ପିଏଫଆଇ ଉପରେ ସରକାର ଲଗାଇବେ ପ୍ରତିବନ୍ଧକ: କେଶବ ପ୍ରସାଦ
Advertisement
Article Detail0/zeeodisha/odisha617960

ପିଏଫଆଇ ଉପରେ ସରକାର ଲଗାଇବେ ପ୍ରତିବନ୍ଧକ: କେଶବ ପ୍ରସାଦ

ଏନେଇ ସୂଚନା ଦେଇଛନ୍ତି ଉତ୍ତରପ୍ରଦେଶର ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ।  

ପିଏଫଆଇ ଉପରେ ସରକାର ଲଗାଇବେ ପ୍ରତିବନ୍ଧକ: କେଶବ ପ୍ରସାଦ

 

ଲକ୍ଷ୍ନୌ: ନାଗରିକତା ସଂଶୋଧନ ଅଧିନିୟମ(ସିଏଏ)କୁ ନେଇ ଦେଶରେ ଦେଖାଦେଇଥିବା ହିଂସା ମାମଲାରେ ଉତ୍ତରପ୍ରଦେଶ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । ଏହି ହିଂସା କାଣ୍ଡରେ ସାମିଲଥିବା କଠୋରପନ୍ଥୀ ଦଳ ପପୁଲାର ଫ୍ରଣ୍ଟ ଅପ ଇଣ୍ଡିଆ(ପିଏଫଆଇ) ଉପରେ ପ୍ରତିବନ୍ଧକ ଲଗାଇ ପାରନ୍ତି ରାଜ୍ୟ ସରକାର । ଏନେଇ ସୂଚନା ଦେଇଛନ୍ତି ଉତ୍ତରପ୍ରଦେଶର ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ।  

ମୌର୍ଯ୍ୟ କହିଛନ୍ତି, ଘଟିଯାଇଥିବା ହିଂସାକାଣ୍ଡରେ ପିଏଫଆଇର ସମ୍ପୃକ୍ତି ଥିବା ପ୍ରମାଣ ମିଳିଛି । ଏପରିକି ଏହି ସଂଗଠନରେ ସିମି ଆତଙ୍କବାଦୀ ସଂଗଠନର ସଦସ୍ୟ ସାମିଲ ଥିବା ଜଣାପଡ଼ିଛି । ଏଭଳି ସ୍ଥିତିରେ କେହିବି ହିଂସା ଘଟାଇବାକୁ ପ୍ରୟାସ କରନ୍ତି, ତାଙ୍କୁ ଦବାଇ ରଖାଯିବ ବୋଲି ସେ କହିଛନ୍ତି ।  

ଉତ୍ତରପ୍ରଦେଶରେ ସିଏଏ ବିରୋଧ ହିଂସାରେ ପିଏଫଆଇର ବଡ଼ ଭୁମିକା ରହିଥିଲା । ଏନେଇ ମଙ୍ଗଳବାର ହୋଇଥିବା ଏକ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକରେ ଉକ୍ତ ସଂଗଠନ ଉପରେ ବ୍ୟାନ ଲଗାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ସେ ସୂଚନା ଦେଇଛନ୍ତି । ସେପଟେ ଏହି ସଂଗଠନ ଉପରେ ବ୍ୟାନ ଲଗାଇବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି ଡିଜିପି ଓପି ସିଂହ । ଡିଜିପି ଗତ 20 ତାରିଖରେ କେନ୍ଦ୍ରକୁ ଏହି ଚିଠି ଲେଖିଥିଲେ । ଉକ୍ତ ଚିଠିରେ ପିଏଫଆଇର ରାଜନୈତିକ ଶାଖା ସୋଶିଆଲ ଡେମୋକ୍ରାଟିକ ପାର୍ଟି ଅଫ ଇଣ୍ଡିଆ(ଏସଡିପିଆଇ)ର ପ୍ରଦେଶ ଅଧ୍ୟକ୍ଷ ନୁର ହସନଙ୍କ ନାମ ମଧ୍ୟ ସାମିଲ ଥିବା ଦର୍ଶାଇଛନ୍ତି । ସୂଚନାଯୋଗ୍ୟ ପିଏଫଆଇର ପ୍ରଦେଶ ସଂଯୋଜକ ବସୀମ ଅହମ୍ମଦଙ୍କ ସହିତ ଅନ୍ୟ ପଦାଧିକାରୀଙ୍କୁ ମଧ୍ୟ ପୋଲିସ ଗିରଫ କରିଥିବା ଡିଜିପି ଦର୍ଶାଇଥିଲେ ।  

ଉତ୍ତରପ୍ରଦେଶ ହିଂସାରେ ପୋଲିସ ତଦନ୍ତ କରି ବର୍ତ୍ତମାନ ପର୍ଯ୍ୟନ୍ତ ପିଏଫଆଇର ପ୍ରାୟ 20 ଜଣ ସଦସ୍ୟଙ୍କୁ ଗିରଫ କରିଛି । ଏହି ସଂଗଠନକୁ ବେଆଇନ ବୋଲି ଦର୍ଶାଇଛି ଉତ୍ତରପ୍ରଦେଶ ପୋଲିସ । ଏହା ସହିତ ବିଭିନ୍ନ ବେଆଇନ କାର୍ଯ୍ୟକଳାପରେ ସାମିଲ ଥିବା ଦର୍ଶାଇଛି ପୋଲିସ । ଗତ ୨୦୧୭ ମସିହାରେ ଏହି ସଂଗଠନର ସଦସ୍ୟମାନେ ଜିହାଦୀ ଆତଙ୍କବାଦୀ ସଂଗଠନ ସହିତ ସାମିଲ ଥିବା ନେଇ ଦର୍ଶାଇଥିଲେ । ଏହା ସହିତ ଏହି ସଂଗଠନ ଉପରେ ଇସ୍ଲାମିକ କଠୋରପନ୍ଥୀମାନଙ୍କୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ମଧ୍ୟ ହୋଇଛି । ସେପଟେ ସଂଗଠନ ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ ପିଏଫଆଇ ଖଣ୍ଡନ କରିଛି । ମାତ୍ର ଅଧିକାଂଶ ସମୟରେ ଏହି ସଂଗଠନକୁ ନେଇ ବିଭିନ୍ନ ପ୍ରକାର ବିବାଦୀୟ ପରିସ୍ଥିତି ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି ।