ଲାଡ଼େନ, ବାଗଦାଦୀ ଆଉ ଏବେ...
Advertisement

ଲାଡ଼େନ, ବାଗଦାଦୀ ଆଉ ଏବେ...

ନିକଟରେ ଆଇଏସଆଇଏସ ମୁଖ୍ୟ ଅବୁ ବକର ଅଲ୍ ବାଗଦାଦୀର ମୃତ୍ୟୁ ପରେ ଆଜି ଆସିଛି ଆଉ ଏକ ଖୁସି ଖବର । ବାଗଦାଦୀର ଉତ୍ତରାଧିକାରୀ କୁହାଯାଉଥିବା ଅବଦୁଲ୍ଲାକୁ ବି ରାସ୍ତାରୁ ସଫା କରିଦେଇଛି ଆମେରିକା । ଆଜି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ୱିଟ୍ ଆସିବା ପରେ ଏବେ ପ୍ରଶ୍ନ, କ'ଣ ବାଗଦାଦୀ, ଅବଦୁଲ୍ଲା ପରେ ଦୁନିଆ ହୋଇଯିବ ଆତଙ୍କମୁକ୍ତ ?

ଅବଦୁଲ୍ଲା ଓ ବାଗଦାଦୀଙ୍କୁ ନିପାତ କରିବାକୁ ସକ୍ଷମ ହୋଇଛି ଆମେରିକା

ହିତାଂଶୁ ଶେଖର ମହାନ୍ତ, ନୂଆଦିଲ୍ଲୀ: ଆମେରିକାର ସେନା କାର୍ଯ୍ୟାନୁଷ୍ଠାନରେ ଇସଲାମିକ ଷ୍ଟେଟ୍ ପ୍ରମୁଖ ଅବୁ ବକର ଅଲ୍ ବାଗଦାଦୀ ନିହତ ହେବାର ଦିନକ ମଧ୍ୟରେ ଆତଙ୍କବାଦୀ ସଂଗଠନର ଦ୍ୱିତୀୟ କ୍ଷମତାକେନ୍ଦ୍ର ତଥା ମୁଖପାତ୍ର ହସନ ଅଲ ମୁଜାହିର ବି ଶୋଇଯାଇଛି ମୃତ୍ୟୁର ନିଦ । ବାଗଦାଦୀର ନିଧନ ପରେ ମୁଜାହିରକୁ ହିଁ ତା'ର ଉତ୍ତରାଧିକାରୀ ବିବେଚନା କରାଯାଇଥିଲା । ମାତ୍ର ତା'ର ମୃତ୍ୟୁ ପରେ ଅବଦୁଲ୍ଲା କାର୍ଦ୍ଦଶକୁ ନୂଆ ମୁଖିଆ ଘୋଷଣା କରିଥିଲା ଇସଲାମିକ ଷ୍ଟେଟ୍ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଏସ୍ପରଙ୍କ କହିବା କଥା, ବାଗଦାଦୀର ନିଧନ ସାରା ଦୁନିଆରେ ଶାନ୍ତି କାଏମ ରଖିବା ପାଇଁ ଏକ ବଡ଼ ପଦକ୍ଷେପ । ଏସ୍ପର ହେଉଛନ୍ତି, ସେହି ବଛା ବଛା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ, ଯିଏ ହ୍ୱାଇଟ ହାଉସରୁ ବାଗଦାଦୀ ବିରୋଧରେ ହୋଇଥିବା ଅପରେସନକୁ ଲାଇଭ୍ ଦେଖିଥିଲେ । ଗତ ୨୬ ତାରିଖ ବିଳମ୍ବିତ ରାତିରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ନିର୍ଦ୍ଦେଶରେ ଆମେରିକାର ସ୍ପେଶାଲ ଡେଲଟା ଫୋର୍ସ ବାଗଦାଦୀକୁ ଜୀବନ୍ତ ଅବା ମୃତ ଧରିବାକୁ କରିଥିଲେ ଅପରେସନ । ଆଉ ସେମାନେ ସଫଳ ହୋଇଥିବା ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଟ୍ୱିଟ୍ କହୁଛି । କୁହାଯାଉଛି, ଇସଲାମିକ ଷ୍ଟେଟର ନୂଆ ମୁଖିଆ ଅବଦୁଲ୍ଲା କାର୍ଦ୍ଦଶ ସଦ୍ଦାମ ହୁସେନଙ୍କ ସେନାବାହିନୀରେ ଉଚ୍ଚ ପଦାଧିକାରୀ ଭାବରେ କାର୍ଯ୍ୟ କରୁଥିଲା ।  ସିଏ କୁଆଡ଼େ ଥିଲା ସଦ୍ଦାମଙ୍କ ଡାହାଣ ହାତ । ହାଜି ଅବଦୁଲ୍ଲା ଅଲ ଅଫାରୀ ବା ପ୍ରଫେସର ନାମରେ ବିଖ୍ୟାତ କାର୍ଦ୍ଦଶକୁ ବାଗଦାଦୀ ଆଇଏସଆଇଏସର ମୁସଲିମ ସମ୍ପର୍କିତ ମାମଲାର ପରିଚାଳନା ପାଇଁ ନିଜେ ବାଛିଥିଲା । ତେଣୁ ସ୍ୱାଭାବିକ ଭାବରେ ବାଗଦାଦିର ମୃତ୍ୟୁପରେ କାର୍ଦ୍ଦଶକୁ ମିଳିଥିଲା ଆଇଏସର କମାଣ । ତେବେ ଟ୍ରମ୍ପଙ୍କ ଟ୍ୱିଟକୁ ବିଶ୍ୱାସକୁ ନେଲେ ଏକଥଆ ମାନିବାକୁ ପଡ଼ିବ ଯେ, କାର୍ଦ୍ଦଶକୁ ମଧ୍ୟ ଆମେରିକା ସେନା ନିପାତ କରି ଦେଇଛି ।

