisis: ରାତିରେ ବନ୍ଦ ରହିବ ଦୋକାନ ବଜାର

Pakistan energy crisis: ସିନ୍ଧର ପଦକ୍ଷେପକୁ ଦେଖି ପଞ୍ଜାବ ପ୍ରଦେଶ ମଧ୍ୟ ଶକ୍ତି ସଂରକ୍ଷଣ ଏବଂ ଦେଶରେ ଇନ୍ଧନ ମୂଲ୍ୟ ବୃଦ୍ଧି ନିୟନ୍ତ୍ରଣ କରିବା ପାଇଁ ଦୋକାନ ବଜାର ସକାଳୁ ସକାଳୁ ରାତି ୯ଟା ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି । 

ସାଙ୍କେତିକ ଫଟୋ

Pakistan energy crisis: ପାକିସ୍ତାନରେ ଅଧିକାଂଶ କ୍ଷେତ୍ରରେ ଖାଲି ସଙ୍କଟ ସଙ୍କଟ ସଙ୍କଟ ଲାଗିରହିଛି । କେତେବେଳେ ଅର୍ଥନୈତିକ ଅସ୍ଥିରତା ତ କେତେବେଳେ ରାଜନୈତିକ ଅସ୍ଥିରତା । ଏହାରି ଭିତରେ ଆଉ ଏକ ସଙ୍କଟ ସାମ୍ନାକୁ ଆସିଛି ତାହା ହେଉଛି ଶକ୍ତି ସଙ୍କଟ । ଆଉ ସେଥିପାଇଁ ବିଭିନ୍ନ ପ୍ରଦେଶ ଗୁଡ଼ିକ ଶକ୍ତି ଅପଚୟ ରୋକିବାକୁ ପ୍ରଚେଷ୍ଟା ଜାରି ରଖିଛନ୍ତି । ଶକ୍ତି ସଙ୍କଟ ରୋକିବାକୁ ଏବେ ପାକିସ୍ତାନର ପଞ୍ଚାବ ପ୍ରଦେଶ ଶକ୍ତି ସଂରକ୍ଷଣ (energy-conservation) କରିବାକୁ ଯୋଜନା ପ୍ରସ୍ତୁତ କରୁଥିବା ନେଇ ବିଭିନ୍ନ ପାକିସ୍ତାନୀ ଗଣମାଧ୍ୟମରେ ପ୍ରକାଶ ପାଇଛି ।

ପ୍ରବଳ ଗ୍ରୀଷ୍ମପ୍ରବାହ ବେଳେ ପାକିସ୍ତାନରେ ଏବେ ବାରମ୍ୱାର ପାୱାର କଟ୍ ପାଇଁ ଲୋକେ ହିନସ୍ତା ହେବାରେ ଲାଗିଛନ୍ତି । ଏହି ଶକ୍ତି ସଙ୍କଟ ପାଇଁ ଶେହବାଜ ସରିଫଙ୍କ ସରକାର ପୂର୍ବରୁ ଥିବା ପାକିସ୍ତାନ ତେହେରିକ-ଇ-ଇନସାଫ (PTI)କୁ ଦାୟୀ କରିଛନ୍ତି । ଯୋଗାଣ ଓ ଚାହିଦାକୁ ଦୃଷ୍ଟିରେ ରଖି ଶକ୍ତି ସଙ୍କଟ କମାଇବାକୁ ସରକାର ଯୋଜନା କରିଛନ୍ତି । ସେଥିପାଇଁ ସକାଳେ ବ୍ୟବସାୟିକ କାର୍ଯ୍ୟକଳାପ ପାଇଁ ବିଜୁଳି ବ୍ୟବହାର କରିବାକୁ କହିଛନ୍ତି । ଏହାସହ ସିନ୍ଧରେ ବିଦ୍ୟୁତ୍ ସଂରକ୍ଷଣ କରିବା ପାଇଁ ଏକ ମାସ ପର୍ଯ୍ୟନ୍ତ ସମସ୍ତ ମାର୍କେଟ ଓ ମଲ୍ ଗୁଡ଼ିକୁ ରାତି ୯ଟା ସୁଦ୍ଧା ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ବନ୍ଦରୁ କେବଳ କ୍ଷୀର ଦୋକାନ, ବେକରୀ, ଏବଂ ଦୁଗ୍ଧ ଗାଡ଼ି ବାଦ ପଡ଼ିବ ବୋଲି ଶୁକ୍ରବାର ସିନ୍ଧ ପ୍ରଦେଶର ସରକାର ଘୋଷଣା କରିଛନ୍ତି । ଯାହା ଦ୍ୱାରା ଶକ୍ତି ସଂରକ୍ଷଣ ସହ ପେଟ୍ରୋଲ ଡିଜେଲ ଦରରେ ରୋକ ଲାଗିପାରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

