ପୁଳା ପୁଳା ଟଙ୍କାରେ ଦିଲ୍ଲୀ ଦଖଲ ସ୍ୱପ୍ନ
Advertisement

ପୁଳା ପୁଳା ଟଙ୍କାରେ ଦିଲ୍ଲୀ ଦଖଲ ସ୍ୱପ୍ନ

ସବୁ ରେକର୍ଡ ଭାଙ୍ଗି ଦେଲା ଦିଲ୍ଲୀ ନିର୍ବାଚନ, ଜବତ ହେଲାଣି କୋଟି କୋଟି ଟଙ୍କାର ନଗଦ ରାଶି

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ପୁଳା ପୁଳା ଟଙ୍କାରେ ଦିଲ୍ଲୀ ଦଖଲ ସ୍ୱପ୍ନ । କ୍ଷମତା ପାଇଁ ଟଙ୍କା, ମଦ ଓ ସୁନା ସାହା ! ଭୋଟରଙ୍କୁ ପ୍ରଭାବିତ କରିବାକୁ ଏସବୁର ହେଉଛି ବ୍ୟବହାର । ୨୦୧୫ରେ ଯାହା ଦୁର୍ନୀତି ହୋଇଥିଲା, ୨୦୨୦ରେ ତାଠୁ ଢେର ଅଧିକ ହେଲାଣି । ଆମେ କହୁନି, ସରକାରୀ ରିପୋର୍ଟରୁ ଏକଥା ସ୍ପଷ୍ଟ ହେଉଛି । ନିର୍ବାଚନ ପୂର୍ବରୁ ବିଭିନ୍ନ ସ୍ଥାନରେ ରେଡ କରି ପାଖାପାଖି ୫୩ କୋଟି ଟଙ୍କାର ନଗଦ ଓ ଅନ୍ୟ ସାମଗ୍ରୀ(ମଦ, ଡ୍ରଗ୍ସ, ସୁନା) ଜବତ କରିଛି ଦିଲ୍ଲୀ ପୋଲିସ । 

ଦିଲ୍ଲୀ ଦୁର୍ନୀତି ଦେଖିବାର ଅଛି ଯଦି ଦିଲ୍ଲୀ ନିର୍ବାଚନକୁ ଦେଖିବା ଦରକାର । କ୍ଷମତା ଦଖଲ ପାଇଁ କେଉଁ ସବୁ ଉଦ୍ୟମ କରୁଛନ୍ତି ଆମ ନେତାଏ । ପୁଳା ପୁଳା ଟଙ୍କା, ମଦ, ଡ୍ରଗ୍ସ ଓ ସୁନାରେ ଦିଲ୍ଲୀ ଦଖଲ କରିବାକୁ ସ୍ୱପ୍ନ । ଆୟକର ବିଭାଗ ଓ ଦିଲ୍ଲୀ ପୋଲିସ ରେଡ କରି ଯେତେ ସବୁ ଟଙ୍କା ଓ ସାମଗ୍ରୀ ଜବତ କରିଛି, ତାହା ପୂର୍ବ ନିର୍ବାଚନର ସବୁ ରେକର୍ଡ ଭାଙ୍ଗି ଦେଇଛି । 

ଚଳିତ ନିର୍ବାଚନରେ କେତେ ଟଙ୍କାର ସାମଗ୍ରୀ ଜବତ ହୋଇଛି ? 

୬ ଜାନୁଆରୀରୁ ୫ ଫେବୃଆରୀ । ଅର୍ଥାତ ଗୋଟିଏ ମାସ । ଆଉ ଏହି ଗୋଟିଏ ମାସ ଭିତରେ ଜବତ ହେଲାଣି କୋଟି କୋଟି ଟଙ୍କା । ୬ ଜାନୁଆରୀରେ ଦିଲ୍ଲୀ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲା । ଆଉ ତା ପରଠୁ ଦିଲ୍ଲୀ ଦଖଲ ପାଇଁ ଧନ ବଳ, ଅସ୍ତ୍ରଶସ୍ତ୍ର, ମାଦକ ଦ୍ରବ୍ୟ ଓ ସୁନା ଗହଣା ଇତ୍ୟାଦି ଜବତ ହୋଇ ଚାଲିଛି । ଫେବୃଆରୀ ୫ ତାରିଖ ପର୍ଯ୍ୟନ୍ତ ୫୨ କୋଟି ୮୭ ଲକ୍ଷ ୬୯ ହଜାର ୮୧୫ ଟଙ୍କାର ନଗଦ ରାଶି ଓ ଅନ୍ୟ ସାମଗ୍ରୀ ଜବତ ହୋଇଛି । ରାଜ୍ୟ ନିର୍ବାଚନ ମୁଖ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । 

