ବୌଦ୍ଧରେ ବଢ଼ୁଛି ଦୁର୍ଘଟଣା, ବଢ଼ୁଛି ମୃତ୍ୟୁ ସଂଖ୍ୟା
Advertisement
Article Detail0/zeeodisha/odisha616449

ବୌଦ୍ଧରେ ବଢ଼ୁଛି ଦୁର୍ଘଟଣା, ବଢ଼ୁଛି ମୃତ୍ୟୁ ସଂଖ୍ୟା

ଚଳିତ ବର୍ଷ ଜିଲ୍ଲାରେ ୧୬୧ଟି ଦୁର୍ଘଟଣା ଘଟିଥିବାବେଳେ ସେଥିରେ ୫୭ ଜଣଙ୍କ ପ୍ରାଣହାନୀ ହୋଇଛି। ସେହିପରି ୯୦ ଜଣ ଗୁରୁତର ଆହତ ହୋଇଥିବାବେଳେ ୧୦୩ ଜଣ ଆହତ ହୋଇଛନ୍ତି ।

ବଢ଼ୁଛି ଦୁର୍ଘଟଣା, ବଢ଼ୁଛି ମୃତ୍ୟୁ ସଂଖ୍ୟା

ଗାୟତ୍ରୀ ଚକ୍ରବର୍ତ୍ତୀ, ନୂଆଦିଲ୍ଲୀ: ବୌଦ୍ଧ ଜିଲ୍ଲାରେ ବଢ଼ୁଛି ଦୁର୍ଘଟଣା। ବୃଦ୍ଧି ପାଉଛି ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ।ତେବେ ଏହାର କାରଣ କ'ଣ ?  ନିରାକରଣ କେମିତି କରାଯିବ, ଏହାକୁ ନେଇ ମୁଣ୍ଡ ବ୍ୟଥାର କାରଣ ସାଜିଛି। ଜିଲ୍ଲାର ଆଡେଣୀଗଡ଼ ଠାରୁ ମନମୁଣ୍ଡା ୧୫୦ କିଲୋମିଟର ପାଖାପାଖି ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ୱର ଜାତୀୟ ରାଜପଥ ହେଉ ଅବା ମନମୁଣ୍ଡା-କଣ୍ଟାମାଳ କିମ୍ୱା ଚାରିଛକ-କୁଶଙ୍ଗ ରାସ୍ତା, ସବୁଠି ପ୍ରତିଦିନ ଦୁର୍ଘଟଣାରେ ଲୋକଙ୍କ ଜୀବନହାନୀ ହେଉଛି । 

ତେବେ ଏସବୁ ରାସ୍ତାରେ ବିଗତ ବର୍ଷ ଗୁଡ଼ିକର ରେକର୍ଡ ଭାଙ୍ଗିଛି ଚଳିତବର୍ଷର ଦୁର୍ଘଟଣା। ଚଳିତ ବର୍ଷ ଜିଲ୍ଲାରେ ୧୬୧ଟି ଦୁର୍ଘଟଣା ଘଟିଥିବାବେଳେ ସେଥିରେ ୫୭ ଜଣଙ୍କ ପ୍ରାଣହାନୀ ହୋଇଛି। ସେହିପରି ୯୦ ଜଣ ଗୁରୁତର ଆହତ ହୋଇଥିବାବେଳେ ୧୦୩ ଜଣ ଆହତ ହୋଇଛନ୍ତି । ୨୦୧୬ ମସିହାରେ ୧୨୨ ଟି ଦୁର୍ଘଟଣା ହୋଇଥିବାବେଳେ ୩୫ ଜଣଙ୍କ ପ୍ରାଣ ଯାଇଥିଲା । ସେହିପରି ୩୮ ଜଣ ଗୁରୁତର ଏବଂ ୧୫୨ ଜଣ ଆହତ ହୋଇଥିଲେ । ସେହପରି ୨୦୧୭ରେ ମଧ୍ୟ ୧୫୬ ଟି ଦୁର୍ଘଟଣା ଘଟିଥିବାବେଳେ ୪୯ ଜଣଙ୍କ ମୃତ୍ୟୁ ଘଟିଥିଲା ଓ ୫୨ ଜଣ ଗୁରୁତର ଏବଂ ୧୪୭ ଜଣ ଆହତ ହୋଇଥିଲେ। ୨୦୧୮ ମସିହାରେ ୧୬୦ଟି ଦୁର୍ଘଟଣାରେ ୪୬ ଜଣଙ୍କ ଜୀବନ ଯାଇଥିବାବେଳେ ୮୬ ଜଣ ଗୁରୁତର, ୧୫୭ ଜଣ ଆହତ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି।

