ସଭିଏଁ ପଢ଼ିବା, ସଭିଏଁ ବଢିବା, ଏହି ନାରା କେବଳ କାନ୍ଥ , ବାଡ଼ ଓ କାଗଜ କଲମରେ ସୀମିତ ଥିବା ଜଣାପଡିଛି । ଓଡ଼ିଶା ପଶ୍ଚିମବଙ୍ଗ ସୀମାନ୍ତ ସିଆସୁଇ ଉଚ୍ଚ ବିଦ୍ୟାଳୟରେ ଭିତ୍ତିଭୂମି ଅଭାବରୁ ଦେଢ ଶହ ଛାତ୍ର ଛାତ୍ରୀ ବିପଦସଙ୍କୁଳ ଭାବେ ଭଙ୍ଗା ଘରେ ପାଠ ପଢିବାକୁ ବାଧ୍ୟ ହେଉଛନ୍ତି ।
Trending Photos
ଜଳେଶ୍ୱର: ସଙ୍କଟରେ ଓଡ଼ିଶା- ପଶ୍ଚିମବଙ୍ଗ ସୀମନ୍ତରେ ଥିବା ଓଡ଼ିଆ ବିଦ୍ୟାଳୟ । ସଭିଏଁ ପଢ଼ିବା, ସଭିଏଁ ବଢିବା, ଏହି ନାରା କେବଳ କାନ୍ଥ , ବାଡ଼ ଓ କାଗଜ କଲମରେ ସୀମିତ ଥିବା ଜଣାପଡିଛି । ଓଡ଼ିଶା ପଶ୍ଚିମବଙ୍ଗ ସୀମାନ୍ତ ସିଆସୁଇ ଉଚ୍ଚ ବିଦ୍ୟାଳୟରେ ଭିତ୍ତିଭୂମି ଅଭାବରୁ ଦେଢ ଶହ ଛାତ୍ର ଛାତ୍ରୀ ବିପଦସଙ୍କୁଳ ଭାବେ ଭଙ୍ଗା ଘରେ ପାଠ ପଢିବାକୁ ବାଧ୍ୟ ହେଉଛନ୍ତି । ଅନ୍ୟପଟେ ବିଦ୍ୟାଳୟର ବିକାଶ ପାଇଁ ଆସିଥିବା ସାତ ଲକ୍ଷ ଅନୁଦାନ ଟଙ୍କାର ହିସାବ ଦେଇ ପାରୁନାହାନ୍ତି କନିଷ୍ଠ ଯନ୍ତ୍ରୀ । ସରକାରୀ ଦପ୍ତରରୁ ଅନୁଦାନ ଟଙ୍କା ହିସାବର କାଗଜପତ୍ର ବି ମିଳୁନି । ପିଲାଙ୍କୁ ଶିକ୍ଷିତ କରିବା ପାଇଁ ଅନେକ ଯୋଜନା ପ୍ରଣୟନ କରୁଛନ୍ତି ସରକାର । କିନ୍ତୁ, ଏମିତି ବି ବିଦ୍ୟାଳୟ ଅଛି, ଯେଉଁଠି ଦୀର୍ଘ ୨୫ ବର୍ଷ ଧରି ଭଙ୍ଗା ଦଦରା ଘରେ ପାଠ ପଢ଼ୁଛନ୍ତି ପିଲା ।
ଅନୁଦାନ ଆସୁଛି, କିନ୍ତୁ ତାହା ଚଳୁ ହୋଇଯାଉଛି । ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତରେ ଥିବା ଭୋଗରାଇ ବ୍ଲକର ପଶ୍ଚିମବଙ୍ଗକୁ ଲାଗି ଥିବା ଗାଁ ହେଉଛି ସିଆରୁଇ । ପଶ୍ଚିମବଙ୍ଗ ସୀମାରୁ ମାତ୍ର ପାଞ୍ଚ ଶହ ମିଟର ଓଡ଼ିଶା ଭିତରେ ରହିଛି ଶ୍ରୀକାନ୍ତ ଚରଣ ବିଦ୍ୟାପୀଠ । ୧୯୯୫ ମସିହାରୁ ଆରମ୍ଭ ହୋଇଥିବା ଏହି ବିଦ୍ୟାଳୟ ୨୦୧୫ମସିହାରେ ବ୍ଲକଗ୍ରାଣ୍ଟ ମାନ୍ୟତା ପାଇଥିଲା । ବର୍ତ୍ତମାନ ବିଦ୍ୟାଳୟରେ ୧୫୦ ଜଣ ଛାତ୍ର ଛାତ୍ରୀ ଅଛନ୍ତି ।