ଏହାରି ମଧ୍ୟରୁ କେବଳ ୧୦ କୋଟି ୨ ଲକ୍ଷ ୭୯ ହଜାର ୫୪୦ ଟଙ୍କା ନଗଦ ରାଶି । ସେହିପରି ୨କୋଟି ୬୩ ଲକ୍ଷ ୩୫ ହଜାର ୬୧୫ ଟଙ୍କାର ମଦ ଜବତ ହୋଇଛି । ୫ କୋଟି ୮୭ ଲକ୍ଷ ୩୭ ହଜାର ୭୫୦ ଟଙ୍କାର ମାଦକ ଦ୍ରବ୍ୟ ଏବଂ ୩୨କୋଟି ୧୮ ଲକ୍ଷ ୬ ହଜାର ୯୧୦ ଟଙ୍କାର ସୁନା ଗହଣା ଜବତ ହୋଇଥିବା କୁହାଯାଇଛି । ବିଭିନ୍ନ ସ୍ଥାନରେ ରେଡ଼ କରି ଏସବୁ ଜବତ କରିଛି ଦିଲ୍ଲୀ ପୋଲିସ । 

ଅନ୍ୟପଟେ ଏଥର ଆଦର୍ଶ ଆଚରଣ ବିଧି ଉଲଙ୍ଘନ ଅଭିଯୋଗରେ ୫୩୪ରି ଏଫଆଇଆର ଦାଖଲ ହୋଇଛି । ସର୍ବାଧିକ ଏଫଆଇଆର ଆପ୍ ନାଁରେ(୩୭) । ସେହିପରି ଶସ୍ତ୍ର ଅଧିନିୟମ ମୁତାବକ ୪୦୨ ମାମଲାରେ ୪୪୦ ଜଣ ଗିରଫ ହୋଇଛନ୍ତି । ଅବକାରୀ ଅଧିନିୟମ ମୁତାବକ ୧୦୨୧ ମାମଲାରେ ୧୦୨୯ ଜଣ ଧରା ପଡ଼ିଛନ୍ତି । ସେହିପରି ଏପର୍ଯ୍ୟନ୍ତ ୭୩୯୭ ଲାଇସେନ୍ସ ପ୍ରାପ୍ତ ହତିଆର ଜବତ ହୋଇଛି । 

ନଜର ପକାନ୍ତୁ ୨୦୧୫ ଦିଲ୍ଲୀ ବିଧାନସଭା ନିର୍ବାଚନ ଉପରେ

୨୦୧୫ ଦିଲ୍ଲୀ ବିଧାନସଭା ନିର୍ବାଚନରେ ମଧ୍ୟ ଟଙ୍କା ଓ ଅନ୍ୟ ସାମଗ୍ରୀ ଜବତ ହୋଇଥିଲା । ମାତ୍ର ଏହାର ମାତ୍ରା ଏତେ ଅଧିକ ନଥିଲା । ବର୍ଷ ୨୦୧୫ରେ ୨କୋଟି ୪୨ ଲକ୍ଷ ୭୯ ହଜାର ୭୬୬ ଟଙ୍ରାର ନଗଦ ରାଶି ଓ ଅନ୍ୟ ସାମଗ୍ରୀ ଜବତ କରିଥିଲା ଦିଲ୍ଲୀ ପୋଲିସ । ଏହାରୁ ମଧ୍ୟରୁ ୪୨ ଲକ୍ଷ ୩୮ ହଜାର ୫ଶହ ଟଙ୍କାର କେବଳ ନଗଦ ରାଶି ଜବତ ହୋଇଥିଲା । ମାତ୍ର ଏଥର ସବୁ ରେକର୍ଡ ଭାଙ୍ଗିଛି ଦିଲ୍ଲୀ ନିର୍ବାଚନ । 

ଆହୁରି ପଢ଼ନ୍ତୁ; ରାହୁଲଙ୍କୁ ବିରୋଧ, ବିରୋଧୀଙ୍କ ରକ୍ତ ଗରମ