ମହାରାଷ୍ଟ୍ର ଓ ହରିଆଣାରେ ବଦଳିବନି ସରକାର !
Advertisement
Article Detail0/zeeodisha/odisha587802

ମହାରାଷ୍ଟ୍ର ଓ ହରିଆଣାରେ ବଦଳିବନି ସରକାର !

୧୦ଟି ନିର୍ବାଚନୀ ରାଲି କରିଥିଲେ ମୋଦି ଓ ୩୦ଟି ନିର୍ବାଚନୀ ରାଲି କରିଥିଲେ ଅମିତ ଶାହା

ମହାରାଷ୍ଟ୍ର ଓ ହରିଆଣାରେ ବଦଳିବନି ସରକାର !

ହିତାଂଶୁ ଶେଖର ମହାନ୍ତ, ଭୁବନେଶ୍ୱର: ଏଇ ଏଇ ସରିଛି ମହାରାଷ୍ଟ୍ର ଆଉ ହରିଆଣାର ବିଧାନସଭା ମତଦାନ । ଆଉ ବୁଥ୍ ବାହୁଡ଼ା ଭୋଟରଙ୍କ ମିଜାଜ କହୁଛି, ଏଥର ବି ଏ ଦୁଇ ରାଜ୍ୟରେ କ୍ଷମତା ବଜାର ରଖିବ ଶାସକ ଦଳ ବା ମେଣ୍ଟ । ମାନେ ମହାରାଷ୍ଟ୍ରରେ ବିଜେପି+ଶିବସେନା ମେଣ୍ଟ ଓ ହରିଆଣାରେ ବିଜେପି ସରକାରକୁ ଫେରିବ । ତେବେ ଏ ସବୁକିଛି କଳ୍ପନା ଜଳ୍ପନା ଉପରୁ ଆସନ୍ତା ୨୪ ତାରିଖ ହିଁ ପରଦା ହଟିବ । କହିବା ବାହୁଲ୍ୟ, ଏଥର ମଧ୍ୟ ପଦ୍ମଦଳର ଷ୍ଟାର କ୍ୟାମ୍ପେନର ଥିଲେ ପିଏମ୍ ନରେନ୍ଦ୍ର ମୋଦି.. ତାଙ୍କ ପଛକୁ ଯାହା ଉପରେ ଦଳ ଅଧିକ ଭରସା କରିଥିଲା, ସିଏ ହେଉଛନ୍ତି ଗୃହମନ୍ତ୍ରୀ ଅମିତ ଶାହା ।

ମହାରାଷ୍ଟ୍ରର ୨୮୮ ଆସନ ମଧ୍ୟରୁ ଅତି କମରେ ୩୭ଟି ଆସନରେ ମେଣ୍ଟର ଦୁଇ ଭାଗୁଆଳି ଦଳ ବିଦ୍ରୋହୀ ପ୍ରାର୍ଥୀଙ୍କୁ ସାମ୍ନା କରିଥିଲେ । ଏଥିପାଇଁ ଦୁଇ ଦଳ ନିର୍ବାଚନ ପୂର୍ବରୁ ବନ୍ଧ ବାନ୍ଧିଥିବା ଜୋର ଦେଇ କହୁଥିଲେ ମଧ୍ୟ, ଶେଷସୁଦ୍ଧା ବିଦ୍ରୋହୀ ପ୍ରାର୍ଥୀଙ୍କ ମନାଇ ନ ପାରିବା ତାଙ୍କ ଆସନ କମିବାର ଏକ କାରଣ ହେବାକୁ ଯାଉଛି । ନଚେତ୍ ସବୁ ପ୍ରମୁଖ ସଂସ୍ଥାର ଏକଜିଟ୍ ପୋଲକୁ ଯଦି ବିଶ୍ୱାସକୁ ନିଆଯାଏ, ତେବେ ସେମାନେ ବିଜେପି+ଶିବସେନାକୁ ଦେଉଥିବା ଆସନରେ ଅନ୍ତତଃ ଆହୁରି ୨୦ଟି ଆସନ ଯୋଡ଼ି ହୋଇଯା'ନ୍ତା ।