ଦୀର୍ଘ ୫ ବର୍ଷ ଧରି ୬୦ରୁ ଅଧିକ ଦେଶର ମିଳିତ ସେନା ବାଗଦାଦୀକୁ କୁକୁର ପରି ଖୋଜୁଥିଲେ । କିନ୍ତୁ ଯେଉଁ ଇଲାକାରେ କେବେ ବାଗଦାଦିର ଏକଛତ୍ର ରାଜୁତି ଚାଲୁଥିଲା, ସେହି ବରିଶା ଇଲାକା ହିଁ ପାଲଟିଗଲା ତାର କବ୍ରିସ୍ତାନ । ଅପରେସନ ବାଗଦାଦିକୁ ସଫଳ କରିବାକୁ ବଛାବଛା କମାଣ୍ଡୋମାନେ ସିରିଆର ଇଦଲିବକୁ ଯାଇଥିଲେ । ଦୀର୍ଘ ୬ ହଜାର କିଲୋମିଟର ଯାଇ ସଫଳତା ପୂର୍ବକ ବାଗଦାଦିକୁ ମାରିଥିଲେ । ସେହି ଅପରେସନର ନାଁ ରଖାଯାଇଥିଲା 'କାୟଲା ମୁଲେର' । କାୟଲା ମୁଲେର ଥିଲେ ଆମେରିକାର ଜଣେ ମାନବାଧିକାର କର୍ମୀ । ତାଙ୍କୁ ଆଇଏସ ଆତଙ୍କବାଦୀମାନେ ଅପହରଣ କରିବା ପରେ ବାରମ୍ବାର ଗଣଧର୍ଷଣ କରିଥିଲେ । ଏହାପରେ ତାଙ୍କୁ ହତ୍ୟା କରିଥିଲେ । ତେଣୁ ବାଗଦାଦି ମୃତ୍ୟୁ ପାଇଁ କରାଯାଇଥିବା ଅପରେସନର ନାଁ କାୟଲା ମୁଲେର ରଖାଯାଇଥିଲା ।

