ଶିବସେନାକୁ ଅକଲରେ ପକାଇଲେ ଫଡନାଭିସ
Advertisement

ଶିବସେନାକୁ ଅକଲରେ ପକାଇଲେ ଫଡନାଭିସ

ଉଦ୍ଧବ ଦେବେ ଆଉ ଏକ ପରୀକ୍ଷା !

ଫାଇଲ ଫଟୋ

ନୂଆଦିଲ୍ଲୀ: ଧର୍ମ ସଙ୍କଟରେ ଶିବସେନା । ଆରଏସଏସ ଆଦର୍ଶବାଦରୁ ଦୂରେଇ ରହିବା ପାଇଁ ଚାହିଁଲେ ବି ନିସ୍ତାର ମିଳୁନି । କାରଣ ଶିବସେନାର ଆଭିମୁଖ୍ୟକୁ ବାରମ୍ବାର ପଦାରେ ପକାଇବାକୁ ଚେଷ୍ଟା କରୁଛି ଭାରତୀୟ ଜନତା ପାର୍ଟି । ଯେଉଁ ସାବରକରଙ୍କୁ ଭାରତରତ୍ନ ଦେବାକୁ ଉଭୟ ବିଜେପି ଓ ଶିବସେନା ଦାବି କରୁଥିଲେ, ଏବେ ସେହି ସାବରକରଙ୍କୁ ନେଇ ଶିବସେନାକୁ ଅକଲରେ ପକାଇଛନ୍ତି ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡନାଭିସ ।  

୨ ବିପରୀତ ଆଦର୍ଶବାଦ(ଶିବସେନା ଓ କଂଗ୍ରେସ)କୁ ନେଇ ଗଢା ହୋଇଛି 'ମହା ବିକାଶ ଅଘାଡି' । ଅବଶ୍ୟ ଏନସିପିର ବି ଭିନ୍ନ ଏକ ଆଦର୍ଶ ରହିଛି । ଆଉ ଏହି ମେଣ୍ଟ ମହାରାଷ୍ଟ୍ରରେ ସରକାର ଗଢିଛି । ଏକ ମପାଚୁପା ସମନ୍ୱୟରେ ସରକାର ଚଳାଉଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଯଦିଓ ନିଜ ଆଦର୍ଶବାଦ ବଜାଏ ରଖିଥିବା କଥା ଶିବସେନା କହୁଛି, ତଥାପି ମଧ୍ୟ ପୂର୍ବ ଶିବସେନା ଯେ ଏବେ ଆଉ ନାହିଁ ତାହା ଜଳ ଜଳ ହୋଇ ଦିଶୁଛି । ସିଏସି ବିଲକୁ ଲୋକସଭାରେ ଯଦିଓ ଦଳ ସମର୍ଥନ ଦେଇଥିଲା, ରାଜ୍ୟସଭାରେ ଏଥିରୁ ଓହରିଯିବା ଏହାର ଏକ ବଡ ଉଦାହରଣ ହୋଇପାରେ । ଆଉ ଏହାପରେ ଶିବସେନାକୁ ସମାଲୋଚନା କରିବା ପାଇଁ ବିଜେପିକୁ ମୌକା ମିଳିଥିଲା । 

ଏବେ ଅନ୍ୟ ଏକ ପ୍ରସଙ୍ଗରେ ଶିବସେନାର ପରୀକ୍ଷା ନେବାକୁ ବସିଛି ଗେରୁଆ ଦଳ । ସାବରକରଙ୍କୁ ନେଇ ରାହୁଲ ଦେଇଥିବା ବୟାନ ଉପରେ ମହାରାଷ୍ଟ୍ର ବିଧାନସଭାରେ ନିନ୍ଦା ପ୍ରସ୍ତାବ ଆଣିବ ବିରୋଧୀ ବିଜେପି । ଏବେ ଶିବସେନା ଏହାକୁ ସମର୍ଥନ କରିବ ନା ବିରୋଧ ? ଧର୍ମ ସଙ୍କଟରେ ଉଦ୍ଧବ । ସାବରକରଙ୍କୁ ବିଚାରଧାରାକୁ ବିରୋଧ କରେ କଂଗ୍ରେସ । ଏପଟେ ବିଜେପି ଓ ଶିବସେନା ପାଇଁ ସାବରକର ଏକ ଆଦର୍ଶ । ତେଣୁ ବିଜେପି ଏହି ନିନ୍ଦା ପ୍ରସ୍ତାବ ଆଣିଲେ, ଶିବସେନା କେଉଁ ଆଭିମୁଖ୍ୟ ଗ୍ରହଣ କରିବ, ତାକୁ ନେଇ ଚର୍ଚ୍ଚା । କଂଗ୍ରେସ ଓ ଏନସିପି ସହ ମିଶି ସରକାର ଗଢିଥିବା ଶିବସେନାକୁ ଏମିତି ଅକଲରେ ପକାଇଛନ୍ତି ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡନାଭିସ । 

ଆହୁରି ପଢନ୍ତୁ; ତଡା ଖାଇବେ ଅଯୋଗ୍ୟ ମନ୍ତ୍ରୀ ! ଓଡିଆ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ମୋଦି ଖୁସ୍ ତ ?