ପିଏମ୍ ମୋଦି ନିଜ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ମଧ୍ୟରୁ ସମୟ ବାହାର କରି କେବଳ ମହାରାଷ୍ଟ୍ରରେ କରିଥିଲେ ୧୦ଟି ନିର୍ବାଚନୀ ରାଲି । ଅମିତ ଶାହା ମଧ୍ୟ ୩୦ଟି ରାଲିରେ ଯୋଗଦେଇ ଦଳୀୟ ପ୍ରାର୍ଥୀମାନଙ୍କ ସପକ୍ଷରେ ଭୋଟଭିକ୍ଷା କରିଥିଲେ । ଆଉ କାହା କଥା ଛାଡ଼ନ୍ତୁ, ଖୋଦ୍ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭିସ ଏକାକି ୧୦୦ଟି ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ଦଳ ପାଇଁ କରିଥିଲେ ଭୋଟଭିକ୍ଷା । ପ୍ରାୟ ପ୍ରତ୍ୟେକ ରାଲିରେ ମୋଦିଙ୍କ ସମେତ ଫଡ଼ନଭିସ ମଧ୍ୟ ବିଜେପି ସାମ୍ନାରେ ବିପକ୍ଷ କେଉଁଠି ହେଲେ ପ୍ରତିଦ୍ୱନ୍ଦ୍ୱିତାରେ ଛିଡ଼ା ହେଉଥିବା ଲକ୍ଷ୍ୟ କରୁ ନ ଥିବା କହିଥିଲେ । ହେଲେ ଏହିକଥାକୁ କାଉଣ୍ଟର କରିଥିଲେ ଖୋଦ୍ ଶିବସେନା ମୁଖପାତ୍ର ସଞ୍ଜୟ ରାଉତ । ସଞ୍ଜୟ ରାଉତଙ୍କ କହିବା କଥା, ଯଦି ରାଜ୍ୟରେ କ୍ଷମତାରେ ଥିବା ଶିବସେନା+ବିଜେପି ସରକାରଙ୍କ ସପକ୍ଷରେ ହାୱା ବୋହୁଥିଲା, ତେବେ କାହିଁକି ଖୋଦ୍ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ପରି ହାଇ ପ୍ରୋଫାଇଲ ନେତା ନିର୍ବାଚନରେ ଦଳକୁ ଜିତାଇବାକୁ ଅଣ୍ଟାଭିଡ଼ି କୁଦି ପଡ଼ିଥିଲେ ? ରାଉତଙ୍କ କଥାରେ ତାଳ ମିଳାଇଥିଲେ ଏନସିପି ନେତା ଶରଦ ପାୱାର ।

ତେବେ ଏହାରି ମଧ୍ୟରେ ମହାରାଷ୍ଟ୍ରରେ କ୍ଷମତାର ଭାଗୁଆଳି ଥିବା ଶିବସେନାର ମୁଖପତ୍ର 'ସାମନା' ଲେଖିଥିଲା, ମହାରାଷ୍ଟ୍ର ରାଜନୀତିରେ ଆଗାମୀ ଦିନରେ ଦେଖିବାକୁ ମିଳିବ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେଙ୍କ ଜଲୱା । ଆଦିତ୍ୟଙ୍କ ନିକଟରେ ରହିଛି ଜେଜେ ବାଲ ଠାକରେଙ୍କ ଠାଣିର ଝଲକ । ତେଣୁ ସେ ଯେ ଆଗକୁ ମହାରାଷ୍ଟ୍ରକୁ ଏକ ନୂଆ ଦିଶା ଦେଇପାରିବେ, ଏ ଆଶା ରଖିଛି ତାଙ୍କ ଦଳ । ମହାରାଷ୍ଟ୍ରର ୱରେଲିରୁ ଲଢ଼ିଥିବା ଆଦିତ୍ୟ ଯେ କେବଳ ନିର୍ବାଚନ ଜିତି ବିଧାନସଭାରେ ବସିବାକୁ ଯାଉନାହାନ୍ତି, ବରଂ ଆଗାମୀ ଦିନରେ ମରାଠି ଜନତା ତଥା ରାଜ୍ୟର ସିଂହଭାଗ ଯୁବ ସମ୍ପ୍ରଦାୟ ତାଙ୍କ ଭିତରେ ନିଜର ଭବିଷ୍ୟତର ନେତାଙ୍କୁ ଦେଖିବାକୁ ପାଇବେ । ଆଉ ନିଜକୁ ସେହିପରି ଢାଞ୍ଚାରେ ଗଢ଼ିବା ହିଁ ବର୍ତ୍ତମାନ ହେବ ଆଦିତ୍ୟ ଠାକରେଙ୍କ ମୁଖ୍ୟ ଲକ୍ଷ୍ୟ । ଏହା ହୁଏତ ତାଙ୍କ ସପକ୍ଷରେ 'ସାମନା'ରେ ସୃଷ୍ଟି କରାଯାଇଥିବା ସକାରାତ୍ମକ ହାୱା । ତେବେ ଏକଥା ମଧ୍ୟ ମାନିବାକୁ ପଡ଼ିବ ଯେ, ଏପରି ହାୱା ହିଁ ବିଭିନ୍ନ ରାଜ୍ୟରେ ସୃଷ୍ଟି କରିଥାଏ ଆଗାମୀ ଦିନର ତୁଙ୍ଗ ନେତୃତ୍ୱ ।

