ସରକାରୀ ସହାୟତାକୁ ଅପେକ୍ଷା
Advertisement
Article Detail0/zeeodisha/odisha614599

ସରକାରୀ ସହାୟତାକୁ ଅପେକ୍ଷା

ଦୁଇ ଦୁଇଥର ସରପଞ୍ଚ ହେଇକି ବି ନାହିଁ ନିଜର ଘର  ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ନିରୋଜ ଶତପଥି, କୋରାପୁଟ: ଦୁଇ ଦୁଇଥର ସରପଞ୍ଚ ହେଇକି ବି ନାହିଁ ନିଜର ଘର  । ଦୁର୍ଦ୍ଦିନରେ ବିତୁଛି ପରିବାରର ଜୀବନ । କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକର ରାଲଗଡ଼ା ପଞ୍ଚାୟତର ରାଜୁଗୁଡ଼ା ଗାଁରେ ସୁଖଶାନ୍ତିରେ ଚଳୁଥିଲା ସରପଞ୍ଚ ରାମ କୋଟାଙ୍କ ପରିବାର । ହେଲେ ହଠାତ ତାଙ୍କ ପରିବାରର ଖୁସିରେ ଯେମିତି କାହାର ନଜର ଲାଗିଗଲା ।

ଗତ ପଞ୍ଚାୟତ ନିର୍ବାଚନରେ ଦ୍ୱିତୀୟ ଥର ପୁଣି ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ ରାମ । ହେଲେ ସରପଞ୍ଚ ହେବାର କିଛି ଦିନ ପରେ ସେ ଜଣ୍ଡିସ ରୋଗରେ ଆକ୍ରାନ୍ତ ହୋଇଥିଲେ ।  ରୋଗରୁ ଉପଶମ ପାଇଁ ସେ ବିଭିନ୍ନ ଚିକିତ୍ସା ମଧ୍ୟ କରାଇଥିଲେ । ହେଲେ ଭାଗ୍ୟରେ ଲେଖାଥିଲା କିଛି ଅଲଗା । ଜଣ୍ଡିସ ରୋଗରେ ଆକ୍ରାନ୍ତ ହୋଇ ଚାଲିଗଲା ରାମ କୋଟାଙ୍କ ଜୀବନ । ଆଉ ତାପରେ ଦୁଃଖର କଳା ବାଦଲ ମାଡ଼ିଆସିଲା ତାଙ୍କ ପରିବାର ଉପରେ ।

ସ୍ୱାମୀଙ୍କ ମୃତ୍ୟୁ ପରେ ବେସାହାରା ହୋଇଯାଇଛି ପୁରା ପରିବାର । ପରିବାର କହିଲେ ସ୍ତ୍ରୀ ଏବଂ ୨ ଟି ସନ୍ତାନ । ସ୍ୱାମୀ ଆରପାରିକୁ ଚାଲିଯିବା ପରେ ବହୁ ଦୁର୍ଦ୍ଦିନରେ କଟୁଛି ପତ୍ନୀ ଏବଂ ୨ ସନ୍ତାନଙ୍କ ଜୀବନ ।ଦୁଇ ଦୁଇଥର ସରପଞ୍ଚ ରହିଥିବା ସତ୍ତ୍ୱେ ନିଜ ପାଇଁ  ଘର ଘଣ୍ଡିଏ କରିନଥିଲେ ରାମ କୋଟା ।  ଆଉ ଏବେ ତାଙ୍କର ମୃତ୍ୟୁ ପରେ   ବେସାହାରା ପରିବାର ଅନ୍ୟ ଘରେ ଆଶ୍ରୟ ନେଇଛନ୍ତି ।

ଦୁଇଟି ସନ୍ତାନକୁ ନେଇ ମା ଏବେ ଚିନ୍ତାରେ ।  ଏତେ ଦୁଃଖରେ ଚଳୁଥିଲେ ବି ସେମାନଙ୍କ ପ୍ରତି ପ୍ରଶାସନର ଦୃଷ୍ଟି ପଡ଼ିନାହିଁ । ସରକାରୀ ଚାଉଳ ପାଇଁ ଖାଉଟି କାର୍ଡ  ମଧ୍ୟ ନାହିଁ ।  ପରିବାରରେ ରୋଜଗାରକ୍ଷମ ବ୍ୟକ୍ତି ଆଉ କେହି ନ ଥିବାରୁ ଦୁଇ ସନ୍ତାନ ଏବେ ନିର୍ଭର କରୁଛନ୍ତି ମାଙ୍କ ଉପରେ । କାମ ମିଳିଲେ କାମ କରି ଦି ପଇସା ରୋଜଗାର କରି ବହୁ କଷ୍ଟରେ ପରିବାର ଚଳାଉଛନ୍ତି ମୃତ ସରପଞ୍ଚଙ୍କ ପତ୍ନୀ । 

ସ୍ୱାମୀଙ୍କ ମୃତ୍ୟୁ ପରେ ବିଧବା ଭତ୍ତା ମଧ୍ୟ ମିଳୁନାହିଁ । ବହୁ କଷ୍ଟରେ ପରିବାର ଚଳୁଥିବାରୁ ସେମାନଙ୍କୁ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ଅନୁରୋଧ କରିଛନ୍ତି  । ତେବେ ବ୍ଲକ ପ୍ରଶାସନ ଲିଖିତ ଅଭିଯୋଗକୁ ଅପେକ୍ଷା କରିଛି । ଲିଖିତ ଅଭିଯୋଗ ଦେଲେ, ଏହାର ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି ବିଡିଓ କହିଛନ୍ତି ।

ଆହୁରି ପଢନ୍ତୁ; ଅନ୍ଧାରରେ ୪୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