ଆଧୁନିକତାର ଗନ୍ଧ ବାରିନି, କଟୁଆପଦର ଗାଁ'
Advertisement
Article Detail0/zeeodisha/odisha607218

ଆଧୁନିକତାର ଗନ୍ଧ ବାରିନି, କଟୁଆପଦର ଗାଁ'

ଆଧୁନିକତା ତ ଦୂରର କଥା, ଏଠାରେ ଆଜି ପର୍ଯ୍ୟନ୍ତ କୌଣସି ସରକାରୀ ଅଧିକାରୀ କିମ୍ବା ଜନ ପ୍ରତିନିଧି ପାଦ ରଖିନାହାନ୍ତି

ଆଧୁନିକତାର ଗନ୍ଧ ବାରିନି,  କଟୁଆପଦର  ଗାଁ'

ସୁଚିତ୍ରା ସେଣ୍ଡ୍, ମାଲକାନଗିରି: ବିଂଶ ଶତାବ୍ଦୀର ଆଧୁନିକ ଯୁଗରେ ଯେଉଁଠି ଲୋକେ ଚନ୍ଦ୍ରପୃଷ୍ଠରେ ଘର କରିବାର ସ୍ୱପ୍ନ ଦେଖୁଛନ୍ତି, ସେ ସମୟରେ ଯେ କୌଣସି ଗ୍ରାମ ଆଧୁନିକତାର ଗନ୍ଧ ବାରି ନ ଥିବ ତାହା ଭାବିବା ବାସ୍ତବିକ କଷ୍ଟଦାୟକ । କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ଅଞ୍ଚଳର ଖବର ଦେଖାଇବାକୁ ଯାଉଛୁ, ତାହା ପୂର୍ବରୁ କେବେ ଗଣମାଧ୍ୟମରେ ପ୍ରକାଶ ପାଇ ନାହିଁ । ଆଧୁନିକତା ତ ଦୂରର କଥା, ଏଠାରେ ଆଜି ପର୍ଯ୍ୟନ୍ତ କୌଣସି ସରକାରୀ ଅଧିକାରୀ କିମ୍ବା ଜନ ପ୍ରତିନିଧି ପାଦ ରଖିନାହାନ୍ତି । ଏଭଳି ଏକ ଗାଆଁ ହେଉଛି ମାଲକାନଗିରିର କଟୁଆପଦର । ମାଓଗଡ଼ର ନିଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ଏହି ଗାଁ'ରେ ବିକାଶର ଚିହ୍ନବର୍ଣ୍ଣ ବି ଦେଖିବାକୁ ମିଳିବ ନାହିଁ । ବୈଜ୍ଞାନିକ ଯୁଗରେ ଏଠାକାର ଲୋକେ ଅନ୍ଧାରରେ ରହୁଛନ୍ତି । ଝରଣା ପାଣି ପିଇବା ସହ ଦେହ ଖରାପ ହେଲେ ଭଗବାନଙ୍କ ଭରସାରେ ଟେକି ଦେଉଛନ୍ତି ରୋଗୀର ଜୀବନ ।