ଏ ସବୁଠାରୁ ଭିନ୍ନ ଯେଉଁ ଦୁଇଟି ଅଣ ମହାରାଷ୍ଟ୍ର ପ୍ରସଙ୍ଗ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଦେଖିବାକୁ ମିଳିଥିଲା, ତାହା ହେଉଛି ଜମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗ ଏବଂ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ । ବୋଧହୁଏ ଏପରି ପ୍ରଥମ ଥର ପାଇଁ ହୋଇଥିଲା, ଯେତେବେଳେ କି ମହାରାଷ୍ଟ୍ର ଜନତା ଏପରି ଦୁଇଟି ଅଣ ମହାରାଷ୍ଟ୍ର ଓ ଅଣ ମରାଠା ପ୍ରସଙ୍ଗ ଉପରେ ନିଜ ମତାଧିକାର ସାବ୍ୟସ୍ତ କରିଥିଲେ । ବିଜେପି ଓ ଶିବସେନା ମେଣ୍ଟ କରି ନିର୍ବାଚନ ଲଢୁଥିଲେ ମଧ୍ୟ ବିଦର୍ଭ ରାଜ୍ୟ ପ୍ରସଙ୍ଗରେ ଦୁଇଦଳର ମତ ଥିଲା ଅଲଗା । ସିଏମ୍ ଫଡ଼ନଭିସଙ୍କ ମତରେ ଛୋଟ ଛୋଟ ରାଜ୍ୟ ଗଠନ ହେଲେ ଏହା ରାଜୟର ବିକାଶକୁ ତ୍ୱରାନ୍ୱିତ କରିଥାଏ । ତେଣୁ ସେ ନିଜ ନିର୍ବାଚନୀ ରାଲିଗୁଡ଼ିକରେ ମରାଠା ଜନତାଙ୍କୁ ବିଦର୍ଭ ରାଜ୍ୟ ଗଠନର ସ୍ୱପ୍ନ ଦେଖାଇଥିଲେ । ଅବଶ୍ୟ ଫଡ଼ନଭିସ ଭଲ ଭାବରେ ଜାଣନ୍ତି ଯେ, ତାଙ୍କ କେନ୍ଦ୍ର ନେତୃତ୍ୱ ସବୁଜ ସଙ୍କେତ ନ ଦେଲେ ଏପରି ହେବା କେବଳ ଦିବାସ୍ୱପ୍ନ ମାତ୍ର । ତେବେ 'ନିର୍ବାଚନ ଯୁଦ୍ଧରେ ଯେ ସବୁକିଛି ଠିକ୍' ଏହି ନ୍ୟାୟରେ ଭୋଟରଙ୍କୁ  ଅକାଟ୍ୟ ବାଣ ଛାଡ଼ିଥିଲେ ସେ । ହେଲେ ଶିବସେନା କିନ୍ତୁ ଅଲଗା ରାଜ୍ୟ ଗଠନ ପ୍ରସଙ୍ଗଠାରୁ ନିଜକୁ ଦୂରେଇ ରଖିଥିଲା । ବଡ଼ ବଡ଼ ପ୍ରସଙ୍ଗ ବଦଳରେ ଶିବସେନା ୧୦ ଟଙ୍କାରେ ମଧ୍ୟାହ୍ନ ଭୋଜନ ଓ ୧ ଟଙ୍କାରେ ଚିକିତ୍ସା ସୁବିଧା ପରି ଲୋକଙ୍କୁ ଛୁଇଁଲା ଭଳି ପ୍ରସଙ୍ଗକୁ କରିଥିଲା ପ୍ରମୁଖ ନିର୍ବାଚନୀ ଅସ୍ତ୍ର ।

