ଅବ୍ୟବସ୍ଥା ଭିତରେ ଚାଲିଛି ବିଦ୍ୟାଳୟ
Advertisement
Article Detail0/zeeodisha/odisha602600

ଅବ୍ୟବସ୍ଥା ଭିତରେ ଚାଲିଛି ବିଦ୍ୟାଳୟ

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ କେରଯୋଳି ଉଚ୍ଚ ବିଦ୍ୟାଳୟରେ ଲାଗି ରହିଛି ବିଭିନ୍ନ ସମସ୍ୟା ।

ଅବ୍ୟବସ୍ଥା ଭିତରେ ଚାଲିଛି ବିଦ୍ୟାଳୟ

ସୁଚିତ୍ରା ସେଣ୍ଡ୍, ଭୁବନେଶ୍ୱର: ଶିକ୍ଷା ଅଧିକାର ନିୟମ-୨୦୧୦ ଅନୁସାରେ ଶିକ୍ଷାକୁ ମୌଳିକ ଅଧିକାର ଭାବେ ଗଣନା କରାଯାଉଛି । ୬ବର୍ଷରୁ ୧୪ବର୍ଷର ସମସ୍ତ ପିଲା ଯେପରି ବିଦ୍ୟାଳୟକୁ ଯିବେ ସେଥିପାଇଁ କେତେକଣ ଯୋଜନା କରୁଛନ୍ତି । ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ହେଉ ଅବା ସ୍କୁଲ ପୋଷାକ ସବୁ ପ୍ରଦାନ କରାଯାଉଛି । ସବୁଠାରୁ ବଡ଼ କଥା ହେଲା ଏଥିପାଇଁ ଅଭିଭାବକ ସମେତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ପରିଚାଳନା କମିଟି ଗଠନ କରାଯାଇଛି । ସମସ୍ତ ସଭ୍ୟ ବିଦ୍ୟାଳୟକୁ ଛାତ୍ରଛାତ୍ର ଆସୁଛନ୍ତି କି ନାହିଁ  ତାହା ଯାଞ୍ଚ ମଧ୍ୟ କରୁଛନ୍ତି  । ଏହି ଯୋଜନାକୁ ସଫଳ କରିବା ପାଇଁ  କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଏସବୁ ଭିତରେ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ କେରଯୋଳି ଉଚ୍ଚ ବିଦ୍ୟାଳୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ବିଦ୍ୟାଳୟରେ ଲାଗି ରହିଛି ବିଭିନ୍ନ ସମସ୍ୟା ।

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକରେ ରହିଛି କେରଯୋଳି ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାପୀଠ । ୧୯୯୩ ମସିହାରେ ଏହି ବିଦ୍ୟାଳୟଟି ନିର୍ମାଣ ହୋଇଥିଲା । ୨୦୦୮ରେ  ଏଠାରେ ପାଠ ପଢାଉଥିବା ଶିକ୍ଷକଙ୍କୁ ସରକାର ବ୍ଲକ ଗ୍ରାଣ୍ଟ ମାନ୍ୟତା ଦେଇଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ ବିଦ୍ୟାଳୟଟି ପଞ୍ଚାୟତ ଅଧିନରେ ରହିଛି । ଏହି ସ୍କୁଲରେ ଅଷ୍ଟମ ଠାରୁ ଦଶମ ଶ୍ରେଣୀ ଯାଏ ୧୬୫ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି   ୭୮ ଛାତ୍ରୀ  ଓ ୮୭ଜଣ ଛାତ୍ର ।  ସେମାନଙ୍କୁ ପାଠପଢାଇବା ପାଇଁ ଅଛନ୍ତି ୬ ଜଣ ଶିକ୍ଷକ ଓ ଜଣେ ଶିକ୍ଷୟିତ୍ରୀ । ସ୍କୁଲ ଚାରିପଟେ ଲାଗି ରହିଛି ଜଙ୍ଗଲ । ବିଦ୍ୟାଳୟରେ ଶୌଚାଳୟ ନାହିଁ । ଫଳରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଜଙ୍ଗଲକୁ ଶୌଚ ପାଇଁ ଯାଉଛନ୍ତି । ସେହିପରି ପାଚେରୀ ନଥିବାରୁ ଅବାଧରେ ବାହାର ଲୋକ ଓ ପଶୁପକ୍ଷୀ ସ୍କୁଲ କ୍ୟାମ୍ପସରେ ପ୍ରବେଶ କରୁଛନ୍ତି ।

ଏତିକିରେ ସରିନାହିଁ ସ୍କୁଲର ସମସ୍ୟା । କେରଯୋଳି ଉଚ୍ଚ ବିଦ୍ୟାଳୟକୁ ଆଖପାଖ ୪ଟି ଗାଁର ଛାତ୍ରଛାତ୍ରୀ ପାଠ ପଢିବାକୁ ଆସୁଛନ୍ତି । ପୂର୍ବରୁ ୩ଟି ଟାଇଲ ଘରେ ପାଠ ପଢାଯାଉଥିଲା । ଏବେ ବିଧାୟକଙ୍କ ଫଣ୍ଡରେ ନୂତନ ଛାତ ଘର ନିର୍ମାଣ କରାଯାଇଛି । ସେଥିରେ ଗୋଟିଏ କ୍ଲାସ କରାଯାଉଛି । ଅନ୍ୟ ୨ଟି ଶ୍ରେଣୀ ପୂର୍ବ ଭଳି ଭଙ୍ଗା ଟାଇଲ ଘରେ ହେଉଛି । ବିପଦ ସଙ୍କୁଳ ଅବସ୍ଥାରେ ଭଙ୍ଗା ଘରେ ପାଠପଢୁଛନ୍ତି ଛାତ୍ରଛାତ୍ରୀ । ବର୍ଷା ହେଲେ ଟାଇଲରୁ ପାଣି ଗଳୁଛି । ଫଳରେ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହେଉଛି । ସମସ୍ୟାର ସମାଧାନ ପାଇଁ  ସ୍କୁଲର ପ୍ରଧାନ ଶିକ୍ଷକ  DEO,BDOଙ୍କ ସହ  ବ୍ଳକ ଅଧ୍ୟକ୍ଷ ଙ୍କୁ ଅବଗତ କରିଥିଲେ  ମଧ୍ୟ କିଛି ସୁଫଳ ମିଳୁନାହିଁ । ସେପଟେ ପ୍ରଧାନ ଶିକ୍ଷକ ବିଡିଓଙ୍କୁ ଜଣାଇଥିଲେ ମଧ୍ୟ ବିଦ୍ୟାଳୱକୁ ସହାୟତା ଯୋଗାଇ ଦେବା ପାଇଁ କିଛି ବ୍ୟବସ୍ଥା ନାହିଁ ବୋଲି ବିଡିଓ ମହାଶୟ କହିଛନ୍ତି  ।

ସରକାରୀ ସ୍ତରରେ  ଛତୁ ଫୁଟିଲା ଭଳି  ବିଦ୍ୟାଳୟ ଖୋଲାଯାଉଛି । ବିଦ୍ୟାଳୟରେ  ଅବ୍ୟବସ୍ଥା ଲାଗି ରହୁଥିବାରୁ ଶୈକ୍ଷିକ ବାତାବରଣରେ ବାଧା ସୃଷ୍ଟି ହେଉଛି । ତୁରନ୍ତ ବିଭାଗିୟ ଅଧିକାରୀ ଏଥିପ୍ରତି ଦୃଷ୍ଟିଦେବାକୁ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ଦାବି କରିଛନ୍ତି ।