ଶୀତ ଦିନିଆ ଦେବକୁଣ୍ଡ ପର୍ଯ୍ୟଟନ, ଓଃ କି ମଜା...
Advertisement

ଶୀତ ଦିନିଆ ଦେବକୁଣ୍ଡ ପର୍ଯ୍ୟଟନ, ଓଃ କି ମଜା...

ପର୍ଯ୍ୟଟନସ୍ଥଳୀ ଦେବକୁଣ୍ଡ, ଥରେ ନିଶ୍ଚୟ ଯାଆନ୍ତୁ

ଫଟୋ ସୌଜନ୍ୟ: ଜୀ ମିଡିଆ

ସନ୍ଦୀପ ମହାନ୍ତି, ଉଦଳା: ପ୍ରାକୃତିକ ସୌନ୍ଦଯ୍ୟରେ ପରିପୂର୍ଣ୍ଣ ଶିମିଳିପାଳ ପୂର୍ବ ପାଦଦେଶରେ ଅବସ୍ଥିତ ଦେବକୁଣ୍ଡ । ଶୀତଦିନେ ଏଠାରେ  ପର୍ଯ୍ୟଟକଙ୍କ ଭିଡ ଲାଗିଛି । ଝରଣାଠାରୁ ଆରମ୍ଭ କରି ପ୍ରାକୃତିକ ସବୁଜିମା ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଆସନ୍ତୁ ବୁଲିଯିବା ମା ଅମ୍ବିକାଙ୍କ ପୀଠ ଦେବକୁଣ୍ଡକୁ ।

ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ କୁଣ୍ଡାବାଇ ପଞ୍ଚାୟତରେ ଅବସ୍ଥିତ ମାଆ ଅମ୍ବିକାଙ୍କ ପୀଠ ଦେବକୁଣ୍ଡ । ଦେଓନଦୀର କାଚକେନ୍ଦୁ ପରି ସ୍ୱଚ୍ଛ ଜଳ, ଗୁରୁଗମ୍ଭୀର ଗର୍ଜନ କରି ସାଗରର ଭ୍ରମ ସୃଷ୍ଟି କରୁଥିବା ଝରଣାର ଦୃଶ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଛି । ଏହି ପୀଠରେ ମାଁ ଅମ୍ବିକାଙ୍କ ଦର୍ଶନ କରିବା ସହିତ ବଣଭୋଜିର ମଜା ନେଉଛନ୍ତି ପର୍ଯ୍ୟଟକ । କେବଳ ରାଜ୍ୟର ନୁହେଁ ରାଜ୍ୟ ବାହାରୁ ମଧ୍ୟ ହଜାର ହଜାର ପର୍ଯ୍ୟଟକଙ୍କର ଏଠାରେ ଭିଡ ଲାଗିଛି । ପାହାଡର ବୁକୁ ଚିରି ବହି ଆସିଥିବା ଝରଣା ପାର୍ଶ୍ୱରେ ଅବସ୍ଥାପିତ ମାଆ ଅମ୍ବିକାଙ୍କ ଦର୍ଶନ ନିମନ୍ତେ ସିଢି ଚଢିବାର ମଜା ଠାରୁ ଆରମ୍ଭ କରି ଏହି ଥଣ୍ଡା ପାଣିରେ ଗାଧୋଇ ମଜାଉଠାଉଛନ୍ତି ପର୍ଯ୍ୟଟକ । ସେଲ୍ଫି ଉଠାଇବାକୁ ଭୁଲୁନାହାନ୍ତି ପର୍ଯ୍ୟଟକ ।  