ସେପଟେ ୨୦୧୪ରେ ମୋଦିଜୀଙ୍କ ପ୍ରବଳ ଲହରିରେ ହରିଆଣାରେ କଂଗ୍ରେସ ସରକାରକୁ ହଟାଇ କ୍ଷମତାସୀନ ହୋଇଥିବା ମନୋହରଲାଲ ଖଟ୍ଟର ସରକାର ଏଥର କ୍ଷମତା ବଜାୟ ରଖିବା ସ୍ପଷ୍ଟ ସଙ୍କେତ ଦେଲାଣି ଭୋଟରଙ୍କ ବୁଥ୍ ବାହୁଡ଼ା ମତ । ତାଙ୍କ ନେତୃତ୍ୱରେ ବିଜେପି ରାଜ୍ୟରେ ପୁନର୍ବାର କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିବ, ତାହା ଜଳ ଜଳ ଦିଶିଲାଣି । ୨୦୦୯ରେ ୪୪ ପ୍ରତିଶତ ଭୋଟ ପାଇ କ୍ଷମତା ହାତେଇ ଥିବା କଂଗ୍ରେସକୁ ପଦ୍ମଦଳ ୨୦୧୪ରେ ୫୨ ପ୍ରତିଶତରୁ ଅଧିକ ଭୋଟ ପାଇଁ ମାଟି କାମୁଡ଼ାଇଥିଲା । ଦଳର ଆସନ ସଂଖ୍ୟା ଥିଲା ୪୭ । ଆଉ ଏବେ ବୁଥ୍ ବାହୁଡ଼ା ଜନମତକୁ ବିଶ୍ୱାସକୁ ନେଲେ ଦଳ ଏଥର ୫୫ ପ୍ରତିଶତରୁ ଅଧିକ ଭୋଟ୍ ପାଇବ । ଯାହା ଆସନରେ କନଭର୍ଟ ହେଲେ ୭୦ରୁ ଅଧିକ ହେବ । ତେବେ ଫଳାଫଳ ପାଇଁ ଆସନ୍ତା ୨୪ ପର୍ଯ୍ୟନ୍ତ ଧୌର୍ଯ୍ୟର ସହ ଅପେକ୍ଷା କରିବାକୁ ପଡ଼ିବ

ରାଜ୍ୟର ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ପାଇଁ ଯାଜପୁର, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାର ତିନି ଗୋଟି ବ୍ଲକ, ଢେଙ୍କାନାଳ ଜିଲ୍ଲାର ଦୁଇଟି ବ୍ଲକ ଏବଂ ଦେବଗଡ଼ ଜିଲ୍ଲାର ଦୁଇଟି ବ୍ଲକ ଅଧୀନରେ ଥିବା ଗାଁ ଗୁଡ଼ିକରେ ପ୍ରାୟ ୧୪୦୦ କୋଟିରୁ ଅଧିକ ଟଙ୍କା ବିନିମୟରେ ପାନୀୟ ଜଳ ପ୍ରକଳ୍ପ ଉପରେ କ୍ୟାବିନେଟ ମୋହର ଲାଗିଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ ସମସ୍ତ ନିଷ୍ପତ୍ତି ସଂପର୍କରେ ସୂଚନା ଦେଇଛନ୍ତି ।