ଇଏ ସେହି ବସ୍, ଯେଉଁଠି ଗଣଦୁଷ୍କର୍ମର ଶିକାର ହୋଇଥିଲେ ନିର୍ଭୟା
Advertisement
Article Detail0/zeeodisha/odisha611199

ଇଏ ସେହି ବସ୍, ଯେଉଁଠି ଗଣଦୁଷ୍କର୍ମର ଶିକାର ହୋଇଥିଲେ ନିର୍ଭୟା

ନିର୍ଭୟା କାହାଣୀର ମୁକସାକ୍ଷୀ ସାଗରପୁର ଡମ୍ପିଂୟାର୍ଡ । କଳଙ୍କି ଲଗା ବସର ସତେଜ କାହାଣୀ । 

ଫଟୋ ସୌଜନ୍ୟ: ପ୍ରତିନିଧି, ଦିଲ୍ଲୀ

ଗଗନ ବିଶ୍ୱାଳ, ନୂଆଦିଲ୍ଲୀ: କଳଙ୍କି ଲଗା ବସର ସତେଜ କାହାଣୀ । କଳା ରାତିର କଳଙ୍କିତ ଘଟଣା । ଆଜି ନିର୍ଭୟା ନାହାଁନ୍ତି, ହେଲେ ନିର୍ଭୟା କାହାଣୀ କହୁଛି ଏହି ବସ । ଠିକଣା-ଦିଲ୍ଲୀ ସାଗରପୁର ଡମ୍ପିଂୟାର୍ଡ । ଏହାରି ଭିତରେ ଘଟଣାକୁ ୭ ବର୍ଷ ବିତିଗଲାଣି । କେବେଠୁ ବସ୍ ଚାଳକ ଆତ୍ମହତ୍ୟା କରିଛି । ଅନ୍ୟ ଦୋଷୀମାନେ ଏବେ ଯମ ଦ୍ୱାରରେ । ହେଲେ ପୁରା ଘଟଣାର ମୁକସାକ୍ଷୀ ଏହି ଦଦରା ବସ୍ । 

୭ ବର୍ଷ ତଳେ ବସ ତ ମୁନିର୍କାରୁ ଦ୍ୱାରିକା ଦେଇ ଆଗକୁ ବଢିଥାନ୍ତା । ହେଲେ ଦ୍ୱାରିକା ଯିବା ବାଟରେ ପଥହୁଡା ହେଲା ଯେ, ଏହାର ଶେଷ ଠିକଣା ଏବେ ସାଗରପୁର ଡମ୍ପିଂୟାର୍ଡ । ବର୍ଷ ବର୍ଷ ଧରି ପଡିପହିଛି,  ଖତ ଖାଉଛି । କଳଙ୍କି ଲାଗିଗଲାଣି । ହେଲେ ଏ ଭଙ୍ଗା ଦଦରା ଅବସ୍ଥାରେ ପଡିରହିଥିବା ବସ୍ ଭିତରେ ଲୁଚି ରହିଛି କଳା ରାତିର କଳଙ୍କିତ କାହାଣୀ । ଏହାର  ସିଟରେ ସିନା ପାଣି ପଶି ନଷ୍ଟ ହେବାକୁ ବସିଛି, ହେଲେ ଦେଶର ସବୁ ବସରେ ମହିଳାଙ୍କୁ ସୁରକ୍ଷିତ ସିଟଟିଏ ଦେବାକୁ ଇଏ ଦେଇଛି  ଆହ୍ୱାନ । ସେଇଥିପାଇଁ ତ ଆଜି ଦିଲ୍ଲୀ ବସରେ ମହିଳାଙ୍କ ସୁରକ୍ଷା ପାଇଁ ମାର୍ଶଲ ନିୟୋଜିତ ହୋଇଛନ୍ତି । 

