ଧୋକା ଦେଲା ପୁତୁରା, ସୁଗମ ହେଲା ଉତ୍ତରାଧିକାରୀ ଚୟନ !

ଦିନେ ପିତାଙ୍କ ପଥ ଛାଡି ଚାଚାଙ୍କ ପଥ ଅନୁସରଣ କରିଥିବା ଅଜିତଙ୍କ ଗୋଟିଏ ନିଷ୍ପତ୍ତି ଶରଦ ପାୱାରଙ୍କ ସବୁ ବିଶ୍ୱାସ ଭାଙ୍ଗିଦେଇଛି ! ଏବେ କେଉଁ ମୁହଁରେ ଉତ୍ତରାଧିକାରୀ ପାଇଁ ହକଦାର କହିବେ ଅଜିତ ?  

ଧୋକା ଦେଲା ପୁତୁରା, ସୁଗମ ହେଲା ଉତ୍ତରାଧିକାରୀ ଚୟନ !
ଫାଇଲ ଫଟୋ

ଶେଷଦେବ ମହାପାତ୍ର, ନୂଆଦିଲ୍ଲୀ: 'ପାୱାର'ଙ୍କ ପରେ ଏନସିପି ପାୱାର କାହା ହାତରେ ? ଏନସିପିର ଉତ୍ତରାଧିକାରୀ କିଏ ? ଶରତ ପାୱାରଙ୍କ ପୁତୁରା ଅଜିତ ପାୱାର ନା ଝିଅ ସୁପ୍ରିୟା ସୁଲେ ? ହୁଏତ ଶନିବାର ପୂର୍ବରୁ ଏ କ୍ଷେତ୍ରରେ ଅଜିତ ପାୱାରଙ୍କ ପଲା ଭାରି ମନେ ହେଉଥିଲା । ମାତ୍ର 'ମହା'ନାଟକ ପରେ ନିଜର ପ୍ରକୃତ ଉତ୍ତରାଧିକାରୀ ଯେ ଝିଅ ସୁପ୍ରିୟା, ଏକଥା ଶରଦ ଅନୁଭବ କରିଥିବେ ନିଶ୍ଚୟ !

ଶନିବାର ସକାଳୁ ଯାହା ହେଲା, ତାହା କେହି ବି ଆଶା କରିନଥିଲେ । ସାରା ଦେଶରେ କମ୍ପନ ସୃଷ୍ଟି କରିଥିଲା ମହାରାଷ୍ଟ୍ର ରାଜନୀତି । ଖବର କାଗଜରେ ଉଦ୍ଧବ ଏବଂ ଟିଭିରେ ଭଡନାଭିସ ମୁଖ୍ୟମନ୍ତ୍ରୀ । ଅଜିତଙ୍କୁ ହାତେଇ ସରକାର ଗଢିନେଲା ବିଜେପି । ନିଜ ପୁତୁରା ଯେ ଦିନେ ଏପରି କରିବ, ତାହା ଶରଦ କେବେ ସ୍ୱପ୍ନରେ ଭାବିନଥିଲେ । ଖାଲି ଶରଦ କାହିଁକି, ଶରଦ ପାୱାରଙ୍କ ଝିଅ ସୁପ୍ରିୟା ମଧ୍ୟ ଏନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । 

ଅଜିତଙ୍କୁ ହାତେଇଲେ ଏନସିପିର ବହୁ ବିଧାୟକଙ୍କ ସମର୍ଥନ ମିଳିଯିବ । ବୋଧେ ଏଭଳି କିଛି ଆଶା ରଖିଥିଲା ବିଜେପି । କିନ୍ତୁ ବର୍ତ୍ତମାନର ସ୍ଥିତି ଦେଖିଲେ ଲାଗୁଛି, ତାହା ନୋହିଲା । ବିଜେପି ଜାଣୁଥିବ, ଅଜିତ ପାୱାର ଭିଡକୁ ନୁହେଁ । ବିଜେପି ସହ ସରକାର କଲେ ନିଜ 'ପାୱାର' ଆହୁରି ବଢିଯିବ ବୋଲି ଭାବିଥାଇପାରନ୍ତି ଅଜିତ । ହେଲେ ବିଧାୟକମାନେ ଅଜିତଙ୍କ ପାଖରୁ ମୁହଁ କାଢିନେଇଛନ୍ତି । ଶରତ ପାୱାରଙ୍କ ବିନା ଅଜିତଙ୍କ ଯେ ଅସ୍ତିତ୍ୱ ନାହିଁ, ଏବେ ସେ ଭଲରେ ବୁଝି ପାରିଥିଲେ । କୁହାଯାଉଛି, ସେ କାଳେ ବସାକୁ ଫେରିଲେଣି । 

