ପ୍ରଜ୍ଞାଦୀପ୍ତବାଗ୍ମୀ ଅଟଳଙ୍କୁ ଉପହାର
Advertisement
Article Detail0/zeeodisha/odisha615361

ପ୍ରଜ୍ଞାଦୀପ୍ତବାଗ୍ମୀ ଅଟଳଙ୍କୁ ଉପହାର

 ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭଲ ଉପହାର ପ୍ରଦାନ କରିଛନ୍ତି । ତାଙ୍କ ନାଁରେ ''ଅଟଳ ଭୂଜଳ ଯୋଜନା'' ନାମକ ଏକ ନୂଆ ଯୋଜନା ପ୍ରଧାନମନ୍ତ୍ରୀ ମୋଦି ଶୁଭାରମ୍ଭ କରିଛନ୍ତି । ବିଶ୍ୱ ବ୍ୟାଙ୍କର ୩ ହଜାର କୋଟି ଓ କେନ୍ଦ୍ର ସରକାରଙ୍କ ୩ ହଜାର କୋଟି ଟଙ୍କା ସହଭାଗିତାରେ ଏହି ଯୋଜନା କରାଯାଇଛି । ଏହି ଯୋଜନା ଅନୁସାରେ, ଯେଉଁ ଅଞ୍ଚଳର ଭୂତଳ ଜଳ ତଳକୁ ଚାଲିଯାଇଛି, ସେହି ଅଞ୍ଚଳର ଜଳସ୍ତର ବୃଦ୍ଧି କରାଯିବ। 

ପ୍ରଜ୍ଞାଦୀପ୍ତବାଗ୍ମୀ ଅଟଳଙ୍କୁ ଉପହାର

ଚାରୁ ଚନ୍ଦନ ଦାଶ, ଭୁବନେଶ୍ୱର: ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭଲ ଉପହାର ପ୍ରଦାନ କରିଛନ୍ତି । ତାଙ୍କ ନାଁରେ ''ଅଟଳ ଭୂଜଳ ଯୋଜନା'' ନାମକ ଏକ ନୂଆ ଯୋଜନା ପ୍ରଧାନମନ୍ତ୍ରୀ ମୋଦି ଶୁଭାରମ୍ଭ କରିଛନ୍ତି । ବିଶ୍ୱ ବ୍ୟାଙ୍କର ୩ ହଜାର କୋଟି ଓ କେନ୍ଦ୍ର ସରକାରଙ୍କ ୩ ହଜାର କୋଟି ଟଙ୍କା ସହଭାଗିତାରେ ଏହି ଯୋଜନା କରାଯାଇଛି । ଏହି ଯୋଜନା ଅନୁସାରେ, ଯେଉଁ ଅଞ୍ଚଳର ଭୂତଳ ଜଳ ତଳକୁ ଚାଲିଯାଇଛି, ସେହି ଅଞ୍ଚଳର ଜଳସ୍ତର ବୃଦ୍ଧି କରାଯିବ। 

ସେହିପରି ଏହି ଯୋଜନା କୃଷକଙ୍କ ଆୟକୁ ଦୁଇ ଗୁଣା ବୃଦ୍ଧି କରିବାରେ ସହାୟକ ହେବ ବୋଲି ମଧ୍ୟ ମୋଦି ସରକାର କହିଛନ୍ତି । ତେବେ ଏହି ଯୋଜନା ଦ୍ୱାରା ଭାରତର କେବଳ ୭ଟି ରାଜ୍ୟକୁ ଏହାର ଫାଇଦା ମିଳିବ । ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ଗୁଜରାଟ, ହରିୟାଣା, ରାଜସ୍ଥାନ, କର୍ଣ୍ଣାଟକ ଓ ମହାରାଷ୍ଟ୍ର ସାମିଲ ଅଛନ୍ତି । ଏହା ପାଞ୍ଚ ବର୍ଷୀୟ ଯୋଜନା ହୋଇଥିଲେ ବି ଏଥିରେ ଓଡ଼ିଶାକୁ ସାମିଲ କରାଯାଇନାହିଁ । ବିଭିନ୍ନ ରାଜ୍ୟର ଚିତ୍ର ଉପରେ ନଜର ପକାଇବା ପୂର୍ବରୁ ଓଡ଼ିଶାର ଚିତ୍ର ପ୍ରଥମେ ଦେଖି ନେବା । ରାଜ୍ୟରେ ୪ ଜିଲ୍ଲାର ବିଭିନ୍ନ ବ୍ଲକରେ ଭୂତଳ ଜଳସ୍ତର ଏବେ ଉଦବେଗଜନକ ଅବସ୍ଥାରେ ରହିଛି....ବାଲେଶ୍ୱରର ବାହାନଗା ଓ ବାଲିଆପାଳ, ଯାଜପୁରର କୋରେଇ, କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ଓ ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ବ୍ଲକରେ ଭୂତଳ ଜଳସ୍ତର କମିବାକୁ ଲାଗିଛି । ସେହିପରି ରାଜ୍ୟରେ ୩୧୭ ବ୍ଲକ୍ ମଧ୍ୟରୁ ୬ଟି ବ୍ଲକରେ ଭୂତଳ ଜଳ ଲବଣାକ୍ତ ହୋଇଥିବା ବେଳେ ୪୪ଟି ବ୍ଲକରେ ଆଂଶିକ ଉଦବେଗଜନକ ଅବସ୍ଥାରେ ରହିଛି ଭୂତଳ ଜଳ ସ୍ଥିତି । ସେହିପରି ୨୫୯ଟି ବ୍ଲକରେ ସାଧାରଣ ଜଳସ୍ତରଠାରୁ ୬୦ ପ୍ରତିଶତ ତଳକୁ ଖସି ଯାଇଛି ଭୂତଳ ଜଳର ସ୍ତର। ଏହି ସବୁ ଅଞ୍ଚଳରେ ଜଳସ୍ତର ବୃଦ୍ଧି କରିବା କ'ଣ ଆବଶ୍ୟକ ନୁହେଁ ? ଅବଶ୍ୟ ପରବର୍ତ୍ତୀ ପର୍ଯ୍ୟାୟରେ ଓଡ଼ିଶାର ନାଁ ଏଥିରେ ସାମିଲ ହୋଇପାରେ। ସେହି ସମୟ ଯାଏ ଆମକୁ ଅପେକ୍ଷା କରିବାକୁ ପଡ଼ିବ।