fallback

୨ ମେ ୨୦୧୧ରେ ପାକିସ୍ତାନର ଅବୋଟାବାଦରେ ଆମେରିକା ସେନା ଓସାମା ବିନ୍ ଲାଡ଼େନକୁ ଅପରେସନ ଜରିଆରେ ନିପାତ କରିବା ପରେ ତତ୍କାଳୀନ ଆମେରିକୀୟ ରାଷ୍ଟ୍ରପତି ଜର୍ଜ ବୁଶ୍ କହିଥିଲେ, ଏଣିକି ବିଶ୍ୱରୁ ଆତଙ୍କବାଦ ଲୋପ ପାଇଲା । କିନ୍ତୁ ସେତେବେଳେ କେହି ବି ଜାଣି ନ ଥିଲେ ଯେ, ବାଗଦାଦୀ ରୂପରେ ଆତଙ୍କବାଦର ନବକଳେବର ହେବାକୁ ଯାଉଛି । ଏପରିକି ୨୦୦୪ ମସିହାରେ ଇରାକର ଫାଲୁଜାଠାରେ ଥରେ ଆମେରିକା ବାଗଦାଦୀକୁ ଗିରଫ ମଧ୍ୟ କରିଥିଲା । ସେତେବେଳେ ସେ ଥଇଲା ଆତଙ୍କବାଦୀ ସଂଗଠନ ଅଲ୍ କାଏଦାର ସ୍ଥାନୀୟ ଡିଭିଜନର ମୁଖ୍ୟ । କିନ୍ତୁ ସେହି ସମୟରେ ବାଗଦାଦୀ ବିରୋଧରେ ଆତଙ୍କରେ ଲିପ୍ତ ଥିବାର ଯଥେଷ୍ଟ ପ୍ରମାଣ ପାଇ ନ ଥିଲା ଆମେରିକା । ଫଳରେ ଗିରଫର ୯ ମାସ ପରେ ତା'କୁ ଛାଡ଼ି ଦେବାକୁ ବାଧ୍ୟ ହୋଇଥିଲା । ଆଉ ତା'ର କିଛି ବର୍ଷ ପରେ ଇସଲାମିକ ଷ୍ଟେଟ୍ ସଂଗଠନ ଗଠନ କରି ବାଗଦାଦୀ ବର୍ବରତାର ଯେଉଁ କାହାଣୀ ଲେଖିଲା, ତାହା ସମସ୍ତେ ଜାଣନ୍ତି । ୨୬ ଅକ୍ଟୋବର ୨୦୧୯ରେ ତା'କୁ ଆମେରିକାର ଡେଲଟା ଫୋର୍ସ ନିପାତ କଲାବେଳେ ମଧ୍ୟ ବର୍ତ୍ତମାନର ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ଏଣିକି ବିଶ୍ୱରୁ ଆତଙ୍କବାଦ ଲୋପ ପାଇଲା । ପୃଥିବୀ ଏଣିକି ଶାନ୍ତିର ନିଃଶ୍ୱାସ ନେବ । ମାତ୍ର ସତରେ କ'ଣ ପୃଥିବୀରୁ ଆତଙ୍କବାଦର ବିଲୋପ ଘଟିଛି ?

ଟ୍ରମ୍ପ୍ ଆଉ ଏକ ନୂଆ ତଥ୍ୟ ଦୁନିଆକୁ ଦେଇଛନ୍ତି । ସେ ଟ୍ୱିଟ୍ କରି ଗୋଟିଏ କୁକୁରର ଫଟୋ ପୋଷ୍ଟ କରିଛନ୍ତି । ଆଉ ତାହା କୌଣସି ସାଧାରଣ କୁକୁର ନୁହେଁ । ଅପରେସନ ବାଗଦାଦିରେ ସାମିଲ ଏହି କୁକୁର ସବୁଠାରୁ ସାହସୀ ଓ ସଫଳ ଭୂମିକା ଗ୍ରହଣ କରିଥିଲା । ଆମେରିକା ସେନା କବଳରୁ ବର୍ତ୍ତିବାକୁ ଯାଇ ବାଗଦାଦି ଏକ ଗୁମ୍ଫା ଭିତରେ ପଶି ଯାଇଥିଲା । ସେହି ସମୟରେ ତାକୁ ଏହି କୁକୁର ଗୋଡ଼ାଇ ଥିଲା । କୁକୁରକୁ ଦେଖି ବାଗଦାଦି କାନ୍ଦି କାନ୍ଦି ଦୌଡ଼ିଥିଲା । ଆଉ କୁକୁରର ଭୟରେ ସେ ନିଜକୁ ବିସ୍ଫୋରଣ କରି ଉଡ଼ାଇ ଦେଇଥିଲା । ବିସ୍ଫୋରଣ ପ୍ରଭାବରେ ସାହସୀ କୁକୁରଟି ସାମାନ୍ୟ ଆହତ ବି ହୋଇଛି । ବେଲଜିଆନ୍ ମାଲିନୋଇଜ୍ ପ୍ରଜାତିର ଏ କୁକୁର ଆମେରିକାର ସ୍ପେଶାଲ ଫୋର୍ସ ସହ କାମ କରୁଛି ।