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆଗକୁ ବିଜେପି ସହ ମିଶି ବହୁମତ ସାବ୍ୟସ୍ତ କରିବା ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପାଇଁ ଆହ୍ୱାନ ତ ନିଶ୍ଚୟ । ତାଠୁ ବଡ ଆହ୍ୱାନ, ଏବେ ନିଜକୁ ଶରଦ ପାୱାରଙ୍କ ଉତ୍ତରାଧିକାରୀ  ଭାବରେ ବିବେଚିତ କରିବାରେ । କାହିଁକିନା ଏତେ ଦିନର ରାଜନୈତିକ ଅଭିଜ୍ଞତା ସତ୍ତ୍ୱେ ଶରଦ ପାୱାରଙ୍କ ଭରଷା ହରାଇ ବସିଛନ୍ତି ପୁତୁରା ଅଜିତ ପାୱାର । ଆଗକୁ ଏହା ଏକ ଭିନ୍ନ ମୋଡ ନେଇପାରେ । ସେମିତିରେ ବି ତାଙ୍କୁ ବିଧାୟକ ଦଳ ନେତା ପଦରୁ ବହିଷ୍କୃତ କରାଯାଇଛି । 

ଅଜିତଙ୍କ ଉପରେ ଶରଦ ପାୱାର ବିଶ୍ୱାସ ବହୁ ଅଧିକ ରହିଥିଲା । ସେଇଥିପାଇଁ ତ ବହୁ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ପୁତୁରାକୁ ରଖୁଥିଲେ ସେ । ଚଳିତ ବିଧାନସଭା ନିର୍ବାଚନ ପରେ ଅଜିତ ହୋଇଥିଲେ ଏନସିପି ବିଧାୟକ ଦଳ ନେତା । ଏପରିକି ବିଧାୟକଙ୍କ ସମର୍ଥନ ପତ୍ରର କପି ମଧ୍ୟ ପୁତୁରା ହାତରେ ଦେଇ ଦେଇଥିଲେ । ହେଲେ ଶନିବାର ଘଟଣା ପରେ ପୁତୁରା ଅଜିତ ଉପରେ କଣ ଶରଦ ଆଉ ଏତେ ବିଶ୍ୱାସ କରିପାରିବେ । ଝିଅ ସୁପ୍ରିୟା ଯେ ତାଙ୍କ ପ୍ରକୃତ ଉତ୍ତରାଧିକାରୀ, ଏକଥା ଶରଦ ଭାବୁନଥିବେ ତ ?

ଏ ଚର୍ଚ୍ଚାକୁ ଖୋରାକ ଯୋଗାଇଛି, ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହଙ୍କ ଏକ ଟ୍ୱିଟ । ନିଜ ଟ୍ୱିଟରେ ସେ କହିଛନ୍ତି, ''ଏନସିପିର ସମୁଦାୟ ୫୪ ବିଧାୟକ ମଧ୍ୟରୁ ୫୩ ଜଣ ବିଧାୟକ ଶରଦ ପାୱାରଙ୍କ ସହ ରହିବେ । ଏବେ ଏନସିପିର ଉତ୍ତରାଧିକାରୀ ସମସ୍ୟା ମଧ୍ୟ ଦୂର ହୋଇଯାଇଛି । ଏଥିପାଇଁ ସୁପ୍ରିୟାଙ୍କୁ ବଧାଇ ।'' ଦିଗବିଜୟ ପରୋକ୍ଷରେ ସୁପ୍ରିୟାଙ୍କୁ ଏନସିପିର ଉତ୍ତରାଧିକାରୀ ଭାବରେ ଅବିହିତ କରିଛନ୍ତି । 

ମହାରାଷ୍ଟ୍ର ନାଟକରେ ଏପରି ଏକ ସମୟ ଆସିଛି, ଯାହା ପରେ ଏନସିପି ମୁଖିଆ ଶରଦ ପାୱାରରଙ୍କ ଉତ୍ତରାଧିକାରୀ ପାଇଁ ଝିଅ ସୁପ୍ରିୟା ଯେ ହକଦାର, ତାହା ସ୍ପଷ୍ଟ ହେଉଛି । ସେମିତିରେ ବି ୨୦୦୬ ମସିହାରୁ ସକ୍ରିୟ ରାଜନୀତିରେ ଅଛନ୍ତି ସାଂସଦ ସୁପ୍ରିୟା ସୁଲେ । ଉଭୟ ରାଜ୍ୟସଭା ଏବଂ ଲୋକସଭାକୁ ସେ ନିର୍ବାଚିତ ହୋଇସାରିଛନ୍ତି । ଅନ୍ୟପଟେ ଦିନେ ପିତାଙ୍କ ପଥ ଛାଡି ଚାଚାଙ୍କ ପଥ ଅନୁସରଣ କରିଥିବା ଅଜିତଙ୍କ ଗୋଟିଏ ନିଷ୍ପତ୍ତି ଶରଦ ପାୱାରଙ୍କ ସବୁ ବିଶ୍ୱାସ ଭାଙ୍ଗିଦେଇଛି !