ତେବେ ଦୁର୍ଘଟଣାର ବିଭିନ୍ନ କାରଣ ଥିଲେ ବି ମୁଖ୍ୟତଃ ମଦ୍ୟପାନ କରି ବେପରୁଆ ଗାଡ଼ି ଚାଳନା କରିବା ଦୁର୍ଘଟଣାର ମୁଖ୍ୟ କାରଣ। ସେହିପରି ଜାତୀୟ ରାଜପଥ ବିଭାଗର ଖାମଖିଆଲ ମନୋଭାବ କାରଣରୁ ମଧ୍ୟ ଦୁର୍ଘଟଣା ଘଟୁଥିବା ଜଣାପଡ଼ିଛି। ଜାତୀୟ ରାଜପଥ ପ୍ରଶସ୍ତିକରଣ କାମ ଦୀର୍ଘ ବର୍ଷ ହେଲା କାମ ଚାଲୁଥିଲେ ବି ତାହା ସରିବାର ନାଁ ଧରୁନି। ଦୁର୍ଘଟଣା ଘଟୁଥିବା ଅଞ୍ଚଳ ଗୁଡ଼ିକରେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଚିହ୍ନଟ କରି ସଙ୍କେତ ଦିଆଯିବା କଥା, କିନ୍ତୁ ତାହା ବି ଆଜି ଯାଏ ହୋଇପାରି ନାହିଁ  ସେହପରି ବିଭିନ୍ନ ସ୍ଥାନରେ ସ୍ପିଡ ବ୍ରେକର ଏବଂ ରାସ୍ତାରେ ସଙ୍କେତ ମଧ୍ୟ ଲାଗି ପାରିନି । ଅନେକ ଅଙ୍କାବଙ୍କା ରାସ୍ତା ରହିଥିବାରୁ ସେସବୁ ସ୍ଥାନକୁ କିପରି ସରଳ କରାଯିବ, ସେ ଦିଗରେ ବି ଜାତୀୟ ରାଜପଥ ବିଭାଗ କାମ କରୁ ନ ଥିବା ସ୍ଥାନୀୟ ବାସିନ୍ଦା କୁହନ୍ତି । ଅନ୍ୟପଟେ ସରକାର, ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟାକୁ କମାଇବା ପାଇଁ ନୂଆ ମୋଟରଯାନ ଆଇନ ଲାଗୁ କରିଥିବାବେଳେ ବିଭିନ୍ନ ସ୍ଥାନରେ ସଚେତନତା କରାଯାଉଛି । ବିଶେଷ କରି ଜିଲ୍ଲା ପୋଲିସ ଚାଳକଙ୍କୁ ହେଲମେଟ, ସିଟବେଲ୍ଟ ଆଦି ପିନ୍ଧିବା ପାଇଁ କହିବା ସହ ନିୟମିତ ଯାଞ୍ଚ କରି ମଦ୍ୟପାନ କରି ଗାଡି ଚଳାଉଥିବା ଅଭିଯୋଗରେ ୧୦୧ ଜଣ ଚାଳକଙ୍କୁ ଗିରଫ କରାଯାଇଛି ।

ଆହୁରି ପଢନ୍ତୁ; କେବେ ଯାଇଛନ୍ତି କୁମ୍ଭୀଦରହ ? ଶୀତୁଆ ସକାଳେ ଜମୁଛି ପର୍ଯ୍ୟଟକଙ୍କ ଭିଡ