ବିଶ୍ୱ ବ୍ୟାଙ୍କର ଏକ ରିପୋର୍ଟ ଅନୁସାରେ, ଭାରତ ସବୁଠୁ ଅଧିକ ଭୂତଳ ଜଳ ଉତ୍ତୋଳନ କରୁଥିବା ଦେଶ ଗୁଡ଼ିକ ମଧ୍ୟରେ ସର୍ବଶ୍ରେଷ୍ଠ। ବିଶ୍ୱରେ ଯେତିକି ଭୂତଳ ଜଳ ଅଛି, ତାହାର ୨୫ ପ୍ରତିଶତ ପ୍ରତିବର୍ଷ ଭାରତ ଉତ୍ତୋଳନ କରିଥାଏ । ଅର୍ଥାତ୍ ୨ ଲକ୍ଷ ୫୦ ହଜାର କୋଟି ଲିଟର ଭୂତଳ ଜଳ ଭାରତ କାଢ଼ିଥାଏ । ତେବେ ଏହି ଭୂତଳ ଜଳ ନଷ୍ଟ କରିବାର ପ୍ରମୁଖ କାରଣ ହେଉଛି ସବ୍ ମର୍ସିବୁଲ୍ ପମ୍ପ୍ । ଏହି ପମ୍ପର ବ୍ୟବହାର ବନ୍ଦ କରିବାକୁ ବିଭିନ୍ନ ରାଜ୍ୟରେ କଟକଣା ଲଗାଯାଇଛି, ତଥାପି ମଧ୍ୟ କେତେକ ସ୍ଥାନରେ ଏହାର ବ୍ୟବହାର କରାଯାଉଛି । କାରଣ, ସବ୍ ମର୍ସିବୁଲ୍ ପମ୍ପ୍ ଅଧିକ ବ୍ୟବହାର ହେତୁ ଭୂ-ତଳ ଜଳ ଦିନକୁ ଦିନ ଗାୟବ ହେବାରେ ଲାଗିଛି । ଏହା ଉପରେ ଯଦି ନିୟନ୍ତ୍ରଣ ନ ରୁହେ, ତେବେ ଆଉ କିଛି ବର୍ଷ ପରେ ଭୂ-ତଳ ଜଳ ସମ୍ପୂର୍ଣ୍ଣ ଭାବେ ଉଭେଇ ଯିବ । 