fallback

କିମ୍ବଦନ୍ତୀ ଅନୁସାରେ ଦକ୍ଷ ପ୍ରଜାପତିଙ୍କର ଯଜ୍ଞ ସମୟରେ ନିଜ ପତିଦେବଙ୍କ ଅବମାନନା ସହ୍ୟ କରି ନ ପାରି ଦେବୀ ସତୀ ଆତ୍ମବିସର୍ଜନ କରିଥିଲେ । ସେଥିରେ କ୍ରୋଧାନ୍ୱିତ ହୋଇ ସଦାଶିବ ଦେବୀ ସତୀଙ୍କ ଶରୀରକୁ ଧାରଣ କରି ତାଣ୍ଡବ ନୃତ୍ୟ ଆରମ୍ଭ କରିଥିଲେ । ସଦାଶିବଙ୍କ ଏହି ନୃତ୍ୟ ଯୋଗୁଁ  ତ୍ରିଲୋକ ଭୟରେ ପ୍ରକମ୍ପିତ ହେଲା । ତେଣୁ ପାଳନକର୍ତ୍ତା ବିଷ୍ଣୁ ତ୍ରିଭୁବନର ରକ୍ଷା ନିମନ୍ତେ ସୁଦର୍ଶନ ଚକ୍ର ଦ୍ୱାରା ଦେବୀ ସତୀଙ୍କୁ ଶରୀରରକୁ କାଟି ପକାଇଲେ । ଦେବୀ ସତୀଙ୍କ ଶରୀର ୫୨ ଖଣ୍ଡରେ ବିଭକ୍ତ ହୋଇ ଭାରତର ବିଭିନ୍ନ ସ୍ଥାନରେ ପଡିଲା । ଦେବୀ ନାନା ରୂପରେ ବିଭିନ୍ନ ସ୍ଥାନରେ ପୂଜିତ ହେଲେ । ଦେବକୁଣ୍ଡ ହେଉଛି ଦେବୀଙ୍କର ୫୧ ତମ ପୀଠସ୍ଥଳୀ । ଏହି ସ୍ଥାନରୁ ୫ ଟି କୁଣ୍ଡ ବାହାରିଛି । ଯାହାକି ପୀଠସ୍ଥଳୀକୁ ପଞ୍ଚସାଗର ନାମରେ ନାମିତ କରିଛି । ସେ ଗୁଡିକ ହେଲା ଭୁଦାରକୁଣ୍ଡ, ତୈଳ କୁଣ୍ଡ, ହରିଦ୍ରା କୁଣ୍ଡ, ଦେବୀ କୁଣ୍ଡ, ଦେବ କୁଣ୍ଡ  । ଦେବକୁଣ୍ଡର ସୁନ୍ଦର ଓ ସ୍ୱଚ୍ଛ ପରିବେଶ କୌଣସି ଲୋକଙ୍କୁ ସହଜରେ ଆକୃଷ୍ଟ କରିପାରିବ । କେବଳ ମୟୂରଭଞ୍ଜ ନୁହେଁ ରାଜ୍ୟ ତଥା ରାଜ୍ୟ ବାହାରେ ଦେବକୁଣ୍ଡ ନିଜର ଏକ ସ୍ୱତନ୍ତ୍ର ଗାରିମା ବଜାୟ ରଖିଥିବା ବେଳେ ପ୍ରତି ବର୍ଷ ଏଠାକୁ ହଜାର ହଜାର ଲୋକଙ୍କ ସୁଅ ଛୁଟିଥାଏ ।

ମାଆ ଅମ୍ବିକାଙ୍କ ପୀଠରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ଚାଲିଛି  । ବର୍ଷ ତମାମ ଏଠାରେ ଭିଡ ଲାଗୁଥିବା ବେଳେ ଶୀତ ଦିନେ ପୀଠରେ ହଜାର ହଜାର ଭକ୍ତଙ୍କ ଭିଡ ଲାଗିଛି । ଏହା ସହ ଏଠାରେ ରହିଛି ଛୋଟ ଛୋଟ ପିଲାଙ୍କ ନିମନ୍ତେ ଚିଲଡ୍ରେନ୍ ପାର୍କ । ଯାହାକି ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରୁଛି  । ଶିମିଳିପାଳର ସୌନ୍ଦର୍ଯ୍ୟକୁ ବଢାଉଥିବା ଏହି ପର୍ଯ୍ୟଟନସ୍ଥଳୀକୁ ରାସ୍ତା ଖରାପ ଥିବାରୁ ଏହାକୁ ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏହି ପର୍ଯ୍ୟଟନସ୍ଥଳୀର ବିକାଶ ଦିଗରେ ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ଜିଲ୍ଲା ପ୍ରଶାସନ ନଜର ଦେଲେ ଏଠାକୁ ଆସୁଥିବା  ପର୍ଯ୍ୟଟକଙ୍କ ସଂଖ୍ୟା ଅଧିକ ବୃଦ୍ଧି ପାଆନ୍ତା ।

ଆହୁରି ପଢନ୍ତୁ; ଅଭୁଲା-19: ଏହି ତୁଙ୍ଗ ନେତାଙ୍କୁ ହରାଇଛି ଦେଶ