fallback

ହଁ, ଠିକ ଆଜିକୁ ସାତବର୍ଷ ତଳେ ଆଉ ଆଜି ଭିତରେ ଅନେକ ପରିବର୍ତ୍ତନ । ସାତବର୍ଷ ତଳେ...'ନିର୍ଭୟ' ଶରୀର ଉପରେ ନର ରାକ୍ଷସଙ୍କ ଲୋଲୁପ ଦୃଷ୍ଟି ପଡିଥିଲା । ଆଉ ଆଜି...ନିଜ ଜୀବନ ଭିକ୍ଷା ମାଗୁଛି ଯୌନ ପିପାଷୁ । ସାତ ବର୍ଷ ତଳେ...ସାରା ଦେଶର ନିଦ ହଜେଇ ଦେଇଥିଲେ କିଛି ଯୌନ ପିପାଷୁ । ଆଜି...ଖିଆପିଆ ଭୁଲି ଯାଇଛି ଯୌନ ରାକ୍ଷସ । ସାତବର୍ଷ ତଳେ...ଗଣଦୁଷ୍କର୍ମର ଶୀକାର ହୋଇଥିଲେ ନିର୍ଭୟା । ଆଉ ଜୀବନ ସହ ଲଢେଇ କରୁଥିଲେ । ଆଜି...ରାକ୍ଷସଙ୍କୁ ଘାରିଛି ମୃତ୍ୟୁର ଭୟ । 

fallback

କାହାଣୀ ସାତବର୍ଷର । ଆଜି ନିର୍ଭୟା ନାହାଁନ୍ତି ସତ, ହେଲେ ସମଗ୍ର ଦେଶରେ ଯୌନ ରାକ୍ଷସଙ୍କ ଭିତରେ ଭୟଟିଏ ସୃଷ୍ଟି କରିପାରିଛନ୍ତି । ବୋଧେ ସାତବର୍ଷ ତଳେ ଦେଶରେ ପ୍ରଥମ ଥର ପାଇଁ ଦୁଷ୍କର୍ମକୁ ନେଇ ଏପରି ଉଦବେଗ ପ୍ରକାଶ ପାଇଥିଲା । ଆହୁରି କଠୋର ହୋଇଥିଲା ଆମ ଆଇନ । ଯୌନ ପିପାଷୁଙ୍କ ଉପରେ ହୁଏତ ଏହାର ପ୍ରଭାବ ସେତିକି ପଡିନି । ଆଜି ବି ଉନ୍ନାଓ ଓ ହାଇଦ୍ରାବାଦ ପରି ଘଟଣା ଆମକୁ ଦେଖିବାକୁ ପଡୁଛି । କିନ୍ତୁ ହେଲେ ଏହା ସତ, ବଦଳିଛି ଆମ ସମାଜରେ ଦୃଷ୍ଟିଭଙ୍ଗୀ । ସଚେତନ ହୋଇଛନ୍ତି ଏ ଦେଶର ମହିଳା । ଯୌନ ରାକ୍ଷସଙ୍କ ବିରୋଧରେ ଲଢେଇ କରିବା ପାଇଁ ଶିଖେଇ ଯାଇଛନ୍ତି ନିର୍ଭୟା । 

fallback

ସାତବର୍ଷ ତଳେ ଆଉ ଆଜି...ଇତି ମଧ୍ୟରେ କ'ଣ ପରିବର୍ତ୍ତନ ହୋଇଛି ? ସେହି ଯୌନ ରାକ୍ଷସଙ୍କ ଭିତରେ କ'ଣ ପରିବର୍ତ୍ତନ ହୋଇଛି, ତାହା ତ ତିହାର ଜେଲ କର୍ତ୍ତୃପକ୍ଷ ହିଁ ଜାଣିଥିବେ । ହେଲେ ଦେଶରେ ଏହି ସାତବର୍ଷ ଭିତରେ ସାମ୍ନାକୁ ଆସିଛି ଅନେକ ଘଟଣା । ଯଦିଓ ଦୁଷ୍କର୍ମକୁ ରୋକିବାରେ ଆମେ ଏବେ ବି ଫେଲ, ତେବେ ସଚେତନତାରେ ଏବେ ଆମେ ବହୁ ଆଗରେ । ମନ୍ଥର ନ୍ୟାୟ ବ୍ୟବସ୍ଥାକୁ କ୍ଷୀପ୍ର କରିବାରେ ଆମେ ଆଗକୁ ବଢିଛୁ । ହୋଇପାରେ, ଆଗକୁ ନାରୀକୁ ଆଖି ପକାଇବା ପୂର୍ବରୁ ଶହେ ଥର ଭାବିବ ଦୁଷ୍କର୍ମକାରୀ । ଆଉ ଏହି ପରିବର୍ତ୍ତନରେ ସ୍ୱର୍ଣ୍ଣାକ୍ଷରରେ ସ୍ଥାନ ପାଇବେ ନିର୍ଭୟା । 

ଆହୁରି ପଢନ୍ତୁ; ସାମ୍ନାରେ 'ଯମ' ! ଖିଆପିଆ କମାଇ ଦେଲେଣି 'ନିର୍ଭୟା' ଅପରାଧୀ