ସମୟ ସୁଅରେ ନିଜକୁ ବଦଳାଉଥିବା ଅନେକ ଗ୍ରାମ କିମ୍ବା ସହରର ଚିତ୍ର ଆପଣ ସମସ୍ତେ ଦେଖିଥିବେ ତେବେ ସମୟ ସହ ତାଳ ଦେଇ ଚାଲି ପାରି ନଥିବା ଏଭଳି ଏକ ଗାଁ ରହିଛି ଯେଉଁ ଠାରେ ନା ଆମ ପୂର୍ବରୁ କେହି ପହଁଚି ଥିଲେ ନା କେହି ଏହାକୁ ଦେଖାଇଥିଲେ । ଏଭଳି ଏକ ଗାଁ ହେଉଛି ଆଦିବାସୀବହୁଳ ତଥା ମାଓବାଦୀଙ୍କ ଗଡ଼ ରୂପେ ପରିଚିତ ମାଲକାନଗିରି ଜିଲ୍ଲାର କଟୁଆପଦର ଗାଁ । ଜିଲ୍ଲାର ମାଥିଲି ବ୍ଲକଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଥିବା ଏହି ଗ୍ରାମକୁ ସଡକ ଟିଏ ମଧ୍ୟ ନାହିଁ । ଦୀର୍ଘ ୧୫ କିଲୋମିଟରରୁ ଉର୍ଦ୍ଧ ପାହାଡିଆ ରାସ୍ତାରେ ଗଲେ ପଡ଼େ ଏହି ଗାଁ । ଯେଉଁଠି ସରକାରୀ ଯୋଜନା ପହଁଚିବା ତ ଦୂରର କଥା ଗ୍ରାମର ସମସ୍ୟା ବୁଝିବା ପାଇଁ କୌଣସି ସରକାରୀ ଅଧିକାରୀ କେବେ ଯାଆନ୍ତି ନାହିଁ । ନାହିଁ ନାହିଁରେ ଲାଲକରିଡରର ଗଡ ଭାବେ ପରିଚିତ ଏହି ଗ୍ରାମରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ ଏଭଳି ଅନେକ ମୌଳିକ ସୁବିଧା ଗ୍ରାମବାସୀଙ୍କ ପାଇଁ ସାତସପନ ପାଲଟିଛି । ଗ୍ରାମରେ ପକ୍କା ସଡ଼କ ତ ଦୂରର କଥା ପକ୍କା ଘରଟିଏ ବି ନାହିଁ । ଆଦିମ କାଳରୁ ଲୋକେ ଏଠାରେ ଝରଣା ପାଣିରେ ତୃଷା ନିବାରଣ କରୁଥିବା ବେଳେ ସାମାନ୍ୟ ଲୁଣ ଟିକକ ପାଇଁ ବି ଏମାନଙ୍କୁ ପାହାଡର ବୁକୁଚିରି ମାଇଲ ମାଇଲ ବାଟ ଚାଲିବାକୁ ପଡ଼େ ।

ଦଶନ୍ଧି ଦଶନ୍ଧି ଧରି ପ୍ରକୃତି କୋଳରେ ଜିଇଁ ରହିଥିବା ଏହି ଗାଁରେ ବାସକରନ୍ତି ୨୯ ଟି ଆଦିବାସୀ ପରିବାର । ସରକାରୀ ଯୋଜନାରୁ ବାଦ୍ ପଡିଯାଇଛି ଏହି ଗାଁ । ଏମାନେ କେବେ ନିଜ ଲୋକ ପ୍ରତିନିଧିଙ୍କୁ ନିଜ ଅଞ୍ଚଳରେ ଦେଖି ନାହାଁନ୍ତି । ଯେଉଁଠି ରାଜ୍ୟ ସରକାର ବିକାଶର ଡିଣ୍ଡିମ ପିଟୁଛନ୍ତି ସେଭଳି ରାଜ୍ୟର ଏହି ଅବିକଶିତ ଅଙ୍ଗରେ ଥିବା ଲୋକଙ୍କ ସମସ୍ୟାର ଚିତ୍କାର ପାହାଡ ଖୋଲରେ ଚାପି ହୋଇ ରହିଯାଉଛି । ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକହିତକର ଯୋଜନାରେ ଥିବା ହିତାଧିକାରୀ ତାଲିକାରେ ହୁଏତ ଏମାନଙ୍କ ନାଆଁ ସାମିଲ୍ ଥାଇପାରେ । କିନ୍ତୁ ଆଜିସୁଦ୍ଧା ପାହାଡ଼ର ପଥୁରିଆ ରାସ୍ତା ଦେଇ କଟୁଆପଦରରେ ସରକାରୀ ଯୋଜନା ପହଞ୍ଚି ପାରିନାହିଁ । ଗାଁର ଏସବୁ ସମସ୍ୟାକୁ ନେଇ ଆମେ ମାଥିଲି ଜିଲ୍ଲା ପରିଷଦ ସଦସ୍ୟଙ୍କୁ ପଚାରିବାରୁ ସେ କଥାଟିକୁ ସ୍ୱୀକାର କରିଥିଲେ । ଏଥିସହ କଟୁଆପଦରର ସମସ୍ୟା ଦୂର ପାଇଁ ପ୍ରାଶାସନିକ ଅଧିକାରୀଙ୍କ ସହ ଆଲୋଚନା କରି ଏହାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।