ସିନ୍ଧର ପଦକ୍ଷେପକୁ ଦେଖି ପଞ୍ଜାବ ପ୍ରଦେଶ ମଧ୍ୟ ଶକ୍ତି ସଂରକ୍ଷଣ ଏବଂ ଦେଶରେ ଇନ୍ଧନ ମୂଲ୍ୟ ବୃଦ୍ଧି ନିୟନ୍ତ୍ରଣ କରିବା ପାଇଁ ଦୋକାନ ବଜାର ସକାଳୁ ସକାଳୁ ରାତି ୯ଟା ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି । ପଞ୍ଜାବରେ ମଧ୍ୟ ଫାର୍ମାସି, ଡାକ୍ତରଖାନା, ବେକରୀ, ଦୁଗ୍ଧ, ଏବଂ ଗ୍ୟାସ୍ ଷ୍ଟେସନ୍ ବନ୍ଦରୁ ବାଦ ଦିଆଯିବ । ଏହାସହ ରେଷ୍ଟୁରାଣ୍ଟ ଏବଂ ହୋଟେଲ ଗୁଡ଼ିକୁ ଶୀଘ୍ର ବନ୍ଦ କରିବାକୁ ଅଧିକାରୀମାନେ ମଧ୍ୟ ବିଚାର କରୁଥିବା କୁହାଯାଇଛି । ଜିଓ ନ୍ୟୁଜ୍ ଦ୍ୱାରା କୁହାଯାଇଥିବା ସୂତ୍ର ଅନୁଯାୟୀ, ଶକ୍ତି ସଂରକ୍ଷଣ ଯୋଜନା ଆସନ୍ତା ସପ୍ତାହରୁ କାର୍ଯ୍ୟକାରୀ ହେବ ଏବଂ ଶକ୍ତି ସଞ୍ଚୟ ଯୋଜନାର ପ୍ରଥମ ପର୍ଯ୍ୟାୟରେ ଏହି ପ୍ରତିବନ୍ଧକ ଦୁଇମାସ ପାଇଁ ଲାଗୁହେବ । ଏହି ସପ୍ତାହ ଆରମ୍ଭରେ, ପାକିସ୍ତାନର ଅନେକ କେନ୍ଦ୍ରମନ୍ତ୍ରୀ ବ୍ୟବସାୟୀମାନଙ୍କୁ ଇନ୍ଧନ ଏବଂ ବିଦ୍ୟୁତର ଅପଚୟକୁ ହ୍ରାସ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ ।

ଏପରିକି ପାକିସ୍ତାନ ସରକାର ୧.୫ ବିଲିୟନ ଡ଼ଲାରର ବିଦ୍ୟୁତ୍ ଦେୟ ଦେବାରେ ବିଫଳ ହେବାରୁ ବିଦ୍ୟୁତ୍ ବିତରକ କମ୍ପାନୀ ଏକାଧିକ ପ୍ଲାଣ୍ଟ ବନ୍ଦ କରିଦେଇଛନ୍ତି । ଇନଷ୍ଟିଚ୍ୟୁଟ୍ ଅଫ୍ ଷ୍ଟ୍ରାଟେଜିକ୍ ଷ୍ଟଡିଜ୍ ଇସଲାମାବାଦର ଗବେଷକ ଅହମ୍ମଦ ନାଏମ୍ ସାଲିକଙ୍କ ଅନୁସାରେ ପାକିସ୍ତାନର ବର୍ତ୍ତମାନର ବିଦ୍ୟୁତ୍ ଉତ୍ପାଦନ କ୍ଷମତା ୪୧ ହଜାର ମେଗାୱାଟ ହୋଇଥିବାବେଳେ ବ୍ୟବହାର ପ୍ରାୟ ୨୮ହଜାର ମେଗାୱାଟ ରହିଛି । ଏହା ସହିତ ପାକିସ୍ତାନରେ ଇନ୍ଧନ ମୂଲ୍ୟ ବୃଦ୍ଧି ବିରୋଧରେ ସିନ୍ଧର କିଛି ଅଞ୍ଚଳରେ ବିରୋଧ ପ୍ରଦର୍ଶନ କରାଯାଇଥିଲା ।

ଏହା ବି ପଢ଼ନ୍ତୁ: IND vs SA 5th T20: ଅନ୍ତିମ ମ୍ୟାଚରେ ଟିମ୍ ଇଣ୍ଡିଆ ଏହି ଖେଳାଳିଙ୍କୁ ମିଳିପାରେ ସ୍ଥାନ, ଜାଣନ୍ତୁ କିଏ ପଡ଼ିବ ବାଦ