ଜେ.ପି. ଦେବେ ଦିଲ୍ଲୀ !
Advertisement
Article Detail0/zeeodisha/odisha626491

ଜେ.ପି. ଦେବେ ଦିଲ୍ଲୀ !

ବିଜୟରୁ ହିଁ ନିଜର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇବାକୁ ନଡ୍ଡା ନିଶ୍ଚୟ ଚାହିଁବେ ।

ଫାଇଲ ଫଟୋ

ନୂଆଦିଲ୍ଲୀ: ନାଁ-ଜଗତ ପ୍ରକାଶ ନଡ୍ଡା । ଛାତ୍ର ଜୀବନରୁ ରାଜନୀତିରେ ଯୋଗ ଦେଇଥିଲେ । ପ୍ରଥମେ ଏବିଭିପିରେ ରହି ବିଭିନ୍ନ ଦାୟିତ୍ୱ ତୁଲାଇଥିଲେ । ଆଉ ପରବର୍ତ୍ତୀ ସମୟରେ ବିଜେପିର ଏକ ପ୍ରମୁଖ ଚେହେରା ଭାବେ ଜଣାଶୁଣା ହୋଇପାରିଛନ୍ତି ନଡ୍ଡା । ଏବେ ବିଶ୍ୱର ସର୍ବବୃହତ ରାଜନୈତିକ ଦଳର ମଙ୍ଗ ତାଙ୍କ ହାତରେ ନ୍ୟସ୍ତ କରାଯିବ । ସାମ୍ନାରେ ରହିଛି ଗୋଟିଏ ପରେ ଗୋଟିଏ ବଡ଼ ଚ୍ୟାଲେଞ୍ଜ । 

ସୂତ୍ର ଅନୁସାରେ, ବିଜେପିର କାର୍ଯ୍ୟକାରୀ ସଭାପତି ଥିବା ନଡ୍ଡାଙ୍କୁ ଆସନ୍ତା ୨୦ ତାରିଖରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବରେ ଘୋଷଣା କରାଯିବ । ଏହାରି ଭିତରେ ଦଳର ନିର୍ବାଚନ ପ୍ରକ୍ରିୟା ବି ଶେଷ ହେଉଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ୨୦ ତାରିଖରେ ନାମାଙ୍କନ ଥିବା ବେଳେ ନଡ୍ଡାଙ୍କ ନାଁ ସର୍ବସମ୍ମତି କ୍ରମେ ଚୟନ ହୋଇଛି । 

ମୋଦି ୧।୦ରେ କେନ୍ଦ୍ରମନ୍ତ୍ରୀ ଥିବା ନଡ୍ଡାଙ୍କୁ ଦ୍ୱିତୀୟ ଟର୍ମରେ ସଙ୍ଗଠନର ଦାୟିତ୍ୱ ଦିଆଯାଇଥିଲା । ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିବା ଶାହ ଗୃହମନ୍ତ୍ରୀ ହେବା ପରେ ନଡ୍ଡାଙ୍କ ହାତରେ ନ୍ୟସ୍ତ ହୋଇଥିଲା ଦଳର ଦାୟିତ୍ୱ । ଆଉ ଏବେ ସେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବାକୁ ଯାଉଛନ୍ତି । ଯଦିଓ ରାଜନୀତିରେ ବେଶ ଅଭିଜ୍ଞ, କିନ୍ତୁ ଆଗକୁ ତାଙ୍କୁ ବଡ଼ ବଡ଼ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିବ ।

ନଡ୍ଡାଙ୍କ ପାଇଁ ଅଗ୍ନୀ ପରୀକ୍ଷା ଭାବରେ ଦିଲ୍ଲୀ ବିଧାନସଭା ନିର୍ବାଚନ ରହିଛି । ଦଳକୁ ହ୍ୟାଟ୍ରିକ ପରାଜୟରୁ ରକ୍ଷା କରିବା ପାଇଁ ଦିଲ୍ଲୀ ଦରକାର । କାହିଁକିନା ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡରେ ଗେରୁଆ ଦଳ ଯେଉଁପରି ଭାବରେ ଝଟକା ଖାଇଛି, ଦିଲ୍ଲୀ ସେଥିରେ ବାଲିସେକ ଦେବ ବୋଲି କୁହାଯାଉଛି । ଆମ ଆଦମୀ ପାର୍ଟିକୁ ସାମ୍ନା କରିବା ଏବେ ଗେରୁଆ ଦଳ ପାଇଁ ବଡ଼ ଚ୍ୟାଲେଞ୍ଜ । ସମୟ ବି କମ । ମାତ୍ର ୧୫ ଦିନ ଭିତରେ ନଡ୍ଡା ଦିଲ୍ଲୀ ଦଖଲ ପାଇଁ କ'ଣ ରଣନୀତି ପ୍ରସ୍ତୁତ କରୁଛନ୍ତି, ତା ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି । 

ଯଦିଓ ଆଗାମୀ ଦିନରେ ବିହାର, ପଶ୍ଟିମବଙ୍ଗ,  ତାମିଲନାଡ଼ୁ ଇତ୍ୟାଦି ରାଜ୍ୟରେ ବିଧାନସଭା ନିର୍ବାଚନ ଅଛି, ତେବେ ସବୁଠୁ ବେଶି ଗୁରୁତ୍ୱବହନ କରୁଛି ଦିଲ୍ଲୀ । ଦେଶର ରାଜଧାନୀ ଦିଲ୍ଲୀକୁ ଦଖଲ କରିବାରେ ଫେଲ ମାରିଛି ଗେରୁଆ ଦଳ । ଲୋକସଭା ନିର୍ବାଚନରେ ଯଦିଓ ବିଜେପି ଦମଦାର ପ୍ରଦର୍ଶନ କରିଛି, ତେବେ ବିଧାନସଭା ନିର୍ବାଚନ ବିଜେପି ସପକ୍ଷରେ ନାହିଁ ବୋଲି ସର୍ଭେ ରିପୋର୍ଟ ଆସିଛି । 

ବିଜୟରୁ ହିଁ ନିଜର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇବାକୁ ନଡ୍ଡା ନିଶ୍ଚୟ ଚାହିଁବେ । ଆଉ ଦଳ ମଧ୍ୟ ନୂଆ ଅଧ୍ୟକ୍ଷଙ୍କ ପାଖରୁ ଏହା ଆଶା କରିବା ସ୍ୱାଭାବିକ । ଆଉ ଏହାର ପ୍ରଭାବ ଆଗାମୀ ଦିନରେ ହେବାକୁ ଥିବା ନିର୍ବାଚନ ଗୁଡ଼ିକରେ ମଧ୍ୟ ପଡ଼ିବ । ତେବେ ବର୍ତ୍ତମାନ ସ୍ଥିତିରେ କେଜ୍ରିୱାଲଙ୍କ ନେତୃତ୍ୱାଧିନ ଆପକୁ ଟକ୍କର ଦେବା ଏତେ ସହଜ ହୋଇନପାରେ । 

ଆହୁରି ପଢ଼ନ୍ତୁ; 'ଆଣ୍ଡାମାନ ଜେଲ ଗଲେ ବୁଝିଯିବ ସାବରକରଙ୍କ ତ୍ୟାଗ'