fallback

ସେପଟେ ଟ୍ରମ୍ପ କହୁଛନ୍ତି ଯେ, ଦୁନିଆ ପୂର୍ବାପେକ୍ଷା ସୁରକ୍ଷିତ ହୋଇଯାଇଛି । ତେବେ କ'ଣ ବାସ୍ତବରେ ଏହା ସତ ? କାରଣ ଦେଖିବାର କଥା, ଯେତେବେଳେ ୨୦୦୬ରେ ଅଲକାଏଦାର ମୁଖ୍ୟ ଆତଙ୍କବାଦୀ ଅବୁ ମସାବ ଅଲ୍ ଜର୍କାୱୀ ମରିଥିଲା, ସେତେବେଳେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଜର୍ଜ ଡବ୍ଲୁ ବୁଶ୍ ମଧ୍ୟ ଠିକ୍ ଏମିତି କିଛି କହିଥିଲେ । ଆଉ ଯେତେବେଳେ ୨୦୧୧ରେ ଅଲକାଏଦାର ସବୁଠୁ ବଡ଼ ମୁଖିଆ ଓସାମା ବିନ୍ ଲାଡେନ୍ ମରିଥିଲା, ସେତେବେଳେ ମଧ୍ୟ ତତ୍କାଳୀନ ରାଷ୍ଟ୍ରପତି ବାରାକ୍ ଓବାମା ଠିକ୍ ଏମିତି କହିଥିଲେ । ଯେତେବେଳେ ବୁଶ୍ ଜର୍କାୱୀର ମୃତ୍ୟୁକୁ ନେଇ ଖୁସି ମନାଉଥିଲେ, ସେତେବେଳେ ବାଗଦାଦି ଆମେରିକା ଜେଲରେ ଥିବାସତ୍ତ୍ୱେ ଦୁନିଆରେ ଆତଙ୍କ ଖେଳାଇବାକୁ ମନ ବଳାଇଥିଲା । ଆଉ ଯେତେବେଳେ ଓସାମା ବିନ୍ ଲାଡେନ୍ ମରିବା ନେଇ ବାରାକ୍ ଓବାମା ଘୋଷଣା କରୁଥିଲେ, ସେତେବେଳେ ବାଗଦାଦି ଜିହାଦୀଙ୍କର ଏମିତି ଏକ ସେନା ପ୍ରସ୍ତୁତ କରିସାରିଥିଲା, ଯାହାକୁ ଦେଖି ଭବିଷ୍ୟତର ଦୁନିଆ ଭୟଭୀତ ହେବା ବାକି ଥିଲା । ୨୦୧୧ରେ ଇରାକରୁ ଆମେରିକା ସେନା ଫେରିବା କ୍ଷଣି ବାଗଦାଦି ମଜବୁତ ହୋଇଥିଲା । ଆଉ ବର୍ତ୍ତମାନ ସିରିଆରୁ ଆମେରିକାର ପ୍ରତ୍ୟାବର୍ତ୍ତନ ପରେ, ଆଉ କେଉଁ ଆତଙ୍କବାଦୀ ନିଜକୁ ମୁସଲମାନଙ୍କ ରାଜା ବୋଲାଇବ, ତାହା କେହି ଜାଣନ୍ତି ନାହିଁ ।

ଆମେରିକା ଆତଙ୍କବାଦୀଙ୍କୁ ମାରୁଛି ସତ, କିନ୍ତୁ ତାଙ୍କ ଚିନ୍ତାଧାରା ଓ ତରିକାକୁ ସେ ଆଉ କେଉଁଠି ରି-ସାଇକ୍ଲ କରି ନିଜର ଫାଇଦା ପାଇଁ ବ୍ୟବହାର କରୁଛି । ପାକିସ୍ତାନରେ ଆତଙ୍କବାଦର କାରଖାନା ଚାଲିଥିବା ଜାଣି ବି ଆମେରିକା ତା' ଉପରେ ବର୍ଷ ବର୍ଷ ଧରି ଲକ୍ଷ ଲକ୍ଷ ଡଲାର ବର୍ଷା କରି ଆସିଛି । ଆଜି ଯଦି ପାକିସ୍ତାନରେ ହାଫିଜ ସୟିଦ ଓ ମାସୁଦ ଅଜହର ପରି ଆତଙ୍କବାଦୀଙ୍କ ଚେର ମଜବୁତ ହୋଇଛି, ତେବେ ତା' ପଛରେ ଆମେରିକାର ଆର୍ଥିକ ସାହାଯ୍ୟର କିଛି ଭୂମିକା ନାହିଁ କି ? ଭାରତ ପରି ବୃହତ୍ ବଜାରକୁ ହାତଛଡ଼ା ନ କରିବା ପାଇଁ ହିଁ ଭାରତର ଚାପ ଆଗରେ ମୁଣ୍ଡ ନୁଆଇଁ ଆମେରିକା ମାସୁଦ ଅଜହରକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କିରଦେଲା ସତ, ହେଲେ ତା' ବିରୋଧରେ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ଆମେରିକାର ଏହି ଉପାୟ ହିଁ ସାରା ଦୁନିଆ ପାଇଁ ସବୁବେଳେ ଭୟଙ୍କର ସାବ୍ୟସ୍ତ ହୋଇଛି । ଆଉ ଯଦି ପୁଣିଥରେ ଏମିତି ହୁଏ, ତେବେ ଦୁନିଆ କହିବ, ବାଗଦାଦି ମରିସାରିଛି, କିନ୍ତୁ ମରିନି ତା' ଚିନ୍ତାଧାରା । ତେବେ କ'ଣ ବାସ୍ତବରେ ପୃଥିବୀରୁ ଆତଙ୍କବାଦର କଳାବାଦଲ ହଟି ଯାଇଛି ? ଦୃଢ଼ତାର ସହ କିଏ ଦେବ ଏହାର ଉତ୍ତର ?