୨୦୧୦ ମସିହାରେ ପଞ୍ଜାବ-ହରିୟାଣା ହାଇକୋର୍ଟ ଗୁରୁଗ୍ରାମରେ ବୋରୱେଲ୍ ଲଗାଇବା ଉପରେ ରୋକ୍ ଲଗାଇଥିଲେ । କାରଣ ଏହାର ବ୍ୟବହାର ବହୁଳ ମାତ୍ରାରେ ହେଲେ ୨୦୪୦ ମସିହା ସୁଦ୍ଧା ଭାରତରେ ଭୂତଳ ଜଳ ଶେଷ ହୋଇଯିବ । ଆମ ସୁବିଧା ପାଇଁ ଆମେ ପରିବେଶ ତ ନଷ୍ଟ କରୁଛେ, ତତସଙ୍ଗେ ପ୍ରାକୃତିକ ସମ୍ପଦକୁ ବି ନଷ୍ଟ କରି ଦେଉଛେ । ସେଣ୍ଟ୍ରାଲ ଗ୍ରାଉଣ୍ଡ ୱାଟର ବୋର୍ଡ ଦ୍ୱାରା ସାରା ଦେଶରେ ୨୩ ହଜାର ୧୯୬ଟି ଷ୍ଟେସନରେ ଭୂତଳ ଜଳର ପରିମାଣ ମପାଯାଉଛି । ଜାନୁଆରୀ, ମାର୍ଚ୍ଚ, ଏପ୍ରିଲ, ମେ', ଅଗଷ୍ଟ ଓ ନଭେମ୍ୱର ମାସରେ ଏହି ସର୍ଭେ କରାଯାଇଥାଏ । ତେବେ ଏହି ସର୍ଭେ କେତେ ଦୂର ଚାଲିଛି, ତାହା ବାସ୍ତବ ସ୍ଥିତି ପରଖିଲେ ଠିକ୍ ଜଣାପଡ଼େ ।

ସେହିପରି ପଲିସି ରିସର୍ଚ୍ଚ ଷ୍ଟଡିଜ୍ (ପିଆରଏସ) ୨୦୧୬ରେ ଏକ ରିପୋର୍ଟ ପ୍ରସ୍ତୁତ କରିଥିଲା, ଯାହା ସେଣ୍ଟ୍ରାଲ୍ ଗ୍ରାଉଣ୍ଡ ବୋର୍ଡ ରିପୋର୍ଟ ଆଧାରିତ ଥିଲା । ଦେଶର ୧୦ଟି ରାଜ୍ୟର ଭୂତଳ ଜଳରେ ଆର୍ସେନିକ୍ ରହିଛି । ଆର୍ସେନିକ୍ ଦ୍ୱାରା କ୍ୟାନସର୍, ହାର୍ଟ ଆଟାକ୍ (ଯାହାକୁ ହୃଦରୋଗ କୁହାଯାଏ),  ଡାଏବେଟିସ୍ ବା ମଧୁମେହ ରୋଗ ଆଦି ହୋଇଥାଏ । ୨୦ରୁ ଶହେ ମିଟର ଜଳସ୍ତର ଭିତରେ ଏହି ଆର୍ସେନିକ୍ ଦେଖିବାକୁ ମିଳିଥାଏ । କିନ୍ତୁ ଏଥିପ୍ରତି କେହି ଧ୍ୟାନ ଦେଇ ନ ଥାନ୍ତି । ଏ ସବୁ କଥା କିଏ ପଚାରେ, ଚାଷୀଙ୍କ ଆୟ ଦୁଇ ଗୁଣା ହେବାରେ ତ ଅଟଳ ଭୂତଳ ଯୋଜନା ସହାୟକ ହେବ ।

ଗତ କିଛି ମାସ ପୂର୍ବରୁ ନିତି ଆୟୋଗ ଏକ ରିପୋର୍ଟ ପ୍ରକାଶ କରିଥିଲା ଯେ, ଭାରତର ୭୦ ପ୍ରତିଶତ ଜଳ ପ୍ରଦୂଷିତ ଅଟେ । ପ୍ରତିବର୍ଷ ଜଳ ପ୍ରଦୂଷଣ ଯୋଗୁ ପ୍ରାୟ ୨ ଲକ୍ଷ ଲୋକଙ୍କ ପ୍ରାଣହାନୀ ଘଟୁଛି । ଜଳ ବହୁଳେ ସୃଷ୍ଟି ନାଶ, ଜଳ ବିହୁନେ ସୃଷ୍ଟି ନାଶ । ଏଠି ତ ଜଳ ବହୁଳ ନାହିଁ, କିନ୍ତୁ ଜଳ ବିହୁନରେ ନାଶ ହେବାକୁ ବସିଲାଣି । ତେଣୁ ଜଳ ସଂରକ୍ଷଣ କରିବା ସଙ୍ଗେସଙ୍ଗେ ଏହାକୁ ପ୍ରଦୂଷଣମୁକ୍ତ କରିବା ବି ସରକାରଙ୍କ କାମ। ତେଣୁ, ଏ ବିଷୟରେ ବି ସରକାର ଗୁରୁତ୍ୱର ସହ ଧ୍ୟାନ ଦେବା ଆବଶ୍ୟକ । ତେବେ ଯାଇ ପ୍ରଜ୍ଞାଦୀପ୍ତବାଗ୍ମୀ ଅଟଳ ବିହାରୀଙ୍କ ସ୍ୱପ୍ନ ପୂରଣ ହେବ ଏବଂ ତାଙ୍କୁ ଜନ୍ମଦିନର ପ୍ରକୃତ ଉପହାର ମିଳିବ, ଏଥିରେ ଦ୍ୱିମତ ନାହିଁ ।