ସରୁନି ଅଙ୍କକଷା, ମିଳୁନି ଉତ୍ତର; ପୁରୁଣା ଦାବିରେ ଅଟଳ କୃଷକ ସଂଘ
Advertisement

ସରୁନି ଅଙ୍କକଷା, ମିଳୁନି ଉତ୍ତର; ପୁରୁଣା ଦାବିରେ ଅଟଳ କୃଷକ ସଂଘ

ସରକାରଙ୍କ ପକ୍ଷରୁ ଲିଖିତ ପ୍ରସ୍ତାବ ଉପରେ ଏ ପର୍ଯ୍ୟନ୍ତ କୃଷକ ସଙ୍ଗଠନ ପକ୍ଷରୁ କୌଣସି ଉତ୍ତର ରଖାଯାଇନାହିଁ। ଆଲୋଚନା ପାଇଁ କୃଷକ ପ୍ରସ୍ତୁତ ଥିବାବେଳେ ଆଇନ ରଦ୍ଦ ନହେବା ଯାଏ ଆନ୍ଦୋଳନ ଜାରି ରଖିବାକୁ କୃଷକ ନେତା ମତ ରଖିଛନ୍ତି।

ସରୁନି ଅଙ୍କକଷା, ମିଳୁନି ଉତ୍ତର; ପୁରୁଣା ଦାବିରେ ଅଟଳ କୃଷକ ସଂଘ

ନୂଆଦିଲ୍ଲୀ: କେବେ ସରିବ କୃଷକ ଆନ୍ଦୋଳନ (Farmer Protest)। ଏବେ କାହା ପାଖରେ ନାହିଁ ଏହି ପ୍ରଶ୍ନର ଉତ୍ତର। ନୂଆ କୃଷି ଆଇନ ବିରୋଧରେ ୧୭ ଦିନ ଧରି ଜାରି ରହିଥିବା ଆନ୍ଦୋଳନ ଶେଷ କରିବା ପାଇଁ ସରକାରଙ୍କ ପ୍ରୟାସ ଫେଲ ମାରିଛି। ପୁଣି ପଞ୍ଜାବରୁ ହଜାର ହଜାର ସଂଖ୍ୟାରେ କୃଷକ ଦିଲ୍ଲୀ ମୁହାଁ ହୋଇଥିବାବେଳେ ନୂଆ କୃଷି ଆଇନକୁ (Farm Act 2020 ) ନେଇ ପ୍ରଧାନମନ୍ତ୍ରୀ ମୋଦି ପୁଣିଥରେ କୃଷକଙ୍କୁ ଭରଷା ଦେଇଛନ୍ତି। ନୂଆ ଆଇନ କୃଷକଙ୍କୁ ନୂଆ ବଜାର ଓ ନୂଆ ବିକଳ୍ପ ପ୍ରଦାନ କରିବା ସହିତ ସରକାର କୃଷକଙ୍କ ସ୍ୱାର୍ଥ ଉପରେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ବୋଲି ଶନିବାର ଫିକି ବାର୍ଷିକ ବୈଠକରେ ସ୍ପଷ୍ଟ କରିଛନ୍ତି ପିଏମ ମୋଦି (PM Modi) ।  

ସେପଟେ କୃଷି ଆଇନ ବିରୋଧି ଆନ୍ଦୋଳନରେ ବାମପନ୍ଥୀ (Leftist) ମାଓବାଦୀ (Maoist) ଲିଙ୍କ ସାମ୍ନାକୁ ଆସିବା ପରେ ଏହାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ। ଗଣତନ୍ତ୍ରରେ କୃଷକ ସମାଜ ନିଜ ଦାବି ପୂରଣ ପାଇଁ ଆନ୍ଦୋଳନର ପନ୍ଥା ଗ୍ରହଣ କରିବା ସ୍ୱାଗତଯୋଗ୍ୟ ହୋଇଥିଲେ ମଧ୍ୟ ଆନ୍ଦୋଳନ ବାହାନାରେ ଦେଶ ବିରୋଧି ଶକ୍ତି (Anti National Element) ତଥା ଗୋଷ୍ଠୀର ପ୍ରଭାବ ବୃଦ୍ଧିକୁ ବରଦାସ୍ତ କରାଯିବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ବୟାନ ରଖିଛନ୍ତି। ଶନିବାର ଆନ୍ଦୋଳନରତ କୃଷକ ଉତ୍ତରପ୍ରଦେଶ, ହରିୟାଣା ଠାରେ ଅନେକ ଟୋଲ ପ୍ଲାଜାକୁ ଫ୍ରି କରିବା ସହ ଘେରାବନ୍ଦୀ କରିଛନ୍ତି।

ସରକାରଙ୍କ ପକ୍ଷରୁ ଲିଖିତ ପ୍ରସ୍ତାବ ଉପରେ ଏ ପର୍ଯ୍ୟନ୍ତ କୃଷକ ସଙ୍ଗଠନ ପକ୍ଷରୁ କୌଣସି ଉତ୍ତର ରଖାଯାଇନାହିଁ। ଆଲୋଚନା ପାଇଁ କୃଷକ ପ୍ରସ୍ତୁତ ଥିବାବେଳେ ଆଇନ ରଦ୍ଦ ନହେବା ଯାଏ ଆନ୍ଦୋଳନ ଜାରି ରଖିବାକୁ କୃଷକ ନେତା ମତ ରଖିଛନ୍ତି। ଆସନ୍ତା ୧୪ତାରିଖରେ କୃଷକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପ୍ରଦର୍ଶନ କରିବାକୁ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ସୁନୀଲ ଝାକଡ ଘୋଷଣା କରିଛନ୍ତି।

Also read: କୃଷକ ଆନ୍ଦୋଳନ ବେଳେ ଆଇଏସଆଇ ଚଳାଇଛି ଖଲିସ୍ତାନ ଗଠନ ଅଭିଯାନ! ମିଳିଲା ଏପରି ପ୍ରମାଣ

କୃଷକ ଆନ୍ଦୋଳନ ଦିନକୁ ଦିନ ତେଜୁଥିବା ବେଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି। ଦାବି ପୂରଣ ପାଇଁ କୃଷକଙ୍କୁ କେତେ ଦିନ ଏପରି ସଂଘର୍ଷ କରିବାକୁ ପଡିବ ବୋଲି ପ୍ରଶ୍ନ କରିଛନ୍ତି ରାହୁଲ। ସେପଟେ ନୂଆ କୃଷି ଆଇନକୁ ନେଇ ଲୋକଙ୍କ ଭ୍ରମ ଦୂର କରିବାକୁ ବିଜେପି ଶନିବାର ଦେଶର ୧୦୦ଟି ସହରରେ କୃଷି ସମ୍ମିଳନୀ ଆରମ୍ଭ କରିଛି।