ସୀମାନ୍ତରେ ଏକମାତ୍ର ବିଦ୍ୟାଳୟ ହୋଇଥିବାରୁ ବହୁ ପିଲା ପଶ୍ଚିମବଙ୍ଗରୁ ଆସି ଏହି ଓଡ଼ିଆ ବିଦ୍ୟାଳୟରେ ପାଠ ପଢ଼ନ୍ତି । ବିଦ୍ୟାଳୟଟି ୧୯୯୫ମସିହାରୁ ମାଟି କାନ୍ଥ ଓ ଆଜବେଷ୍ଟସ୍ ଛପର ହୋଇଥିବାରୁ ଏହା ଭାଙ୍ଗିରୁଜି ଗଲାଣି । ବିଦ୍ୟାଳୟକୁ ନା ଅଛି ଭଲ ରାସ୍ତା ନା ବିଦ୍ୟାଳୟରେ ଅଛି ଶୌଚାଳୟ । ବନ୍ୟାଞ୍ଚଳ ହୋଇଥିବାରୁ ବର୍ଷା ଦିନେ ବି ନାନା ଅସୁବିଧା ହୋଇଥାଏ । ସ୍ଥାୟୀ ଶ୍ରେଣୀ ଗୃହ ଅଭାବରୁ ପିଲାମାନେ ପାଠ ପଢ଼ିବା ପାଇଁ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ବିଦ୍ୟାଳୟର ଏପରି ଅବସ୍ଥା ଦେଖି ୨୦୦୭ରେ ସାଂସଦ ଖାରବେଳ ସ୍ଵାଇଁ ଏକ ଲକ୍ଷ ନବେ ହଜାର ଟଙ୍କା ଅନୁଦାନ ଦେଇଥିଲେ । ସେହିପରି ୨୦୧୧ରେ ମୁଖ୍ୟ ମନ୍ତ୍ରୀ ରିଲିଫ ପାଣ୍ଠିରୁ ୨ ଲକ୍ଷ , ୨୦୧୩/୧୪ରେ ସାଂସଦ ଶ୍ରୀକାନ୍ତ ଜେନାଙ୍କ ଫଣ୍ଡରୁ ତିନି ଲକ୍ଷ ଟଙ୍କା ଅନୁଦାନ ମିଳିଥିଲା । ମୋଟ ୬ ଲକ୍ଷ ନବେ ହଜାର ଟଙ୍କା ଅନୁଦାନ ମଧ୍ୟରୁ ମାତ୍ର ଅଳ୍ପ କେତେ ଟଙ୍କାର କାମ ହୋଇଛି, ଯାହା ସମୁଦ୍ରକୁ ଶଙ୍ଖେ ପାଣି ସଦୃଶ । ଏହି ବାବଦରେ ଭୋଗରାଇ ବ୍କକର ବିଭାଗୀୟ କନିଷ୍ଠ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ କିମ୍ବା ବିଡିଓଙ୍କ ପାଖରେ କିଛି ଖଵର ବା କାଗଜପତ୍ର ନଥିବା ସୂଚନା ଆଇନରୁ ଜଣାପଡ଼ିଛି । ତେବେ ଏ ବାବଦରେ ଭୋଗରାଇ ବ୍ଲକ ବିଡିଓ, ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ କ୍ୟାମେରା ଆଗରେ କିଛି କହିବାକୁ ମନା କରି ଦେଇଛନ୍ତି । ଅନ୍ୟପଟେ ସୂଚନା ଅଧିକାର ତଥ୍ୟକୁ ନେଇ ଗ୍ରାମରେ ଉତ୍ତେଜନା ବଢିବାକୁ ଲାଗିଛି । ଖୁବଶୀଘ୍ର ସରକାର କିଛି ପଦକ୍ଷେପ ନ ନେଲେ ପରିସ୍ଥିତି ଭୟାବୟ ହେବାକୁ ଗ୍ରାମବାସୀ ଚେତାବନୀ ମଧ୍ୟ ଦେଇଛନ୍ତି ।